Videos
|
National

Last Funeral Package / ଅନ୍ତିମ ସଂସ୍କାର ପ୍ୟାକେଜ୍; ୪ କାନ୍ଧରୁ ପିଣ୍ଡଦାନ ଯାଏଁ ସବୁ ବ୍ୟବସ୍ଥା; ଜାଣନ୍ତୁ କେତେ ରହିଛି ଦାମ

Debashree Debasmita Sahoo
Browse all articles by Debashree Debasmita Sahoo
·21 mins ago·3 min read
ଅନ୍ତିମ ସଂସ୍କାର ପ୍ୟାକେଜ୍; ୪ କାନ୍ଧରୁ ପିଣ୍ଡଦାନ ଯାଏଁ ସବୁ ବ୍ୟବସ୍ଥା; ଜାଣନ୍ତୁ କେତେ ରହିଛି ଦାମ
Last Funeral Package

Key Points

ଦିଲ୍ଲୀ ଷ୍ଟାର୍ଟଅପ୍ ଆଣିଲା ଅନ୍ତିମ ସଂସ୍କାର ପ୍ୟାକେଜ୍
ବଞ୍ଚି ଥାଉଥାଉ କରିପାରିବେ ନିଜ ଶବଦାହ ବୁକିଂ
ନୂଆଦିଲ୍ଲୀ: ବିବାହ ହେଉ କି ଘର କିଣିବା ବା ଛୁଟି କାଟିବାକୁ ଯିବା... ଜୀବନର ଅନେକ ଯୋଜନା ଆଗୁଆ ପ୍ରସ୍ତୁତ କରନ୍ତି ଲୋକେ । କିନ୍ତୁ ନିଜର ଶେଷ ଯାତ୍ରା ଅର୍ଥାତ୍ ଅନ୍ତିମ ସଂସ୍କାର ପାଇଁ କେହି ଆଗୁଆ ଯୋଜନା କରନ୍ତି କି ? ଏବେ ଏହି ଅସାଧାରଣ ଚିନ୍ତାଧାରାକୁ ବ୍ୟବସାୟର ରୂପ ଦେଇଛି ଦିଲ୍ଲୀର ଏକ ଷ୍ଟାର୍ଟଅପ୍ । ମୃତ୍ୟୁ ପରେ ଶେଷକୃତ୍ୟର ସମସ୍ତ ବ୍ୟବସ୍ଥାଠାରୁ ଆରମ୍ଭ କରି ପିଣ୍ଡଦାନ ପର୍ଯ୍ୟନ୍ତ ସେବା ଯୋଗାଉଛି ଏହି କମ୍ପାନୀ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା, ଜୀବିତ ଥିବା ସମୟରେ ମଧ୍ୟ ନିଜ ଅନ୍ତିମ ସଂସ୍କାର ପାଇଁ ବୁକିଂ କରିହେବ।

  • ୬ ହଜାରରୁ ୧.୫ ଲକ୍ଷ ଟଙ୍କା ଯାଏଁ ଫ୍ୟୁନେରାଲ୍ ପ୍ୟାକେଜ୍
‘ମୋକ୍ଷ ଭଏଜ୍’ ନାମକ ଏହି ଷ୍ଟାର୍ଟଅପ୍, ନମୋ ଗଙ୍ଗେ ୱେଲନେସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପ୍ରଦାନ କରାଯାଉଛି । ପରିବାରର କେହି ଚାଲିଗଲେ, ସେହି ଶୋକାକୁଳ ସମୟରେ ଆତ୍ମୀୟଙ୍କ ଉପରେ ପଡ଼ୁଥିବା ବ୍ୟବସ୍ଥାର ଚାପକୁ କମ୍ କରିବା ରହିଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ମୃତଦେହକୁ କାନ୍ଧ ଦେବା ପାଇଁ ଲୋକ, ଶବଦାହ, ପୁରୋହିତ, ଧାର୍ମିକ ରୀତିନୀତି ଏବଂ ଅନ୍ତିମ ସଂସ୍କାର ପରବର୍ତ୍ତୀ କାର୍ଯ୍ୟ ସବୁକିଛିର ଦାୟିତ୍ୱ ନେଉଛି ଏହି ସଂସ୍ଥା । ୱେବସାଇଟ୍ ଅନୁସାରେ, ବିଭିନ୍ନ ସେବା ଓ ପ୍ୟାକେଜ୍ ଆଧାରରେ ଏହାର ମୂଲ୍ୟ ପ୍ରାୟ ୬ ହଜାର ଟଙ୍କାରୁ ଆରମ୍ଭ କରି ୧.୫ ଲକ୍ଷ ଟଙ୍କା ଯାଏଁ ରହିଛି ।

  • ମିଳିବ ଏହି ସମସ୍ତ ସୁବିଧା
କେବଳ ଶବଦାହ ସଂସ୍କାର ନୁହେଁ, ଅସ୍ଥି ସଂଗ୍ରହ, ଅସ୍ଥି ବିସର୍ଜନ, ଶ୍ରାଦ୍ଧ କର୍ମ ଏବଂ ଅନ୍ୟାନ୍ୟ ଧାର୍ମିକ ରୀତିନୀତିରେ ମଧ୍ୟ ସହାୟତା ଯୋଗାଉଛି ଏହି ଷ୍ଟାର୍ଟଅପ୍ । ଅସ୍ଥି ବିସର୍ଜନ ପାଇଁ ନୌକା ଏବଂ ଘାଟ ବ୍ୟବସ୍ଥାଠାରୁ ଆରମ୍ଭ କରି ପୁରୋହିତଙ୍କ ଯୋଗାଡ଼ ପର୍ଯ୍ୟନ୍ତ ସମସ୍ତ ସେବା ଉପଲବ୍ଧ ରହିଛି । ପରିବାର ଚାହିଁଲେ ନିଜ ମୃତ୍ୟୁ ପରେ ଏହି ସବୁ ରୀତିନୀତି କିଭଳି ହେବ, ତାହା ଆଗୁଆ ଯୋଜନା କରି ସେବା ବୁକ୍ କରିପାରିବେ ।

  • ସେବା ଓ ସମାଜର ଯତ୍ନକୁ ଗୁରୁତ୍ୱ ଦେଉଛି କମ୍ପାନୀ
କମ୍ପାନୀର କହିବା ଅନୁସାରେ, ଏହାର ମୂଳ ଲକ୍ଷ୍ୟ କେବଳ ବ୍ୟବସାୟ ନୁହେଁ, ବରଂ ସେବା, ସଚେତନତା, ଶିକ୍ଷା ଓ ସମାଜର ଯତ୍ନ । ଜୀବନର ସବୁଠୁ କଷ୍ଟଦାୟକ ସମୟରେ ପରିବାରକୁ ସହଯୋଗ କରିବା ଏବଂ ହିନ୍ଦୁ ଧାର୍ମିକ ପରମ୍ପରା ଅନୁସାରେ ସମ୍ମାନର ସହ ଅନ୍ତିମ ସଂସ୍କାର ସମ୍ପନ୍ନ କରିବା ଏହାର ଉଦ୍ଦେଶ୍ୟ ବୋଲି କମ୍ପାନୀ କହିଛି । ବର୍ତ୍ତମାନ ଦିଲ୍ଲୀ-NCR ସମେତ ଦେଶର ଅନେକ ସହରରେ ଏହା ସେବା ଯୋଗାଉଛି । ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଫେୟାରରେ ଷ୍ଟଲ୍ ଲଗାଇ ନିଜର ଏହି ନୂଆ ବ୍ୟବସାୟିକ ଚିନ୍ତାଧାରାକୁ ଲୋକଙ୍କ ସାମ୍ନାକୁ ଆଣିଛି ।

ପଢନ୍ତୁ ଏହି ଖବର: ଥିଲେ ଇଞ୍ଜିନିୟର, ଏବେ ବ୍ୟବସାୟ କରି ମାସକୁ ୩ ଲକ୍ଷ ରୋଜଗାର...କାହିଁକି ବିବାହ ପାଇଁ ଝିଅ ମିଳୁନି ?

  • ନିଜ ଅନ୍ତିମ ସଂସ୍କାରର ପ୍ରି-ବୁକିଂ
ଏହି ଅନନ୍ୟ ବ୍ୟବସାୟିକ ଚିନ୍ତାଧାରା ସୋସିଆଲ୍ ମିଡିଆରେ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି । କିଛି ଲୋକ ଏହାକୁ ଭଲ ପଦକ୍ଷେପ ବୋଲି କହୁଛନ୍ତି । ସେମାନଙ୍କ ମତରେ, ଶୋକରେ ଭାଙ୍ଗି ପଡ଼ିଥିବା ପରିବାରକୁ ଅନ୍ତିମ ସଂସ୍କାରର ବ୍ୟବସ୍ଥା ନେଇ ଦୌଡ଼ାଦୌଡ଼ି କରିବାକୁ ପଡ଼ିବ ନାହିଁ, ସବୁକିଛି ଆଗୁଆ ପ୍ରସ୍ତୁତ ରହିବ । ଅନ୍ୟପଟେ, ମୃତ୍ୟୁ ଏବଂ ଧାର୍ମିକ ପରମ୍ପରାକୁ ବ୍ୟବସାୟରେ ପରିଣତ କରିବା ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।
ଯେଉଁ ବିଷୟକୁ ଅନେକ ପରିବାର ଆଲୋଚନା କରିବାକୁ ଏଡ଼ାଇ ଯାଆନ୍ତି, ସେହି ମୃତ୍ୟୁ ଓ ଶେଷ ଯାତ୍ରାର ଯୋଜନାକୁ ଏକ ଷ୍ଟାର୍ଟଅପ୍ ବ୍ୟବସାୟିକ ମଡେଲ୍‌ରେ ପରିଣତ କରିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: