Videos
|
Business

Investment in Odisha / ଓଡ଼ିଶାରେ ₹୨.୧୦ ଲକ୍ଷ କୋଟି ନିବେଶ ପାଇଁ UAEରୁ ଆସିଲା ପ୍ରସ୍ତାବ; ୮ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା

Sushanta Sahoo
Browse all articles by Sushanta Sahoo
·56 mins ago·3 min read
ଓଡ଼ିଶାରେ ₹୨.୧୦ ଲକ୍ଷ କୋଟି ନିବେଶ ପାଇଁ UAEରୁ ଆସିଲା ପ୍ରସ୍ତାବ; ୮ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା
Odisha Attracts Major UAE Investment

Key Points

ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତ ବେଳେ ଓଡ଼ିଶା ପାଇଁ ₹୨.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି, ଯାହାଦ୍ୱାରା ପ୍ରାୟ ୮.୬୮ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଆବୁଧାବି/ଦୁବାଇ: UAEରେ ଓଡ଼ିଶାର ନିବେଶ ଅଭିଯାନର ପ୍ରଥମ ଦିନରେ ରାଜ୍ୟକୁ ମିଳିଛି ବଡ଼ ସଫଳତା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ନିବେଶ ଆଲୋଚନାରେ ଆଲୁମିନିୟମ୍ ପ୍ରକଳ୍ପର ଅଗ୍ରଗତି ସହ IHC ଓ ଆଦାନୀ ଗ୍ରୁପ୍ ସହ ୧୪ଟି ନୂଆ ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

ଏହି ୧୪ଟି ପ୍ରକଳ୍ପରେ ପ୍ରାୟ ₹୨.୧୦ ଲକ୍ଷ କୋଟି ନିବେଶ ହେବାର ଆକଳନ କରାଯାଇଛି । ଏଥିରୁ ପ୍ରାୟ ୮ ଲକ୍ଷ ୬୮ ହଜାର ୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ରାୟଗଡ଼ା ଓ ସୁନ୍ଦରଗଡ଼ରେ ଆଲୁମିନିୟମ୍ ପ୍ରକଳ୍ପ

IHCର ବିଭିନ୍ନ ବ୍ୟବସାୟିକ ସଂସ୍ଥା ଓ ଗ୍ରୁପ୍ କମ୍ପାନୀ ସହ ହୋଇଥିବା ରାଉଣ୍ଡଟେବୁଲ୍ ବୈଠକରେ ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ୍ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି । ଆଲୁମିନା ରିଫାଇନାରୀ ପାଇଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ତହସିଲ ଏବଂ ଆଲୁମିନିୟମ୍ ସ୍ମେଲ୍ଟର ପାଇଁ ସୁନ୍ଦରଗଡ଼ ଜିଲ୍ଲା ସଦର ତହସିଲରେ ଜମି ପ୍ରସ୍ତାବ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୈଠକରେ IHCର ଏମ୍‌ଡି ଓ CEO ସୟଦ ବାସର ଶୁଏବ, ଆଦାନୀ ପୋର୍ଟସ୍‌ର ଏମ୍‌ଡି କରଣ ଆଦାନୀ ଏବଂ ଆଦାନୀ ଗ୍ରୀନ୍ ଏନର୍ଜିର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ସାଗର ଆଦାନୀଙ୍କ ସମେତ ବିଭିନ୍ନ କମ୍ପାନୀର ଶୀର୍ଷ ଅଧିକାରୀ ଉପସ୍ଥିତ ଥିଲେ ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ସମେତ ୫ ରାଜ୍ୟକୁ ରେଲୱେର ବଡ଼ ଭେଟି; ଉପକୃତ ହେବେ ୫୬ ଲକ୍ଷ ଲୋକ 

୧୪ଟି ନୂଆ ପ୍ରକଳ୍ପରେ ବଡ଼ ନିବେଶ

ଓଡ଼ିଶା ସରକାର, IHC ଓ ଆଦାନୀ ଗ୍ରୁପ୍ ମଧ୍ୟରେ ହୋଇଥିବା MoU ଅନୁଯାୟୀ ଧାତୁ ଡାଉନଷ୍ଟ୍ରିମ୍ ଶିଳ୍ପ, ସ୍ଲରି ପାଇପ୍‌ଲାଇନ୍, କ୍ରିଟିକାଲ୍ ମିନେରାଲ୍ ଓ ରେୟାର ଆର୍ଥ୍, କେମିକାଲ୍ ଓ ପେଟ୍ରୋକେମିକାଲ୍ ଡେରିଭେଟିଭ୍, ଅକ୍ଷୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ କ୍ରୀଡ଼ା ଭିତ୍ତିଭୂମି ଭଳି କ୍ଷେତ୍ରରେ ପ୍ରକଳ୍ପ ହେବ । ଏହା ଫଳରେ ଆଲୁମିନିୟମ୍ ପ୍ରକଳ୍ପ ବାହାରେ ମଧ୍ୟ IHCର ଅନ୍ୟାନ୍ୟ ବ୍ୟବସାୟ ଓ ନିବେଶ ପାଇଁ ଓଡ଼ିଶାରେ ସୁଯୋଗ ସୃଷ୍ଟି ହେବ ।

UAE ସହ ବ୍ୟବସାୟିକ ସମ୍ପର୍କ ବଢ଼ାଇବାକୁ MoC

ମୁଖ୍ୟମନ୍ତ୍ରୀ ଭାରତୀୟ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍‌ (IBPG)ର ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଓଡ଼ିଶା ସରକାର ଓ IBPG ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବଢ଼ାଇବା ଏବଂ ଓଡ଼ିଶାରେ ନିବେଶ ସୁଯୋଗ ଖୋଜିବା ପାଇଁ ଏକ Memorandum of Cooperation (MoC) ସ୍ବାକ୍ଷର ହୋଇଛି ।

ଏହା ମାଧ୍ୟମରେ ହଳଦୀ, ଅଦା ଭଳି ମସଲା, ସାମୁଦ୍ରିକ ଉତ୍ପାଦ ଏବଂ ଅନ୍ୟାନ୍ୟ ଓଡ଼ିଆ ସାମଗ୍ରୀର UAEକୁ ରପ୍ତାନି ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ । UAEର ବଡ଼ ବ୍ରାଣ୍ଡଗୁଡ଼ିକ ପାଇଁ ଓଡ଼ିଶାରେ କଣ୍ଟ୍ରାକ୍ଟ ମାନୁଫାକ୍ଚରିଂ ଏବଂ ଦକ୍ଷ ମାନବସମ୍ବଳ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ।

Borougeକୁ ପେଟ୍ରୋକେମିକାଲ୍ ଡାଉନଷ୍ଟ୍ରିମ୍ ପ୍ରକଳ୍ପ ପାଇଁ ଆମନ୍ତ୍ରଣ

ମୁଖ୍ୟମନ୍ତ୍ରୀ Borougeର CEO ହାଜିମ୍ ସୁଲତାନ ଅଲ୍ ସୁୱାଇଦିଙ୍କ ସହ ଆଲୋଚନା କରି ଓଡ଼ିଶାରେ ବଡ଼ ଆକାରର କେମିକାଲ୍ ଡାଉନଷ୍ଟ୍ରିମ୍ କମ୍ପ୍ଲେକ୍ସ ସ୍ଥାପନ ପାଇଁ କମ୍ପାନୀକୁ ଆମନ୍ତ୍ରଣ ଦେଇଛନ୍ତି । ପାରାଦୀପରେ ପ୍ରସ୍ତାବିତ ଇଣ୍ଡିଆନ୍ ଅଏଲ୍‌ର ନାଫ୍ଥା କ୍ରାକର୍ ପ୍ରକଳ୍ପ ସହ ଫିଡ୍‌ଷ୍ଟକ୍ ଯୋଗାଣର ସମ୍ଭାବନାକୁ ନେଇ ମଧ୍ୟ ଆଲୋଚନା ହୋଇଛି । ଏହା ଓଡ଼ିଶାର ପେଟ୍ରୋକେମିକାଲ୍ ଇକୋସିଷ୍ଟମ୍‌ରେ ଅଧିକ ମୂଲ୍ୟ ସଂଯୋଜନ କରିବାରେ ସହାୟକ ହୋଇପାରେ ।

ଏଥିସହ ପଢ଼ନ୍ତୁ: କ୍ୟାନସର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଗାଁକୁ ଗଡ଼ିବ କ୍ୟାନସର କେୟାର୍ ଭ୍ୟାନ 

PPP ମାଧ୍ୟମରେ ଭିତ୍ତିଭୂମି ନିବେଶ ଉପରେ ଆଲୋଚନା

UAEର ବିଭିନ୍ନ ନିବେଶ ସଂସ୍ଥା ସହ ହୋଇଥିବା ଅନ୍ୟ ଏକ ରାଉଣ୍ଡଟେବୁଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ PPP ମଡେଲ୍‌ରେ ବିକଶିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ନିବେଶକଙ୍କୁ ଅବଗତ କରିଛନ୍ତି । ଭିତ୍ତିଭୂମି ପ୍ରକଳ୍ପରେ ପ୍ରତିଷ୍ଠାନଗତ ନିବେଶ, ପ୍ରକଳ୍ପ ମୂଲ୍ୟାୟନ ଏବଂ ଦୀର୍ଘମିଆଦୀ ନିବେଶ ସହଯୋଗର ସମ୍ଭାବନା ଉପରେ ଆଲୋଚନା ହୋଇଛି ।

ଓଡ଼ିଶାର UAE ନିବେଶ ଅଭିଯାନର ପ୍ରଥମ ଦିନରେ ଶିଳ୍ପ, ବନ୍ଦର, ବାଣିଜ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ଆଲୋଚନା ରାଜ୍ୟରେ ନୂଆ ନିବେଶ, ନିଯୁକ୍ତି ଏବଂ ବିଶ୍ୱ ବଜାରକୁ ଅଧିକ ପ୍ରବେଶ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ଆଶା କରାଯାଉଛି ।