Videos
|
Crime

PEO Bribery case / ଗରିବ ବିଧବାଙ୍କଠାରୁ ଲୁଟୁଥିଲେ; ଧରାପଡ଼ିଲେ ଲାଞ୍ଚୁଆ PEO

Debashree Debasmita Sahoo
Browse all articles by Debashree Debasmita Sahoo
·4 hours ago·2 min read
ଗରିବ ବିଧବାଙ୍କଠାରୁ ଲୁଟୁଥିଲେ; ଧରାପଡ଼ିଲେ ଲାଞ୍ଚୁଆ PEO
PEO Bribery case

Key Points

ଯାଜପୁରରେ ପଞ୍ଚାୟତର ପିଇଓଙ୍କ କଳା କାରନାମା
୫,୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ
ଯାଜପୁର: ଓଡ଼ିଶା ଭିଜିଲାନ୍ସକୁ ଆଉ ଏକ ସଫଳତା । ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରେଇ ବ୍ଲକ କାଚରାସାହି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ପ୍ରଫୁଲ୍ଲ କୁମାର ନାଥଙ୍କୁ ମାଡ଼ି ବସିଲା ଟିମ । ସେ ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନା (AGY) ଅନ୍ତର୍ଗତ ଶେଷ କିସ୍ତି ଏବଂ ବୋନସ୍ ରାଶି ପ୍ରଦାନ କରିବା ପାଇଁ ଜଣେ ଗରିବ ବିଧବାଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ ଏହି ସରକାରୀ ବାବୁ ।

ଭିଜିଲାନ୍ସ ଅଧିକାରୀଙ୍କ କହିବା ଅନୁଯାୟୀ, ଅଭିଯୋଗକାରୀ ତଥା ଲାଞ୍ଚର ଶିକାର ହୋଇଥିବା ଗ୍ରାମର ଜଣେ ବିଧବା ତଥା ଗ୍ରାମୀଣ ଗୃହ ଯୋଜନାର ହିତାଧିକାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ତାଙ୍କର ପକ୍କା ଘର ନିର୍ମାଣ ସମାପ୍ତ କରିଥିଲେ । ଯୋଜନାର ବ୍ୟବସ୍ଥା ଅନୁଯାୟୀ ସେ ବୋନସ ସହିତ ଶେଷ କିସ୍ତି ପାଇବା କଥା । ତଥାପି କିସ୍ତି ପାଇବା ପାଇଁ ତାଙ୍କଠୁ ଲାଞ୍ଚ ନେଉଥିଲେ ପିଇଓ ।

  • ୧୦,୦୦୦ ଲାଞ୍ଚ ଦାବି କରୁଥିଲେ
ପ୍ରଫୁଲ୍ଲ କୁମାର ନାଥ ତାଙ୍କଠାରୁ ଦେୟ ପ୍ରଦାନ କରିବା ପାଇଁ ୧୦,୦୦୦ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି । ଯେତେବେଳେ ହିତାଧିକାରୀ ଏତେ ପରିମାଣ ଦେବାକୁ ଅସମର୍ଥ ଥିବା ପ୍ରକାଶ କରିଥିଲେ, ସେତେବେଳେ ପିଇଓ ଜଣକ ତାଙ୍କ ଦାବିକୁ ୫,୦୦୦ ଟଙ୍କାକୁ ହ୍ରାସ କରିଥିଲେ । ସେ ସିଧାସିଧା କହିଥିଲେ ଯେ ଲାଞ୍ଚ ନଦେଲେ ଶେଷ କିସ୍ତି ଏବଂ ବୋନସ୍ ପ୍ରଦାନ କରିବେ ନାହିଁ ।

  • ଭିଜିଲାନ୍ସର ଦ୍ଵାରସ୍ଥ ହେଲେ ବିଧବା ମହିଳା
ପିଇଓଙ୍କ ଧମକ ପରେ ବିଧବା ମହିଳା ଜଣକ ଏହାକୁ ସହଜରେ ହଜମ କରିନଥିଲେ କି ପିଇଓଙ୍କ କଥାରେ ରାଜି ହୋଇନଥିଲେ । ମହିଳା ଜଣକ ଓଡ଼ିଶା ଭିଜିଲାନ୍ସକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଭିଜିଲାନ୍ସ ଦଳ ଜାଲ ବିଛାଇଥିଲା । ସରକାରୀ ବାବୁ ଜଣକ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ମାଡ଼ି ବସିଥିଲା ।

ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ; ୪ ମହଲା ବିଶିଷ୍ଟ କମର୍ସିଆଲ୍ ବିଲ୍ଡିଂ ଓ ଏକାଧିକ ଘରେ ତଲାସି

  • ପିଇଓଙ୍କ ଦୁଇଟି ସ୍ଥାନରେ ଚଢାଉ
ଭିଜିଲାନ୍ସ ଟିମ ୫୦୦୦ ଟଙ୍କା ଜବତ କରି ମହିଳାଙ୍କୁ ଫେରସ୍ତ କରିଥିଲେ । ଏହାପରେ ଅଭିଯୁକ୍ତ ସରକାରୀ ବାବୁଙ୍କୁ କାବୁ କରିବା ସହ ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତିର ଯାଞ୍ଚ କରିବା ପାଇଁ ତାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ କରିଛି । ଅନ୍ୟପଟେ ଭିଜିଲାନ୍ସ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୬/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ସରକାରୀ ବାବୁ ଆଉ କାହାକୁ ଏପରି ଠକିଛନ୍ତି ଓ ଲାଞ୍ଚ ଅର୍ଥ ନେଇ କଣ ସମ୍ପତ୍ତି ରଖିଛନ୍ତି ସେନେଇ ଖୋଳତାଡ଼ ଚାଲିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored