Videos
|
National

Viral News / ଆଗରେ ୧୦୦ ସାଇକେଲ୍, ପଛରେ ବର; ରାଲି ଭାବି ଚକିତ ହେଲେ ଲୋକେ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆଗରେ ୧୦୦ ସାଇକେଲ୍, ପଛରେ ବର; ରାଲି ଭାବି ଚକିତ ହେଲେ ଲୋକେ
Maharashtra Cycling Baraat

Key Points

ଏମିତି ବରଯାତ୍ରୀ କେବେ ଦେଖିନଥିବେ
୧୦୦ ସାଇକେଲ୍ ଧରି ପହଞ୍ଚିଲେ ବର
ରାଲିର ଭ୍ରମ ସୃଷ୍ଟି କଲେ ବରଯାତ୍ରୀ
ମୁମ୍ବାଇ: ବରଯାତ୍ରୀ ଆସିଲେ ସାଧାରଣତଃ ବାଜା ବାଣ, ଘୋଡ଼ା, ହାତୀ ଓ ମହଙ୍ଗା ଗାଡ଼ି ଦେଖିବାକୁ ମିଳେ । କିନ୍ତୁ ଏଠାରେ ଦେଖିବାକୁ ମିଳିଛି ନିଆରା ବରଯାତ୍ରୀ । ଆଗରେ ୧୦୦ ସାଇକେଲ୍ ଓ ପଛରେ ବର । ଦେଖିଲେ ଲାଗିବ କୌଣସି ସାଇକେଲ୍ ରାଲି ହେଉଛି । ରାସ୍ତାରେ ସାଧାରଣ ଲୋକଙ୍କ ମନରେ ଏମିତି କିଛି ଭ୍ରମ ସୃଷ୍ଟି ହୋଇଥିଲା । ନିଜ ବାହାଘରକୁ ନିଆରା ଓ ସ୍ମରଣୀୟ କରିବା ସହ ପରିବେଶକୁ ଆଖି ଆଗରେ ରଖି ସାଇକେଲ୍ ଚଢି କନିଆଁ ଘରେ ପହଞ୍ଚିଥିଲେ ବରଯାତ୍ରୀ ।

ମହାରାଷ୍ଟ୍ର ଅକୋଲାରୁ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି । ଘୋଡ଼ା, ଦାମି କାର ବଦଳରେ ଥିଲ ମାଳ ମାଳ ସାଇକେଲ୍ । ଏହି ନିଆରା ବରଯାତ୍ରୀର ନାମ ରଖାଯାଇଥିଲା 'ରାଇଡ୍ ଫର୍ ଲଭ୍' । ଏହି ବରଯାତ୍ରୀ ଥିଲା ପରିବେଶପ୍ରେମୀ ଡକ୍ଟର ରାଜେନ୍ଦ୍ର କୁମାର ସୋନୋନେଙ୍କ ପୁଅ ଡକ୍ଟର ବିରାଜଙ୍କର । ତାଙ୍କର ବିବାହ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୧ ତାରିଖରେ ଧାର୍ଯ୍ୟ ହୋଇଛି । ଏହାର ଦୁଇ ଦିନ ପୂର୍ବରୁ ନଭେମ୍ବର ୧୯ ତାରିଖରେ ସହରରେ ତାଙ୍କର ନିଆରା ବରଯାତ୍ରୀ ସାଇକେଲ୍ ଚଢି ବାହାରିଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖୁସି ସହିତ ଫିଟନେସ୍, ପ୍ରେମ ଓ ପରିବେଶର ସୁରକ୍ଷାର ବାର୍ତ୍ତା ଦେବା ।

  • ଫୁଲରେ ସୁସଜ୍ଜିତ ସାଇକେଲ୍
ବରଯାତ୍ରୀରେ ସାମିଲ ହୋଇଥିବା ସାଇକେଲଗୁଡ଼ିକୁ ଫୁଲରେ ସଜା ଯାଇଥିଲା । ସାଇକେଲ୍ ଚଲାଉଥିବା ବରଯାତ୍ରୀମାନେ ଏକ ସ୍ଵତନ୍ତ୍ର ଟି-ସାର୍ଟ ପିନ୍ଧିଥିଲେ, ଯେଉଁଥିରେ 'ରାଇଡ୍ ଫର୍ ଲଭ୍' ବୋଲି ଲେଖାଯାଇଥିଲା । ପ୍ରାୟ ୧୦୦ ଲୋକଙ୍କୁ ନେଇ ବାହାରିଥିଲା ଏହି ନିଆରା ବରଯାତ୍ରୀ । ହଠାତ୍ ଏପରି ଦୃଶ୍ୟ ଦେଖି ଲୋକେ ଅଟକିଯାଇଥିଲେ । କିଛି ବାଟୋଇ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ ମଧ୍ୟ କରିଥିଲେ ।

ପଢନ୍ତୁ ଏହି ଖବର: ବରଯାତ୍ରୀ ନେଇ ବଢ଼ି ପାଣିରେ ବାହା ହେବାକୁ ଗଲା ବର


  • ଖୁସି ସହିତ ପରିବେଶ ସୁରକ୍ଷା ଗୁରୁତ୍ଵପୂର୍ଣ୍ଣ
ବରଯାତ୍ରୀମାନେ କହିଥିଲେ ଖୁସି ପାଳନ କରିବାବେଳେ ଜରୁରୀ ନୁହେଁ ଯେ, ପରିବେଶକୁ ଦୂଷିତ କରିବା । ଏପରି ଢଙ୍ଗରେ ମଧ୍ୟ ଲୋକେ ନିଜର ଖୁସିର ମୁହୂର୍ତ୍ତକୁ ସେଲିବ୍ରେଟ୍ କରିପାରିବେ । ବରଙ୍କ ପିତା ଡକ୍ଟର ରାଜେନ୍ଦ୍ର କୁମାର ସୋନୋନେଙ୍କ ଏହି ପଦକ୍ଷେପ ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛି । ଏହା ତାଙ୍କର ପରିବେଶଗତ ଚିନ୍ତାଧାରାକୁ ଦର୍ଶାଉଛି । ଏହି ସାଇକେଲ୍ ରାଲିରେ କିଛି ପରିବେଶପ୍ରେମୀ ପହଞ୍ଚି ସ୍ଵେଚ୍ଛାକୃତ ଭାବେ ବରଯାତ୍ରୀଙ୍କ ସହ ସାମିଲ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପରିବେଶର ସୁରକ୍ଷା ପାଇଁ ଏପରି ନିଆରା ପଦକ୍ଷେପ ନେଇଥିବାରୁ ଅନେକ ପରିବେଶବିତ୍ ବରକୁ ଆଶୀର୍ବାଦ କରିଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: