Videos
|
International

Titanic Items Auction / ୩ କୋଟିରେ ଘଣ୍ଟା, ୧.୭୭କୋଟିରେ ହୀରାମୁଦି; ୧୧୪ବର୍ଷ ପରେ ନିଲାମ ହେଲା ଟାଇଟାନିକ୍ ଦୁର୍ଲଭ ଜିନିଷ

Debashree Debasmita Sahoo
Browse all articles by Debashree Debasmita Sahoo
·28 mins ago·2 min read
୩ କୋଟିରେ ଘଣ୍ଟା, ୧.୭୭କୋଟିରେ ହୀରାମୁଦି; ୧୧୪ବର୍ଷ ପରେ ନିଲାମ ହେଲା ଟାଇଟାନିକ୍ ଦୁର୍ଲଭ ଜିନିଷ
Titanic Items Auction

Key Points

୧୧୪ ବର୍ଷ ପରେ ବି ଟାଇଟାନିକ୍‌ର ସ୍ମୃତି ଅମୂଲ୍ୟ
ନିଲାମରେ ବିକ୍ରି ହେଲା ଦୁର୍ଲଭ ସାମଗ୍ରୀ
୧୦୦ରୁ ଅଧିକ ସାମଗ୍ରୀର ନିଲାମ
ଆସିଲା ୧୨.୬୬ କୋଟି ଟଙ୍କା
ଲଣ୍ଡନ: ସମୁଦ୍ର ଭିତରେ ଲୁଚି ରହିଛି ଏକ ଇତିହାସ, ଯାହାକୁ ୧୧୪ ବର୍ଷ ପରେ ବି ଦୁନିଆ ଭୁଲିପାରିନାହିଁ । ଟାଇଟାନିକ୍...ଏକ ବିଳାସପୂର୍ଣ୍ଣ ଜାହାଜ, ଯାହାର ଯାତ୍ରା ଆଶା ଓ ସ୍ୱପ୍ନକୁ ନେଇ ଆରମ୍ଭ ହୋଇଥିଲା, କିନ୍ତୁ ଶେଷ ହୋଇଥିଲା ଅସଂଖ୍ୟ ଜୀବନର ଅନ୍ତ ସହ । ଆଜି ମଧ୍ୟ ଏହି ଜାହାଜର କାହାଣୀ ଲୋକଙ୍କୁ ଆକର୍ଷିତ କରୁଛି । ଆଉ ଏହାର ପ୍ରମାଣ ମିଳିଛି ଟାଇଟାନିକ୍ ସହ ଜଡ଼ିତ ୧୦୦ରୁ ଅଧିକ ସାମଗ୍ରୀର ଏକ ନିଲାମରୁ, ଯେଉଁଥିରେ ମୋଟ ବିକ୍ରି ପ୍ରାୟ ୧ ମିଲିୟନ୍ ପାଉଣ୍ଡ ଅର୍ଥାତ୍ ୧୨.୬୬ କୋଟି ଟଙ୍କାରୁ ଅଧିକ ହୋଇଛି । ଏବେ ବି ସମୁଦ୍ର ତଳେ ଥିବା ଟାଇଟାନିକ୍ ଜାହାଜର ଭଗ୍ନାବଶେଷ ଥିବାବେଳେ ଏଥିରୁ ମିଳିଥିବା ଜିନିଷର ନିଲାମ କରାଯାଉଛି ।

  • ୧୯୧୨ର ସେହି ରାତି
୧୯୧୨ ଏପ୍ରିଲ ୧୪ର ସେହି କାଳ ରାତି । ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଯାତ୍ରା କରୁଥିବା ଟାଇଟାନିକ୍ ଏକ ବିଶାଳ ବରଫ ଖଣ୍ଡ ସହ ଧକ୍କା ହୋଇଥିଲା । ଏହାପରେ ଜାହାଜଟି ମାତ୍ର କିଛି ଘଣ୍ଟା ମଧ୍ୟରେ ସମୁଦ୍ରରେ ବୁଡ଼ିଯାଇଥିଲା । ଏହି ଦୁର୍ଘଟଣା ଇତିହାସର ସବୁଠାରୁ ଭୟଙ୍କର ଘଟଣା ମଧ୍ୟରୁ ଗୋଟିଏ ଭାବେ ଆଜି ବି ରହିଛି । ଜାହାଜର ଭଗ୍ନାବଶେଷ ଏବେ ବି ସମୁଦ୍ରର ଗଭୀରତାରେ ରହିଛି, ଯେଉଁଠାରୁ ସମସ୍ତ ସାମଗ୍ରୀ ଉଦ୍ଧାର କରିବା ସମ୍ଭବ ହୋଇନାହିଁ ।

  • ନିଲାମରେ କୋଟି କୋଟି ଟଙ୍କାର ସାମଗ୍ରୀ
ଏହି ନିଲାମରେ ସବୁଠାରୁ ଆକର୍ଷଣୀୟ ସାମଗ୍ରୀ ଥିଲା ଜଣେ ୩୨ ବର୍ଷୀୟ ଆଇରିଶ୍ ଯାତ୍ରୀ ମେରି ମ୍ୟାଙ୍ଗନ୍‌ଙ୍କ 'ପକେଟ୍ ଘଣ୍ଟା' । ଟାଇଟାନିକ୍‌ର ତୃତୀୟ ଶ୍ରେଣୀ ଯାତ୍ରୀ ଥିବା ମେରିଙ୍କ ଏହି ଘଣ୍ଟା ଜାହାଜର ଭଗ୍ନାବଶେଷରୁ ଉଦ୍ଧାର କରାଯାଇଥିଲା । ଏହା ନିଲାମରେ ୨.୫ ଲକ୍ଷ ପାଉଣ୍ଡ ଅର୍ଥାତ୍ ପ୍ରାୟ ୩.୧୭ କୋଟି ଟଙ୍କାରେ ବିକ୍ରି ହୋଇଛି । ସେହିପରି ଲେଡି ଡଫ୍ ଗର୍ଡନ୍‌ଙ୍କ 'ହୀରା ମୁଦି' ୧.୪ ଲକ୍ଷ ପାଉଣ୍ଡ ବା ପ୍ରାୟ ୧.୭୭ କୋଟି ଟଙ୍କାରେ ବିକ୍ରି ହୋଇଛି । ଟାଇଟାନିକ୍‌ ସହ ଜଡ଼ିତ ଗହଣା ମଧ୍ୟରେ ଏହା ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଥିବା ସାମଗ୍ରୀ ବୋଲି କୁହାଯାଉଛି ।

ପଢନ୍ତୁ ଏହି ଖବର: ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆକ୍ରମଣ; ଜଣେ ନାବିକ ମୃତ, ୧୩ ଉଦ୍ଧାର

  • ଚିଠି, ପୋଷ୍ଟକାର୍ଡ ଓ ଟିକେଟ୍‌ର ମଧ୍ୟ ଚାହିଦା
ନିଲାମରେ ଆଉ ଏକ ଚର୍ଚ୍ଚିତ ସାମଗ୍ରୀ ଥିଲା ପ୍ରଥମ ଶ୍ରେଣୀର ଯାତ୍ରୀ ରାମୋନ୍ ଆର୍ଟାଗାଭେଟିଆ ଗୋମେଜ୍‌ଙ୍କ ଚିଠି, ଯାହା ୮୦ ହଜାର ପାଉଣ୍ଡ ବା ପ୍ରାୟ ୧.୦୧ କୋଟି ଟଙ୍କାରେ ବିକ୍ରି ହୋଇଛି । ଜାହାଜର ଲେଟରହେଡ୍‌ରେ ସ୍ପାନିଶ୍ ଭାଷାରେ ଲେଖାଯାଇଥିବା ଏହି ଚିଠିରେ ତାପମାତ୍ରା ଓ ଭୋଜନ କରୁଥିବା ଯାତ୍ରୀଙ୍କ ସଂଖ୍ୟା ସମ୍ପର୍କରେ ଉଲ୍ଲେଖ ରହିଥିଲା । ଟାଇଟାନିକ୍‌ର ସିନିୟର୍ ୱେୟାରଲେସ୍ ଅପରେଟର୍ ଜ୍ୟାକ୍ ଫିଲିପ୍ସ ଦୁର୍ଘଟଣାର ୪ ଦିନ ପୂର୍ବରୁ ନିଜ ଭଉଣୀ ଏଲସିଙ୍କୁ ଲେଖିଥିବା ପୋଷ୍ଟକାର୍ଡଟି ପ୍ରାୟ ୩୨ ହଜାର ପାଉଣ୍ଡ ଅର୍ଥାତ୍ ୪୦.୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।

  • ଟାଇଟାନିକ୍‌ର କାହାଣୀ ପ୍ରତି ଆଜି ବି ବିଶ୍ୱର ଆଗ୍ରହ
ନିଲାମକାରୀ ଆଣ୍ଡ୍ରୁ ଏଲଡ୍ରିଜ୍‌ଙ୍କ କହିବା ଅନୁସାରେ, ଟାଇଟାନିକ୍‌କୁ ନେଇ ଆଗ୍ରହ କେବଳ ଗୋଟିଏ ଦେଶରେ ସୀମିତ ନୁହେଁ, ବରଂ ବିଶ୍ୱର ବିଭିନ୍ନ ଅଞ୍ଚଳରୁ କ୍ରେତାମାନେ ଏହି ସାମଗ୍ରୀ ବା ସ୍ମୃତିଚିହ୍ନ ପ୍ରତି ଆଗ୍ରହ ଦେଖାଉଛନ୍ତି । ଏହି ନିଲାମର ମୂଲ୍ୟ ଟାଇଟାନିକ୍‌ର କାହାଣୀ ପ୍ରତି ଲୋକଙ୍କ ଦୀର୍ଘସ୍ଥାୟୀ ଆଗ୍ରହକୁ ପ୍ରମାଣ କରୁଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: