କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି, ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ୫ ବର୍ଷ ବୃଦ୍ଧି

ଅର୍ଗସ ବ୍ୟୁରୋ : ଛତିଶଗଡ଼ ଦୁର୍ଗର ନିର୍ବାଚନୀ ମଞ୍ଚରୁ ବଡ଼ ଘୋଷଣା । ଆଗାମୀ ୫ ବର୍ଷ ଯାଏ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିବ ମାଗଣା ରାସନ ସାମଗ୍ରୀ । ୮୧ କୋଟିରୁ ଅଧିକ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିଲେ ଦୀପାବଳି ଭେଟି । ଏବେ କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତିରେ ମୋହର ମାରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ଆଉ ୫ ବର୍ଷ ବୃଦ୍ଧି କରାଯାଇଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଆସନ୍ତା ଜାନୁଆରୀ ୧ ତାରିଖରୁ ୫ ବର୍ଷ ଯାଏ ଦେଶବାସୀଙ୍କୁ ମାଗଣା ରାସନ ଯୋଗାଣର ଇଏ ହେଉଛି ମୋଦି ଗ୍ୟାରେଣ୍ଟି । ଅନ୍ତ୍ୟୋଦୟ ପରିବାରଙ୍କ ପାଇଁ ବି ମାସିକ ୩୫ କେଜି ମାଗଣା ରାସନ ଯୋଗାଣ ଜାରି ରହିବ । ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ଯୋଜନାରେ ୧୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ମୋଦି ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରଥମେ କୋରୋନା କାଳରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ପ୍ରାୟ ୮୧ କୋଟି ଭାରତୀୟଙ୍କୁ ମାଗଣାରେ ୫ କିଲୋ ଚାଉଳ କିମ୍ବା ଗହମ ଦିଆଯାଉଥିଲା । କୋରନା ପ୍ରଭାବ କମିବା ପରେ ବି ୨୦୨୨ ଡିସେମ୍ବର ଯାଏ ଏହି ଯୋଜନା ଜାରି ରହିଥିଲା । ୨୮ ମାସ ଯାଏ ଚାଲିଥିବା ଏହି ଯୋଜନାରେ ମୋଦି ସରକାର ୧ ଲକ୍ଷ ୮୦ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତେବେ ୨୦୨୨ରେ ୫ କିଲୋ ପରିବର୍ତ୍ତେ ପୁରା ରାସନକୁ ମାଗଣା ଦେବାକୁ ନିଷ୍ପତ୍ତି ନେଇଥିଲେ ମୋଦି ସରକାର । ଏଥିସହ ୱାନ ନେସନ - ୱାନ ରାସନ କାର୍ଡ ପ୍ରଚଳନ କରିଥିଲେ ମୋଦି ସରକାର । ଯାହା ଫଳରେ କାମ ପାଇଁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କୁ ସେଠାରେ ମାଗଣାରେ ରାସନ ମିଳିପାରିଲା ।
📱 Get Argus News App
✨ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ଏବେ ଦେଶର ୮୧ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ୨୦୨୨ ଡିସେମ୍ବରରେ ମୋଦି ସରକାର ବର୍ଷେ ଯାଏଁ ଏହି ଯୋଜନା ଜାରି ରହିବ ବୋଲି ଘୋଷଣା କରିଥିଲେ । ଅର୍ଥାତ ଆସନ୍ତା ମାସରେ ମାଗଣା ରାସନ ଯୋଜନାର ଅବଧି ଶେଷ ହେଉଥିଲା । ତା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହାକୁ ଆଉ ୫ ବର୍ଷ ବଢ଼ାଇବାକୁ ଘୋଷଣା କରି ଦେଇଥିଲେ ବଡ଼ ଆଶ୍ବସ୍ତି ।
ଗତ ୫ ବର୍ଷରେ ଦେଶର ୧୩ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖା ଉପରକୁ ଉଠିଛନ୍ତି । ଏବେ ଆଉ ୫ ବର୍ଷ ଯାଏ ମାଗଣା ରାସନ ଯୋଜନା ଅବଧି ବଢାଇବା ଲାଗି ମୋଦି ସରକାରଙ୍କ ନିଷ୍ପତ୍ତି ଗରିବ ହିତାଧିକାରୀଙ୍କ ମୁହଁରେ ହସ ଫୁଟାଇଛି । ଏଥିସହ ପୁଣିଥରେ ପ୍ରମାଣିତ ହୋଇଛି ଗରିବ କଲ୍ୟାଣ ନେଇ ମୋଦି ସରକାରଙ୍କ ପ୍ରତିବଦ୍ଧତା ।