Videos
|
Business

Prem Watsa Success Story / IIT ଛାତ୍ର, କାନାଡାରେ ବିକୁଥିଲେ ବାସନ; କେମିତି ସାଜିଲେ IDBI ବ୍ୟାଙ୍କର ନୂଆ ମାଲିକ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
IIT ଛାତ୍ର, କାନାଡାରେ ବିକୁଥିଲେ ବାସନ; କେମିତି ସାଜିଲେ IDBI ବ୍ୟାଙ୍କର ନୂଆ ମାଲିକ ?
Prem Watsa Success Story

Key Points

ହାଇଦ୍ରାବାଦରୁ ସିଧା କାନାଡାରେ ପହଞ୍ଚିଥିଲେ
ହେଲେ ସେଠାରେ ବିକ୍ରି କରୁଥିଲେ ବାସନ
ପ୍ରେମ ବତ୍ସ୍ୟ କେମିତି ହେଲେ IDBI ବ୍ୟାଙ୍କର ମାଲିକ ?
ନୂଆଦିଲ୍ଲୀ: କୁହାଯାଏ ଯଦି ପାଖରେ ଦୃଢ ଇଚ୍ଛାଶକ୍ତି, ନିଷ୍ଠାଭାବ ଅଛି ତେବେ ପକେଟରେ କିଛି ଟଙ୍କା ଧରି ଜଣେ ପୂରା ଦୁନିଆ ବୁଲିପାରିବ । ଏହା କୌଣସି ଫିଲ୍ମ ଦୁନିଆର କାହାଣୀ ନୁହେଁ, ବାସ୍ତବରେ ମଧ୍ୟ ଏପରି ଅନେକ ଘଟଣା ଘଟେ । ଏଠି ଯେମିତି ବାସନ ବ୍ୟବସାୟୀରୁ ଏବେ IDBI ବ୍ୟାଙ୍କର ନୂଆ ମାଲିକ ସାଜିଛନ୍ତି ପ୍ରେମ ବତ୍ସ୍ୟ । ସେ ଜଣେ ଆଇଆଇଟି ଛାତ୍ର । କାନାଡାରେ ଯାଇ ଦିନେ ବାସନ ସହ ଅନ୍ୟାନ୍ୟ ସମାଗ୍ରୀ ବିକୁଥିଲେ । ଏବେ କିନ୍ତୁ ସେ IDBI ବ୍ୟାଙ୍କର ନୂଆ ମାଲିକ ହୋଇଛନ୍ତି।

ସମୟ ଥିଲା ହାଇଦ୍ରାବାଦର ସେହି ୨୧ବର୍ଷୀୟ ଯୁବକ ପ୍ରେମ ବତ୍ସ୍ୟ, ଯାହାକୁ ଦୁନିଆ ୱରେନ୍ ବଫେଟ୍ ନାମରେ ଜାଣେ, ପାଠ ପଢିବା ପାଇଁ କାନାଡା ଯାଇଥିଲେ । ସେଠାରେ ତାଙ୍କ ପକେଟରେ ଥିଲା ମାତ୍ର ୮ କାନାଡା ଡଲାର । ପେଟ ପାଟଣା ସହ ଘର ଖର୍ଚ୍ଚ ପାଇଁ ସେ ଘର ଘର ବୁଲି ଭ୍ୟାକୁମ କ୍ଲିନର ଓ ମିକ୍ସି-ଗ୍ରାଇଣ୍ଡର ବିକ୍ରି କରୁଥିଲେ । ଆଜି ସେହି ବ୍ୟକ୍ତି ଜଣକ ଭାରତରେ ବ୍ୟାଙ୍କିଙ୍ଗ ଇତିହାସର ସବୁଠୁ ବଡ଼ ଡିଲ୍ କରି ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ କମ୍ପାନୀ ଫେୟାରଫକ୍ସ ଫାଇନାନ୍ସିଆଲ୍ ହୋଲ୍ଡିଂ (Fairfax Financial Holdings)ର ଏକ ସହାୟକ କମ୍ପାନୀ IDBI ବ୍ୟାଙ୍କରେ ୬୦.୭୨% ଅଂଶଧନ ଅଧିଗ୍ରହଣ କରିବା ପାଇଁ ₹୫୨,୮୭୮ କୋଟିର ରେକର୍ଡ ବିଡ୍ କରିଛି, ଯାହାକୁ ସରକାରଙ୍କ ଅନୁମୋଦନ ମିଳିଛି । ତେବେ କେମିତି ଥିଲା ପ୍ରେମ ବତ୍ସ୍ୟଙ୍କ ୮ କାନାଡା ଡଲାରରୁ ₹୫୩,୦୦୦ କୋଟି ପର୍ଯ୍ୟନ୍ତ ଏହି ଯାଦୁକରୀ ଯାତ୍ରା ? ଆସନ୍ତୁ ଜାଣିବା...

  • ହାଇଦ୍ରାବାଦରୁ କାନାଡା; କେମିତି ଥିଲା ଯାତ୍ରା ?
ପ୍ରେମ ବତ୍ସ୍ୟଙ୍କ ଜନ୍ମ ୧୯୫୦ ମସିହା ହାଇଦ୍ରାବାଦରେ ହୋଇଥିଲା । ସେ ଜଣେ ମେଧାବୀ ଛାତ୍ର ଥିଲେ ଓ ୧୯୭୧ ମସିହାରେ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ IIT ମାଡ୍ରାସରେ କେମିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ଏହାପରେ ବାପାଙ୍କ ପରାମର୍ଶ କ୍ରମେ ସେ MBA ପାଠ ପଢିବା ପାଇଁ କାନାଡାର ୱେଷ୍ଟର୍ଣ୍ଣ ଆଣ୍ଟୋରିଆ ୟୁନିଭର୍ସିଟି ଯାଇଥିଲେ । ଯେତେବେଳେ ସେ କାନାଡାରେ ପହଞ୍ଚିଥିଲେ, ତାଙ୍କ ପକେଟରେ ମାତ୍ର ୮ କାନାଡା ଡଲାର ଥିଲା । ବିଦେଶୀ ମାଟିରେ ବଞ୍ଚିବା ପାଇଁ ସେ ସେଲ୍ସମ୍ୟାନ୍ ଚାକିରି କରିଥିଲେ । ଘରଘର ବୁଲି ଭ୍ୟାକୁମ୍ କ୍ଲିନର ଭଳି ଘରୋଇ ସାମଗ୍ରୀ ବିକୁଥିଲେ । ଏଥିରୁ ମିଳୁଥିବା ଟଙ୍କାରୁ ସେ ଖାଇବା ଓ ରହିବା ଖର୍ଚ୍ଚ ବହନ କରୁଥିଲେ ।

  • କେମିତି ସାଜିଲେ ବିଶ୍ଵର ୱରେନ୍ ବଫେଟ୍ ?
୧୯୭୪ ମସିହାରେ MBA ପାଠ ସାରିବା ପରେ ପ୍ରେମ ବତ୍ସ୍ୟ କନଫିଡିରେସନ୍ ଲାଇଫ୍ ଇନ୍ସୁରାନ୍ସ କମ୍ପାନୀର ପୋର୍ଟଫୋଲିଓ ମ୍ୟାନେଜର ଭାବେ କାମ ଆରମ୍ଭ କରିଥିଲେ । ବର୍ଷ ୧୯୮୫ରେ ସେ ଏକ ଛୋଟ କାନାଡା ବୀମା କମ୍ପାନୀ କିଣିଥିଲେ ଓ ଏହାର ନାମ ପରିବର୍ତ୍ତନ କରି Fairfax Financial ରଖିଥିଲେ । 'Fairfax' ଶବ୍ଦର ଅର୍ଥ ହେଉଛି ସଚ୍ଚୋଟତା ଏବଂ ସହଯୋଗ ସହିତ କମ୍ପାନୀଗୁଡ଼ିକୁ କିଣିବା । ଏହାରି ମଧ୍ୟରେ ଅନେକ ବର୍ଷ ବିତିଥିଲା । ସେ ୨୦୨୬ ଜୁନ ୩୦ ସୁଦ୍ଧା ଏକ ୧୦୯ ଆରବ ଡଲାରର ସାମ୍ରାଜ୍ୟ ଠିଆ କରିଥିଲେ । ବୀମାରୁ ମିଳୁଥିବା ପ୍ରିମିୟମକୁ ସଠିକ୍ ସ୍ଥାନରେ ବିନିଯୋଗ କରି ସେ ଦୁନିଆର ସବୁଠୁ ଶକ୍ତିଶାଳୀ ବୀମା କମ୍ପାନୀଗୁଡ଼ିକ ମଧ୍ୟରେ ନିଜ କମ୍ପାନୀକୁ ସାମିଲ କରିଥିଲେ ।

ପଢନ୍ତୁ ଏହି ଖବର: ବଦଳି ଯିବ IDBI ବ୍ୟାଙ୍କ ନାଁ; ୫୨, ୮୭୮ କୋଟିରେ ୬୦% ଅଂଶଧନ କିଣିଲା ଏହି ବିଦେଶୀ କମ୍ପାନୀ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଭାରତରେ କେଉଁଠି ଅଛି ପ୍ରେମଙ୍କ କମ୍ପାନୀ ?
ପ୍ରେମ କାନାଡାରେ ରହୁଥିଲେ ସତ, କିନ୍ତୁ ତାଙ୍କ ମନପ୍ରାଣ ଭାରତରେ ଥିଲା । ଫେୟାରଫକ୍ସର ଭାରତରେ ଅନେକ ଛୋଟବଡ଼ ସେକ୍ଟରରେ ନିବେଶ କରିଛି । ଯେପରିକି ବେଙ୍ଗାଲୁରୁରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (BIAL)ର ତାର ସବୁଠୁ ବଡ଼ ଅଂଶୀଦାର ଅଛି । ଏହାବ୍ୟତୀତ ଟ୍ରାଭେଲ୍ ଓ ଫରେକ୍ସ ସେକ୍ଟରର ବଡ଼ କମ୍ପାନୀ ଥମାସ୍ କୁକ୍ ଇଣ୍ଡିଆରେ ବି ନିବେଶ କରିଛି । ଏବେ IDBI ବ୍ୟାଙ୍କର ଅଧିଗ୍ରହଣ ପ୍ରେମ ବତ୍ସ୍ୟଙ୍କ ଯାତ୍ରାରେ କେବଳ ଏକ ନୂତନ ସୁବର୍ଣ୍ଣ ଅଧ୍ୟାୟ ନୁହେଁ, ବରଂ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ର ପାଇଁ ଏକ ନୂତନ ଯୁଗର ଆରମ୍ଭ ବୋଲି କୁହାଯାଉଛି ।