Videos
|
Business

ITR Last Date / ITR ଦାଖଲ କରିନାହାନ୍ତି କି ? ଆଜି ହିଁ କରନ୍ତୁ, ନଚେତ୍ ଗଣିବେ ଜରିମାନା...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ITR ଦାଖଲ କରିନାହାନ୍ତି କି ? ଆଜି ହିଁ କରନ୍ତୁ, ନଚେତ୍ ଗଣିବେ ଜରିମାନା...
Income Tax

Key Points

କରଦାତାଙ୍କ ପାଇଁ ବଡ଼ ଆଲର୍ଟ
ଆଜି ITR ଫାଇଲିଂର ଶେଷ ଦିନ
ମିସ୍ କଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା
ଆଜି ହିଁ ଆପଣଙ୍କ ପାଖରେ ଶେଷ ସୁଯୋଗ । ଯଦି ଏପର୍ଯ୍ୟନ୍ତ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ଦାଖଲ କରିନାହାନ୍ତି, ତେବେ ଆଉ ବିଳମ୍ବ କରନ୍ତୁ ନାହିଁ । କାରଣ ଆଜି ITR ଦାଖଲ କରିବାର ଶେଷ ତାରିଖ । ଆଜି ଡେଡ୍‌ଲାଇନ୍ ଶେଷ ହେଉଥିବାରୁ ଏହାକୁ ମିସ୍ କଲେ କେବଳ ୧,୦୦୦ରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ନୁହେଁ, ବରଂ ସୁଧ, ରିଫଣ୍ଡରେ ବିଳମ୍ବ ଏବଂ ଅନ୍ୟାନ୍ୟ ଆଇନଗତ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

ଆୟକର ବିଭାଗ ପକ୍ଷରୁ ସୋସିଆଲ ମିଡିଆ ଓ ରେଜିଷ୍ଟର ମୋବାଇଲ ନମ୍ବରକୁ ବାରମ୍ବାର ମେସେଜ୍‌ ପଠାଇ କରଦାତାଙ୍କୁ ଶୀଘ୍ର ITR ଦାଖଲ କରିବାକୁ ସତର୍କ କରାଯାଉଛି । ବିଭାଗର ସୂଚନା ଅନୁଯାୟୀ, ୨୦୨୬-୨୭ ପାଇଁ ଏପର୍ଯ୍ୟନ୍ତ ୫.୫ କୋଟିରୁ ଅଧିକ ଲୋକ ITR ଦାଖଲ କରିସାରିଛନ୍ତି। ସେଥିମଧ୍ୟରୁ କେବଳ ଜୁଲାଇ ୩୦ ତାରିଖରେ ୪୨ ଲକ୍ଷରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି ।

ଅଧିକ ପଢ଼ନ୍ତୁ: ବୟସ ମାତ୍ର ୨୨; ଏମିତି କୋଟିପତି ହୋଇଗଲେ ଭାରତୀୟ GenZ


ଆୟକର ଆଇନର ଧାରା ୨୩୪ F (Section 234F) ଅନୁଯାୟୀ, ନିର୍ଦ୍ଧାରିତ ସମୟ ପରେ ITR ଦାଖଲ କଲେ ଜରିମାନା ଦେବାକୁ ପଡ଼ିବ । ବାର୍ଷିକ ଆୟ ୫ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ହେଲେ ସର୍ବାଧିକ ୫,୦୦୦ ଟଙ୍କା ଜରିମାନା ଲାଗିପାରେ । ସେହିପରି ୫ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା କରଦାତାଙ୍କ ପାଇଁ ୧,୦୦୦ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି ।

କେବଳ ଜରିମାନା ନୁହେଁ, ITR ଦାଖଲରେ ବିଳମ୍ବ ହେଲେ ଅନ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ। ଯଦି କୌଣସି କର ବକେୟା ରହିଥାଏ, ତେବେ ଆୟକର ଆଇନର ଧାରା ୨୩୪ A (Section 234A) ଅନୁଯାୟୀ ପ୍ରତିମାସ ୧ ପ୍ରତିଶତ ହାରରେ ସୁଧ ଦେବାକୁ ପଡ଼ିବ। ଏହାଛଡ଼ା ବିଳମ୍ବରେ ଦାଖଲ ହୋଇଥିବା ରିଟର୍ଣ୍ଣର ପ୍ରୋସେସିଂ ମଧ୍ୟ ଅଧିକ ସମୟ ନେଇଥାଏ, ଫଳରେ ରିଫଣ୍ଡ ପାଇବାରେ ବିଳମ୍ବ ହୋଇପାରେ ।

ଅନ୍ୟପକ୍ଷରେ, ITRରେ ତଥ୍ୟ ଲୁଚାଇବା କିମ୍ବା ଭୁଲ ତଥ୍ୟ ଦେବା ଗୁରୁତର ଅପରାଧ ଭାବେ ଗଣାଯାଏ । ଜାଣିଶୁଣି କର ଫାଙ୍କି ଦେବା କିମ୍ବା ଲଗାତାର କର ନଦେବା ପରି ଗୁରୁତର ମାମଲାରେ ଆଇନ ଅନୁଯାୟୀ ୩ ମାସରୁ ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି । ସେଥିପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ITR ଦାଖଲ କରିବା ହିଁ ଭଲ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: