Videos
|
Health-wellness

New COVID Variant / କୋଭିଡ୍‌ର ନୂଆ ଭାରିଆଣ୍ଟକୁ ନେଇ ବଢ଼ିଲା ଚିନ୍ତା, କେତେ ଘାତକ ଏହି ଭାଇରସ୍ ? ଜାଣନ୍ତୁ ଲକ୍ଷଣ ଓ ବିପଦ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କୋଭିଡ୍‌ର ନୂଆ ଭାରିଆଣ୍ଟକୁ ନେଇ ବଢ଼ିଲା ଚିନ୍ତା, କେତେ ଘାତକ ଏହି ଭାଇରସ୍ ? ଜାଣନ୍ତୁ ଲକ୍ଷଣ ଓ ବିପଦ
New COVID Variant

Key Points

କୋଭିଡ୍‌ର ନୂଆ ଭାରିଆଣ୍ଟ PJ.2.1କୁ ନେଇ ବଢ଼ିଲା ଚିନ୍ତା
କେତେ ଘାତକ ଏହି ଭାଇରସ୍?
ବିଶ୍ୱରେ ଚିନ୍ତା ବଢ଼ାଉଛି ନୂଆ ଭାରିଆଣ୍ଟ
କୋଭିଡ୍-୧୯ର ନୂଆ ଭାରିଆଣ୍ଟ PJ.2.1କୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିବାରେ ଲାଗିଛି । ମେ' ୨୦୨୬ରେ କାନାଡାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ଦେଖାଯାଇଥିବା ଦାବି କରାଯାଉଛି । ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଏସିଆର କିଛି ଅଞ୍ଚଳରେ ଏହି SARS-CoV-2 ଲିନିଏଜ୍‌ର ଉପସ୍ଥିତି ନେଇ ଚର୍ଚ୍ଚା ହେଉଛି । ଏହାକୁ ନେଇ ପୁଣି ଥରେ ବିଶ୍ୱରେ ମହାମାରୀ ଭୟ ସୃଷ୍ଟି ହୋଇଛି । ତେବେ ପ୍ରଶ୍ନ ଉଠୁଛି, ଏହି ନୂଆ ଭାରିଆଣ୍ଟ କେତେ ଘାତକ ଏବଂ ଆମ ଶରୀରର ବର୍ତ୍ତମାନର ରୋଗ ପ୍ରତିରୋଧକ ଶକ୍ତି ଏହାକୁ ମୁକାବିଲା କରିପାରିବ କି ?

କ’ଣ ଏହି PJ.2.1 ଭାରିଆଣ୍ଟ ?

PJ.2.1 ହେଉଛି SARS-CoV-2 ଭାଇରସ୍‌ର ଏକ ନୂଆ ଲିନିଏଜ୍ । ଏହି ଭାଇରସ୍ ହିଁ COVID-19 ରୋଗ ପାଇଁ ଦାୟୀ । ଏହାକୁ ଏକ 'ସଲ୍ଟେସନ୍ ଭାରିଆଣ୍ଟ' ବୋଲି କୁହାଯାଉଛି । ଅର୍ଥାତ୍, ଧୀରେ ଧୀରେ ମ୍ୟୁଟେସନ୍ ହେବା ପରିବର୍ତ୍ତେ ଏଥିରେ ଏକାଥରକେ ଅଧିକ ଜେନେଟିକ୍ ପରିବର୍ତ୍ତନ ଦେଖାଯାଇଥାଏ ।

କାନାଡାର ଓଣ୍ଟାରିଓରେ ଏହା ପ୍ରଥମେ ଚିହ୍ନଟ ହୋଇଥିବା କୁହାଯାଉଛି । ଆମେରିକାରେ ଜୁନ୍ ୩୦ରେ ନ୍ୟୁୟର୍କରେ ଏହାର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ଏହା ପରେ କାଲିଫର୍ଣ୍ଣିଆ, ଆରିଜୋନା, ଭର୍ଜିନିଆ, ନର୍ଥ କାରୋଲିନା, ନ୍ୟୁଜର୍ସି, ଓକ୍ଲାହୋମା, କଲୋରାଡୋ ଏବଂ ଫ୍ଲୋରିଡା ଭଳି ରାଜ୍ୟରେ ମଧ୍ୟ ଏହା ଦେଖାଯାଇଥିବା ଦାବି ହୋଇଛି । ଏହାବ୍ୟତୀତ ସିଙ୍ଗାପୁର, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇସ୍ରାଏଲ୍, ଫ୍ରାନ୍ସ ଏବଂ ସ୍ପେନ୍‌ରେ ମଧ୍ୟ ଏହାର ଉପସ୍ଥିତି ନେଇ ରିପୋର୍ଟ ଆସିଛି ।

କାହିଁକି ବଢ଼ୁଛି ଚିନ୍ତା ?

ସାମ୍ପ୍ରତିକ ଗବେଷଣାରେ PJ.2.1 ଭାରିଆଣ୍ଟ ମଣିଷ ଶରୀରର କୋଷଗୁଡ଼ିକର ପୃଷ୍ଠଭାଗରେ ଥିବା ACE2 ରିସେପ୍ଟର ସହ ଅଧିକ ଭଲ ଭାବରେ ଯୋଡ଼ି ହୋଇପାରୁଥିବା ସଙ୍କେତ ମିଳିଛି । ACE2 ରିସେପ୍ଟର ସହ ଏହାର ଅଧିକ ଦୃଢ଼ ସଂଯୋଗ ଭାଇରସ୍‌ର ସଂକ୍ରମଣ ଓ ବିସ୍ତାରରେ ସହାୟକ ହୋଇପାରେ । ତେଣୁ ଏହାର ସଂକ୍ରମଣ କ୍ଷମତାକୁ ନେଇ ବୈଜ୍ଞାନିକମାନେ ଅଧିକ ଅଧ୍ୟୟନ କରୁଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ’ଣ ରହିଛି PJ.2.1ର ଲକ୍ଷଣ ?

ଏହି ନୂଆ ଭାରିଆଣ୍ଟ ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ଲକ୍ଷଣ ଚିହ୍ନଟ ହୋଇନାହିଁ । ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର, ଥଣ୍ଡା, କାଶ, ଗଳା ଯନ୍ତ୍ରଣା, ପାଣି କିମ୍ବା ବନ୍ଦ ନାକ, ମୁଣ୍ଡବିନ୍ଧା, ମାଂସପେଶୀ ଏବଂ ଶରୀର ଯନ୍ତ୍ରଣା, ଥକ୍କାପଣ କିମ୍ବା ଦୁର୍ବଳତା ରହିଛି । COVID-19 ସହିତ, ଲୋକମାନେ ନିଶ୍ୱାସ ନେବାରେ କଷ୍ଟ, ଗନ୍ଧ ଏବଂ ସ୍ୱାଦ ହ୍ରାସ ଏବଂ ପେଟ ସମସ୍ୟା ଅନୁଭବ କରିଛନ୍ତି, ଯାହା ଏହି ପ୍ରକାର ଭାରିଆଣ୍ଟ ସହିତ ମଧ୍ୟ ହୋଇପାରେ ।

କେତେ ଘାତକ ଏହି ନୂଆ ଭାରିଆଣ୍ଟ ?

ଏପର୍ଯ୍ୟନ୍ତ PJ.2.1 ପୂର୍ବରୁ ଥିବା କୋଭିଡ୍ ଭାରିଆଣ୍ଟଗୁଡ଼ିକ ତୁଳନାରେ ଅଧିକ ଘାତକ ବୋଲି କୌଣସି ପ୍ରମାଣ ମିଳିନାହିଁ । ଏହାର ସଂକ୍ରମଣ କ୍ଷମତା, ରୋଗ ପ୍ରତିରୋଧକ ଶକ୍ତିକୁ ଏଡ଼ାଇବାର କ୍ଷମତା ଏବଂ ରୋଗର ଗମ୍ଭୀରତା ସମ୍ପର୍କରେ ଅଧିକ ଗବେଷଣା ଆବଶ୍ୟକ ।

କେଉଁମାନେ ଅଧିକ ସତର୍କ ରହିବେ ?

ବୟସ୍କ ବ୍ୟକ୍ତି, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକ ଏବଂ ପୂର୍ବରୁ ହୃଦ୍‌ରୋଗ, ଶ୍ୱାସଜନିତ ରୋଗ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତିମାନେ ଅଧିକ ସତର୍କ ରହିବା ଆବଶ୍ୟକ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ଅସୁସ୍ଥ ଥିଲେ ଅନ୍ୟମାନଙ୍କଠାରୁ ଦୂରେଇ ରହିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।