Videos
|
Crime

Gold Missing Bank Locker / ବ୍ୟାଙ୍କ ଲକରରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି; କ୍ଷତି କିଏ ବହନ କରିବ ?

Debashree Debasmita Sahoo
Browse all articles by Debashree Debasmita Sahoo
·40 mins ago·3 min read
ବ୍ୟାଙ୍କ ଲକରରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି; କ୍ଷତି କିଏ ବହନ କରିବ ?
Gold Missing Bank Locker

Key Points

ବ୍ୟାଙ୍କ ଲକରରୁ ଚୋରି ହେଲା ସୁନା
କେମିତି କ୍ଷତିପୂରଣ ପାଇବେ ମହିଳା
RBIର କ୍ଷତିପୂରଣ ନିୟମ ଜାଣନ୍ତୁ
ଲକ୍ଷ୍ନୌ: ଆମେ ପ୍ରାୟତଃ ଧରି ନେଉ ଯେ ବ୍ୟାଙ୍କ ଲକରରେ ରଖାଯାଉଥିବା ଅଳଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ, କିନ୍ତୁ ବ୍ୟାଙ୍କ ଲକରରୁ ମୂଲ୍ୟବାନ ଜିନିଷ ଚୋରି ହୋଇଛି । ଉତ୍ତର ପ୍ରଦେଶ କାନପୁରର ସ୍ୱରୂପ ନଗରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଶାଖାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଅଭିଯୋଗ ଅନୁସାରେ ତାଙ୍କ ଲକରରୁ ପ୍ରାୟ ₹୫୦ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଗାଏବ ହୋଇଯାଇଛି ।

  • କଣ ପୂରା ଘଟଣା ?
୨୦୦୩ ଫେବୃଆରୀ ୨୬ରେ, ରଶ୍ମି ଆରୋରା ତାଙ୍କ ସ୍ୱାମୀଙ୍କ ସହିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଟ୍ରାଭାଙ୍କୋର (SBT)ରେ ପ୍ରଥମେ ଏକ ସଞ୍ଚୟ ଖାତା ଖୋଲିଥିଲେ । ସେମାନଙ୍କୁ ୨୩ ନମ୍ବର ଲକର ଦିଆଯାଇଥିଲା, ଯେଉଁଠାରେ ସେମାନେ ୫୦ ଲକ୍ଷ ଟଙ୍କାର ସୁନା ଏବଂ ରୂପା ଅଳଙ୍କାର ରଖିଥିଲେ । ମଝିରେ ମଝିରେ ମହିଳା ଜଣକ ନିଜ ପରିବାର ସହ ବ୍ୟାଙ୍କକୁ ଆସି ନିଜର ମୂଲ୍ୟବାନ ଜିନିଷପତ୍ର ଯାଞ୍ଚ କରୁଥିଲେ । କିନ୍ତୁ, ଯେତେବେଳେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା, ସେ ତାଙ୍କ ଝିଅ ଏବଂ ଜ୍ୱାଇଁଙ୍କ ସହିତ ରହିବା ପାଇଁ କାନପୁରର ସ୍ୱରୂପ ନଗରରୁ ଲକ୍ଷ୍ନୌ ଚାଲିଗଲେ । ବ୍ୟାଙ୍କଟି ଦୂର ହେବା ଯୋଗୁଁ ସେ ମଝିରେ ମଝିରେ ଯାଞ୍ଚ ଉଦ୍ଦେଶ୍ୟରେ ଆଉ ବ୍ୟାଙ୍କ ଆସିନଥିଲେ । ବ୍ୟାଙ୍କରେ ତାଙ୍କ ଅଳଙ୍କାର ସୁରକ୍ଷିତ ରହିବ ବୋଲି ସେ ଭାବିଥିଲେ ।

୪ ମାସ ପୂର୍ବେ, ଯେତେବେଳେ ରଶ୍ମି ତାଙ୍କ ସାନ ଝିଅ ସହିତ ବ୍ୟାଙ୍କକୁ ଆସିଥିଲେ, ସେ ଜାଣିବାକୁ ପାଇଥିଲେ ଯେ SBT ବ୍ୟାଙ୍କ ଏକ ପୃଥକ ସଂସ୍ଥା ଭାବରେ ନାହିଁ ଏବଂ ଏହାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ସହିତ ମିଶ୍ରଣ କରାଯାଇଛି । ତାଙ୍କୁ କୁହାଗଲା ଯେ SBIରେ ତାଙ୍କ ନାମରେ କୌଣସି ଲକର ନାହିଁ । ଏହାପରେ ପ୍ରମାଣ ଦେଖାଇବା ଲାଗି ସମସ୍ତ ଡକ୍ୟୁମେଣ୍ଟ ଧରି ରଶ୍ମି ପୁଣି ବ୍ୟାଙ୍କକୁ ଆସିଥିଲେ । ଏହାପରେ ଶାଖା ପରିଚାଳକ ତାଙ୍କୁ କହିଥିଲେ ଯେ ତାଙ୍କ ଆକାଉଣ୍ଟରୁ ଲକର ଭଡା ସ୍ୱୟଂଚାଳିତ ଭାବରେ କଟାଯାଉଛି, ଯାହା ଫଳରେ ତାଙ୍କର ବାଲାନ୍ସ ଶୂନ୍ୟ ହୋଇଯାଇଛି ।

  • ଲକର୍ ଖୋଲି ଉଡ଼ିଲା ହୋସ୍
ଜୁଲାଇ ୨୧ ତାରିଖରେ, ମହିଳା ଜଣକ ତାଙ୍କ ଆକାଉଣ୍ଟକୁ ପୁନଃସକ୍ରିୟ କରିବା ପାଇଁ କିଛି ଟଙ୍କା ଜମା ପାଇଁ ବ୍ୟାଙ୍କକୁ ଆସିଥିଲେ, କିନ୍ତୁ ସେ ଲକର ଚାବି ସାଙ୍ଗରେ ଆଣିବାକୁ ଭୁଲି ଯାଇଥିଲେ । ଜୁଲାଇ ୨୭ ତାରିଖରେ, ସେ ପୁଣି ଥରେ ବ୍ୟାଙ୍କକୁ ଆସିଲେ ଏବଂ ଲକର ଯେତେବେଳେ ଖୋଲିଥିଲେ ତାଙ୍କର ହୋସ୍ ଉଡ଼ିଯାଇଥିଲା । ମହିଳା ଜଣକ ପୋଲିସରେ ଅଭିଯୋଗ କରିଛନ୍ତି, ବ୍ୟାଙ୍କ ପରିଚାଳନା ଏବଂ କର୍ମଚାରୀମାନେ ଅଳଙ୍କାର ହଡ଼ପ କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ।

  • ଥାନାରେ ମାମଲା ରୁଜୁ
ଶାଖା ପରିଚାଳକ ଏବଂ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଏକ FIR ରୁଜୁ କରାଯାଇଛି । ଏ ସମ୍ପର୍କରେ କାନପୁର ଡେପୁଟି ପୋଲିସ କମିଶନର (ଡିସିପି) ଅତୁଲ ଶ୍ରୀବାସ୍ତବ କହିଛନ୍ତି, "ଆମେ ଏକ ମାମଲା ରୁଜୁ କରିଛୁ ଏବଂ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରୁଛୁ । ଆମେ ସିସିଟିଭି ରେକର୍ଡ ମଧ୍ୟ ଯାଞ୍ଚ କରୁଛୁ ।" ପୋଲିସ ଲକର ରେକର୍ଡ, ବ୍ୟାଙ୍କ ଡକ୍ୟୁମେଣ୍ଟ ଏବଂ କର୍ମଚାରୀଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିଛି ।

ଏହି ଖବର ପଢି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ: ଯଦି ବ୍ୟାଙ୍କ ଲକରରୁ ଅଳଙ୍କାର କିମ୍ବା ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି ହୁଏ, ତେବେ କ୍ଷତି ପାଇଁ କିଏ ଦାୟୀ ରହିବ ଏବଂ କ୍ଷତି ପାଇଁ କିଏ କ୍ଷତିପୂରଣ ଦେବ ? ଏଠାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିୟମ କଣ ରହିଛି ଆସନ୍ତୁ ଜାଣିବା ।

  • RBI ନିୟମ କଣ ?
ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁଯାୟୀ, ଯଦି ବ୍ୟାଙ୍କ ପକ୍ଷରୁ ଅବହେଳା ପ୍ରମାଣିତ ହୁଏ ବ୍ୟାଙ୍କ ଲକରରୁ ମୂଲ୍ୟବାନ ଅଳଙ୍କାର କିମ୍ବା ଜିନିଷ ଚୋରି ପାଇଁ କେବଳ ବ୍ୟାଙ୍କ ଦାୟୀ ରହିବ । ଏହାର ଅର୍ଥ ହେଉଛି ଯଦି ବ୍ୟାଙ୍କ ପକ୍ଷରୁ କୌଣସି ସୁରକ୍ଷା ତ୍ରୁଟି ଥାଏ, ଯେପରିକି କ୍ୟାମେରା ଖରାପ ହୋଇଯିବା, ସୁରକ୍ଷା ସତର୍କତାର ଅଭାବ କିମ୍ବା ବ୍ୟାଙ୍କ କର୍ମଚାରୀଙ୍କ ଭୁଲ, ତେବେ ଚୋରି ଅଳଙ୍କାର ପାଇଁ ବ୍ୟାଙ୍କ ଦାୟୀ ହୋଇପାରେ । ତଥାପି, ପ୍ରତ୍ୟେକ କ୍ଷେତ୍ରରେ ଏହି ପରିସ୍ଥିତି ପାଇଁ ବ୍ୟାଙ୍କକୁ ଦାୟୀ କରାଯାଇପାରିବ ନାହିଁ । ଯଦି ବ୍ୟାଙ୍କର ଅବହେଳା ନଥାଏ, ତେବେ ଚୋରି କିମ୍ବା କ୍ଷତି ପାଇଁ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ଭାବରେ ଦାୟୀ କରାଯାଇପାରିବ ନାହିଁ । ଏପରି ପରିସ୍ଥିତିରେ ତଦନ୍ତ ଦ୍ୱାରା କ୍ଷତି କିଏ ଭରଣା କରିବ ତାହା ନିର୍ଣ୍ଣୟ କରାଯିବ ।

ପଢନ୍ତୁ ଏହି ଖବର: ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ରେକର୍ଡ କଲେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ; ଗିରଫ ହେଲେ କ୍ରିକେଟର

  • ଚୋରି ଜିନିଷ ପାଇଁ କେତେ କ୍ଷତିପୂରଣ ଦିଆଯାଏ ?
ଏବେ ପ୍ରଶ୍ନ ଉଠୁଛି ଯେ ମହିଳା ଜଣକ ତାଙ୍କର ପୂରା ଅଳଙ୍କାର ମୂଲ୍ୟ ପାଇବେ ତ ? ଏପରି ପରିସ୍ଥିତିରେ କେତେ କ୍ଷତିପୂରଣ ମିଳିବ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ୨୦୨୨ର RBI ନିୟମ ଅନୁଯାୟୀ, ଯଦି ବ୍ୟାଙ୍କର ଅବହେଳା ଯୋଗୁଁ ଲକର ଜିନିଷ ହଜିଯାଏ, ତେବେ ବ୍ୟାଙ୍କ ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ । ନିୟମ ଅନୁଯାୟୀ, ବ୍ୟାଙ୍କ ଲକରର ବାର୍ଷିକ ଭଡ଼ାର ୧୦୦ ଗୁଣ ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ପଡ଼ିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: