Videos
|
National

AI Generated Lion / ସୋସିଆଲ୍ ମିଡିଆରେ ସିଂହ ଫଟୋ ଭାଇରାଲ୍, ଭୟରେ ଘରେ ରହିଲେ ଗ୍ରାମବାସୀ

Subhramjit Ray
Browse all articles by Subhramjit Ray
·Updated on: 29 Nov 2026, 21:36:26 IST·2 min read
ସୋସିଆଲ୍ ମିଡିଆରେ ସିଂହ ଫଟୋ ଭାଇରାଲ୍, ଭୟରେ ଘରେ ରହିଲେ ଗ୍ରାମବାସୀ
Photo Source: Social Media/AI

Key Points

ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାର ପାନୱା ଗାଁରେ AI ନିର୍ମିତ ନକଲି ସିଂହ ଫଟୋକୁ ନେଇ ଆତଙ୍କ ଖେଳିଯାଇଥିଲା। ଜଣେ ୧୪ ବର୍ଷୀୟ ବାଳକ ତିଆରି କରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଖବର ପାଇ ବନ ବିଭାଗ ଯାଞ୍ଚ କରି ଏହା ନକଲି ବୋଲି ସ୍ପଷ୍ଟ କରିଥିଲା।

ଖାରଗୋନ୍, ମଧ୍ୟ ପ୍ରଦେଶ: ଆଜିର ସମୟରେ ଏବେ ବିଭିନ୍ନ କାର୍ଯ୍ୟ ପାଇଁ କୃତ୍ରିମ ବୁଦ୍ଧିମତ୍ତାର (ଏଆଇ) ବ୍ୟବହାର ବଢିବାରେ ଲାଗିଛି। ଗୋଟିଏ ପଟେ ବିଭିନ୍ନ ସୁବିଧା ପାଇବା ପାଇଁ ଏବେ ଏଆଇ (AI) ବ୍ୟବହୃତ ହେଉଛି। ହେଲେ ଅନ୍ୟପଟେ ଏହାର ଅପବ୍ୟବହାର ମଧ୍ୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ସଦ୍ୟ ମଧ୍ୟ ପ୍ରଦେଶର ଖାରଗୋନ ଜିଲ୍ଲାର କସରାବଦ ଅଞ୍ଚଳରେ, AI ଅପବ୍ୟବହାରର ଏକ ଭୟାନକ ମାମଲା ସାମ୍ନାକୁ ଆସିଥିଲା। ଏଠାରେ AI ସହାୟତାରେ ପ୍ରସ୍ତୁତ ହୋଇଥିବା ସିଂହର ଏକ ନକଲି ଫଟୋ ସମଗ୍ର ଗାଁରେ ଆତଙ୍କ ଖେଳାଇ ଦେଇଥିଲା। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ମାତ୍ରେ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ଏହାକୁ ନେଇ ପରିସ୍ଥିତି ଏତେ ଗମ୍ଭୀର ହୋଇଗଲା ଯେ ଚାଷ କାମ କରୁଥିବା ଚାଷୀ ମଧ୍ୟ ରାତିସାରା ଭୟରେ ରହୁଥିଲେ। ଏନେଇ ଖବର ପାଇବା ପରେ ସିଂହକୁ ଧରିବା ପାଇଁ ବନ ବିଭାଗର ଏକ ଟିମ୍ ମଧ୍ୟ ଗାଁରେ ପହଞ୍ଚିଥିଲା।

ଏହି ଘଟଣା ଖାରଗୋନ ଜିଲ୍ଲାର ପାନୱା ଗାଁରେ ଘଟିଥିଲା। ଏଠାରେ ଜଣେ ୧୪ ବର୍ଷୀୟ ବାଳକ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରି ସିଂହର ଏକ ଫଟୋ ତିଆରି କରିଥିଲା। ଏହା ପରେ ସେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦାବି କରିଥିଲା ​​ଯେ ଗାଁକୁ ଏକ ସିଂହ ଆସିଛି। ଏହି ଫଟୋ ଦେଖୁ ଦେଖୁ ଭାଇରାଲ ହେବାରେ ଲାଗିଥଲା। ଗାଁକୁ ସିଂହ ଆସିଥିବାର ଖବର ଆଖପାଖ ଅଞ୍ଚଳରେ ବ୍ୟାପି ଯାଇଥିଲା। ଏହି ଖବର ପାଇବା ପରେ ଗାଁ ଲୋକେ ନିଜ ଘରେ ବନ୍ଦୀ ହୋଇ ରହିଥିଲେ। ସିଂହ ଆସିବା ଖବର ସାମ୍ନାକୁ ଆସିବା ପରେ ସମଗ୍ର ଗାଁରେ ନୀରବତା ଖେଳି ଯାଇଥିଲା। ସିଂହର ଆଗମନ ଖବର ପାଇବା ପରେ ବନ ବିଭାଗ ଟିମ୍ ଗ୍ରାମବାସୀଙ୍କ ସହାୟତା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା।

ଏହା ସହ ପଢନ୍ତୁ: ସୋନାଲିକା ଟ୍ରାକ୍ଟର କାରଖାନାରେ ବାଘ ଆତଙ୍କ, ଡ୍ରୋନ୍‌ରେ ଚାଲିଛି ଠାବ ଉଦ୍ୟମ

AI ଫଟୋକୁ ସତ ମାନି ନେଇଥିଲେ ଗାଁ ଲୋକ
ସୋସିଆଲ୍ ମିଡିଆରେ ସିଂହର ଫଟୋ ଭାଇରାଲ ହେବା ପରେ, ଗାଁରେ ଆତଙ୍କ ଖେଳି ଯାଇଥିଲା। ଗାଁ ଲୋକ ଭୟ କରୁଥିଲେ ଯେ ସିଂହ ସେମାନଙ୍କ ଘର କିମ୍ବା ଚାଷ ଜମି ପଖକୁ ଆସିପାରେ। ଏହି ସିଂହ ପାଇଁ ଜମିରେ କାମ କରୁଥିବା ଚାଷୀ ଏବଂ ରାତିରେ ବାହାରେ ରହୁଥିବା ଲୋକ ଚିନ୍ତିତ ହୋଇ ପଡ଼ିଥିଲେ। ସିଂହ ଆତଙ୍କ ଯୋଗୁଁ ଅନେକ ଲୋକ ରାତି ସମୟରେ ନିଜ ଘର ଦ୍ୱାର ବନ୍ଦ କରି ଦେଇଥିଲେ। କିଛି ଚାଷୀ ସେମାନଙ୍କ ଜମିକୁ ଯିବା ବନ୍ଦ କରିଦେଲେ। ସିଂହର ଆଗମନର ଖବର ସମଗ୍ର ଗାଁରେ ବ୍ୟାପି ଯାଇଥିଲା। ଲୋକ ଏହି AI ନିର୍ମିତ ଫଟୋ ଯାଞ୍ଚ କରିବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରାରମ୍ଭରେ କେହି ଏହାର ବାସ୍ତବତା ବିଷୟରେ ନିଶ୍ଚିତ ନଥିଲେ।

ଫଟୋ ଭାଇରାଲ ହେବା ପରେ ବନ ବିଭାଗ ପକ୍ଷରୁ ହୋଇଥିଲା ଯାଞ୍ଚ
ଗାଁରେ ସିଂହର ଆଗମନ ବିଷୟରେ ଖବର ପାଇବା ପରେ, ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରି ଗ୍ରାମବାସୀଙ୍କ ଠାରୁ ବିଭାଗ ଆବଶ୍ୟକୀୟ ସୂଚନା ସଂଗ୍ରହ କରିଥିଲା। ତଦନ୍ତ ସମୟରେ, ଜଣାପଡିଲା ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସିଂହର ଫଟୋ ପ୍ରକୃତ ନୁହେଁ। ବରଂ ଏହାକୁ AI ବ୍ୟବହାର କରି ତିଆରି କରାଯାଇଛି। ବନ ବିଭାଗ ଦଳ ପରେ ଏହାର ବାସ୍ତବତା ସାମ୍ନାକୁ ଆଣିଥିଲା। ଏନେଇ ବିଭାଗ ପକ୍ଷରୁ କୁହାଯାଇଥିଲା ଗାଁରେ ସିଂହ ଆସିବାର କୌଣସି ପ୍ରମାଣ ନାହିଁ। ଏକଥା ଶୁଣିବା ପରେ ଯାଇ ଗ୍ରାମବାସୀ ଆଶ୍ୱସ୍ତି ହୋଇଥିଲା।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: