Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

Ram Navami / ଆଜି ପବିତ୍ର ରାମ ନବମୀ ଚାରିଆଡ଼େ ଶୁଭୁଛି 'ଜୟ ଶ୍ରୀରାମ' ଧ୍ଵନି

Rashmita Mishra
Browse all articles by Rashmita Mishra
·3 months ago·3 min read
ଆଜି ପବିତ୍ର ରାମ ନବମୀ ଚାରିଆଡ଼େ ଶୁଭୁଛି 'ଜୟ ଶ୍ରୀରାମ' ଧ୍ଵନି
Ram Navami

Key Points

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ
ପବିତ୍ର ରାମ ନବମୀରେ ଶୁଭୁଛି 'ଜୟ ଶ୍ରୀରାମ' ଧ୍ବନି
ଶ୍ରୀରାମଙ୍କ ଜୀବନ କେବଳ ପୁରାଣ ନୁହେଁ ଏକ ପାଠଶାଳା
ପ୍ରଭୁ ଶ୍ରୀରାମଙ୍କ ଜୀବନରୁ ମିଳେ ୧୦ଟି ବଡ଼ ଶିକ୍ଷା

ଆଜି ପବିତ୍ର ରାମ ନବମୀ ଅବସରରେ 'ଜୟ ଶ୍ରୀରାମ' ଧ୍ୱନିରେ କମ୍ପୁଛି ଗଗନ ପବନ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଙ୍କ ଜୀବନ କେବଳ ଏକ ପୁରାଣ ନୁହେଁ, ବରଂ ଏକ ଜୀବନ୍ତ ପାଠଶାଳା । ଯୁଗ ଯୁଗ ଧରି ତାଙ୍କର ଆଦର୍ଶ ମାନବ ସମାଜକୁ ଦିଗଦର୍ଶନ ଦେଇଆସିଛି ।

କାହିଁକି ଆଜିର ଯୁଗରେ ପ୍ରଭୁ ଶ୍ରୀରାମ ସବୁଠୁ ଅଧିକ ପ୍ରାସଙ୍ଗିକ ? କାରଣ, ଯେତେବେଳେ ଜୀବନରେ ଦୁଃଖ ଆସେ, ସେତେବେଳେ ଶ୍ରୀରାମ ଆମକୁ ଧୈର୍ଯ୍ୟ ଶିଖାନ୍ତି । ଯେତେବେଳେ ପରିବାରରେ ଦ୍ୱନ୍ଦ୍ୱ ଦେଖାଦିଏ, ସେତେବେଳେ ସେ ତ୍ୟାଗ ଶିଖାନ୍ତି ।

ଆଉ ଯେତେବେଳେ ଅନ୍ୟାୟ ବିରୋଧରେ ଲଢ଼ିବାର ପ୍ରଶ୍ନ ଆସେ, ସେତେବେଳେ ସେ ଆମକୁ ଦୃଢ଼ ସଂକଳ୍ପର ଶିକ୍ଷା ଦିଅନ୍ତି । ଜଣେ ଆଦର୍ଶ ପୁତ୍ର, ଜଣେ ସ୍ନେହୀ ଭାଇ ଏବଂ ଜଣେ ନ୍ୟାୟପ୍ରିୟ ରାଜା । ଏହି ସବୁ ରୂପରେ ପ୍ରଭୁ ରାମ ଆମକୁ ଶିଖାଇଛନ୍ତି ଯେ, ପରିସ୍ଥିତି ଯାହା ବି ହେଉ, ମଣିଷ ନିଜର 'ମର୍ଯ୍ୟାଦା' ଏବଂ 'ଧର୍ମ' କେବେବି ଛାଡ଼ିବା ଉଚିତ୍ ନୁହେଁ । ଆଜି ପବିତ୍ର ରାମ ନବମୀରେ ଚାରିଆଡ଼େ ଶୁଭୁଛି 'ଜୟ ଶ୍ରୀରାମ' ମନ୍ତ୍ର ।

ତେବେ ଆଜିର ଏହି ଶୁଭ ଅବସରରେ ଆସନ୍ତୁ ଜାଣିବା ପ୍ରଭୁ ଶ୍ରୀରାମଙ୍କ ଜୀବନରୁ ମିଳୁଥିବା ୧୦ଟି ବଡ଼ ଶିକ୍ଷା, ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେଇପାରେ ।

ଏଥିସହ ପଢ଼ନ୍ତୁ: ଆସନ୍ତାକାଲି ପବିତ୍ର ଶ୍ରୀରାମ ନବମୀ ଚଳଚଞ୍ଚଳ ସାରା ଓଡ଼ିଶା


୧. ଧୈର୍ଯ୍ୟ ଓ ସଂଯମତା
ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ୧୪ ବର୍ଷର ବନବାସ ଆଦେଶ । କିନ୍ତୁ ଶ୍ରୀରାମଙ୍କ ମୁହଁରେ ସେହି ସମାନ ହସ । ବିପଦ ସମୟରେ ବିଚଳିତ ନହୋଇ କିପରି ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କରିବାକୁ ହୁଏ, ତାହା ଶ୍ରୀରାମଙ୍କ ଠାରୁ ଶିଖିବା ଉଚିତ୍ ।

୨. ମାତୃ-ପିତୃ ଭକ୍ତି
ପିତାଙ୍କ କଥା ରଖିବା ପାଇଁ ସେ ସମସ୍ତ ସୁଖ-ସୁବିଧା ତ୍ୟାଗ କରିଥିଲେ । ଆଜିର ସମୟରେ ପିତା ମାତାଙ୍କ ସମ୍ମାନ ଓ ସେବା ହିଁ ସବୁଠାରୁ ବଡ଼ ଧର୍ମ ବୋଲି ସେ ପ୍ରମାଣିତ କରିଛନ୍ତି । ପିତୃ ଆଦେଶ ପାଳନ କରିବା ପାଇଁ ସେ ରାଜ୍ୟସୁଖ ତ୍ୟାଗ କରି ୧୪ ବର୍ଷ ବନବାସରେ କାଟିଥିଲେ ।

୩. ସମାନତା ଓ ଭେଦଭାବ ଶୂନ୍ୟ
ଜଣେ ରାଜକୁମାର ହୋଇ ମଧ୍ୟ ଶ୍ରୀରାମ ଶବରୀଙ୍କ ଅଇଁଠା କୋଳି ଖାଇଥିଲେ ଏବଂ ଗୁହକ ଶବରଙ୍କୁ ଆଲିଙ୍ଗନ କରିଥିଲେ । ଜାତି-ଧର୍ମ ନିର୍ବିଶେଷରେ ମଣିଷକୁ ସମ୍ମାନ ଦେବା ତାଙ୍କର ଏକ ଅମୂଲ୍ୟ ଶିକ୍ଷା ।

୪. ଭ୍ରାତୃ ପ୍ରେମ
ଭାଇ ଭାଇ ମଧ୍ୟରେ କିପରି ସମ୍ପର୍କ ରହିବା ଉଚିତ୍, ତାହା ରାମ-ଲକ୍ଷ୍ମଣ ଏବଂ ଭରତଙ୍କ ଚରିତ୍ରରୁ ସ୍ପଷ୍ଟ ହୁଏ । ସ୍ୱାର୍ଥ ତ୍ୟାଗ କରି ପରସ୍ପରକୁ ସମର୍ପଣ କରିବା ହିଁ ପ୍ରକୃତ ସମ୍ପର୍କ । ଆଜିର ଦୁନରେ ସମ୍ପର୍କର ସଂଜ୍ଞା ଦୁର୍ବଳ ହୋଇପଡୁଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ଜୀବନରେ ଭାତୃ ପ୍ରେମ ସଂପର୍କର ପରିଧିକୁ ବିସ୍ତୃତ କରୁଛି ।

୫. ଦୟା ଓ କ୍ଷମା
ଶ୍ରୀ ରାମ କେବଳ ଶକ୍ତିଶାଳୀ ନଥିଲେ, ସେ ଥିଲେ ଅତ୍ୟନ୍ତ ଦୟାଳୁ । ଶତ୍ରୁ ରାବଣ ମୃତ୍ୟୁ ଶଯ୍ୟାରେ ଥିବା ବେଳେ ମଧ୍ୟ ତାଙ୍କୁ ସମ୍ମାନ ଦେବା ପାଇଁ ସେ ଲକ୍ଷ୍ମଣଙ୍କୁ ପଠାଇଥିଲେ ।

୬. ଦୃଢ଼ ସଂକଳ୍ପ

ଶୂନ୍ୟ ହସ୍ତରେ ବନବାସ ବାହାରିଥିଲେ ମଧ୍ୟ ସାଧାରଣ ବାନର ସେନାଙ୍କୁ ଏକଜୁଟ କରି ସମୁଦ୍ରରେ ସେତୁ ବାନ୍ଧିବା ଏବଂ ଅତ୍ୟନ୍ତ ଶକ୍ତିଶାଳୀ ରାବଣକୁ ପରାସ୍ତ କରିବା ତାଙ୍କର ଦୃଢ଼ ଇଚ୍ଛାଶକ୍ତିର ପରିଚୟ ।

୭. ସତ୍ୟ ଓ ଧର୍ମର ପଥ
ସେ ଜାଣିଥିଲେ ରାବଣ ଜଣେ ବଡ଼ ପଣ୍ଡିତ, କିନ୍ତୁ ଅଧର୍ମ ପଥରେ ଥିବାରୁ ତାଙ୍କର ପତନ ନିଶ୍ଚିତ । ସବୁବେଳେ ସତ୍ୟ ଏବଂ ନ୍ୟାୟ ପକ୍ଷରେ ଠିଆ ହେବାକୁ ଶ୍ରୀରାମ ଶିଖାଇଛନ୍ତି ।

୮. ସଫଳ ନେତୃତ୍ୱ

ଜଣେ ଭଲ ନେତା କେବଳ ଆଦେଶ ଦିଏନି, ସେ ସମସ୍ତଙ୍କୁ ସାଥିରେ ନେଇ ଚାଲେ । ବାନର ସେନାଙ୍କୁ ବିଶ୍ୱାସକୁ ନେଇ ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ।

ପଢନ୍ତୁ ଏହି ଖବର: ରାମ ନବମୀ ବେଳେ ଚର୍ଚ୍ଚାରେ ଅଞ୍ଜନୀ ପୁତ୍ର ସେନା

୯. ବିଶ୍ୱାସୀ ବନ୍ଧୁତା
ସୁଗ୍ରୀବ ଏବଂ ବିଭୀଷଣଙ୍କ ସହ ତାଙ୍କର ବନ୍ଧୁତା ପ୍ରମାଣ କରେ ଯେ, ସଙ୍କଟ ସମୟରେ ଯିଏ ସାଥିରେ ରୁହେ, ସେ ହିଁ ପ୍ରକୃତ ବନ୍ଧୁ । ବନ୍ଧୁ ପାଇଁ ସର୍ବସ୍ୱ ତ୍ୟାଗ କରିବାକୁ ସେ ପଛାଇ ନଥିଲେ ।

୧୦. ଆଦର୍ଶ ପତି ଓ ସୁରକ୍ଷାକର୍ତ୍ତା

ମାତା ସୀତାଙ୍କ ସମ୍ମାନ ରକ୍ଷା ପାଇଁ ସେ ସମଗ୍ର ସୁବର୍ଣ୍ଣ ଲଙ୍କାକୁ ଛାରଖାର କରିଦେଇଥିଲେ । ନାରୀ ସମ୍ମାନ ଏବଂ ନିଜ ପରିବାର ପ୍ରତି ଦାୟିତ୍ୱବୋଧର ସେ ହେଉଛନ୍ତି ଶ୍ରେଷ୍ଠ ଉଦାହରଣ ।
ପ୍ରଭୁ ଶ୍ରୀରାମଙ୍କ ଏହି ୧୦ଟି ସୂତ୍ରକୁ ଯଦି ଆମେ ନିଜ ଜୀବନରେ ଟିକିଏ ବି ପ୍ରୟୋଗ କରିବା, ତେବେ ସମାଜରେ ଏକ ବଡ଼ ପରିବର୍ତ୍ତନ ଆସିପାରିବ । ଜୟ ଶ୍ରୀରାମ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ram Navami | Ram Navami Celebrations: ‘Jai Shri Ram’ Echoes Everywhere | Argus News