|
logo
Live
Argus News App
GET APP

Argus News - ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ରଣନୀତି; 'କାଗଜ ବାଘ' ହୋଇଯିବ NATO !

International

Trump vs NATO / ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ରଣନୀତି; 'କାଗଜ ବାଘ' ହୋଇଯିବ NATO !

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ରଣନୀତି; 'କାଗଜ ବାଘ' ହୋଇଯିବ NATO !
Trump calls NATO a ‘paper tiger’

Key Points

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ନିଷ୍ପତ୍ତି ନେଲା ପରେ ପୁଣି ଥରେ ଭାବିବୁ ନାହିଁ । ମୁଁ କେବେ ବି ନାଟୋ ଉପରେ ଅଧିକ ଭରସା କରି ନାହିଁ ।"
ନୂଆଦିଲ୍ଲୀ: ସମସ୍ତଙ୍କୁ ଚକିତ କରିବାକୁ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ନେତୃତ୍ଵାଧିନ ସବୁଠୁ ବଡ଼଼ ସୁରକ୍ଷା ସଂଗଠନ NATOରୁ ଆମେରିକା ବାହାରିଯିବା ନେଇ ଘୋଷଣା କରିପାରେ । ଟ୍ରମ୍ପ NATO (ନାଟୋ)କୁ କାଗଜ ବାଘ କହିବା ସହ ତାର କ୍ଷମତା କେତେ ତାହା ପୁଟିନ୍ ବି ଜାଣନ୍ତି ବୋଲି କହିଛନ୍ତି ।

ଆମେରିକା, ନାଟୋ ଛାଡ଼ିବା ନେଇ ଗୁରୁତ୍ଵର ସହ ଟ୍ରମ୍ପ ବିଚାର କରୁଥିବା କହିଛନ୍ତି । ସେ କହିଛନ୍ତି, "ଇରାନ୍ ବିରୋଧୀ ଯୁଦ୍ଧରେ ନାଟୋ ସଂଗଠନର ସଦସ୍ୟ ଦେଶ ଆମେରିକାକୁ ସହଯୋଗ କରୁନାହାନ୍ତି ।" ସ୍ପେନ୍, ବ୍ରିଟେନ୍, ତୁର୍କୀ, ହଙ୍ଗେରୀ ଭଳି ଅନେକ ଦେଶ ଯୁଦ୍ଧରେ ଆମେରିକା ଭାବନା ଠାରୁ ଭିନ୍ନ ବିଚାର କରୁଛନ୍ତି ।"

ଏଥିସହ ପଢ଼ନ୍ତୁ: ସେହି ଆମେରିକୀୟ ରାଷ୍ଟ୍ରପତି ଯାହାଙ୍କ କାର୍ଯ୍ୟକାଳରେ ଲଢାଯାଇଛି ସର୍ବାଧିକ ଯୁଦ୍ଧ

ସହଯୋଗୀଙ୍କ ସହ ଆମେରିକାର ଫାଟ

ଦ ଟେଲିଗ୍ରାଫ୍‌କୁ ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାର ଦେଇ କହିଛନ୍ତି, "ଆମେରିକା ଏହି ସଂଗଠନ ଛାଡ଼ିବାର ସମ୍ଭାବନା ରହିଛି । ଏବେ ଏହି ସଂଗଠନ କାଗଜ ବାଘ ହୋଇ ରହିଛି ।" ତେବେ ପ୍ରଥମଥର ଆମେରିକା ତାର ୟୁରୋପୀୟ ସହଯୋଗୀଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଛି । ଆମେରିକା ଥରେ ନାଟୋ ଛାଡ଼ିବା ନିଷ୍ପତ୍ତି ନେଲେ ପୁନର୍ବିଚାର କରିବ ନାହିଁ ବୋଲି ସଫା ସଫା କହିଛନ୍ତି ଟ୍ରମ୍ପ ।

'ନାଟୋ ଉପରେ ନାହିଁ ଭରସା'

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ନିଷ୍ପତ୍ତି ନେଲା ପରେ ପୁଣି ଥରେ ଭାବିବୁ ନାହିଁ । ମୁଁ କେବେ ବି ନାଟୋ ଉପରେ ଅଧିକ ଭରସା କରି ନାହିଁ । ମୁଁ ସବୁବେଳେ ଜାଣିଛି କି ଏହି ସଂଗଠନ ଗୋଟିଏ କାଗଜ ବାଘ । ଭ୍ଲାଦିମିର ପୁଟିନ ମଧ୍ୟ ଏହା ଜାଣି ସାରିଛନ୍ତି ।"

ଇରାନ ମାମଲାରେ ନାଟୋର ସଦସ୍ୟ ରାଷ୍ଟ୍ର ଆମେରିକାର ସାଥ୍ ଦେବାକୁ ମନା କରି ଦେଇଛନ୍ତି । ଯାହା ପରେ ଟ୍ରମ୍ପ ନାଟୋ ଛାଡ଼ିବା ନେଇ ବିଚାର କରୁଥିବା କହିଛନ୍ତି । ଏହାପୂର୍ବରୁ ନାଟୋ ସହଯୋଗୀ ରାଷ୍ଟ୍ରଙ୍କୁ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ଯୁଦ୍ଧ ଜାହାଜ ପଠାଇବା ପାଇଁ କହିଥିଲେ । ତେବେ ଅଧିକାଂଶ ଲୋକ ଟ୍ରମ୍ପଙ୍କ କଥାକୁ ଏଡ଼ାଇ ଦେଇଥିଲେ ।

ଯାହାକୁ ନେଇ ଟ୍ରମ୍ପ ଚିନ୍ତିତ ହୋଇ ପଡ଼ିବା ସହ ରାଗି ଯାଇଛନ୍ତି । ପୂର୍ବରୁ ଟ୍ରମ୍ପ ନାଟୋକୁ ଅଧିକ ଅର୍ଥ ରାଶି ଦେବା ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି । ଟ୍ରମ୍ପଙ୍କ ଅନୁସାରେ, ୟୁରୋପୀୟ ଦେଶର ସୁରକ୍ଷା ଭାର କାହିଁକି ଆମେରିକା ଏକାକୀ ଉଠାଇବ ? ୟୁରୋପୀୟ ଦେଶ ନିଜ ସୁରକ୍ଷା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବା ଦରକାର ।

ଏଥିସହ ପଢ଼ନ୍ତୁ: 'ବରବାଦ୍ ହୋଇଯିବ ଅର୍ଥ ବ୍ୟବସ୍ଥା, ଖସିଯିବ ଦେଶର ଅଭିବୃଦ୍ଧି'; ଯୁଦ୍ଧକୁ ନେଇ କ'ଣ କହିଲା IMF ?

ଋଷକୁ ମିଳିବ ଆଶ୍ଵସ୍ଥି

ଯଦି ଆମେରିକା ନାଟୋରୁ ବାହାରିଯିବାକୁ ନିଷ୍ପତ୍ତି ତାହା ଋଷ ପାଇଁ ଆଶ୍ଵସ୍ଥି ଆଣି ଦେବ । କାରଣ ନାଟୋର ସମ୍ପ୍ରସାରଣ ବିଶେଷକରି ୟୁକ୍ରେନ୍ ସାମିଲ୍ ସମ୍ଭାବନାକୁ ନେଇ ଋଷ ଆକ୍ରମଣ କରିଥିଲା । ଋଷର କହିବା କଥା ଥିଲା, ୟୁକ୍ରେନ୍ ନାଟୋରେ ସାମିଲ୍ ହେସେ ନାଟୋ ସେନା ଆମ ସୀମାକୁ ପଳାଇ ଆସିବେ ।

ଏବେ ଟ୍ରମ୍ପ କହିଛନ୍ତି, ଏହି ସଂଗଠନ ସ୍ଵୟଂଚାଳିତ ହେବା ଦରକାର । ଆମେରିକା କାହିଁକି ଅଧିକ ଆଗ୍ରହ ଦେଖାଇବ । ଆମେ ନିଜେ ୟୁକ୍ରେନ୍ ଯାଇଥିଲୁ, ତାହା ଆମ ସମସ୍ୟା ନଥିଲା । ତଥାପି କାର୍ଯ୍ୟାନୁଷ୍ଠାନ ନିଆଗଲା । ଆମେ ତାଙ୍କ ଲାଗି ସବୁବେଳେ ଛିଡ଼ା ହେଉଛୁ, ସେମାନେ କେବେ ଆମ ସହ ଆସିବେ ବୋଲି ଟ୍ରମ୍ପ ପ୍ରଶ୍ନ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump vs NATO: ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ରଣନୀତି; 'କାଗଜ ବାଘ' ହୋଇଯିବ NATO ! | Argus News