Videos
|
International

Bangladesh Crisis / ଅଶାନ୍ତ ବାଂଲାଦେଶକୁ ବଡ଼ ଝଟକା; ୨୩୦୦ କୋଟିର ଅର୍ଡର ହେଲା ଟ୍ରାନ୍ସଫର୍, ଭାରତକୁ ବଡ଼ ଫାଇଦା

Debashree Debasmita Sahoo
Browse all articles by Debashree Debasmita Sahoo
·Updated on: 28 Nov 2026, 17:16:44 IST·2 min read
ଅଶାନ୍ତ ବାଂଲାଦେଶକୁ ବଡ଼ ଝଟକା;  ୨୩୦୦ କୋଟିର ଅର୍ଡର ହେଲା ଟ୍ରାନ୍ସଫର୍, ଭାରତକୁ ବଡ଼ ଫାଇଦା
Bangladesh Garment Industry

Key Points

ପୁଣି ବାଂଲାଦେଶରେ ଅଶାନ୍ତିର ନିଆଁ
ଅର୍ଡର ସ୍ଥାନାନ୍ତର କଲେ ବିଶ୍ଵସ୍ତରୀୟ ବ୍ରାଣ୍ଡ
ଭାରତକୁ ହେବ ବଡ଼ ଫାଇଦା
ନୂଆଦିଲ୍ଲୀ: ବାଂଲାଦେଶରେ ଜାରି ରହିଥିବା ଶ୍ରମିକ ଆନ୍ଦୋଳନ ଓ ଅଶାନ୍ତିର ପ୍ରଭାବ ଏବେ ଦେଶର ଗାର୍ମେଣ୍ଟସ୍ ବା କପଡ଼ା ଶିଳ୍ପ ଉପରେ ପଡ଼ିବାକୁ ଲାଗିଛି । ପରିସ୍ଥିତିକୁ ଦେଖି ବ ବିଶ୍ୱର ବଡ଼ ବଡ଼ ଫ୍ୟାଶନ୍ ବ୍ରାଣ୍ଡ ଏବେ ବାଂଲାଦେଶରୁ ନିଜର ଅର୍ଡର ହଟାଇ ଭାରତ ସମେତ ଅନ୍ୟ ଏସୀୟ ଦେଶକୁ ସ୍ଥାନାନ୍ତର କରୁଛନ୍ତି । ଜାରା ଏବଂ ଏଚ୍ ଆଣ୍ଡ ଏମ୍ ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡଗୁଡ଼ିକ ନିଜର ସପ୍ଲାଇ ଚେନ୍‌କୁ ବଦଳାଇବା ଆରମ୍ଭ କରିଛନ୍ତି ।

ନଭେମ୍ବରର ପ୍ରଥମ ୧୮ ଦିନ ମଧ୍ୟରେ ବାଂଲାଦେଶରୁ ପ୍ରାୟ ୨ ହଜାର ୩ ଶହ କୋଟି ଟଙ୍କାର ଅର୍ଡର ଅନ୍ୟ ଦେଶକୁ ସ୍ଥାନାନ୍ତର ହୋଇଛି । ଏହି ଅର୍ଡରର ବଡ଼ ଅଂଶ ଭାରତକୁ ଆସିଥିବା ଜଣାପଡ଼ିଛି । ବାଂଲାଦେଶର ଗାର୍ମେଣ୍ଟସ୍ ଶିଳ୍ପ ପାଇଁ ଏହା ଏକ ବଡ଼ ଝଟକା ଭାବେ ଦେଖାଯାଉଛି । କାରଣ, ଦେଶର ଅର୍ଥନୀତିରେ ପୋଷାକ ରପ୍ତାନି ଶିଳ୍ପର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ।

  • କାହିଁକି ବାଂଲାଦେଶରୁ ମୁହଁ ଫେରାଉଛନ୍ତି ବ୍ରାଣ୍ଡ?
ଶିଳ୍ପ ବିଶେଷଜ୍ଞଙ୍କ ମତରେ, ବଢ଼ୁଥିବା ଶ୍ରମିକ ମଜୁରୀ, ବିଦ୍ୟୁତ୍ ଓ ଶକ୍ତି ସଙ୍କଟ ଏବଂ ରାଜନୈତିକ ଅନିଶ୍ଚିତତା ବାଂଲାଦେଶର ଉତ୍ପାଦନ କ୍ଷମତାକୁ ପ୍ରଭାବିତ କରୁଛି । ଦୀର୍ଘଦିନ ଧରି କମ୍ ଉତ୍ପାଦନ ଖର୍ଚ୍ଚ ପାଇଁ ପରିଚିତ ଥିବା ବାଂଲାଦେଶ ଏବେ ସେହି ପରିଚୟ ହରାଇବାକୁ ଯାଉଛି । ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପୋଷାକ ରପ୍ତାନିକାରୀ ଦେଶ ଭାବେ ବାଂଲାଦେଶର ପରିଚୟ ରହିଛି । କିନ୍ତୁ ଦେଶରେ ଲଗାତାର ଅସ୍ଥିରତା ଯୋଗୁଁ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ଏବେ ଅନ୍ୟ ବିକଳ୍ପ ଉତ୍ପାଦନ କେନ୍ଦ୍ର ଖୋଜୁଛନ୍ତି ।

ପଢନ୍ତୁ ଏହି ଖବର: ୨ବର୍ଷ ପରେ ନିଜ ଦେଶ ବାଂଲାଦେଶ ଫେରିବାକୁ ଶେଖ୍ ହସିନାଙ୍କ ଇଚ୍ଛା, ସରକାର କହିଲେ ହାତକଡ଼ି ପିନ୍ଧି ଫେରିବେ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଂଲାଦେଶ ପୋଷାକ ନିର୍ମାତା ଓ ରପ୍ତାନିକାରୀ ସଂଘ (BGMEA) ଅନୁସାରେ, ଶ୍ରମିକ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ଯୋଗୁଁ ୩ ହଜାର ୬ ଶହ ୯୯ କୋଟି ଟଙ୍କାରୁ ଅଧିକ ଉତ୍ପାଦନ କ୍ଷତି ହୋଇଛି । ଏହି ଶିଳ୍ପ ବାଂଲାଦେଶର ମୋଟ ରପ୍ତାନି ଆୟର ୮୦ ପ୍ରତିଶତରୁ ଅଧିକ ଯୋଗଦାନ କରୁଥିବାରୁ, ଏହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ମଧ୍ୟ ପଡ଼ିପାରେ ।

  • ଭାରତକୁ ହେଉଛି ଫାଇଦା
ଅନ୍ୟପଟେ, ବାଂଲାଦେଶରୁ ସ୍ଥାନାନ୍ତର ହେଉଥିବା ଅର୍ଡରରୁ ଭାରତ ସବୁଠାରୁ ଅଧିକ ଲାଭ ପାଉଥିବା କୁହାଯାଉଛି । ଏହା ସହିତ ଭିଏତନାମ, କାମ୍ବୋଡିଆ ଓ ଇଣ୍ଡୋନେସିଆ ଭଳି ଦେଶ ମଧ୍ୟ ନୂଆ ଅର୍ଡର ପାଇଁ ବ୍ରାଣ୍ଡଗୁଡ଼ିକର ପସନ୍ଦ ପାଲଟୁଛନ୍ତି । ଏହି ସମସ୍ତ ଚାପ ମଧ୍ୟରେ ବାଂଲାଦେଶ ସରକାର ପୋଷାକ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ୩୬ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି । ତେବେ ଶ୍ରମିକଙ୍କ ଦାବି ତୁଳନାରେ ଏହି ବୃଦ୍ଧି ଯଥେଷ୍ଟ କମ୍ ଥିବାରୁ ଅସନ୍ତୋଷ ଥମିନାହିଁ । ଫଳରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ପୁଣି ସଂଘର୍ଷ ଦେଖିବାକୁ ମିଳିଛି ।