Videos
|
National

Aligarh Bangladeshis Arrested / ଆଲିଗଡ଼ରେ ୧୨ ବାଂଲାଦେଶୀ ଗିରଫ; ନକଲି ଆଧାର-PAN କାର୍ଡ଼ ଜବତ

Subhramjit Ray
Browse all articles by Subhramjit Ray
·29 mins ago·2 min read
ଆଲିଗଡ଼ରେ ୧୨ ବାଂଲାଦେଶୀ ଗିରଫ; ନକଲି ଆଧାର-PAN କାର୍ଡ଼ ଜବତ
Photo Source: Social Media/AI

Key Points

ଉତ୍ତର ପ୍ରଦେଶର ଆଲିଗଡ଼ରେ ବେଆଇନ ଭାବେ ରହୁଥିବା ୧୨ ଜଣ ବାଂଲାଦେଶୀଙ୍କୁ ପୋଲିସ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ ୮ ଜଣ ପ୍ରାପ୍ତବୟସ୍କ ଗିରଫ ହୋଇଥିବା ବେଳେ ୪ ନାବାଳକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି। ସେମାନଙ୍କଠାରୁ ନକଲି ଆଧାର, ପାନ୍, ଭୋଟର କାର୍ଡ ଓ ମୋବାଇଲ୍ ଫୋନ୍ ଜବତ ହୋଇଛି।

ଆଲିଗଡ଼, ଉତ୍ତର ପ୍ରଦେଶ:  ସଦ୍ୟ ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାରେ ଅବୈଧ ଭାବରେ ରହୁଥିବା ୧୨ ଜଣ ବାଂଲାଦେଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ଧରା ପଡ଼ିଥିବା ସମସ୍ତ ୧୨ ବାଂଲାଦେଶୀଙ୍କ ମଧ୍ୟରୁ ୮ ଜଣ ଗିରଫ ହୋଇଥିବା ବେଳେ, ବାକି ୪ ଜଣ ନାବାଳକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୋଗ ହୋଇଛି ଯେ ଗିରଫ ହୋଇଥିବା ସମସ୍ତ ବାଲାଂଦେଶୀ ବେଆଇନ ଭାବରେ ଭାରତରେ ଅନୁପ୍ରବେଶ କରିଥିଲେ। ନିଜର ପରିଚୟ ଲୁଚାଇ ସେମାନେ ଏଠାରେ ରହୁଥିଲେ। ସେମାନଙ୍କ ଠାରୁ ନକଲି ଆଧାର କାର୍ଡ, ପ୍ୟାନ୍ କାର୍ଡ, ଭୋଟର ପରିଚୟପତ୍ର, ବ୍ୟାଙ୍କ ପାସବୁକ୍, EPFO ​​କାର୍ଡ଼ ଏବଂ ୫ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା।

ପୋଲିସ କହିବା ଅନୁଯାୟୀ ରୋରାୱାର ଥାନାକୁ ଗିରଫ ହୋଇଥିବା ବାଂଲାଦେଶୀଙ୍କ ସମ୍ପର୍କରେ ଗୁପ୍ତ ସୂଚନା ମିଳିଥିଲା। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ୧୨ ଜଣଙ୍କୁ ଗିରଫ କରିଥିଲା। ଜେରା ସମୟରେ ସେମାନେ ନିଜକୁ ବାଂଲାଦେଶର ଗୟାବାନ୍ଦା ଜିଲ୍ଲାର ବାସିନ୍ଦା ବୋଲି କହିଥିଲେ। ସେମାନେ ଆଲିଗଡ଼ ଜିଲ୍ଲାର କୋତୱାଲି ନଗର ଅଞ୍ଚଳର ଭୁଜପୁରା ସ୍ଥିତ ହଡ୍ଡି ଗୋଦାମ ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିଲେ।

ଏହା ସହ ପଢନ୍ତୁ: ଫରିଦାବାଦରେ ପାକିସ୍ତାନ ଓ ISI ସମର୍ଥନରେ ନାରାବାଜି ଅଭିଯୋଗ, ଭାଇରାଲ ଭିଡିଓ ପରେ ଗିରଫ

ଘଟଣାକୁ ନେଇ କ'ଣ କହିଲା ପୋଲିସ?
ଏହି ଘଟଣାରେ ପ୍ରତିକ୍ରିୟା ରଖି ଆଲିଗଡ଼ି ସିଟି ଏସପି ସିଟି ଆଦିତ୍ୟ ବଂଶଲ କହିଛନ୍ତି ଯେ ଗିରଫ ବାଂଲାଦେଶୀ ବେଆଇନ ଭାବରେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ। ସେମାନେ କୋତୱାଲି ଅଞ୍ଚଳର ଏକ ସ୍ଥାନୀୟ ଠିକଣାରେ ଆଧାର କାର୍ଡ, ପ୍ୟାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ସମେତ ଅନ୍ୟାନ୍ୟ କାଗଜପତ୍ର ହାତେଇଥିଲେ। ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ EPFO ​​କାର୍ଡ ମଧ୍ୟ ଜବତ କରାଯାଇଥିଲା। ପୋଲିସ ବାଂଲାଦେଶରେ ରହୁଥିବା ପରିବାର ସଦସ୍ୟଙ୍କ ସହ ସେମାନଙ୍କ ମୋବାଇଲ୍ ଫୋନ୍‌ ରେ କଥାବାର୍ତ୍ତା ହେଉଥିବାର ଏବଂ ମେସେଜ୍ ପଠାଉଥିବାର ପ୍ରମାଣ ମଧ୍ୟ ପାଇଥିଲା। ଗିରଫ ହୋଇଥିବା ୮ ପ୍ରାପ୍ତ ବୟସ୍କ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ମହମ୍ମଦ ସରିଫ୍ ଉଲ୍, ଶାହରୁଖ, ମହମ୍ମଦ ସଲମାନ୍, ଶାହନାଜ୍, ହାଇଦର ଅଲି, ରୁକସାନା, ଉଭେଶ୍ ଏବଂ ଅମିନା ବେଗମ। ଅନ୍ୟପଟେ ୪ ଜଣ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଏସପି ସିଟି କହିଛନ୍ତି ଯେ ରୋରାୱାର ଥାନାରେ BNS ଏବଂ ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ଆକ୍ଟ ୨୦୨୫ (Immigration & Foreigners Act 2025) ର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ସମସ୍ତ ୮ ଜଣ ପ୍ରାପ୍ତ ବୟସ୍କ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ରେ ହାଜର କରାଯାଇଛି। ଉଦ୍ଧାର ହୋଇଥିବା କାଗଜ ପତ୍ରର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ସେମାନଙ୍କୁ ଏପରି ଜାଲ୍ ଡକ୍ୟୁମେଣ୍ଟ ଯୋଗାଇ ଦେବାରେ କିଏ ସାହାଯ୍ୟ କରିଥିଲା ​​ଏବଂ ଏହି ମାମଲାରେ ଆଉ କିଏ ସମ୍ପୃକ୍ତ ଅଛି ତାହା ମଧ୍ୟ ତଦନ୍ତ କରୁଛି ପୋଲିସ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: