Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୯ଟି ମୂଲ୍ୟବାନ ପ୍ଲଟ୍ ସାଙ୍ଗକୁ ବହୁ କୋଠା ଠାବ; ଗିରଫ ହେଲେ କୋଟିପତି ଇଞ୍ଜିନିୟର ବାବୁ

Crime

Corruption case / ୯ଟି ମୂଲ୍ୟବାନ ପ୍ଲଟ୍ ସାଙ୍ଗକୁ ବହୁ କୋଠା ଠାବ; ଗିରଫ ହେଲେ କୋଟିପତି ଇଞ୍ଜିନିୟର ବାବୁ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
୯ଟି ମୂଲ୍ୟବାନ ପ୍ଲଟ୍ ସାଙ୍ଗକୁ ବହୁ କୋଠା ଠାବ; ଗିରଫ ହେଲେ କୋଟିପତି ଇଞ୍ଜିନିୟର ବାବୁ
Corruption case

Key Points

ଗିରଫ ହେଲେ କୋଟିପତି ବାବୁ
ଆୟଠାରୁ ୨୨୩ ପ୍ରତିଶତ ଅଧିକ ସମ୍ପତ୍ତି
ସଞ୍ଜୟ କୁମାର କିସ୍ପଟ୍ଟାଙ୍କ ସମ୍ପତ୍ତି କଲା କାବା
କୋରାପୁଟ: ଆୟଠାରୁ ୨୨୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ପରେ ଓଡ଼ିଶା କନ୍ଷ୍ଟ୍ରକ୍ସନ କର୍ପୋରେସନ୍ ଲିମିଟେଡ୍‌ (OCC)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସ୍ପଟ୍ଟାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଚଢ଼ାଉ ବେଳେ ସଞ୍ଜୟ କୁମାର କିସ୍ପଟ୍ଟାଙ୍କ ନାମରେ ଏକ ୨୩ କୋଠା ବିଶିଷ୍ଟ ବ୍ୟବସାୟିକ ଭବନ, ଆଉ ଏକ ବହୁତଳ କୋଠା, ୯ଟି ମୂଲ୍ୟବାନ ପ୍ଲଟ୍, ୧ କୋଟି ୨୩ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଜମା, ନଗଦ ଟଙ୍କା, ସୁନା, ରୂପା ଓ ଗାଡ଼ି ଠାବ କରାଯାଇଛି ।

ଯାଞ୍ଚ ପରେ ତାଙ୍କ ସମ୍ପତ୍ତି ଜଣାଶୁଣା ଆୟଠାରୁ ୨୨୩ ପ୍ରତିଶତ ଅଧିକ ଥିବା ଭିଜିଲାନ୍ସ ଦାବି କରିଛି । ଅଭିଯୁକ୍ତଙ୍କୁ ଗିରଫ କରି ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି । ସୋମବାର କୋରାପୁଟ, ସୁନ୍ଦରଗଡ଼, ଭୁବନେଶ୍ୱର ଓ ବଲାଙ୍ଗୀରର ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସର ୭ଟି ସ୍ୱତନ୍ତ୍ର ଟିମ୍, ୬ ଜଣ DSP, ୮ ଜଣ ଇନ୍ସପେକ୍ଟର, ୭ ଜଣ ASI ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ କରାଯାଇଥିଲା ।

  • ସଞ୍ଜୟଙ୍କ ସମ୍ପତ୍ତି ତାଲିକା ବହୁ ଲମ୍ବା
ଚଢ଼ାଉ ବେଳେ ସଞ୍ଜୟ କିସ୍ପଟ୍ଟା ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବହୁ ମୂଲ୍ୟବାନ ଚଳ ଓ ଅଚଳ ସମ୍ପତ୍ତି ଠାବ କରାଯାଇଛି । ଭିଜିଲାନ୍ସ ଏସପି ସୁଶ୍ରୀଙ୍କ ସୂଚନା ଅନୁଯାୟୀ, କୋରାପୁଟ ସହରରେ ପ୍ରାୟ ୮ ହଜାର ବର୍ଗଫୁଟ୍ ଅଞ୍ଚଳ ବିଶିଷ୍ଟ ୪ ମହଲା ବିଶିଷ୍ଟ ବ୍ୟବସାୟିକ ଭବନ, ଯେଉଁଥିରେ ୨୩ଟି କୋଠରୀ ରହିଛି ଏବଂ ଏହା ଏକ ୩-ତାରକା ହୋଟେଲ ସୁବିଧା ସମ୍ପନ୍ନ ଲଜ୍ ଭାବେ ବ୍ୟବହୃତ ହେଉଛି । ସୁନ୍ଦରଗଡ଼ର ଲହୁଣିପଡାରେ ପ୍ରାୟ ୭୭୧୫ ବର୍ଗଫୁଟ୍ ଅଞ୍ଚଳର ନିର୍ମାଣାଧୀନ ୩ ମହଲା ବିଶିଷ୍ଟ ଆବାସିକ ଭବନ ।

କୋରାପୁଟରେ ୬ଟି, ରାଉରକେଲାରେ ୨ଟି ଓ ଭୁବନେଶ୍ୱରରେ ୧ଟି ସହ ମୋଟ ୯ଟି ମୂଲ୍ୟବାନ ପ୍ଲଟ୍ । ନଗଦ ୧ ଲକ୍ଷ ୧୬ ହଜାର ୬୮୦ ଟଙ୍କା । ୩୨୫.୫୬୨ ଗ୍ରାମ ସୁନା ଓ ୧.୧୨୧ କିଲୋଗ୍ରାମ ରୂପା ଅଳଙ୍କାର । ବ୍ୟାଙ୍କରେ ୪୬.୦୯ ଲକ୍ଷ ଟଙ୍କାର ଜମା । ଇନୋଭା କ୍ରିଷ୍ଟା ଓ ଟାଟା ସଫାରି ସହ ୨ଟି ଚାରିଚକିଆ ଓ ୨ଟି ଦୁଇଚକିଆ ଯାନ । ପ୍ରାୟ ୩୬.୫୨ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ । ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ପକ୍ଷରୁ ସମସ୍ତ ଜମି ଓ ଭବନର ମାପଜୋଖ ଏବଂ ମୂଲ୍ୟାୟନ ଜାରି ରହିଛି । ତେଣୁ ସମ୍ପତ୍ତିର ମୋଟ ମୂଲ୍ୟ ଆହୁରି ବଢ଼ିବାର ସମ୍ଭାବନା ରହିଛି ।

  • ୨୦୧୧ରେ ସରକାରୀ ଚାକିରି କରିଥିଲେ ସଞ୍ଜୟ
ସଞ୍ଜୟ କୁମାର କିସ୍ପଟ୍ଟା ୨୦୧୧ ମସିହାରେ ସହକାରୀ ଯନ୍ତ୍ରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେ କୋରାପୁଟ ଜିଲ୍ଲାର ନାରାୟଣପାଟଣା, ପଟାଙ୍ଗି ଓ ITDA କୋରାପୁଟରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିଲେ । ୨୦୨୬ ମାର୍ଚ୍ଚରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ OCC ଭୁବନେଶ୍ୱରରେ ଯୋଗଦେଇ ପରେ ଲୋୟର ସୁକତେଲ ପ୍ରକଳ୍ପ, ବଲାଙ୍ଗୀରକୁ ଡେପୁଟେସନରେ ଯାଇଥିଲେ । ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ସମ୍ପତ୍ତିର ଉତ୍ସ ଯାଞ୍ଚ କରାଯାଉଥିବା ବେଳେ ତଦନ୍ତ ଜାରି ରହିଛି । ଅଧିକ ସମ୍ପତ୍ତି ଠାବ ହେବାର ସମ୍ଭାବନା ଥିବାରୁ ଆଗାମୀ ଦିନରେ ଏହାର ମୋଟ ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ ।

ପଢନ୍ତୁ ଏହି ଖବର: ARTO ଅଫିସରଙ୍କ ସମ୍ପତ୍ତି ଦେଖି ଆଖି ଟେରା; ଯୁଆଡେ ଦେଖିଲେ ଖାଲି ସୁନା, ୧.୬୨କୋଟି ଜବତ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored