Videos
|
National

Ex MP Surrender / ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ସୁପ୍ରିମ ଝଟକା; ମାସେ ଭିତରେ ଆତ୍ମସମର୍ପଣ ନିର୍ଦ୍ଦେଶ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ସୁପ୍ରିମ ଝଟକା; ମାସେ ଭିତରେ ଆତ୍ମସମର୍ପଣ ନିର୍ଦ୍ଦେଶ
Anand Mohan surrender

Key Points

ସୁପ୍ରିମକୋର୍ଟରୁ ଆନନ୍ଦ ମୋହନଙ୍କୁ ଝଟକା
ଜାମିନକୁ ଅସମ୍ବିଧାନିକ କହିଲେ କୋର୍ଟ
ମାସେ ଭିତରେ ଆତ୍ମସମର୍ପଣ ନିର୍ଦ୍ଦେଶ
ପାଟନା: ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ୧୯୯୪ରେ ଗୋପାଳଗଞ୍ଜର ତତ୍କାଳୀନ ଜିଲ୍ଲାପାଳ ଜି. କୃଷ୍ଣୈୟାଙ୍କ ହତ୍ୟା ମାମଲାରେ ତାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ବିହାର ସରକାର ଦେଇଥିବା ଜାମିନ ଆଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ ଆନନ୍ଦ ମୋହନଙ୍କୁ ଆସନ୍ତା ଏକ ମାସ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ରହିଛି ।

  • "ସଜା କୋହଳ ନୀତିର ସଂଶୋଧନ ଅସାମ୍ବିଧାନିକ"
୨୦୨୩ରେ ବିହାର ସରକାର ସଜା କୋହଳ ନୀତିରେ ଯେଉଁ ସଂଶୋଧନ କରିଥିଲେ, ତାହାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ସଂଶୋଧନ ଅନୁସାରେ, ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀଙ୍କୁ ମଧ୍ୟ ସଜା କୋହଳ କରି ମୁକ୍ତି ଦେବାର ବାଟ ଖୋଲିଥିଲା । ତେବେ ଏହି ପରିବର୍ତ୍ତନର ପଛରେ କୌଣସି ଯୁକ୍ତିସଙ୍ଗତ କିମ୍ବା ଲୋକହିତକର ଉଦ୍ଦେଶ୍ୟ ନଥିବା କହି ଏହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

  • ଉମା କୃଷ୍ଣୈୟାଙ୍କ ଆବେଦନକୁ ଗ୍ରହଣ
ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ଶୀଳ ନାଗୁଙ୍କ ଖଣ୍ଡପୀଠ ଦିବଙ୍ଗତ IAS ଅଧିକାରୀ ଜି. କୃଷ୍ଣୈୟାଙ୍କ ପତ୍ନୀ ଉମା କୃଷ୍ଣୈୟାଙ୍କ ଦ୍ୱାରା ଦାଖଲ ରିଟ୍ ଆବେଦନକୁ ଗ୍ରହଣ କରିଛନ୍ତି । ଆନନ୍ଦ ମୋହନଙ୍କ ନେତୃତ୍ୱରେ ଥିବା ଭିଡ଼ର ଆକ୍ରମଣରେ ଜି. କୃଷ୍ଣୈୟାଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଆନନ୍ଦ ମୋହନଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା । କିନ୍ତୁ ବିହାର ସରକାରଙ୍କ ସଜା କୋହଳ ନିଷ୍ପତ୍ତି ପରେ ୧୪ ବର୍ଷ ଜେଲରେ ରହି ୨୦୨୩ ଏପ୍ରିଲ ୨୪ରେ ସେ ମୁକ୍ତ ହୋଇଥିଲେ ।

  • ପୀଡ଼ିତ ପକ୍ଷକୁ ଶୁଣାଣିର ସୁଯୋଗ ଦେବା ଜରୁରୀ
ସଜା କୋହଳ ନିଷ୍ପତ୍ତି ନେବା ପୂର୍ବରୁ ପୀଡ଼ିତ ପକ୍ଷକୁ ନିଜ ମତ ରଖିବାର ସୁଯୋଗ ଦେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ପୀଡ଼ିତ ପକ୍ଷର ଆପତ୍ତିକୁ ନିଷ୍ପତ୍ତି ଉପରେ ଚୂଡ଼ାନ୍ତ ଭିଟୋ ଅଧିକାର ଭାବେ ଗ୍ରହଣ କରାଯାଇପାରିବ ନାହିଁ । ନ୍ୟାୟ ପ୍ରକ୍ରିୟାରେ ପୀଡ଼ିତଙ୍କ ମତକୁ ଗୁରୁତ୍ୱ ଦେବା ଉଚିତ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ସମ୍ବିଧାନର ଧାରା ୧୪ ଓ ୨୧ର ଉଲ୍ଲଂଘନ
ବିହାର ସରକାରଙ୍କ ୨୦୨୩ର ସଂଶୋଧନକୁ ହଠାତ୍ ଓ ବିନା ଯୁକ୍ତିସଙ୍ଗତ ଉଦ୍ଦେଶ୍ୟରେ କରାଯାଇଥିବା ପରିବର୍ତ୍ତନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାର ଏହା ପଛରେ କୌଣସି ବୈଧ ସାର୍ବଜନୀନ ଉଦ୍ଦେଶ୍ୟ ପ୍ରମାଣ କରିପାରିନଥିବାରୁ ସମ୍ବିଧାନର ଧାରା ୧୪ ଓ ୨୧ର ଉଲ୍ଲଂଘନ ହୋଇଥିବା କହିଛନ୍ତି କୋର୍ଟ। ଏହି ସଂଶୋଧନକୁ ଅସାମ୍ବିଧାନିକ ଘୋଷଣା କରାଯାଇଛି ।

  • ଏକ ମାସ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ
ସୁପ୍ରିମକୋର୍ଟ ଆନନ୍ଦ ମୋହନଙ୍କୁ ଏକ ମାସ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଛନ୍ତି । ଅନ୍ୟପଟେ, ପୀଡ଼ିତ ପକ୍ଷଙ୍କୁ ଶୁଣିବା ପରେ ନୂଆ ଭାବେ ସଜା କୋହଳ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାର ସ୍ୱାଧୀନ ବୋଲି ମଧ୍ୟ କୋର୍ଟ କହିଛନ୍ତି । ଅର୍ଥାତ ନିୟମ ଅନୁସାରେ ପୁନର୍ବାର ଏହି ମାମଲାରେ ସଜା କୋହଳ ନିଷ୍ପତ୍ତି ଉପରେ ବିଚାର କରାଯାଇପାରିବ ।

ପଢନ୍ତୁ ଏହି ଖବର: ୩ ବର୍ଷରୁ କମ୍ ବୟସର ଶିଶୁ ଥିବା କର୍ମଚାରୀଙ୍କୁ ରାତି ଡ୍ୟୁଟିରୁ ଛାଡ଼; ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ

  • ଜାମିନ ପାଇଁ ବଦଳିଥିଲା ଜେଲ୍ ମାନୁଆଲ୍
ବିହାର ଜେଲ୍ ମାନୁଆଲ୍ ୨୦୧୨ର ନିୟମ ୪୮୧(୧)(ଏ)ରେ ୨୦୨୩ ଏପ୍ରିଲରେ ସଂଶୋଧନ କରାଯାଇଥିଲା । ଏହା ପୂର୍ବରୁ ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କ ହତ୍ୟା ମାମଲାରେ ଦୋଷୀ ବ୍ୟକ୍ତିଙ୍କୁ ଅତିକମରେ ୨୦ ବର୍ଷ କାରାଦଣ୍ଡ ଭୋଗିବା ପରେ ହିଁ ସଜା କୋହଳ ସୁବିଧା ମିଳିପାରୁଥିଲା । କିନ୍ତୁ ନୂଆ ସଂଶୋଧନ ଏହି ପ୍ରତିବନ୍ଧକକୁ ହଟାଇ ଦେଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ଉମା କୃଷ୍ଣୈୟା କୋର୍ଟରେ ଆବେଦନ କରିଥିଲେ ।

  • ନ୍ୟାୟ ପାଇଁ ସକ୍ରିୟ ହେବା ଜରୁରୀ କୋର୍ଟ
ରାୟର ଆରମ୍ଭରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଥିଓଡୋର ରୁଜଭେଲ୍ଟଙ୍କ ଉଦ୍ଧୃତିକୁ ଉଲ୍ଲେଖ କରିଥିଲେ ଜଷ୍ଟିସ୍ ଦୀପଙ୍କର ଦତ୍ତ । ନ୍ୟାୟ ପାଇଁ ସତ୍ୟର ପକ୍ଷ ନେବା ଜରୁରୀ, ଠିକ୍ ଓ ଭୁଲ୍ ମଧ୍ୟରେ ନୀରବ ଦର୍ଶକ ହୋଇ ରହିବା ଉଚିତ ନୁହେଁ । ଆଇନ ଅନୁସାରେ ଅଧିକାରକୁ ସୁରକ୍ଷା ଦେବା ଓ ସତ୍ୟର ଖୋଜ କରିବାରେ କୋର୍ଟର ସକ୍ରିୟ ଭୂମିକା ରହିବା ଆବଶ୍ୟକ ବୋଲି ଏହି ରାୟରେ ଉଲ୍ଲେଖ କରାଯାଇଛି । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆନନ୍ଦ ମୋହନଙ୍କ ଜାମିନ ଆଦେଶ ରଦ୍ଦ ହୋଇଛି । ଏବେ ଏକ ମାସ ମଧ୍ୟରେ ତାଙ୍କୁ ପୁଣି ଆତ୍ମସମର୍ପଣ କରିବାକୁ ପଡ଼ିବ ।