ଭୁବନେଶ୍ୱର: ଦିନ ତମାମ ବିଜେପି ତୁଙ୍ଗ ନେତାଙ୍କ ହଲ୍ଲାବୋଲ୍। ଏବେ କେବଳ 400 ପାର୍ ନୁହେଁ ଓଡ଼ିଶାରେ ସତ୍ତା ପରିବର୍ତ୍ତନ ପାଇଁ ଜୋର। ରେଢାଖୋଲ, ପାଟଣା, ଖୋର୍ଦ୍ଧାରେ ରାଜନାଥ ସିଂଙ୍କ ହାଇଭୋଲ୍ଟେଜ୍ ପ୍ରଚାର। କଂଗ୍ରେସ ଓ ବିଜେଡି ସରକାର ଉପରେ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ। କୁଚିଣ୍ଡାରେ ନବୀନ ସରକାରଙ୍କୁ ବିଷ୍ଣୁଦେବ ସାଏଙ୍କ ଟାର୍ଗେଟ୍। ଆଠମଲ୍ଲିକରେ 25 ବର୍ଷର ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ଗାଦିରୁ ହଟାଇବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ବାନ...ସମ୍ବଲପୁରରେ ତେଜସ୍ଵୀ ସୂର୍ଯ୍ୟାଙ୍କ ବିଶାଳ ବାଇକ ରାଲି।
ବିଜେପି ଫୋକସରେ ଓଡ଼ିଶା । ମୈଦାନରେ ଜୋରଦାର୍ ପ୍ରଚାର କରିଛନ୍ତି ଦଳର ହେଭିୱେଟ୍ । ରେଢାଖୋଲ, ପାଟଣା ଓ ଖୋର୍ଦ୍ଧାରେ ପଦ୍ମ ଫୁଲରେ ଭୋଟ୍ ପାଇଁ ନିବେଦନ କରିଛନ୍ତି ରାଜନାଥ ସିଂ । ରେଢାଖୋଲ ବିଜୟ ସଙ୍କଳ୍ପ ସମାବେଶରେ ସାମିଲ୍ ହୋଇ କଂଗ୍ରେସ ଓ ବିଜେଡି ସରକାର ଉପରେ ଜୋରଦାର୍ ବର୍ଷିଛନ୍ତି ।... ସେ କହିଛନ୍ତି, ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି ଶାସନ କରିଛି। ହେଲେ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି । ଆଜି ସାରା ବିଶ୍ବ ମୋଦିଙ୍କ ନେତୃତ୍ଵକୁ ପ୍ରଶଂସା କରୁଛି।ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂୟସୀ ପ୍ରଶଂସା କରିଥିଲେ ରାଜନାଥ ।
ସେହିପରି ସମ୍ବଲପୁର କୁଚିଣ୍ଡା ନିର୍ବାଚନୀ ସଭାରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ଓଡିଶାରେ ୨୫ ବର୍ଷ ଶାସନ କାଳରେ ଦଳର ମୁଖିଆ ଠିକ ସେ ଓଡ଼ିଆ ଭାଷା କହିନପରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଜଣେ ଅଣ ଓଡ଼ିଆର ଇସାରାରେ ବିଜେଡି ସରକାର ଚାଲୁଛି । ଏଥର ପରିବର୍ତ୍ତନ ସହ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଅନୁଗୁଳ ଆଠମଲ୍ଲିକ ବିଜୟ ସଂକଳ୍ପ ସମାବେଶରେ ସାମିଲ୍ ହୋଇ 25 ବର୍ଷର ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ଗାଦିରୁ ହଟାଇବା ପାଇଁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେପଟେ ସମ୍ବଲପୁରରେ ବିଶାଳ ବାଇକ୍ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ତେଜସ୍ଵୀ ସୂର୍ଯ୍ୟା । ଓଡ଼ିଶାରେ ଜୋରସୋରରେ ପ୍ରଚାର ଚଳାଇଛନ୍ତି ବିଜେପି ତୁଙ୍ଗ ନେତା । ଏବେ କେବଳ 400 ପାର୍ ନୁହେଁ ଓଡ଼ିଶାରେ ସତ୍ତା ପରିବର୍ତ୍ତନ ଲାଗି ନାରା । କେବଳ 21 ଲୋକସଭା ଆସନ ନୁହେଁ ଟାର୍ଗେଟରେ ବିଧାନସଭା ସିଟ୍ ।
ଅଧିକ ପଢନ୍ତୁ ଓଡ଼ିଶା ଖବର