Videos
|
Entertainment

Disha Salian Death Case / ଦିଶା ସାଲିଆନ ମାମଲାରେ ଆଦିତ୍ୟ ଠାକରେଙ୍କୁ ୫୦୦ କୋଟି ମାନହାନି ନୋଟିସ୍

Debashree Debasmita Sahoo
Browse all articles by Debashree Debasmita Sahoo
·59 mins ago·3 min read
ଦିଶା ସାଲିଆନ ମାମଲାରେ ଆଦିତ୍ୟ ଠାକରେଙ୍କୁ ୫୦୦ କୋଟି ମାନହାନି ନୋଟିସ୍
Disha Salian Death Case

Key Points

ଫିଲ୍ମ ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ଘଟଣା
ମହାରାଷ୍ଟ୍ର ନେତା ଆଦିତ୍ୟ ଠାକରେଙ୍କୁ ନୋଟିସ୍
୫୦୦ କୋଟିର ମାନହାନି ନୋଟିସ୍ ପଠାଇଲେ ଦିଶାଙ୍କ ବାପା
ସାର୍ବଜନୀନ କ୍ଷମା ପ୍ରାର୍ଥନା ଏବଂ କ୍ଷତିପୂରଣ ଦାବି
ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ଆସିଛି ୫୦୦ କୋଟି ଟଙ୍କାର ଆଇନଗତ ନୋଟିସ୍ । ଦିଶାଙ୍କ ବାପା ସତୀଶ ସାଲିଆନ୍ ଶିବସେନା (UBT) ନେତା ଆଦିତ୍ୟ ଠାକରେ ଏବଂ ଏନସିପି (ଏସପି) ନେତା ଅନିଲ ଦେଶମୁଖଙ୍କ ଠାରୁ ₹୫୦୦ କୋଟି କ୍ଷତିପୂରଣ ଦାବି କରିଛନ୍ତି।

ନୋଟିସରେ ଅଭିଯୋଗ କରାଯାଇଛି ଯେ ଦୁଇ ନେତା ନ୍ୟାୟ ପାଇଁ ସତୀଶ ସାଲିଆନଙ୍କ ଲଢ଼େଇକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରିଥିଲେ । ୨୮ ବର୍ଷୀୟା ଦିଶା ସାଲିଆନଙ୍କ ମୃତ୍ୟୁ ୮ ଜୁନ ୨୦୨୦ରେ ମୁମ୍ବାଇର ମାଲାଡ ଅଞ୍ଚଳରେ ଏକ ଉଚ୍ଚ ଆବାସିକ କୋଠାରୁ ପଡ଼ିଯିବାରୁ ହୋଇଥିଲା । ହେଲେ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ତାଙ୍କ ପିତା ଅଭିଯୋଗ ଆଣିଥିଲେ ।

  • ଅଭିଯୋଗ କ’ଣ ଥିଲା?
ନିକଟରେ ସିବିଆଇ ସତୀଶ ସାଲିଆନଙ୍କ ଅଭିଯୋଗକୁ ନେଇ ମାମଲା ରୁଜୁ କରିଥିଲା । ଏହାପରେ ଦିଶାଙ୍କ ପିତା ସତୀଶ ଉଭୟ ନେତାଙ୍କ ବିରୋଧରେ ୫୦୦ କୋଟି ମାନହାନି ନୋଟିସ୍ ପଠାଇଛନ୍ତି । ନୋଟିସରେ ସେ ଉଭୟ ନେତାଙ୍କ କିଛି ବୟାନକୁ ଆପତ୍ତିଜନକ ବୋଲି କହିଛନ୍ତି । ଏଥିଲାଗି ୭ ଦିନ ମଧ୍ୟରେ ସାଧାରଣ କ୍ଷମା ପ୍ରାର୍ଥନା ଏବଂ କ୍ଷତିପୂରଣ ଦାବି କରିଛନ୍ତି ।

ଆଇନଗତ ନୋଟିସରେ କୁହାଯାଇଛି, "ଉପରେ ଉଲ୍ଲେଖ କରାଯାଇଥିବା ଅଭିଯୋଗଗୁଡ଼ିକ ମିଥ୍ୟା, ଭିତ୍ତିହୀନ, ଦାୟିତ୍ୱହୀନ ଏବଂ ମାନହାନି କରୁଛି । ଏହି ଅଭିଯୋଗଗୁଡ଼ିକ କୌଣସି ବିଶ୍ୱସନୀୟ ପ୍ରମାଣ କିମ୍ବା ଆଧାର ବିନା ଏବଂ କେବଳ ଆପଣଙ୍କର ଗୁପ୍ତ ଉଦ୍ଦେଶ୍ୟ ପୂରଣ କରିବା ପାଇଁ କରାଯାଇଛି । ଏହି ଅଭିଯୋଗଗୁଡ଼ିକ ସିଧାସଳଖ ଏବଂ ଗମ୍ଭୀର ଭାବରେ ମୋ ମହକିଲ (ସତୀଶ ସାଲିଆନ୍)ଙ୍କ ସାଧୁତା, ବିଶ୍ୱସନୀୟତା ଏବଂ ସତ୍ୟତା ଉପରେ ପ୍ରଶ୍ନ ଉଠାଇଛି । ଏଗୁଡ଼ିକ ଜଣେ ଶୋକସନ୍ତପ ପିତାଙ୍କୁ ଏପରି ଜଣେ ବ୍ୟକ୍ତି ଭାବରେ ଚିତ୍ରଣ କରନ୍ତି ଯିଏ ଗୁପ୍ତ ଏବଂ ରାଜନୈତିକ ଉଦ୍ଦେଶ୍ୟ ପାଇଁ ନ୍ୟାୟିକ ପ୍ରକ୍ରିୟାର ଅପବ୍ୟବହାର କରୁଛନ୍ତି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: 'ହତ୍ୟା ପୂର୍ବରୁ ଝିଅ ସହ ହୋଇଥିଲା ଗଣଦୁଷ୍କର୍ମ'; ଦିଶା ସାଲିଆନ୍ ମାମଲାରେ CBIର ଏତଲାରେ ଅନେକ ବଡ଼ ନାଁ

ନୋଟିସ ଅନୁଯାୟୀ, ୨୩ ମାର୍ଚ୍ଚ ୨୦୨୫ରେ ଅନିଲ ଦେଶମୁଖ କହିଥିଲେ ଯେ ଦିଶା ସାଲିଆନ୍ ମାମଲା ଆଦିତ୍ୟ ଠାକରେଙ୍କୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର ଥିଲା । ଏହି ବୟାନ ବ୍ୟାପକ ପ୍ରଚାର ପାଇଥିବା ଜଣାପଡ଼ିଛି ଏବଂ ସତୀଶ ସାଲିଆନ୍‌ଙ୍କୁ ଜଣେ ଅସାଧୁ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ମିଥ୍ୟା ମାମଲା ପ୍ରଦର୍ଶିତ କରିଥିଲା ​​ଯିଏ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାର ଅପବ୍ୟବହାର କରୁଥିଲେ ।

  • ସାର୍ବଜନୀନ କ୍ଷମା ପ୍ରାର୍ଥନା ଦାବି
ନୋଟିସରେ ସତୀଶ ସାଲିଆନ୍ ଏକ ନିଃସର୍ତ୍ତ, ସ୍ପଷ୍ଟ ଏବଂ ସମ୍ପୂର୍ଣ୍ଣ ଲିଖିତ ଓ ସାର୍ବଜନୀନ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଏହି କ୍ଷମା ପ୍ରାର୍ଥନା ସମସ୍ତ ପ୍ରମୁଖ ପ୍ରିଣ୍ଟ, ଟିଭି ଏବଂ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମରେ ପ୍ରକାଶିତ ଏବଂ ପ୍ରସାରିତ ହେବା ଉଚିତ । ଭିଡିଓ କ୍ଷମା ପ୍ରାର୍ଥନା ଅତି କମରେ ୩ ମିନିଟ୍ ଲମ୍ବା ହେବା ଉଚିତ ଏବଂ ଉଭୟ ନେତାଙ୍କ ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ହେବା ଉଚିତ ।

  • 'ଦିଶା ସାଲିଆନ୍‌ଙ୍କୁ କେବେ ଭେଟିନାହୁଁ'
ବୁଧବାର ଆଦିତ୍ୟ ଠାକରେ ଦିଶା ସାଲିଆନଙ୍କ ସହ କୌଣସି ସମ୍ପର୍କକୁ ଅସ୍ୱୀକାର କରିଛନ୍ତି । ଟ୍ୱିଟରରେ ଏକ ପୋଷ୍ଟରେ ସେ କହିଛନ୍ତି, "ମୁଁ କେବେ ଦିଶା ସାଲିଆନଙ୍କୁ ଭେଟିନାହିଁ କିମ୍ବା ତାଙ୍କୁ ଜାଣିନାହିଁ । ପ୍ରାୟ ଛଅ ବର୍ଷ ଧରି ସ୍ପଷ୍ଟ ରାଜନୈତିକ ଏବଂ ବ୍ୟକ୍ତିଗତ ଉଦ୍ଦେଶ୍ୟ ସହିତ କିଛି ଲୋକ ଏହି ଦୁଃଖଦ ଘଟଣା ସହିତ ମୋ ନାମକୁ ଲଗାତାର ଯୋଡୁଛନ୍ତି । ଏହା ମୋର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ଜାଣିଶୁଣି ଏବଂ ଭିତ୍ତିହୀନ ପ୍ରୟାସ ।"

  • ଦିଶାଙ୍କ ମୃତ୍ୟୁ ହତ୍ୟା ଥିଲା କି ?
ଏଠାରେ କହିରଖୁଛୁ କି, ଦିଶା ସାଲିଆନଙ୍କ ପିତା ଦୀର୍ଘ ଦିନ ଧରି ଝିଅ ପାଇଁ ଆଇନଗତ ଲଢେଇ ଲଢୁଛନ୍ତି । ୨୦୨୫ରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ତାଙ୍କ ଓକିଲ କୋର୍ଟରେ ଦାବି ରଖିଥିଲେ ଯେ ଦିଶାଙ୍କ ସହିତ ପ୍ରଥମେ ଦୁଷ୍କର୍ମ ହୋଇଥିଲା ଓ ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ ଘଟଣାକୁ ଦବାଇବା ଲାଗି କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ପୋଲିସର ଭୂମିକା ରହିଛି । ଦିଶାଙ୍କ ପିତାଙ୍କ ଏହି ଅଭିଯୋଗକୁ ଆଧାର କରି ଏବେ ତଦନ୍ତ କରୁଛି ସିବିଆଇ ।