Videos
|
International

Pakistan LPG Crisis / ପାକିସ୍ତାନରେ ହାହାକାର ! ୧୨KG ଗ୍ୟାସ୍ ସିଲିଣ୍ଡର ଦାମ୍ ୭୦୦୦ ଟଙ୍କା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପାକିସ୍ତାନରେ ହାହାକାର ! ୧୨KG ଗ୍ୟାସ୍ ସିଲିଣ୍ଡର ଦାମ୍ ୭୦୦୦ ଟଙ୍କା
Pakistan LPG Crisis

Key Points

୭୦୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର !
ପାକିସ୍ତାନରେ ଖାଦ୍ୟ ପାଇଁ ହାହାକାର
ମହଙ୍ଗା ମାଡ଼ରେ ଛଟପଟ ପାକିସ୍ତାନ
ଆର୍ଥିକ ସଙ୍କଟରେ ଛଟପଟ ହେଉଥିବା ପାକିସ୍ତାନ ଏବେ ଶକ୍ତି ସଙ୍କଟରେ ପଡ଼ିଛି । ଦେଶରେ ଏଲ୍‌ପିଜି ବା ତରଳ ପେଟ୍ରୋଲିୟମ୍ ଗ୍ୟାସ୍‌ର ଘୋର ଅଭାବ ଦେଖାଦେଇଛି । ଏହାର ପ୍ରଭାବରେ ୧୨ କିଲୋଗ୍ରାମ୍‌ର ଗ୍ୟାସ୍ ସିଲିଣ୍ଡର ଦର କିଛି ଦିନ ମଧ୍ୟରେ ପ୍ରାୟ ୪,୫୦୦ ପାକିସ୍ତାନୀ ଟଙ୍କାରୁ ବଢ଼ି ୭,୦୦୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ଦରରେ ପ୍ରାୟ ୫୬ ପ୍ରତିଶତ ବୃଦ୍ଧି । ଏହି ଅଚାନକ ମୂଲ୍ୟବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପଡ଼ିଛି ।

ଇରାନ୍ ସୀମା ବନ୍ଦ, ଗ୍ୟାସ୍ ଯୋଗାଣ ଠପ୍

ଏହି ସଙ୍କଟର ପ୍ରମୁଖ କାରଣ ହେଉଛି ଇରାନ୍ ସୀମାରେ ବନ୍ଦ ହୋଇଥିବା ଦୁଇଟି ପ୍ରମୁଖ ଯାତାୟାତ ପଥ । ଅକ୍ଟୋବର ୧୭ ତାରିଖରୁ ଏହି ସୀମା ପଥଗୁଡ଼ିକ ବନ୍ଦ ହେବା ଫଳରେ ପାକିସ୍ତାନକୁ ଦୈନିକ ଆସୁଥିବା ପ୍ରାୟ ୭,୦୦୦ ମେଟ୍ରିକ୍ ଟନ୍ ଏଲ୍‌ପିଜି ଯୋଗାଣ ବନ୍ଦ ହୋଇଯାଇଛି ।

ପାକିସ୍ତାନ ଏଲ୍‌ପିଜି ଆସୋସିଏସନ୍‌ର ସୂଚନା ଅନୁସାରେ, ସୁରକ୍ଷା ଏବଂ ଚୋରାଚାଲାଣ ରୋକିବା ଉଦ୍ଦେଶ୍ୟରେ ବଲୁଚିସ୍ତାନ ସରକାର ସୀମା ବନ୍ଦ କରିଛନ୍ତି । ଫଳରେ ଦେଶରେ ଗ୍ୟାସ୍‌ର ଅଭାବ ବଢ଼ିବା ସହ ଦର ମଧ୍ୟ ଆକାଶଛୁଆଁ ହୋଇଛି ।

ରିକ୍ସା ଚାଳକଙ୍କ ରୋଜଗାର ଅଧା

ଏଲ୍‌ପିଜି ସଙ୍କଟର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ଲାହୋରର ଗରିବ ଶ୍ରମଜୀବୀଙ୍କ ଉପରେ । ସହରର ପ୍ରାୟ ୭୦ ପ୍ରତିଶତ ଅଟୋ-ରିକ୍ସା ଏବଂ ୮,୦୦୦ରୁ ଅଧିକ ଚିଞ୍ଚି ରିକ୍ସା ଏହି ଗ୍ୟାସ୍‌ରେ ଚାଲିଥାଏ । ଆୱାମୀ ରିକ୍ସା ୟୁନିଅନ୍‌ର ଅଧ୍ୟକ୍ଷଙ୍କ କହିବା ଅନୁସାରେ, ଏଲ୍‌ପିଜି ହେଉଛି ଗରିବଙ୍କ ଇନ୍ଧନ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲାହୋରର ୩୩ ବର୍ଷୀୟ ରିକ୍ସା ଚାଳକ ରାଶିଦ୍ ଅଲିଙ୍କ ଜୀବନ ଏହି ସଙ୍କଟର ଏକ ଉଦାହରଣ । ୧୩ ବର୍ଷ ଧରି ରିକ୍ସା ଚଳାଉଥିବା ରାଶିଦ୍ ପୂର୍ବରୁ ଦିନକୁ ପ୍ରାୟ ୧,୭୦୦ ପାକିସ୍ତାନୀ ଟଙ୍କା ରୋଜଗାର କରୁଥିଲେ। ଏବେ ଦିନକୁ ୭୦୦ରୁ ୮୦୦ ଟଙ୍କା ରୋଜଗାର କରିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ।
ଦିନକୁ ୪ରୁ ୫ ଥର ୩୦୦ରୁ ୪୦୦ ଟଙ୍କାର ଗ୍ୟାସ୍ ଭରିବାକୁ ପଡ଼ୁଛି । ଏହା ସହ ରିକ୍ସା ଭଡ଼ା ବାବଦରେ ଦୈନିକ ୬୦୦ ଟଙ୍କା ଏବଂ ଘର ଭଡ଼ା ବାବଦରେ ମାସକୁ ୧୧,୦୦୦ ଟଙ୍କା ଦେବାକୁ ପଡ଼ୁଛି । ଏତେ ଖର୍ଚ୍ଚ ପରେ ପରିବାର ଚଳାଇବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ହୋଇଛି ।

ଦୁଇବେଳା ଖାଇବା ମଧ୍ୟ କଷ୍ଟକର

ଗ୍ୟାସ୍ ଦର ବୃଦ୍ଧି ଏବଂ ରୋଜଗାର ହ୍ରାସ ଯୋଗୁଁ ରାଶିଦ୍‌ଙ୍କ ଭଳି ହଜାର ହଜାର ଗରିବ ପରିବାର ନିଜ ଖାଦ୍ୟରେ କାଟଛାଣ୍ଟ କରିବାକୁ ବାଧ୍ୟ ହୋଇଛନ୍ତି । ଦିନକୁ ତିନିଥର ଖାଇବା ପରିବର୍ତ୍ତେ ଏବେ ଅନେକ ପରିବାର ମାତ୍ର ଦୁଇଥର ଖାଇ ଦିନ କାଟୁଛନ୍ତି ।

ଅନ୍ୟପଟେ, ପାକିସ୍ତାନର ଆର୍ଥିକ ସ୍ଥିତି ମଧ୍ୟ ଚିନ୍ତାଜନକ । ଅକ୍ଟୋବର ମାସରେ ଦେଶର ମୁଦ୍ରାସ୍ଫୀତି ୯.୬ ପ୍ରତିଶତକୁ ବୃଦ୍ଧି ପାଇଛି। ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରକୁ ୧୨ ପ୍ରତିଶତକୁ ବଢ଼ାଇଛି ।

ସଙ୍କଟରୁ କେବେ ମିଳିବ ମୁକ୍ତି ?

ଇରାନ୍ ସୀମା ଦେଇ ଏଲ୍‌ପିଜି ଯୋଗାଣ ପୁନଃ ଆରମ୍ଭ ନହେବା ପର୍ଯ୍ୟନ୍ତ ପାକିସ୍ତାନର ଗରିବ ଶ୍ରମଜୀବୀ ଏବଂ ରିକ୍ସା ଚାଳକଙ୍କ ପାଇଁ ଦୁଇବେଳା ଖାଦ୍ୟ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇ ରହିବ । ଏଲ୍‌ପିଜି ଅଭାବ ଏବେ କେବଳ ଇନ୍ଧନ ସଙ୍କଟ ନୁହେଁ, ବରଂ ପାକିସ୍ତାନର ଗରିବ ଲୋକଙ୍କ ଜୀବନ ଓ ଜୀବିକା ଉପରେ ଏକ ବଡ଼ ଆଘାତ ।