Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅପରାଧ ଓ ବେଆଇନ କାରବାର ବିରୋଧରେ ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍‌; ବନ୍ଧାହେଲେ ୧୭୭୧ ଜଣ

Crime

Odisha Police Action / ଅପରାଧ ଓ ବେଆଇନ କାରବାର ବିରୋଧରେ ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍‌; ବନ୍ଧାହେଲେ ୧୭୭୧ ଜଣ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ଅପରାଧ ଓ ବେଆଇନ କାରବାର ବିରୋଧରେ ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍‌; ବନ୍ଧାହେଲେ ୧୭୭୧ ଜଣ
Massive Crime Crackdown

Key Points

ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍‌ । ୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା ମିଳିଛି । ପୋଲିସ ୧୭୭୧ ଜଣଙ୍କୁ ଗିରଫ କରିଛି ।
ଭୁବନେଶ୍ଵର: ରାଜ୍ୟବ୍ୟାପୀ ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍‌ । ୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା ମିଳିଛି । ବିପୁଳ ପରିମାଣର ଗଞ୍ଜେଇ, ଅସ୍ତ୍ର ଓ ଯାନବାହନ ଜବତ ହୋଇଥିବା ବେଳେ ପୋଲିସ ୧୭୭୧ ଜଣଙ୍କୁ ଗିରଫ କରିଛି ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ ୧୨ ତାରିଖରୁ ଅଭିଯାନ ଆରମ୍ଭ ହୋଇଥିଲା । ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍‌ ଅନ୍ତର୍ଗତ ଜିଲ୍ଲା ଏସପି ଏବଂ ପୋଲିସ କମିଶନରଙ୍କ ନେତୃତ୍ବରେ "ସ୍ପେଶାଲ ଡ୍ରାଇଭ୍" ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ଅଭିଯାନରେ ଅପରାଧ ଏବଂ ଅପରାଧୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

​ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା, ନିଶା ଦ୍ରବ୍ୟ (ଗଞ୍ଜେଇ ଓ ବ୍ରାଉନସୁଗାର) ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ବେଆଇନ ଖଣିଜ ଚୋରା ଚାଲାଣରେ ସମ୍ପୃକ୍ତ ଯାନବାହନ ଜବତ କରିବା ସହ ମଦ୍ୟପାନ କରି ଗାଡ଼ି ଚାଳନା ଉପରେ କଠୋର ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏଥିସହ ପଢ଼ନ୍ତୁ: ସୌମ୍ୟ ହତ୍ୟାର ସିବିଆଇ ତଦନ୍ତ ଦାବି କଲେ ମୃତ ସୌମ୍ୟଙ୍କ ବାପା ,ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ 

ଏହି ସ୍ପେଶାଲ ଅପରେସନରେ ସମସ୍ତ ରେଞ୍ଜ୍‌ର ପୋଲିସ ଅଧୀକାରୀ ଓ କର୍ମଚାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏହି ଅଭିଯାନ ସାରା ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇଯାଇଛି ।

ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଓଡ଼ିଶା ପୋଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି । ଏହି ୫ ଦିନିଆ ଡ୍ରାଇଭ୍‌ ଅବଧିରେ ସାରା ରାଜ୍ୟରେ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇ ୧୭୭୧ ଜଣଙ୍କୁ ଗିରଫ କରାଯାଇଛି । ଫେରାର ଥିବା ୧୯୦ ଜଣ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରାଯାଇଛି ।

୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୪୪୯ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ୧୨୯ ବିଏନଏସଏସ୍‌ (ପୂର୍ବତନ ୧୧୦ ସିଆରପିସି) ଅନୁଯାୟୀ ବୁକ୍‌ କରାଯାଇଥିବାବେଳେ ୧୨୬ ବିଏନଏସଏସ୍‌ ଅନୁଯାୟୀ ୬୪୩ ଜଣଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ।

ବେଆଇନ ନିଶା କାରବାର ରୋକିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ୩୧ଟି ଏନଡିପିଏସ୍‌ ମାମଲା ରୁଜୁ ହୋଇଥିବାବେଳେ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩,୦୨୬ କେଜି ୭୦୨ ଗ୍ରାମ ଗଞ୍ଜେଇ ଏବଂ ୧୬.୬ ଗ୍ରାମ ବ୍ରାଉନ୍‌ ସୁଗର ଜବତ କରାଯାଇଛି ।

ନିଶା କାରବାରରେ ବ୍ୟବହୃତ ୬ଟି ଗାଡ଼ି, ୨ଟି ମୋବାଇଲ୍‌ ଫୋନ୍‌ ସହ ନଗଦ ୧୨ ହଜାର ୩୪୮ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହାସହ ୭୧୬ଟି ଅବକାରୀ ମାମଲା ରୁଜୁ ହୋଇଛି ।

ସଡ଼କ ସୁରକ୍ଷା ଓ ମୋଟର ଯାନ ଏନଫୋର୍ସମେଣ୍ଟକୁ ମଧ୍ୟ ବିଶେଷ ଗୁରୁତ୍ଵ ଦିଆଯାଇଛି । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ୯୬୬ ଜଣ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗାଡ଼ିଗୁଡ଼ିକୁ ଜବତ କରାଯାଇଛି । ଅନ୍ୟାନ୍ୟ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ମାମଲାରେ ମୋଟ ୧ କୋଟି ୮୯ ଲକ୍ଷ ୨୩ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ଗୋ-ଚାଲାଣ ରୋକିବାକୁ ପୋଲିସ ୫ଟି ମାମଲା ରୁଜୁ କରିଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ତ୍ୱରିତ ପୋଲିସ କାର୍ଯ୍ୟାନୁଷ୍ଠାନ ଫଳରେ ୪ଟି ଗାଡ଼ିରୁ ୩୩ଟି ଗାଈଙ୍କୁ ଉଦ୍ଧାର କରାଯାଇଛି ।

ଚୋରା ଖଣି କାରବାର ବିରୋଧରେ ମଧ୍ୟ ପୋଲିସ କଡ଼ା ପଦକ୍ଷେପ ନେଇ ୧୩୬ଟି ମାମଲା ରୁଜୁ କରି ୬୦ ଜଣଙ୍କୁ ଗିରଫ କରିଛି । ଏହାସହ ୧୪ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି । ଗତ ୫ ଦିନ ମଧ୍ୟରେ ୧୭୯ଟି ହାଇୱା, ଟ୍ରକ୍‌, ଟ୍ରାକ୍ଟର, ଟ୍ରିପର, ପାୱାର ଟିଲର ଓ ଜେସିବି ଜବତ କରାଯାଇଛି ।

ବେଆଇନ ଅସ୍ତ୍ର କାରବାର ରୋକିବାକୁ ୯ଟି ମାମଲା ରୁଜୁ କରାଯାଇଥିବାବେଳେ ୧୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୨୦ଟି ବିନା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରାଯାଇଛି ।

ଏଥିସହ ପଢ଼ନ୍ତୁ: ନିଖିଲ ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତକୁ ବିହାରରୁ ବାନ୍ଧିଲା ରାୟଗଡ଼ା ପୋଲିସ 

ୱାରେଣ୍ଟ କାର୍ଯ୍ୟକାରୀ କରିବାରେ କେନ୍ଦ୍ରାଞ୍ଚଳ ରେଞ୍ଜ ସର୍ବାଗେ ରହିଛି । ଏହି ରେଞ୍ଜରେ ୫ ଦିନରେ ୪୮୨ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଦକ୍ଷିଣାଞ୍ଚଳ ରେଞ୍ଜରେ ୨୧୧ଟି, ପଶ୍ଚିମାଞ୍ଚଳରେ ୧୬୦ଟି, ପୂର୍ବାଞ୍ଚଳରେ ୨୭୯ଟି, ଉତ୍ତର-କେନ୍ଦ୍ରାଞ୍ଚଳରେ ୧୯୬ଟି, ଦକ୍ଷିଣ-ପଶ୍ଚିମାଞ୍ଚଳରେ ୨୨୦ଟି ଏବଂ କମିଶନରେଟ୍‌ ପୋଲିସ ଅଞ୍ଚଳରେ ୯୫ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ପଶ୍ଚିମାଞ୍ଚଳ ରେଞ୍ଜରେ ସର୍ବାଧିକ ୧୪୭ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ୧୨୯ ବିଏନଏସଏସ୍‌ରେ ବୁକ୍‌ କରାଯାଇଛି ।

ନିଶା ବିରୋଧୀ ଅଭିଯାନରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ସର୍ବାଧିକ ୧୯୪୩ କେଜି ୪ ଗ୍ରାମ ଗଞ୍ଜେଇ ଜବତ କରିଛି । ଦକ୍ଷିଣାଞ୍ଚଳ ରେଞ୍ଜରୁ ୬୮୩ କେଜି ୪୬ ଗ୍ରାମ ଏବଂ ଉତ୍ତରାଞ୍ଚଳ ରେଞ୍ଜରୁ ୨୮୪ କେଜି ୮୬ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ପଶ୍ଚିମାଞ୍ଚଳ ରେଞ୍ଜ ସର୍ବାଧିକ ୫୩ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି । କେନ୍ଦ୍ରାଞ୍ଚଳ ରେଞ୍ଜରୁ ୪୩ ଲକ୍ଷ ୮୨ ହଜାର ୯୦୦ ଟଙ୍କା, ପୂର୍ବାଞ୍ଚଳରୁ ୩୨ ଲକ୍ଷ ୧୯ ହଜାର ୫୦୦ ଟଙ୍କା, ଉତ୍ତର-କେନ୍ଦ୍ରାଞ୍ଚଳରୁ ୧୬ ଲକ୍ଷ ୯୦ ହଜାର ୫୦୦ ଟଙ୍କା, ଉତ୍ତରାଞ୍ଚଳରୁ ୨୦ ଲକ୍ଷ ୮ ହଜାର ୫୦୦ ଟଙ୍କା ଓ ଦକ୍ଷିଣ-ପଶ୍ଚିମାଞ୍ଚଳରୁ ୧୮ ଲକ୍ଷ ୨୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Police Special Drive: 1771 Arrested in Massive Crime Crackdown | Argus News | Argus News