Videos
|
National

Delhi Building Collapse / ବିଲ୍ଡିଂ ଟ୍ରାଜେଡି; କିଛି ଦିନ ତଳେ ଭଉଣୀ ହାତରୁ ରାଖି ବାନ୍ଧି ଫେରିଥିଲେ, ଗଲା ଜୀବନ

Debashree Debasmita Sahoo
Browse all articles by Debashree Debasmita Sahoo
·51 mins ago·3 min read
ବିଲ୍ଡିଂ ଟ୍ରାଜେଡି; କିଛି ଦିନ ତଳେ ଭଉଣୀ ହାତରୁ ରାଖି ବାନ୍ଧି ଫେରିଥିଲେ, ଗଲା ଜୀବନ
Delhi Building Collapse

Key Points

ଦିଲ୍ଲୀ ପିଜି କୋଠା ଭୁଶୁଡ଼ିବା ଘଟଣା
ଚାଲିଗଲେ ୨ ଛାତ୍ର ଅର୍ପିତ ଓ ଯୁବରାଜ
ଭଉଣୀ ହାତରୁ ରାଖି ବାନ୍ଧି ଘରୁ ଫେରିଥିଲେ
ହେଲେ ଆଉ କେବେହେଲେ ଘରକୁ ଫେରିବେନି
ଦିଲ୍ଲୀ ସତ୍ୟ ନିକେତନର ପାଞ୍ଚ ମହଲା ବିଶିଷ୍ଟ ପିଜି କୋଠା ଭୁଶୁଡ଼ିବା ଘଟଣାରେ ଏଯାବତ୍ ୭ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୧୨ ଜଣ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ଏହି ମୃତକଙ୍କ ମଧ୍ୟରେ ଅଛନ୍ତି ମଧ୍ୟପ୍ରଦେଶ ଦେବାସର ଛାତ୍ର ଅର୍ପିତ୍ ଜାଜ୍ ଓ ଛତିଶଗଡ଼ର ଦୁର୍ଗ ଅଧିବାସୀ ୨୦ ବର୍ଷୀୟ ଯୁବରାଜ ସୋନି । ଉଭୟ କିଛି ଦିନ ତଳେ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଯାଇଥିଲେ । ଭଉଣୀ ହାତରୁ ରାଖି ବାନ୍ଧି ପୁଣି ଦିଲ୍ଲୀ ଫେରିଥିଲେ । ହେଲେ ଗତକାଲି ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ଉଭୟଙ୍କ ଅକାଳ ବିୟୋଗ ଘଟିଛି ।

ରବିବାର ଅପରାହ୍ନ ୧.୩୦ଟା ପରେ ହଠାତ୍ ଦିଲ୍ଲୀ ସତ୍ୟ ନିକେତନ ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା । ଆଖି ପିଛୁଳାକେ ବଡ଼ ଅଟ୍ଟାଳିକାଟି ମାଟିରେ ମିଶିଥିଲା । କିଛି ସମୟ ପାଇଁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ରବିବାର ଛୁଟି ଥିବାରୁ କିଛି ପିଲା ଘରକୁ ଯାଇଥିଲେ । କିନ୍ତୁ କିଛି ପିଲା ପିଜି ଭିତରେ ହିଁ ଥିଲେ । ହଠାତ୍ କୋଠା ଭୁଶିଡ଼ିବା ପରେ ୭ ଜଣଙ୍କର ମୃତ୍ୟୁ ଘଟିଲାଣି । ପାଠ ପଢିବା ପାଇଁ ଘରୁ ଗୋଡ଼ କାଢିଥିବା ଭେଣ୍ଡିଆ ପୁଅଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

  • ଅର୍ପିତ ଜାଜ୍‌ଙ୍କ ମୃତ୍ୟୁ
ମଧ୍ୟ ପ୍ରଦେଶର ଅର୍ପିତ ଜାଜ୍ ଅଘଟଣ ବେଳେ କୋଠା ଭିତରେ ଥିଲେ । ସେ କୋଠାର ଭଗ୍ନାବଶେଷ ତଳେ ଫସି ରହିଥିବା ପରିବାରକୁ ଖବର ମିଳିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିଲା । ଅର୍ପିତଙ୍କ ବାପା ଭୂପେନ୍ଦ୍ର ଜାଜ୍ ପୁଅର ମୃତ୍ୟୁ ଖବର ପୂରା ପରିବାରକୁ ଦେଇଥିଲେ । ଏବେ ପରିବାର ତାଙ୍କ ପାର୍ଥିବ ଶରୀରକୁ ଦେବାସ ଆଣିବାକୁ ବ୍ୟବସ୍ଥା କରୁଛି । ସେପଟେ ନାତିର ମୃତ୍ୟୁ ଖବର ଶୁଣି ଅର୍ପିତଙ୍କ ଜେଜେବାପା ମର୍ମାହତ ହୋଇପଡ଼ିଛନ୍ତି । ତାଙ୍କ ଆଖିରୁ ଲହ ଶୁଖୁନି । ଯେଉଁ ହାତରେ ନାତିକୁ କାଖେଇ, ଖେଳେଇ ବଡ଼ କରିଥିଲେ ସେ ଏବେ ଆଉ ଏ ଦୁନିଆରେ ନାହିଁ । ପରିଣତ ବୟସରେ ଏହି ଦୁଃଖକୁ ସହ୍ୟ କରିପାରିନାହାନ୍ତି ଅର୍ପିତଙ୍କ ଜେଜେବାପା । ଅର୍ପିତ କିଛି ଦିନ ତଳେ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଆସିଥିଲେ ।

  • ରାଖି ବାନ୍ଧି ଘରୁ ଫେରିଥିଲେ ଯୁବରାଜ
ସେପଟେ ଛତିଶଗଡ଼ ଦୁର୍ଗ ଅଞ୍ଚଳର ଯୁବରାଜ ସୋନି (୨୦) କିଛି ଦିନ ତଳେ ରାକ୍ଷୀ ପୂର୍ଣ୍ଣିମା ପାଇଁ ଘରକୁ ଯାଇଥିଲେ । ପରିବାର ସହ ଦିନ କାଟିଥିଲେ । ଭଉଣୀ ହାତରୁ ରାଖି ବାନ୍ଧି, ମିଠା ଖାଇ ଦିଲ୍ଲୀ ଫେରିଥିଲେ । ତାଙ୍କର ଗୋଟିଏ ଛୋଟ ଭଉଣୀ ଅଛି, ଯିଏକି ନବମ ଶ୍ରେଣୀରେ ପଢୁଛି । ଯୁବରାଜ ପାଠ ପଢି ଭବିଷ୍ୟତରେ ଜଣେ ସଫଳ ବ୍ୟକ୍ତି ହେବେ ବୋଲି ସମସ୍ତଙ୍କ ଆଶା ଥିଲା । ଏଥିଲାଗି ଯୁବରାଜ ପରିଶ୍ରମ ମଧ୍ୟ କରୁଥିଲେ । ହେଲେ ସବୁ ଆଶା ଏବେ କେବଳ ଆଶାରେ ରହିଯାଇଛି । ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଯୁବରାଜ ।

ପଢନ୍ତୁ ଏହି ଖବର: "ବାପା, ତୁମକୁ ଅଫିସର ହେଇ ଦେଖେଇବି': ବିଲ୍ଡିଂ ଭୁଶୁଡ଼ି ପୁଅ ଚାଲିଗଲା; ମନେ ପକାଇ କାନ୍ଦିଲେ ବାପା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଭୁଶୁଡ଼ିଥିବା କୋଠାର ମାଲିକ ଗିରଫ
ଦିଲ୍ଲୀ କୋଠା ଭୁଶୁଡି ପଡିଥିବା ଘର ମାଲିକ ଧରାପଡିଛନ୍ତି । ଘର ମାଲିକ ହରିରାମ ଗୁପ୍ତାଙ୍କୁ ରାଜସ୍ଥାନରୁ ଅଟକ ରଖି ପଚରା ଉଚରା କରୁଛି । ତାଙ୍କୁ ଧରିବାକୁ ପୋଲିସର ୧୦ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ସେପଟେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ଏହି ଘଟଣାରେ ସରକାରଙ୍କ ପକ୍ଷରୁ ବଡ଼ ଆକ୍ସନ ନିଆଯାଇଛି । ଦିଲ୍ଲୀ ମହାନଗର ନିଗମ (MCD) ଡେପୁଟି କମିଶନରଙ୍କ ସହିତ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର, ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଜୁନିୟର ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି ।