Videos
|
International

Japan earthquake death toll / ଜାପନରେ ଭୂକମ୍ପ ତାଣ୍ଡବ; ଭାଙ୍ଗିଗଲା ମଲ୍, କାରଖାନା ଉପରେ ଭୁଶୁଡ଼ିଲା ଚିମନି, ୧୩ ମୃତ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଜାପନରେ ଭୂକମ୍ପ ତାଣ୍ଡବ; ଭାଙ୍ଗିଗଲା ମଲ୍, କାରଖାନା ଉପରେ ଭୁଶୁଡ଼ିଲା ଚିମନି, ୧୩ ମୃତ
Japan earthquake death toll

Key Points

ଜାପାନର କ୍ୟୁଶୁ ଦ୍ୱୀପର ଅନେକ ସ୍ଥାନୀୟ ଲୋକ କହିଛନ୍ତି ଯେ ସେମାନେ ତାଙ୍କ ସମଗ୍ର ଜୀବନରେ ଏତେ ଶକ୍ତିଶାଳୀ ଭୂମିକମ୍ପ କେବେ ଅନୁଭବ କରିନାହାଁନ୍ତି।
Japan earthquake devastation: ଗତକାଲି (ଜୁଲାଇ ୨୮) ଦକ୍ଷିଣ ଜାପାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଝଟକାରେ ସବୁକିଛି ଛାରଖାର ହୋଇଯାଇଛି। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏକ ସମ୍ପୂର୍ଣ୍ଣ ସପିଂ ମଲ୍ ପ୍ରାୟ ଧ୍ୱଂସ ହୋଇଯାଇଛି। ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଧ୍ୱଂସପ୍ରାୟ ମଲ୍ ଭଗ୍ନାବଶେଷ ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରୟାସ ଜାରି ରଖିଛନ୍ତି। ମଙ୍ଗଳବାର ଅନୁଭୂତ ହୋଇଥିବା ୭.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଜାପାନର ଦକ୍ଷିଣ-ପଶ୍ଚିମ କୁମାମୋଟୋ ଅଞ୍ଚଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ଏହା ଯୋଗୁଁ ଅନେକ ଘର ଭୁଶୁଡ଼ି ପଡ଼ିବା ସହ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ହୋଇଛି। ପୋଲ ଭୁଶୁଡ଼ି ପଡ଼ିବା ସହ ହଜାର ହଜାର ଘର ବିଦ୍ୟୁତ୍ ସଂଯୋଗରୁ ବିଚ୍ଛିନ୍ନ ହୋଇଛି।

ଭୂକମ୍ପ ପରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ମଲ୍
ଜାପାନ୍ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ଯେ ଭୂକମ୍ପ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ବହୁ ସଂଖ୍ୟକ କୋଠା ଭୁଶୁଡ଼ି ପଡ଼ିଛି, ନିଆଁ ଲାଗିଯାଇଛି ଏବଂ ରାସ୍ତା ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ସରକାରୀ ମୁଖପାତ୍ର ମିନୋରୁ କିହାରା କହିଛନ୍ତି ଯେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ବୁଧବାର (ଜୁଲାଇ ୨୯) ସକାଳ ସୁଦ୍ଧା, କ୍ୟୁଶୁ ଦ୍ୱୀପର ତିନୋଟି ଅଞ୍ଚଳର ପ୍ରାୟ ୫୦୬ ରିଲିଫ୍ ଶିବିରରେ ୯ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି।

ଅନେକ ସ୍ଥାନୀୟ ଲୋକ କହିଛନ୍ତି ଯେ ସେମାନେ ସେମାନଙ୍କ ଜୀବନରେ କେବେ ଏତେ ଶକ୍ତିଶାଳୀ ଭୂମିକମ୍ପ ଅନୁଭବ କରିନାହାଁନ୍ତି। ଯାହାର ତୀବ୍ରତା ଜାପାନର ସାତ-ସ୍ତରୀୟ ସିଣ୍ଡୋ ସ୍କେଲ ଆଧାରରେ ସର୍ବୋଚ୍ଚ ସ୍ତରରେ ରେକର୍ଡ କରାଯାଇଥିଲା। ଏହି ସ୍ତରର କମ୍ପନ ଯୋଗୁଁ ଠିଆ ହେବା କଷ୍ଟକର ହୋଇପଡୁଛି। ମୃତକଙ୍କ ମଧ୍ୟରେ ଅତି କମରେ ୨ ଜଣ ମହିଳା ଥିଲେ। ସେମାନେ କାଶିମା ସହରର ଏକ ସପିଂ ମଲ ଠାରେ ପ୍ରାଣ ହରାଇଥିଲେ।


ଭୂକମ୍ପ ହେବାର ପ୍ରାୟ ଅଧ ଘଣ୍ଟା ପରେ ଏକ ଗ୍ୟାସ ବିସ୍ଫୋରଣ ହେବାରୁ ଏହି ମଲ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିବାର ଅନୁମାନ କରାଯାଉଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ଦ୍ୱିତୀୟ ମହଲା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାର କହିଛନ୍ତି। ଭୂକମ୍ପ ପରେ ବାରମ୍ବାର ଝଟକା (Aftershock) ଅନୁଭୂତ ହୋଇଛି। ୟାତ୍ସୁଶିରୋ ଠାରେ ଏକ ନିପ୍ପନ୍ ପେପର୍ ଇଣ୍ଡଷ୍ଟ୍ରିଜ୍ କାରଖାନାରେ ୯ ଜଣ ନିଖୋଜ ଅଛନ୍ତି। ଏକ ବଡ଼ ଲାଲ-ଧଳା ରଙ୍ଗର ଚିମିନି କାରଖାନା ଉପରେ ଭୁଶୁଡ଼ି ପଡ଼ିଛି। ବୁଧବାର ସକାଳ ସୁଦ୍ଧା, କୁମାମୋଟୋ ଠାରେ ୩୬,୮୮୦ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ଉପଲବ୍ଧ ହୋଇନାହିଁ।

ଏହା ସହ ପଢନ୍ତୁ: କ୍ୟାମେରାରେ କଏଦ ହେଲା ଭିଡ଼ିଓ; କାହିଁକି ବାରମ୍ବାର ଦୋହଲି ଉଠୁଛି ଜାପାନ?

ଭୂମିକମ୍ପରେ ଏକ ମାଲବାହୀ ଟ୍ରେନ୍ ମଧ୍ୟ ଲାଇନଚ୍ୟୁତ ହୋଇଥିଲା ଏବଂ ଅନେକ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା। ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବୁଧବାର ଦିନ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ସେବା ସ୍ଥଗିତ ରହିଥିଲା। ଅନେକ ଭୂକମ୍ପ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଶହ ଶହ ବର୍ଷର ପୁରୁଣା କୁମାମୋଟୋ ଦୁର୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଜାପାନୀ ସେନା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୩୬୦୦ ସୈନ୍ୟଙ୍କୁ ନିୟୋଜିତ କରିଛି। କ୍ଷୟକ୍ଷତିର ଆକଳନ କରିବା ଆକାଶ ମାର୍ଗରେ ସର୍ଭେ କରିବା ପାଇଁ ପ୍ରାୟ ୨୦ ବିମାନ ମଧ୍ୟ ପଠାଯାଇଛି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Japan Earthquake: Devastating Tremors Leave 13 Dead, Widespread Destruction | Argus News