GEN Z Protest / ନେପାଳ ପରେ ମଦଗସ୍କାର ସରକାରଙ୍କୁ ଗାଦିଚ୍ୟୁତ କଲେ GEN Z

Key Points
ନେପାଳ ପରେ ଆଉ ଏକ ଦେଶ ମଦଗସ୍କାରରେ ସରକାରଙ୍କୁ କ୍ଷମତାରୁ ହଟାଇଛି GEN Z ପ୍ରତିବାଦ । ଭାରତ ମହାସାଗରରେ ଥିବା ଆଫ୍ରିକୀୟ ଦ୍ଵୀପ ଦେଶ ମଦଗସ୍କାର ସରକାର ଭାଙ୍ଗି ଯାଇଛି । ଆଉ ଏହା ପଛର କାରଣ GEN Zଙ୍କ ଆନ୍ଦୋଳନ ।
ଅନ୍ତନାନାରିଭୋ: ପୁଣି GEN Zର ପ୍ରତିବାଦ, ଭୁଶୁଡ଼ିଲା ସରକାର । ନେପାଳ ପରେ ଆଉ ଏକ ଦେଶ ମଦଗସ୍କାରରେ ସରକାରଙ୍କୁ କ୍ଷମତାରୁ ହଟାଇଛି GEN Z ପ୍ରତିବାଦ । ଭାରତ ମହାସାଗରରେ ଥିବା ଆଫ୍ରିକୀୟ ଦ୍ଵୀପ ଦେଶ ମଦଗସ୍କାର ସରକାର ଭାଙ୍ଗି ଯାଇଛି । ଆଉ ଏହା ପଛର କାରଣ GEN Zଙ୍କ ଆନ୍ଦୋଳନ ।
ଦ୍ଵୀପ ଦେଶ ମଦଗସ୍କାରର ଜନସଂଖ୍ୟା ପ୍ରାୟ ୩ କୋଟି । ଆଉ ସରକାର ଭାଙ୍ଗିବା ପରେ ଏଠାରେ GEN Zଙ୍କ ରାଗ ଶାନ୍ତ ପଡ଼ିନି । ଯୁବବର୍ଗର ହିଂସାତ୍ମକ ଆନ୍ଦୋଳନ ପରେ ମଦଗସ୍କାର ରାଷ୍ଟ୍ରପତି ଏଣ୍ଡ୍ରି ରାଜୋଏଲିନା ତାଙ୍କ ସରକାରଙ୍କୁ ଭାଙ୍ଗି ଦେଇଛନ୍ତି । କିନ୍ତୁ ସରକାର ଯିବା ପରେ ବି ରାସ୍ତାରେ ଯୁବବର୍ଗ, ଯାହାକୁ ନେଇ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ ସହ ରବର ଗୁଳିମାଡ଼ କରିଛି ।
କାହିଁକି GEN Zର ଆନ୍ଦୋଳନ ?
କୁହାଯାଉଛି, ଇଣ୍ଡୋନେସିଆ ଓ ନେପାଳରେ GEN Zର ବିରୋଧ ପ୍ରଦର୍ଶନରୁ ମଦଗସ୍କାର ଯୁବବର୍ଗ ପ୍ରେରିତ ହୋଇଛନ୍ତି । ଦେଶରେ ବାରମ୍ବାର ଜଳ ସଂକଟ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଲୋକେ ସଡ଼କକୁ ଓହ୍ଲାଇ ଆସିଛନ୍ତି । ଆଉ ଏହି ଆନ୍ଦୋଳନରେ ଭୁଶୁଡ଼ି ଯାଇଛି ସରକାର ।
ଏଥିସହ ପଢ଼ନ୍ତୁ: ରାଜତନ୍ତ୍ରରୁ କେମିତି ନେପାଳ ହେଲା ଗଣତାନ୍ତ୍ରିକ ରାଷ୍ଟ୍ର ? କାହିଁକି ରହୁଛି ରାଜନୈତିକ ଅସ୍ଥିରତା ?
ଗତ ଗୁରୁବାର ମଦଗସ୍କାରରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ସପ୍ତାହେ ଧରି ରାଜଧାନୀ ଅନ୍ତନାନାରିଭୋରେ ବିକ୍ଷୋଭ ଚାଲିଥିବା ବେଳେ ରାତିରେ ବଡ଼ ସଂଖ୍ୟାରେ ଲୁଟପାଟ୍ ହୋଇଥିଲା । ଫଳରେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇବାକୁ ପଡ଼ିଥିଲା ।
📱 Get Argus News App
✨
ବିରୋଧ ପ୍ରଦର୍ଶନରେ ୨୨ ଜଣଙ୍କ ମୃତ୍ୟୁ ପରେ ସୋମବାର ରାଷ୍ଟ୍ରପତି ରାଜୋଏଲିନା ସରକାରକୁ ଭାଙ୍ଗି ଦେଇଛନ୍ତି । ସରକାରର ମନ୍ତ୍ରୀଙ୍କ ନିଷ୍କ୍ରିୟତା ଲାଗି ଦେଶବାସୀଙ୍କୁ କ୍ଷମା ମାଗିବା ସହ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପଣ କରିଛନ୍ତି ରାଜୋଏଲିନା । କିନ୍ତୁ ଏହା ଆନ୍ଦୋଳନରତ ZEN Zଙ୍କ କ୍ରୋଧକୁ ଶାନ୍ତ କରିପାରିନି ।
ଜଣେ ୩୦ ବର୍ଷୀୟ ଆନ୍ଦୋଳନକାରୀ କହିଛନ୍ତି, "ସରକାର ଭାଙ୍ଗିବା କେବଳ ଏକ ଛୋଟ ବିଜୟ । ଆମ ପ୍ରକୃତ ପରିବର୍ତ୍ତନ ଚାହୁଁଛୁ । ଦେଶରେ ଆଇନ୍ର ଶାସନ ଚାହୁଁଛୁ । ସମସ୍ତଙ୍କ ଲାଗି ନ୍ୟାୟ ଚାହୁଁଛୁ । ଏବେ ଏହି ଆନ୍ଦୋଳନ କେବଳ ZEN Zର ନୁହେଁ ବରଂ ସାରା ଦେଶବାସୀଙ୍କର ।"
ମଦଗସ୍କାର ସରକାର ଭାଙ୍ଗିବା ନେଇ ରାଜୋଏଲିନା କହିଛନ୍ତି, "ନୂଆ ସରକାର ଗଢ଼ାଯିବା ପର୍ଯ୍ୟନ୍ତ ଖ୍ରୀଷ୍ଟିଆନ ଏନଣ୍ଟିସେ ଏବଂ ଅନ୍ୟ ମନ୍ତ୍ରୀ କାମଚଳା ଭାବେ କାର୍ଯ୍ୟ କରିବେ ।" ଏଥିସହ ନୂଆ ପ୍ରଧାନମନ୍ତ୍ରୀ ଚୟନ ଲାଗି ପ୍ରସ୍ତାବ ଦେବାକୁ ତିନିଦିନ ସମୟ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: Gen Zଙ୍କ ଆନ୍ଦୋଳନ ପଛର ଇଏ ମୁଖ୍ୟ ଚେହେରା
ରାଜୋଏଲିନା କହିଛନ୍ତି, "ମୁଁ ଦେଶବାସୀଙ୍କ କ୍ରୋଧକୁ ବୁଝି ପାରୁଛି, ମୁଁ ଦୁଃଖିତ । ବିଦ୍ୟୁତ୍ କାଟ ଓ ପାଣି ସମସ୍ୟାକୁ ନେଇ କ୍ଷମା ମାଗୁଛି । ଆମ ସରକାର ଲୋକଙ୍କ ଆଶା ଅନୁଯାୟୀ କାର୍ଯ୍ୟ କରିପାରୁ ନଥିବାରୁ ମୁଁ କ୍ଷମା ଚାହୁଁଛି ।"
ବିଶ୍ଵବ୍ୟାଙ୍କର ରିପୋର୍ଟ ଅନୁସାରେ, ମଦଗସ୍କାରର ୩ କୋଟି ବାସିନ୍ଦାରୁ ତିନି ତୃତୀୟାଂଶ ଗରିବୀ ସୀମାରେଖା ତଳେ ବାସ କରନ୍ତି । ସେହିଭଳି ଜାତିସଂଘ ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ ଅନୁସାରେ, ମଦଗସ୍କାର ତଳ ଆଡ଼ୁ ଦଶମ ସ୍ଥାନରେ ରହିଛି । ଦେଶର କେବଳ ୩୬ ପ୍ରତିଶତ ଲୋକଙ୍କ ପାଖରେ ବିଦ୍ୟୁତ୍ ପହଞ୍ଚିଥିବା ବେଳେ ତାହା ବି ଘଣ୍ଟା ଘଣ୍ଟା ଧରି ରହୁନି ।
Related Topics
Explore more stories