Videos
|
Crime

Saurabh Chandrakar extradite India from Oman / ମହାଦେବ ଆପ୍‌ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କୁ ସ୍ୱଦେଶ ଆଣିଲା ସିବିଆଇ; ଓମାନ୍ ରେ ହୋଇଥିଲେ ଗିରଫ

Subhramjit Ray
Browse all articles by Subhramjit Ray
·1 hour ago·3 min read
ମହାଦେବ ଆପ୍‌ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କୁ ସ୍ୱଦେଶ ଆଣିଲା ସିବିଆଇ; ଓମାନ୍ ରେ ହୋଇଥିଲେ ଗିରଫ
Saurabh Chandrakar extradite India from Oman

Key Points

ମହାଦେବ ଅନଲାଇନ୍ ବେଟିଂ ଆପ୍ ମମଲାର  ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କୁ ସିବିଆଇ ଓମାନରୁ ଭାରତକୁ ପ୍ରତ୍ୟର୍ପଣ କରିଛି। ରେଡ୍ କର୍ଣ୍ଣର ନୋଟିସ୍ ଜାରି ହେବା ପରେ, ତାଙ୍କୁ ରାୟପୁରର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ।
ଛତିଶଗଡ଼ର କୁଖ୍ୟାତ ମହାଦେବ ଅନଲାଇନ୍ ବେଟିଂ ନେଟୱାର୍କ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କୁ ସ୍ୱଦେଶ ଫେରାଇ ଆଣିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ତାଙ୍କୁ ଓମାନ୍ରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଭାରତରୁ ପଳାୟନ କରିଥିଲେ। ଏହି ଅପରେସନ ପରେ ତାଙ୍କୁ ଏକ ସ୍ୱତନ୍ତ୍ର ସିବିଆଇ (CBI) ଦଳ ସ୍ୱଦେଶ ଫେରାଇ ଆଣିଛି। ଡାକ୍ତରୀ ପରୀକ୍ଷା ଏବଂ ଟ୍ରାଞ୍ଜିଟ୍ ରିମାଣ୍ଡ ପରେ, ତାଙ୍କୁ ରାୟପୁର ନିଆଯିବ। ଯେଉଁଠାରେ ତାଙ୍କୁ ସୋମବାର ( ୨ ନଭେମ୍ବର) ଏକ ସ୍ୱତନ୍ତ୍ର CBI କୋର୍ଟ୍ ରେ ହାଜର କରାଯିବ। ସୌରଭ ଚନ୍ଦ୍ରାକର ଦୁଇଟି CBI ମାମଲାରେ ପଳାତକ ଅଛନ୍ତି। ଯେଉଁଥିରେ କେନ୍ଦ୍ରୀୟ ଏଜେନ୍ସି ପୂର୍ବରୁ ଚାର୍ଜସିଟ୍ ଦାଖଲ କରିସାରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ (ଇଡି) ଏକ ମାମଲାରେ ତାଙ୍କ ବିରୋଧରେ ଏକ ଅଭିଯୋଗ ମଧ୍ୟ ଦାଖଲ କରାଯାଇଛି।

ଦେଶର ସର୍ବବୃହତ ବେଆଇନ ବେଟିଂ ନେଟୱାର୍କ ମାମଲାର ତଦନ୍ତରେ ଏକ ପ୍ରମୁଖ ପଦକ୍ଷେପ
ଛତିଶଗଡ ସରକାରଙ୍କ ଅନୁରୋଧ କ୍ରମେ CBI ମହାଦେବ ଅନଲାଇନ୍ ବୁକ୍ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡିଥିଲା ଯେ ଏହା ଦେଶର ସର୍ବବୃହତ ବେଆଇନ ଅନଲାଇନ୍ ବେଟିଂ ନେଟୱାର୍କ ମଧ୍ୟରୁ ଏହା ଅନ୍ୟତମ ଥିଲା, ଯାହା ବିଦେଶରୁ ପରିଚାଳିତ ହେଉଥିଲା। କ୍ରିକେଟ, ଫୁଟବଲ୍, କାର୍ଡ ଏବଂ ଅନ୍ୟାନ୍ୟ ଆୟୋଜନରେ ଅବୈଧ ବେଟିଂ ଏହି ପ୍ଲାଟଫର୍ମ ମାଧ୍ୟମରେ ଲଗା ଯାଉଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ ଦେଶବ୍ୟାପୀ ବିସ୍ତାରିତ ଫ୍ରାଞ୍ଚାଇଜ୍-ଭିତ୍ତିକ ପ୍ୟାନେଲ୍ ଏବଂ ଶାଖା ମାଧ୍ୟମରେ ଲୋକଙ୍କୁ ଯୋଡ଼ା ଯାଉଥିଲା। ସେମାନଙ୍କ ଠାରୁ ବେଟିଂ ପରିମାଣ ଆଦାୟ କରାଯାଇଥିଲା।

ହାୱାଲା ମାଧ୍ୟମରେ ବିଦେଶକୁ ପଠାଯାଇଥିଲା ଟଙ୍କା
ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ବେଆଇନ ବେଟିଂ ରୁ ପ୍ରାପ୍ତ ଆୟ ବହୁ ସଂଖ୍ୟକ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ପ୍ରକାରେ କାରବାର କରାଯାଇଥିଲା। ଏହା ପରେ ହାୱାଲା ନେଟୱାର୍କ ମାଧ୍ୟମରେ ପାଣ୍ଠି ବିଦେଶକୁ ସ୍ଥାନାନ୍ତର କରାଯାଇଥିଲା। ସିବିଆଇ ଦାବି କରିଛି ଯେ ଏହି ଅବୈଧ ଆୟର ଏକ ଅଂଶ ନିର୍ଦ୍ଦିଷ୍ଟ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବହୃତ ହୋଇଥିଲା। ଯାହା ଫଳରେ ସିଣ୍ଡିକେଟ୍ ଏହାର କାର୍ଯ୍ୟ ନିର୍ବିଘ୍ନରେ ଜାରି ରଖିବାକୁ ଅନୁମତି ପାଇଥିଲା।

ଏହା ସହ ପଢନ୍ତୁ: ମହାଦେବ ବେଟିଂ ଆପ୍ ପ୍ରୋତ୍ସାହନ ମାମଲା; ଟିଭି ହୋଷ୍ଟ ଶେଫାଳି ବାଗାଙ୍କୁ ଇଡ଼ି ପକ୍ଷରୁ ଜେରା

ଦୁର୍ନୀତି, ଠକେଇ ଏବଂ ଷଡ଼ଯନ୍ତ୍ର ସମେତ ଅନେକ ଧାରା ରୁଜୁ
ସିବିଆଇ ଏହି ମାମଲାରେ ୧୯୮୮ ଦୁର୍ନୀତି ନିବାରଣ ଆଇନ, ଭାରତୀୟ ଦଣ୍ଡ ସଂହିତାର ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଏବଂ ଜାଲିଆତି ସହିତ ଜଡିତ ଧାରା ଏବଂ ଛତିଶଗଡ଼ ଜୁଆ (ନିଷେଧ) ଆଇନ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଛି। ସୌରଭ ଚନ୍ଦ୍ରାକର ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ। ଏହି ସମୟରେ ଇଡି (ED) ଏହି ମାମଲାରେ ଭାରତ ଏବଂ ବିଦେଶରେ ଅନେକ ସମ୍ପତ୍ତି ଜବତ କରିସାରିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରେଡ୍ କର୍ଣ୍ଣର ନୋଟିସ୍ ପରେ ଓମାନ୍ ରେ ହୋଇଥିଲେ ଗିରଫ
ସୌରଭ ଚନ୍ଦ୍ରାକରଙ୍କ ବିରୋଧରେ ଜାରି ହୋଇଥିବା ରେଡ୍ କର୍ଣ୍ଣର ନୋଟିସ୍ ଆଧାରରେ, ରୟାଲ୍ ଓମାନ ପୋଲିସ ତାଙ୍କୁ ଖୋଜାଖୋଜି କରି ଅଟକ ରଖିଥିଲା। ପରବର୍ତ୍ତୀ ସମୟରେ, ସିବିଆଇ ଏବଂ ଇଡି ତାଙ୍କ ବିରୋଧରେ ସଂଗୃହୀତ ପ୍ରମାଣ ସହିତ ଓମାନ ସରକାରଙ୍କୁ ଏକ ଆନୁଷ୍ଠାନିକ ପ୍ରତ୍ୟର୍ପଣ ପ୍ରସ୍ତାବ ଦାଖଲ କରିଥିଲେ। ଭାରତ ସରକାରଙ୍କ ବିଭିନ୍ନ ଏଜେନ୍ସି, ଇଣ୍ଟରପୋଲର ନ୍ୟାସନାଲ୍ ସେଣ୍ଟ୍ରାଲ୍ ବ୍ୟୁରୋ ୟୁନିଟ୍ ଏବଂ ଓମାନ ଏଜେନ୍ସି ମଧ୍ୟରେ ସମନ୍ୱୟ କରିବା ପରେ ପ୍ରତ୍ୟର୍ପଣ ପ୍ରକ୍ରିୟା ସମାପ୍ତ ହୋଇଥିଲା। ଅନୁମୋଦନ ପାଇବା ପରେ, ସିବିଆଇ ଦଳ ରାଜଧାନୀ ମସ୍କଟ ଠାରେ ପହଞ୍ଚି ତାଙ୍କୁ ଭାରତ ଆଣିଥିଲା। ଏହି ଅପରେସନରେ ସହଯୋଗ ପାଇଁ ସିବିଆଇ ଓମାନ ସରକାର ଏବଂ ରୟାଲ୍ ଓମାନ ପୋଲିସ ବାହିନୀକୁ କୃତଜ୍ଞତା ଜଣାଇଛି। ଏଜେନ୍ସି କହିଛି ଯେ ଏହା ସଙ୍ଗଠିତ ଅନ୍ତର୍ଜାତୀୟ ଅପରାଧ ବିରୋଧରେ ଉଭୟ ଦେଶର ସହଭାଗୀ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରେ।