Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ହର୍ମୁଜ୍ ଷ୍ଟ୍ରେଟ୍ ଏବେ ବି ସଙ୍କଟରେ ? ଜାଣନ୍ତୁ ପ୍ରତିଦିନ କେତେ ଜାହାଜ କରୁଛି ଯାତାୟାତ ?

International

Strait of Hormuz / ହର୍ମୁଜ୍ ଷ୍ଟ୍ରେଟ୍ ଏବେ ବି ସଙ୍କଟରେ ? ଜାଣନ୍ତୁ ପ୍ରତିଦିନ କେତେ ଜାହାଜ କରୁଛି ଯାତାୟାତ ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ହର୍ମୁଜ୍ ଷ୍ଟ୍ରେଟ୍ ଏବେ ବି ସଙ୍କଟରେ ? ଜାଣନ୍ତୁ ପ୍ରତିଦିନ କେତେ ଜାହାଜ କରୁଛି ଯାତାୟାତ ?
Strait of Hormuz

Key Points

ହର୍ମୁଜ୍ ଷ୍ଟ୍ରେଟ୍‌ରେ ଟ୍ରାଫିକ୍ କେମିତି ?
ବିଶ୍ୱ ତୈଳ ବଜାର ପାଇଁ ବଡ଼ ଖବର
ହର୍ମୁଜ୍ ଷ୍ଟ୍ରେଟ୍ ଏବେ ବି ସଙ୍କଟରେ ?
ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍ । ଏମିତି ଏକ ସମୁଦ୍ରପଥ, ଯେଉଁଠି ସାମାନ୍ୟ ଅସ୍ଥିରତା ବିଶ୍ୱ ତୈଳ ବଜାରକୁ ଦୋହଲାଇ ଦିଏ । ଆମେରିକା-ଇରାନ ଯୁଦ୍ଧ ପରେ ପୁଣି ଖୋଲିଛି ଏହି ଜଳପଥ । ଅଶୋଧିତ ତୈଳ ଯୋଗାଣର ଲାଇଫ୍ ଲାଇନ୍ କୁହାଯାଉଥିବା ହର୍ମୁଜ୍ ଷ୍ଟ୍ରେଟ୍‌ ଉପରେ ଏବେ ବି ରହିଛି ସାରା ବିଶ୍ବର ନଜର । ତେବେ ପ୍ରଶ୍ନ ଉଠୁଛି, ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥରେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯାଇଛି କି ?

ସାମୁଦ୍ରିକ ଟ୍ରାକିଂ ତଥ୍ୟ ଅନୁଯାୟୀ, ବୁଧବାର ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ମାତ୍ର ୩୪ଟି କମର୍ସିଆଲ୍‌ ଜାହାଜ ଯାତାୟାତ କରିଥିଲା । ଏହି ସଂଖ୍ୟା ନିଶ୍ଚିତ ଭାବେ ପୂର୍ବ ଅପେକ୍ଷା ଭଲ । କିନ୍ତୁ ଯୁଦ୍ଧ ପୂର୍ବରୁ ପ୍ରତିଦିନ ହାରାହାରି ପ୍ରାୟ ୧୦୦ଟି ଜାହାଜ ଏହି ରାସ୍ତା ଦେଇ ଯାଉଥିଲା । ଅର୍ଥାତ୍ ଜାହାଜ ଚଳାଚଳ ପୁଣି ଆରମ୍ଭ ହୋଇଥିଲେ ମଧ୍ୟ, ଏହା ଏପର୍ଯ୍ୟନ୍ତ ପୂର୍ବ ସ୍ଥିତିକୁ ଫେରିପାରିନାହିଁ ।

ଯୁଦ୍ଧ ସମୟରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଥିଲା । ମାର୍ଚ୍ଚ ୧ରୁ ଜୁନ୍ ୧୭ ମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ବଢ଼ିଥିବା ଉତ୍ତେଜନା ଯୋଗୁଁ ଏହି ଜଳପଥ ଦେଇ ପ୍ରତିଦିନ ହାରାହାରି ମାତ୍ର ୧୩ଟି ଜାହାଜ ଯାତାୟାତ କରୁଥିଲା । ସୁରକ୍ଷା କାରଣରୁ ଅନେକ ଶିପିଂ କମ୍ପାନୀ ନିଜ ଜାହାଜର ରୁଟ୍ ପରିବର୍ତ୍ତନ କରିଥିଲେ ଏବଂ କେତେକ କମ୍ପାନୀ ସାମୟିକ ଭାବେ ସେବା ମଧ୍ୟ ବନ୍ଦ ରଖିଥିଲେ ।

ଜୁନ୍ ୧୭ରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ବୁଝାମଣା ପରେ ହର୍ମୁଜ୍ ଷ୍ଟ୍ରେଟ୍‌କୁ ପୁଣି ଖୋଲିବାକୁ ସହମତି ପ୍ରକାଶ ପାଇଥିଲା । ଚୁକ୍ତି ଅନୁସାରେ କମର୍ସିଆଲ ଜାହାଜର ଚଳାଚଳ ତୁରନ୍ତ ଆରମ୍ଭ କରିବାକୁ କୁହାଯାଇଥିଲା । ଏହା ପରେ ଧୀରେ ଧୀରେ ଜାହାଜ ଏହି ପଥ ଦେଇ ଚଳାଚଳ କରିବା ଆରମ୍ଭ କରିଥିଲେ ମଧ୍ୟ ସାମୁଦ୍ରିକ ପରିବହନ କମ୍ପାନୀମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ନୁହନ୍ତି ।

ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ସୁରକ୍ଷା । ଜଏଣ୍ଟ ମ୍ୟାରିଟାଇମ୍ ଇନଫର୍ମେସନ୍ ସେଣ୍ଟର ସତର୍କ କରି କହିଛି ଯେ, ହର୍ମୁଜ୍ ଷ୍ଟ୍ରେଟ୍‌ର କେତେକ ଅଞ୍ଚଳରେ ଏବେ ମଧ୍ୟ ସମୁଦ୍ର ଭିତରେ ବିସ୍ଫୋରକ ସୁଡ଼ଙ୍ଗ ରହିଥିବାର ଆଶଙ୍କା ରହିଛି । ସେଗୁଡ଼ିକୁ ହଟାଇବା କାମ ଚାଲିଥିବାରୁ ଜାହାଜଗୁଡ଼ିକୁ ଅଧିକ ସତର୍କତା ସହ ଯାତାୟାତ କରିବାକୁ ପଡ଼ୁଛି ।

ଅଧିକ ପଢ଼ନ୍ତୁ: ହଠାତ୍ ଲାଲ୍ ହୋଇଗଲା ସାରା ଆକାଶ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ


ହର୍ମୁଜ୍ ଷ୍ଟ୍ରେଟ୍‌ର ଭୌଗୋଳିକ ସ୍ଥିତି ମଧ୍ୟ ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ କରିଛି । ସବୁଠାରୁ ସଂକୀର୍ଣ୍ଣ ସ୍ଥାନରେ ଏହାର ପ୍ରସ୍ଥ ମାତ୍ର ୨୪ ମାଇଲ । ଗୋଟିଏ ପାର୍ଶ୍ୱରେ ଇରାନ ଓ ଅନ୍ୟ ପାର୍ଶ୍ୱରେ ଓମାନ ଥିବାରୁ ଯେକୌଣସି ସାମରିକ ଉତ୍ତେଜନାର ପ୍ରଭାବ ସର୍ବପ୍ରଥମେ ଏହି ଜଳପଥ ଉପରେ ପଡ଼ିଥାଏ ।

ଚୁକ୍ତି ଅନୁଯାୟୀ, ଆମେରିକାକୁ ଜୁଲାଇ ୧୯ ସୁଦ୍ଧା ଇରାନର ବନ୍ଦରଗୁଡ଼ିକ ଉପରେ ଲାଗିଥିବା ନୌସେନା ନାକାବନ୍ଦୀ ସମ୍ପୂର୍ଣ୍ଣ ହଟାଇବାକୁ ପଡ଼ିବ । ସେହିପରି ଇରାନ ମଧ୍ୟ ଜାହାଜ ଚଳାଚଳକୁ ଯୁଦ୍ଧ ପୂର୍ବ ସ୍ତରକୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛି । ପ୍ରତିବନ୍ଧକ ଉଠିବା ପରଠୁ ଇରାନ ପ୍ରାୟ ୫ କୋଟି ବ୍ୟାରେଲ୍ ଅଶୋଧିତ ତୈଳ ରପ୍ତାନି କରିଥିବାବେଳେ, ଅନ୍ୟାନ୍ୟ ଉପସାଗରୀୟ ଦେଶଗୁଡ଼ିକ ସାଧାରଣ ରପ୍ତାନି ସ୍ତର ହାସଲ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ଏବେ ମଧ୍ୟ ଅସମାହିତ ରହିଛି । ଭବିଷ୍ୟତରେ ହର୍ମୁଜ୍ ଷ୍ଟ୍ରେଟ୍‌ର ନିୟନ୍ତ୍ରଣ କାହା ହାତରେ ରହିବ ? ବର୍ତ୍ତମାନର ବୁଝାମଣାରେ ଏହାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ବର୍ତ୍ତମାନ ୬୦ ଦିନ ପର୍ଯ୍ୟନ୍ତ ଜାହାଜ ଠାରୁ କୌଣସି ଶୁଳ୍କ ନିଆଯିବ ନାହିଁ । କିନ୍ତୁ ଏହା ପରେ ଇରାନ ଏହି ଜଳପଥ ଦେଇ ଯାତାୟାତ କରୁଥିବା ଜାହାଜ ଉପରେ ଶୁଳ୍କ ଲାଗୁ କରିପାରେ । ସେଥିପାଇଁ ଯୁଦ୍ଧ ଥମିଥିଲେ ମଧ୍ୟ ହର୍ମୁଜ୍ ଷ୍ଟ୍ରେଟ୍‌କୁ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସ୍ୱାଭାବିକ ବୋଲି କୁହାଯାଇପାରୁନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored