Videos
|
National

Delhi Diwali Celebration / ପ୍ରଦୂଷଣ ସାଙ୍ଗକୁ ପାର୍ବଣର ଖୁସି; ଦୀପାବଳି ପାଇଁ ଉତ୍ସବମୁଖର ଦିଲ୍ଲୀ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପ୍ରଦୂଷଣ ସାଙ୍ଗକୁ ପାର୍ବଣର ଖୁସି; ଦୀପାବଳି ପାଇଁ ଉତ୍ସବମୁଖର ଦିଲ୍ଲୀ
Delhi Diwali Celebration

Key Points

କେମିତି ହେବ ଦିଲ୍ଲୀବାସୀଙ୍କ ଦୀପାବଳି ?
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କେବଳ 'ଗ୍ରୀନ୍ କ୍ରାକର୍ସ'କୁ ଅନୁମତି
ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳିକୁ ନେଇ ଚଳଚଞ୍ଚଳ ଦେଶର ରାଜଧାନୀ । ଐତିହାସିକ ଚାନ୍ଦନୀ ଚୌକ୍‌ଠାରୁ ଆରମ୍ଭ କରି ସଦର ବଜାର, ସବୁଠି ଜମୁଛି ଗ୍ରାହକଙ୍କ ପ୍ରବଳ ଭିଡ଼ । ମାଟି ଦୀପ, ରଙ୍ଗବେରଙ୍ଗର ଝାଲର ଲାଇଟ୍, ଆକର୍ଷଣୀୟ ସାଜସଜ୍ଜା ସାମଗ୍ରୀ ସହ ଚାଲିଛି ଜୋରଦାର କିଣାବିକା । ତେବେ ଅନ୍ୟପଟେ ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ଭିତରେ ବାଣ ବିକ୍ରି ଓ ବ୍ୟବହାରକୁ ନେଇ ରହିଛି କଡ଼ା କଟକଣା ।

  • ଉତ୍ସବମୁଖର ଜାତୀୟ ରାଜଧାନୀ
ଦୀପାବଳିର ଆଗମନ ସହ ବଦଳିଯାଇଛି ଐତିହାସିକ ଚାନ୍ଦନୀ ଚୌକ୍ ବଜାରର ପୂରା ଚିତ୍ର । ସକାଳୁ ସନ୍ଧ୍ୟା, ସବୁବେଳେ ବଜାରରେ ଜମୁଛି ଗ୍ରାହକଙ୍କ ଅସମ୍ଭାଳ ଗହଳି । ରଙ୍ଗବେରଙ୍ଗ ଲାଇଟ୍‌ର ଚମକ ସାଙ୍ଗକୁ ମାଟି ଦୀପ, ରଙ୍ଗୋଲି, ପୂଜା ସାମଗ୍ରୀ ଓ ଘର ସଜାଇବାର ବିଭିନ୍ନ ଆକର୍ଷଣୀୟ ଜିନିଷରେ ଭରି ରହିଛି ଦୋକାନଗୁଡ଼ିକର ପସରା । ଘର ସଜାଇବା ସହ ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ମଧ୍ୟ ଚାଲିଛି ଜୋରଦାର କିଣାକିଣି । କିଏ ନିଜ ପସନ୍ଦର ଡିଜାଇନର୍ ଲାଇଟ୍ ଖୋଜୁଛି ତ ଆଉ କିଏ ଘରର ମୁଖ୍ୟ ଦ୍ୱାର ପାଇଁ ଆକର୍ଷଣୀୟ ତୋରଣ କିଣୁଛି । ଦୀପାବଳିରେ ଭଲ ବ୍ୟବସାୟ ହେବା ଆଶାରେ ବ୍ୟବସାୟୀଙ୍କ ମୁହଁରେ ମଧ୍ୟ ହସ ଫୁଟିଛି ।

  • କେବଳ ଗ୍ରୀନ କ୍ରାକର୍ସକୁ ଅନୁମତି
ଦୀପାବଳି ପାଇଁ ଦିଲ୍ଲୀ ବଜାରରେ ଦୀପ ଓ ଆଲୋକମାଳା ସହ ବାଣ କିଣିବାକୁ ମଧ୍ୟ ଗ୍ରାହକଙ୍କ ଜୋରଦାର ଭିଡ଼ ଜମୁଛି। ଚାନ୍ଦନୀ ଚୌକ୍‌ର ଜାମା ମସଜିଦ୍ ଅଞ୍ଚଳଠାରୁ ଆରମ୍ଭ କରି ସଦର ବଜାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବାଣ ବିକ୍ରି ହେଉଛି। ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଉପରେ ରହିଛି ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶାବଳୀ । କେବଳ ଅନୁମୋଦିତ 'ଗ୍ରୀନ୍ କ୍ରାକର୍ସ'କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନଭେମ୍ବର ୪ରୁ ୬ ତାରିଖ ମଧ୍ୟରେ ବିକ୍ରି କରିବାକୁ ଅନୁମତି ଦିଆଯାଇଛି । ବଜାରରେ ପାରମ୍ପରିକ ଓ ବିନା ପ୍ରମାଣପତ୍ରର ବାଣ ବିକ୍ରି ହେଉଥିବା ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ପଢନ୍ତୁ ଏହି ଖବର: ଦୀପାବଳି ପୂର୍ବରୁ ମାଟି ଦୀପର ଚାହିଦା ବଢ଼ିଲା… ଚକି ଘୂରୁଛି, ହେଲେ ଲାଭ ନେଉଛି ମେସିନ୍ ଦୀପ


ବାଣର ଧୂଆଁ ଯେପରି ଦିଲ୍ଲୀର ବାୟୁମଣ୍ଡଳକୁ ଆହୁରି ବିଷାକ୍ତ ନକରେ, ସେଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ନଜର ରଖାଯାଇଛି । ଦୀପାବଳିକୁ ନେଇ ଦିଲ୍ଲୀବାସୀଙ୍କ ମଧ୍ୟରେ ଉତ୍ସାହ ଏବେ ଶୀର୍ଷରେ । ହେଲେ ପ୍ରଦୂଷଣ ସଙ୍କଟ ଭିତରେ ପରିବେଶକୁ ସୁରକ୍ଷିତ ରଖି ଏହି ଆଲୋକର ପର୍ବକୁ ପାଳନ କରିବା ଏବେ ସମସ୍ତଙ୍କ ପାଇଁ ବଡ଼ ଦାୟିତ୍ୱ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: