Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ହେବ କି ଯୁଦ୍ଧ ? ଇସ୍ରାଏଲକୁ ନାପସନ୍ଦ ଆମେରିକା-ଇରାନର ଶାନ୍ତି ଚୁକ୍ତି

International

Netanyahu Rejects Deal / ପୁଣି ହେବ କି ଯୁଦ୍ଧ ? ଇସ୍ରାଏଲକୁ ନାପସନ୍ଦ ଆମେରିକା-ଇରାନର ଶାନ୍ତି ଚୁକ୍ତି

Debashree Debasmita Sahoo
Browse all articles by Debashree Debasmita Sahoo
·3 hours ago·3 min read
ପୁଣି ହେବ କି ଯୁଦ୍ଧ ? ଇସ୍ରାଏଲକୁ ନାପସନ୍ଦ ଆମେରିକା-ଇରାନର ଶାନ୍ତି ଚୁକ୍ତି
Netanyahu Rejects Deal

Key Points

ଏବେ ବି ଟଳିନି ଯୁଦ୍ଧ ସ୍ଥିତି
ଶାନ୍ତି ଚୁକ୍ତିକୁ ସମର୍ଥନ କରୁନି ଇସ୍ରାଏଲ
ଯୁଦ୍ଧ ବନ୍ଦ ପାଇଁ ଶାନ୍ତି ଚୁକ୍ତି ସ୍ଵାକ୍ଷର କରିଥିଲେ US-ଇରାନ
ମଧ୍ୟପ୍ରାଚ୍ୟରେ ଗତ ୩ ମାସ ଧରି ଲାଗି ରହିଥିବା ଯୁଦ୍ଧ ସ୍ଥିତିରେ ବିରାମ ଲଗାଇବା ପାଇଁ ଆଗକୁ ଆସିଥିଲେ ଇରାନ ଓ ଆମେରିକା । ଯୁଦ୍ଧ ବନ୍ଦ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ଵାକ୍ଷର ହୋଇଥିଲା । କିନ୍ତୁ ଏହି ଯୁଦ୍ଧରେ ସାମିଲ ଥିବା ଇସ୍ରାଏଲ ଶାନ୍ତି ଚୁକ୍ତିକୁ ନାପସନ୍ଦ କରିଛି । ଫଳରେ ଏବେ ବି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଟଳିନଥିବା ମନେ ହେଉଛି । ଯୁଦ୍ଧ ବନ୍ଦ ପାଇଁ ଇରାନ କିଛି ସର୍ତ୍ତ ରଖିଥିଲା ଏବଂ ଆମେରିକା ସେଥିରେ ରାଜି ହୋଇଥିଲା । ମାତ୍ର ଇସ୍ରାଏଲ ଏଥିରେ ସହମତି ପ୍ରକାଶ କରିନଥିବା ଜଣାପଡ଼ିଛି ।

ଇସ୍ରାଏଲ ଇରାନ ଓ ଏହାର ସମର୍ଥିତ ଗୋଷ୍ଠୀ (ହିଜବୁଲ୍ଲାହ ଓ ମାଲେସିଆ) ବିରୋଧରେ ନିଜର ସାମିରକ ଅଭିଯାନ ଓ ବିମାନ ଆକ୍ରମଣକୁ ବନ୍ଦ କରିବା ପରିବର୍ତ୍ତେ ଏହାକୁ ଆହୁରି ତୀବ୍ର କରିଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସରକାରଙ୍କ କାର୍ଯ୍ୟକଳାପରୁ ଜଣାପଡୁଛି ଯେ ସେ ୱାଶିଂଟନର କୂଟନୀତି ଭରସାରେ ନିଜ ଦେଶର ସୁରକ୍ଷାକୁ ଛାଡି଼ନାହାନ୍ତି, ଫଳରେ ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

  • କାମ ଦେବ ତ ଟ୍ରମ୍ପଙ୍କ ଚୁକ୍ତି ?
ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଇରାନକୁ ଆର୍ଥିକ କଟକଣାରୁ ମୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ବଦଳରେ ଇରାନର ସମୃଦ୍ଧ ୟୁରାନିୟମକୁ ଜବତ କରିବାର ଯୋଜନା ପ୍ରସ୍ତୁତ କରିଛି । କିନ୍ତୁ ଇସ୍ରାଏଲ ଏହି କୂଟନୈତିକ ବିଜୟରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବରେ ଉଭା ହୋଇଛି । ଇରାନ ସହିତ ଟ୍ରମ୍ପଙ୍କ ଚୁକ୍ତିକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଛି । ଇସ୍ରାଏଲ ବିଶ୍ୱାସ କରେ ଯେ ତେହେରାନର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ନଦିଆଗଲେ, ଇରାନ ସହିତ ଯେକୌଣସି ଚୁକ୍ତି ସ୍ଥାୟୀ କିମ୍ବା ବିଶ୍ୱାସଯୋଗ୍ୟ ହୋଇପାରିବ ନାହିଁ । ଇସ୍ରାଏଲ ଭୟ କରୁଛି ଯେ ଏହି ଚୁକ୍ତି ଇରାନକୁ ପୁଣି ଥରେ ଆର୍ଥିକ ଶକ୍ତି ଫେରିପାଇବା ଏବଂ ଗୁପ୍ତ ସ୍ଥାନରେ ପରମାଣୁ ଅସ୍ତ୍ର ବିକଶିତ କରିବାକୁ ଅନୁମତି ଦେବ । ଏହି କାରଣରୁ ଆମେରିକାର ଆପତ୍ତି ସତ୍ତ୍ୱେ ଇସ୍ରାଏଲ ଇରାନର ରଣନୈତିକ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଚାଲିଛି ।

  • ଥମିନି ଇସ୍ରାଏଲ ଆକ୍ରମଣ
ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣାକୁ ଅଣଦେଖା କରି ଇସ୍ରାଏଲ ବାୟୁସେନା ଓ ଗୁପ୍ତଚର ଏଜେନ୍ସି ଇରାନ ଭିତରେ ଓ ଇରାନର ପଡ଼ୋଶୀ ଦେଶ ସିରିଆ ଏବଂ ଲେବାନନରେ ଥିବା ଇରାନ ଠିକଣା ଉପରେ ଆକ୍ରମଣ ଜାରି ରଖିଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ ଏହା ଇସ୍ରାଏଲର ଅସ୍ତିତ୍ଵ ଓ ସୁରକ୍ଷାର କଥା । ଏଣୁ ସେ କୌଣସି ବି ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ଇସ୍ରାଏଲର ରଣନୀତି ହେଉଛି ଯେ ଏହା ପୂର୍ବରୁ ଟ୍ରମ୍ପଙ୍କ ଶାନ୍ତି ଚୁକ୍ତି ସମ୍ପୂର୍ଣ୍ଣ ଭାବେ ଲାଗୁ ହେବା ଏବଂ ଇରାନକୁ କୌଣସି ସୁରକ୍ଷା କବଚ ମିଳିବା ପୂର୍ବରୁ ସେ ସମ୍ପୂର୍ଣ୍ଣ ଭାବେ ଇରାନକୁ ଦୁର୍ବଳ କରିବାକୁ ଚାହୁଁଛି । ଫଳରେ ଇରାନ ପାଲଟା ଆକ୍ରମଣ କରିପାରିବ ନାହିଁ ।

ପଢନ୍ତୁ ଏହି ଖବର: ୧୦୭ ଦିନ ପରେ ଆମେରିକା-ଇରାନ ଯୁଦ୍ଧର ଅନ୍ତ; ଶାନ୍ତି ଚୁକ୍ତି ସ୍ଵାକ୍ଷର

  • ଯୁଦ୍ଧକୁ ନେଇ କଣ କହୁଛନ୍ତି କୂଟନୈତିକ ବିଶେଷଜ୍ଞ ?
କୂଟନୈତିକ ବିଶେଷଜ୍ଞ କହିଛନ୍ତି ଯେ ଯଦି ଆମେରିକା ଏହି ଚୁକ୍ତିରେ ଇସ୍ରାଏଲର ସମସ୍ୟାଗୁଡ଼ିକୁ ଅଣଦେଖା କରି ଆଗକୁ ବଢୁଛି ବା ଇରାନ ସହିତ ଏକପାଖିଆ ଚୁକ୍ତି ସ୍ଵାକ୍ଷର କରୁଛି ତେବେ ଏହାର ପରିଣାମ ଭୟଙ୍କର ହେବ । ଇସ୍ରାଏଲର ଆକ୍ରମଣର ଜବାବ ଦେଇ ଯଦି ଇରାନ ପ୍ରତିଆକ୍ରମଣରେ ବାଲିଷ୍ଟିକ୍ ମିସାଇଲର ବ୍ୟବହାର କରେ ତେବେ ଏହି ଚୁକ୍ତି ଲାଗୁ ହେବା ପୂର୍ବରୁ ଭାଙ୍ଗିବ । ଅନ୍ୟପଟେ ଯଦି ଇରାନକୁ ଲାଗେ ଯେ ଆମେରିକା ଶାନ୍ତି ଚୁକ୍ତି ସ୍ଵାକ୍ଷର କରିବା ପରେ ମଧ୍ୟ ଇସ୍ରାଏଲ ପଛକୁ ହଟୁନି ତେବେ ସେ ମଧ୍ୟ ଏହି ଚୁକ୍ତିକୁ ଭାଙ୍ଗିପାରେ । ଯଦି ଏମିତି ହୁଏ ତେବେ ଏହି 'ଐତିହାସିକ ଶାନ୍ତି ଚୁକ୍ତି' କେବଳ କାଗଜରେ ସୀମିତ ରହିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored