Historic Baliyatra Cuttack / ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ଏବଂ ଧାର୍ମିକ ଭାବନା ସହ ଜଡ଼ିତ: ମୁଖ୍ୟମନ୍ତ୍ରୀ

Key Points
କଟକ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଉଦ୍ଘାଟନୀ ଉତ୍ସବରେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତଳ ବାଲିଯାତ୍ରା ପଡ଼ିଆର ଗଣକବି ବୈଷ୍ଣବ ପାଣି ମଞ୍ଚରୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଶହ ଶହ ବର୍ଷ ତଳେ ଆଜିର ଦିନର କଳିଙ୍ଗର ସାଧାବ ମାନେ ସମୁଦ୍ରରେ ବୋଇତ ନେଇ ସୁଦୂର ଦେଶକୁ ନୌବାଣିଜ୍ୟ ପାଇଁ ଯାଉଥିଲେ । ଆଉ ସେମାନଙ୍କର ଶୁଭ ମନାସୀ, ସୁରକ୍ଷିତ ଯାତ୍ରା ଉଦ୍ଦେଶ୍ୟରେ ଆମ ସାଧବ ବୋହୂ ମାନେ ପୂଜାର୍ଚ୍ଚନା କରି ମେଲାଣି ଦେଉଥିଲେ ।"
ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ଏବଂ ଧାର୍ମିକ ଭାବନା ସହ ଜଡ଼ିତ । ଓଡ଼ିଶାର ଗୌରବମୟ ଇତିହାସର ସୁନ୍ଦର ପରିଚୟ ହେଉଛି ଐତିହାସିକ ବାଲିଯାତ୍ରା କଟକ । ଏହି ଦିବସର ଗୁରୁତ୍ଵକୁ ବାଦ୍ ଦେଇ ଓଡ଼ିଶାର ନୌବାଣିଜ୍ୟ ଇତିହାସ ସମ୍ପର୍କରେ ଚିନ୍ତା କରାଯାଇ ପାରିବ ନାହିଁ । ଧାର୍ମିକ, ସାଂସ୍କୃତିକ, ଅର୍ଥନୀତିକ, ପାରମ୍ପରିକ ସବୁ ଦୃଷ୍ଟିକୋଣରୁ ରହିଛି ବାଲିଯାତ୍ରାର ବୈଶିଷ୍ଟ୍ୟତା ।
ଆମ ସାଧବ ପୁଅ ମାନେ ବୋଇତ ଧରି ନୌବାଣିଜ୍ୟ ପଥରେ ଜାଭା, ସୁମାତ୍ରା, ଇଣ୍ଡୋନେସିଆ ଯାଉଥିଲେ । କେବଳ ପାରାଦୀପ କି କଟକରେ ନୁହେଁ ସେହି ପରମ୍ପରାକୁ ମନେ ରଖି ସାରା ଓଡ଼ିଶାରେ ଏହି ବୋଇତ ବନ୍ଦାଣ ଉତ୍ସବ ଆନନ୍ଦରେ ପାଳନ ହେଉଛି । ଐତିହାସିକ ବାଲିଯାତ୍ରା କଟକ କେବଳ ଏକ ମେଳା ନୁହେଁ, ଏହା ଆମ ଓଡ଼ିଆ ଜାତିର ଗୌରବ, ସାହାସ, ବାଣିଜ୍ୟ ଐତିହ୍ୟର ଜୀବନ୍ତ ସ୍ମୃତି ।
ବାଲିଯାତ୍ରା ଓଡ଼ିଆ ଲୋକ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଆ ସଂସ୍କୃତିରେ ତଅପୋଇ, ଖୁଦୁରୁକୁଣୀ ବିନା ବାଲିଯାତ୍ରା ସଫଳ ହୋଇ ପାରିବ ନାହିଁ । କବି ରାଧାନାଥ ରାୟ, ମଧୁସୂଦନ ରାଓ ଓ ଗୋପବନ୍ଧୁ ଦାସ ମଧ୍ୟ ତାଙ୍କ ଲେଖାରେ ବାଲିଯାତ୍ରା ଓ ସାଧବ ସଂସ୍କୃତି ବାବଦରେ ବର୍ଣ୍ଣନା କରିଛନ୍ତି । ଏହା ଓଡ଼ିଆ ଜାତିର ସାହାସ, ଦୃଢ଼ ସଂକଳ୍ପ ଓ ସାମୁଦ୍ରିକ ସଂସ୍କୃତିର ପ୍ରତୀକ ।
ହଜାରେ ବର୍ଷର ତାରକସୀ ସହର କଟକ । ସାରା ବିଶ୍ଵରେ ଏହା ରୌପ୍ୟ ନଗରୀ ବା ସିଲଭର ସିଟି ଭାବେ ସ୍ଵତନ୍ତ୍ରତା ହାସଲ କରିଛି । ସହରର ପ୍ରାଣ ମହାନଦୀ ଓ କାଠଯୋଡ଼ି । ଏହା ବିନା କଟକ ସହରର କଳ୍ପନା କରାଯାଇ ପାରି ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏବେ ସମୟ ବଦଳିଛି । ଆମ ଦୈନନ୍ଦିନ ଜୀବନ, ବିଜ୍ଞାନ ଦ୍ଵାରା ପରିଚାଳିତ ହେଉଛି । ଆମ ହାତରେ ମୋବାଇଲ୍ ଅଛି, ସମସ୍ତ ନୂଆ ଜ୍ଞାନକୌଶଳ ରହିଛି । ସେଦିନର ସମୁଦ୍ର ପଥର ଯାତ୍ରା ଏବେ ଟେକ୍ନୋଲୋଜି ଦ୍ଵାରା ତ୍ରୁଟିଶୂନ୍ୟ ହୋଇ ପାରିଛି । ପବନ ବହିବାର ଦିଗ ଓ ଆକାଶର ତାରାମାନଙ୍କୁ ଲକ୍ଷ୍ୟ କରି ଆମ ପୂର୍ବପୁରୁଷ ବିଦେଶ ଯାଇ ଓଡ଼ିଶା ଫେରୁଥିଲେ ।
ପୃଥିବୀର ସବୁଠୁ ବିପଜ୍ଜନକ ସମୁଦ୍ର ବଙ୍ଗୋପସାଗର । ପ୍ରାୟ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଝଡ଼ ବା ବାତ୍ୟା ଆସେ । ସେତେବେଳେ ବି ଅକ୍ଟୋବରରେ ଝଡ଼ ଆସିଲା ବେଳେ ସାଧବ ପୁଅ ନୌକାରେ ପାଲ ଟାଣି ଆହୁଲା ମାରି ନୌବାଣିଜ୍ୟ ପାଇଁ ଯାଉଥିଲେ ଏବଂ ସେଥିରେ ସଫଳତା ପାଉଥିଲେ ।
ଈଶ୍ଵରଙ୍କ ଅପାର କରୁଣାରୁ ଓଡ଼ିଶାରେ ଖଣି ଅଛି, ଜମି ଅଛି, ପାଣି ଅଛି, ଜଙ୍ଗଲ ଅଛି, ମାନବ ସମ୍ବଳ ଅଛି, ୪୮୦ କିଲୋମିଟର ଉପକୂଳ ରହିଛି । ଏସବୁ ଓଡ଼ିଶାର ଅର୍ଥନୀତିର ଅଭିବୃଦ୍ଧିକୁ ଦୃଢ଼ କରିବ । ଆମ ସରକାର ବନ୍ଦରଭିତ୍ତିକ ଅର୍ଥନୀତି ପାଇଁ ସଂକଳ୍ପବଦ୍ଧ ହୋଇ କାମ କରୁଛି ।

କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, "ଅତୀତକୁ ମନେ ରଖିବା, ଅତୀତକୁ ନେଇ ଗର୍ବ କରିବା, ଅତୀତର ସ୍ମୃତିକୁ ରୋମନ୍ଥନ କରିବା । କିନ୍ତୁ ବର୍ତ୍ତମାନକୁ ଗଢ଼ିବା ବେଳେ ଭବିଷ୍ୟତ ପିଢ଼ି ଉପରେ ବିଶ୍ଵାସ ରଖି ଆମେ ଆଗକୁ ବଢ଼ିବା ।" 
ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ବାଲିଯାତ୍ରା ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ମନେ ପକାଇ ଦିଏ ଏ ଜାତି କେବେ ବି ହୀନ ମାନିଆ ଜାତିଆ ନୁହଁ । ଏ ଜାତି କେବେ ବି ଅନ୍ୟ ଆଗରେ ହାତ ପତାଇ ନାହିଁ । ଏବେର ସମୟ ଠିକ୍ ସମୟ, ଆମେ ପଛକୁ ଦେଖିବା, ଆଗାମୀ ଦିନରେ ଆମର ଗତିବିଧି କ'ଣ ରହିବ ସେନେଇ ଆଲୋଚନା କରିବା ।"
ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏଚ୍. କୃଷ୍ଣମୂର୍ତ୍ତି କହିଛନ୍ତି, "ଐତିହାସିକ ବାଲିଯାତ୍ରା କଟକ-୨୦୨୫ରେ ଇଣ୍ଡୋନେସିଆକୁ ସହଯୋଗୀ ରାଷ୍ଟ୍ର କରିଥିବାରୁ ଧନ୍ୟବାଦ । ୨୦୦୦ରୁ ଅଧିକ ବର୍ଷ ତଳେ ଭାରତର ଲୋକ ସୁବର୍ଣ୍ଣ ଭୂମିକୁ ଯାଉଥିଲେ । ସମୁଦ୍ର ଓଡ଼ିଶା-ଇଣ୍ଡୋନେସିଆକୁ ଅଲଗା କରିପାରି ନାହିଁ । ଭାରତର ମନ୍ତ୍ର ବିଶ୍ଵ ଏକ ପରିବାର ।"
ଏଥିସହ ପଢ଼ନ୍ତୁ: ଐତିହାସିକ ବାଲିଯାତ୍ରା କଟକ-୨୦୨୫କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଆହୁରି ପଢ଼ନ୍ତୁ: ରେ..ରେ.. କାର ନାଦ ଦେଇ କଳିଙ୍ଗ ପୁଅ ଯୁଦ୍ଧକ୍ଷେତ୍ରରେ କୁଦି ପଡ଼ିଲେ, ଶତ୍ରୁଙ୍କ ଛାତି ଥରେ...
📱 Get Argus News App
✨Related Topics
Explore more stories