Videos
|
International

Bahrain Odia Samaj / ଭକ୍ତିରେ ଭିଜିଲା ବାହାରିନ; ଧୁମଧାମରେ ଗଣେଶ ପୂଜା ପାଳିଲା ବାହାରିନ ଓଡ଼ିଆ ସମାଜ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଭକ୍ତିରେ ଭିଜିଲା ବାହାରିନ; ଧୁମଧାମରେ ଗଣେଶ ପୂଜା ପାଳିଲା ବାହାରିନ ଓଡ଼ିଆ ସମାଜ
Bahrain Odia Samaj Celebrates Ganesh Puja

Key Points

ବାହାରିନ ଓଡ଼ିଆ ସମାଜ ପାଳିଲା ଗଣେଶ ପୂଜା
ବିଦେଶରେ ରହି ବି ନିଜ ସଂସ୍କୃତି ପରମ୍ପରାକୁ ଭୁଲିଲେନି
ଧୁମଧାମରେ ଅଲଗା ଦେଶରେ ପାଳିଲେ ଗଣେଶ ଚତୁର୍ଥୀ
ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଶ୍ରଦ୍ଧା ଓ ଭକ୍ତିର ସହ ଗଣେଶ ପୂଜା ପାଳିତ ହୋଇଛି । ବିଦେଶରେ ରହି ମଧ୍ୟ ଓଡ଼ିଆ ପରମ୍ପରା, ସଂସ୍କୃତି ଓ ଧାର୍ମିକ ଭାବନାକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟରେ ସମାଜର ସଦସ୍ୟମାନେ ଏକାଠି ହୋଇ ସେପ୍ଟେମ୍ବର ୧୪ ସୋମବାର ଦିନ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଥିଲେ । ବିଧିବିଧାନ ଅନୁସାରେ ପୂଜା, ହୋମ ଓ ଆଳତି ସହ ଗଣେଶଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରାଯାଇଥିଲା।

  • ଓଡ଼ିଆ ପରମ୍ପରାରେ ହେଲା ପୂଜା
ଏହି ଅବସରରେ ବାହାରିନରେ ରହୁଥିବା ଓଡ଼ିଆ ପରିବାରଗୁଡ଼ିକ ବହୁ ସଂଖ୍ୟାରେ ଯୋଗଦେଇ ପୂଜାକୁ ଆହୁରି ଉତ୍ସବମୁଖର କରିଥିଲେ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଉତ୍ସାହର ସହ ଏଥିରେ ସାମିଲ ହୋଇଥିଲେ । ବହୁ ସଂଖ୍ୟକ ଅତିଥିଙ୍କ ସମାଗମରେ ଅଗ୍ରପୂଜ୍ୟଙ୍କ ଆରାଧନାରେ ପୂଜାସ୍ଥଳୀ ଉତ୍ସବମୁଖର ହେଇଉଠିଥିଲା । ଘଣ୍ଟଘଣ୍ଟା, ଶଙ୍ଖନାଦରେ ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ବାହାରିନ ଓଡ଼ିଆ ସମାଜର ପୁରୁଷ, ମହିଳା ତଥା ଶିଶୁ କଳାକାରମାନଙ୍କ ଦ୍ୱାରା ଶ୍ରୀଗଣେଶଙ୍କର ଭଜନ, ସ୍ମୃତି ଓ କଥା ପରିବେଷଣ କରାଯାଇଥିଲା । ଏହି ଅବସରରେ ସମାଜ ଦ୍ୱାରା ପ୍ରସାଦ ପ୍ରସ୍ତୁତି ଓ ବଣ୍ଟନର ଆୟୋଜନ କରାଯାଇଥିଲା ।

  • ବହୁ ସଂଖ୍ୟାରେ ଭକ୍ତ ଯୋଗଦେଲେ
ବାହାରିନରେ ଦୀର୍ଘ ୨୦ ବର୍ଷ ଧରି ଗଣେଶ ପୂଜା ପାଳନ କରିବା ପ୍ରଭୁ ଶ୍ରୀଗଣେଶଙ୍କ ଲୀଳା ଓ କରୁଣା ବୋଲି କହିଥିଲେ ବାହାରିନ ଓଡ଼ିଆ ସମାଜର ଯୁଗ୍ମ ସମ୍ପାଦକ ଅମରେଶ ପଣ୍ଡା ଓ ଜନ ସମ୍ପର୍କ ସମ୍ପାଦିକା ଅଙ୍କିତା ନାୟକ । ସମାଜର ସାଂସ୍କୃତିକ ସମ୍ପାଦିକା ସରିତା ପାଢ଼ୀ, କ୍ରୀଡା ସମ୍ପାଦକ ଅନିରୁଦ୍ଧ ବିଶ୍ୱାଳ ସମସ୍ତ ଭକ୍ତମାନଙ୍କୁ ଧନ୍ୟବାଦ ଜଣାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବହୁତ ସୁଚାରୁ ରୂପେ ତୁଲାଇଥିଲେ । ସମାଜର ବରିଷ୍ଠ ସଦସ୍ୟ ବିଷ୍ଣୁ ଚରଣ ମହାନ୍ତି, ଦୀନେଶ ମହାନ୍ତି , ପ୍ରିୟଦତ୍ତ ରୟ, ଭବାନୀ ମିଶ୍ର, ସୌମ୍ୟରଂଜନ ଦାଶ ଓ ସମାଜର ସାଧାରଣ ସମ୍ପାଦକ ଶାରଦା ପଟ୍ଟନାୟକ ବିଦେଶରେ ଗଣେଶ ପୂଜା ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବର ବିଷୟ ବୋଲି କହିଥିଲେ । ପାରମ୍ପରିକ ପୂଜାପଦ୍ଧତି ସହ ଓଡ଼ିଆ ଭାଇଚାରା ଓ ସାଂସ୍କୃତିକ ଏକତାର ଝଲକ ଏହି ଆୟୋଜନରେ ଦେଖିବାକୁ ମିଳିଥିଲା । ବିଦେଶ ମାଟିରେ ଏଭଳି ଆୟୋଜନ ଓଡ଼ିଆ ସଂସ୍କୃତିକୁ ନୂଆ ପିଢ଼ି ସହ ଯୋଡ଼ି ରଖିବାରେ ସହାୟକ ହେଉଛି ।

ପଢନ୍ତୁ ଏହି ଖବର: ବାହାରିନରେ ଗୁଞ୍ଜିଲା ‘ଜୟ ଜଗନ୍ନାଥ’ ଧ୍ୱନି…ପ୍ରବାସୀ ଓଡ଼ିଆଙ୍କ ଭବ୍ୟ ରଥଯାତ୍ରା ପାଳନ

  • ବିଦେଶରେ ସବୁ ପର୍ବପର୍ବାଣି ପାଳନ କରିଆସୁଛି ସମାଜ
ଏଠାରେ କହିରଖୁଛୁ କି, ବାହାରିନ ଓଡ଼ିଆ ସମାଜ ପ୍ରତ୍ୟେକ ବର୍ଷ ଓଡ଼ିଶାର ପ୍ରାୟ ସମସ୍ତ ପର୍ବପର୍ବାଣି ପାଳନ କରିଆସୁଛି । ଓଡ଼ିଶାର ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ବିଶ୍ୱ ଦରବାରରେ ଉଚ୍ଚ ପ୍ରଶଂସିତ ହେଇଛନ୍ତି । ସେଥିପାଇଁ ସମାଜର ବରିଷ୍ଠ ସଦସ୍ୟ ବିନୋଦ ପୃଷ୍ଟି, ଶିବାଶିଷ ମହାନ୍ତି, ବସନ୍ତ ସାବତ, ଦିଲ୍ଲୀପ ସ୍ୱାଇଁ, ଅମରନାଥ ସୁବୁଧି, ଗଣେଶ ପାଢ଼ୀ, ହିରଣ୍ୟ ସାମଲ, ସୁଜଲ ପଟାରି, ଗିରିଶ ପଣ୍ଡା, କରୁଣାକର ନାୟକ, ସରୋଜ ସାମଲ, ବିପ୍ଳବ ମିଶ୍ର, ସୁଶାନ୍ତ କୁମାର, ଦିଲ୍ଲୀପ ନାୟକ ସମାଜର କାର୍ଯ୍ୟକାରୀ ସମିତି ସମସ୍ତ ସଭ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: