Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭେନୁଜଏଲା-ଇରାନ ପରେ ଆମେରିକା ନଜରରେ କ୍ୟୁବା; ସାମ୍ଭାବ୍ୟ ଯୁଦ୍ଧ ପାଇଁ ଚାଲିଛି ପ୍ରସ୍ତୁତି

International

US vs Cuba Clash / ଭେନୁଜଏଲା-ଇରାନ ପରେ ଆମେରିକା ନଜରରେ କ୍ୟୁବା; ସାମ୍ଭାବ୍ୟ ଯୁଦ୍ଧ ପାଇଁ ଚାଲିଛି ପ୍ରସ୍ତୁତି

Subhramjit Ray
Browse all articles by Subhramjit Ray
·2 months ago·2 min read
ଭେନୁଜଏଲା-ଇରାନ ପରେ ଆମେରିକା ନଜରରେ କ୍ୟୁବା;  ସାମ୍ଭାବ୍ୟ ଯୁଦ୍ଧ ପାଇଁ ଚାଲିଛି ପ୍ରସ୍ତୁତି
US vs Cuba

Key Points

ପୁଣି ଥରେ କ୍ୟୁବା ଉପରେ ପଡ଼ିଛି ଆମେରିକା ନଜର। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ସେ କ୍ୟୁବା ଦଖଲ କରିବାର "ସମ୍ମାନ" ପାଇବାକୁ ଆଶା କରୁଛନ୍ତି।


US vs Cuba Standoff 2026: ପ୍ରଥମେ ଭେନୁଜଏଲା ପରେ ଇରାନ ଆଉ ଏବେ କ୍ୟୁବା ଉପରେ ପଡ଼ିଛି ଆମେରିକାର ନଜର। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧ ତାଲିକାରେ ରହିଥିବା ଦେଶଙ୍କ ମଧ୍ୟରେ କ୍ୟୁବା ସ୍ଥାନ ପାଇଥିବାର କୁହାଯାଉଛି। କ୍ୟୁବା ସରକାର ଆଶଙ୍କା କରୁଛନ୍ତି ଯେ ଇରାନ ପରେ ଆମେରିକା ସେମାନଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିପାରେ। ଏହି ସାମ୍ଭାବ୍ୟ ଯୁଦ୍ଧର ସାମ୍ନା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କ୍ୟୁବାର ଉପ-ବୈଦେଶିକ ମନ୍ତ୍ରୀ କାର୍ଲୋସ ଫର୍ନାଣ୍ଡିଜ୍ ଡି କୋସିଓ ନିକଟରେ କହିଛନ୍ତି କ୍ୟୁବା, ଆମେରିକା ସହ ହେବାକୁ ଯାଉଥିବା ସମ୍ଭାବିତ ସାମରିକ ସଂଘର୍ଷ ପାଇଁ ପ୍ରସ୍ତୁତ ରହିଛି। ଆଉ ଏବେ କ୍ୟୁବା ସରକାରଙ୍କ ମନ୍ତ୍ରୀ ଦେଇଥିବା ବୟାନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକର ଜବାବ ବୋଲି କୁହାଯାଉଛି। ନିକଟ ଅତୀତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଥିଲେ ଯେ ଏହି କାରିବିଆନ ଦ୍ୱୀପ ରାଷ୍ଟ୍ର (କ୍ୟୁବା) କୁ ଦଖଲ କରି ନେଇଯିବେ।

କ୍ୟୁବାକୁ ଦଖଲ କରିନେବା ପାଇଁ ଧମକ ଦେଇଥିଲେ ଟ୍ରମ୍ପ
ମଧ୍ୟ ପ୍ରାଚ୍ୟ ସଂକଟ ତେଜିବା ପରେ ଚଳିତ ମାସ ଆରମ୍ଭରେ କ୍ୟୁବା-ଆମେରିକା ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। କାରଣ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲଗାଯାଇଥିବା ତୈଳ ଅବରୋଧ କାରଣରୁ କ୍ୟୁବା ଭଳି ଏକ କମ୍ୟୁନିଷ୍ଟ-ଶାସିତ ଦେଶକୁ ଗଭୀର ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଛି। ରାଷ୍ଟ୍ରପତି ଟ୍ରମ୍ପ ସୋମବାର କ୍ୟୁବା ବିରୋଧରେ ତାଙ୍କର ବୟାନବାଜିକୁ ତୀବ୍ର କରି କହିଛନ୍ତି ଯେ ସେ କ୍ୟୁବା ଦଖଲ କରିବାର "ସମ୍ମାନ" ପାଇବାକୁ ଆଶା କରୁଛନ୍ତି।

ଅନ୍ୟପଟେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଧମକର ଜବାବ ଦେଇଥିଲେ କ୍ୟୁବାର ଉପ-ବୈଦେଶିକ ମନ୍ତ୍ରୀ କାର୍ଲୋସ ଫର୍ନାଣ୍ଡିଜ୍ ଡି କୋସିଓ। ଏନେଇ ସେ କହିଥିଲେ,
"ଆମର ଦେଶ ଐତିହାସିକ ଭାବରେ ଏକ ରାଷ୍ଟ୍ର ଭାବରେ ସାମରିକ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି। ଆମେ ବିଶ୍ୱାସ କରୁନାହୁଁ ଯେ ଏହା ସମ୍ଭବ, ହେଲେ ଯଦି ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତି ନ କରୁ ତାହେଲେ ଏହା ଆମ ପାଇଁ ମୂର୍ଖତା ହେବ। ଏହା କାହିଁକି ହେବା ଆବଶ୍ୟକ ତାହା ଆମେ ବୁଝିପାରୁନାହୁଁ ଏବଂ ଆମେ ଏହାର କୌଣସି ଯଥାର୍ଥତା ପାଉନାହୁଁ। ମନ୍ତ୍ରୀ କୋସିଓ ରବିବାର ଏନବିସି ପକ୍ଷରୁ ପ୍ରସାରିତ "ମିଟ୍ ଦି ପ୍ରେସ୍" (NBC Meet the Press) କାର୍ଯ୍ୟକ୍ରମକୁ ସାକ୍ଷାତକାର ଦେବା ବେଳେ ଏକଥା କହିଥିଲେ।

ଏଥିସହ ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧରେ ନୂଆ ମୋଡ଼, ଚତୁର୍ଥ ସପ୍ତାହରେ ପଛଘୁଞ୍ଚା ଦେଲେ ଟ୍ରମ୍ପ

ସରକାର ବଦଳାଯିବାର କୌଣସି ପ୍ରଶ୍ନ ନାହିଁ?
ରିପୋର୍ଟ ଆଧାରରେ କୁହାଯାଉଛି ଯେ ଟ୍ରମ୍ପ ପ୍ରଶାସନ କ୍ୟୁବା ରାଷ୍ଟ୍ରପତି ମିଗୁଏଲ ଡିଆଜ୍ କୈନେଲଙ୍କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛି। ମନ୍ତ୍ରୀ ଡି.କୋସିଓ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ସହିତ ଆଲୋଚନାରେ କ୍ୟୁବା ସରକାରଙ୍କ ପ୍ରକୃତି, ଗଠନ କିମ୍ବା ସଦସ୍ୟଙ୍କ ବିଷୟରେ ଆଲୋଚନା ହୋଇନାହିଁ। ସେ ଆହୁରି କହିଛନ୍ତି ଯେ ଆମେରିକା ସହିତ ଆଲୋଚନାରେ ଦେଶର ଶାସନ ପରିବର୍ତ୍ତନକୁ ନେଇ କୌଣସି ଆଲୋଚନା ହୋଇନାହିଁ। ଲାଟିନ୍ ଆମେରିକାରେ ଆମେରିକୀୟ ସେନାର ତତ୍ତ୍ୱାବଧାନ କରୁଥିବା ଜଣେ ଶୀର୍ଷ ସ୍ତରୀୟ ସେନାଧ୍ୟକ୍ଷ ଗୁରୁବାର ଦେଶର ସଂସଦ କଂଗ୍ରେସକୁ କହିଥିଲେ ଯେ ଆମେରିକୀୟ ସେନା କ୍ୟୁବା ଉପରେ ଆକ୍ରମଣ କରିବା ପାଇଁ କୌଣସି ଆଗୁଆ ଅଭ୍ୟାସ କରୁନାହିଁ କିମ୍ବା ଏହି ଦ୍ୱୀପ ରାଷ୍ଟ୍ରକୁ ସାମରିକ ଭାବରେ ଦଖଲ କରିବା ପାଇଁ ସକ୍ରିୟ ଭାବରେ ପ୍ରସ୍ତୁତି କରୁନାହିଁ।

କ୍ୟୁବା-ଆମେରିକା ମଧ୍ୟରେ ରହିଥିବା ଶତ୍ରୁତାପୂର୍ଣ୍ଣ ସମ୍ପର୍କ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପର ଠାରୁ ଆରମ୍ଭ ହୋଇଯାଇଛି। ଆମେରିକା ଅତି କମରେ ୧୦ ଥର କ୍ୟୁବାରେ ବିଦ୍ରୋହ କରି କ୍ଷମତାସୀନ କମ୍ୟୁନିଷ୍ଟ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚେଷ୍ଟା କରିଛି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Cuba Begins Preparations for Potential Conflict with the USA | Argus News