Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୂଆ ଯୁଗର ଯୁଦ୍ଧ ଲଢ଼ିବାକୁ ଭାରତ କେତେ ପ୍ରସ୍ତୁତ ?

National

Future War Strategy / ନୂଆ ଯୁଗର ଯୁଦ୍ଧ ଲଢ଼ିବାକୁ ଭାରତ କେତେ ପ୍ରସ୍ତୁତ ?

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ନୂଆ ଯୁଗର ଯୁଦ୍ଧ ଲଢ଼ିବାକୁ ଭାରତ କେତେ ପ୍ରସ୍ତୁତ ?
India's AI-Powered Military Transformation

Key Points

ଭାରତ କେବଳ AI ନୁହେଁ, ନିଜର ସମ୍ପୂର୍ଣ୍ଣ ରକ୍ଷା ଇକୋସିଷ୍ଟମକୁ ମଧ୍ୟ ସୁଦୃଢ଼ କରୁଛି । ପ୍ରତିରକ୍ଷା କ୍ଷେତ୍ରରେ AIର ଗୁରୁତ୍ୱ ବଢ଼ିବାର ଆଉ ଏକ ବଡ଼ କାରଣ ହେଉଛି ଆତ୍ମନିର୍ଭରତା ।
ନୂଆଦିଲ୍ଲୀ: AI ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତ । ଛାନିଆ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର । ଟାର୍ଗେଟ୍‌ରେ ଆକାଶ । ଅଭେଦ୍ୟ ହେଉଛି ଭାରତର ସୁରକ୍ଷା କବଚ । ହଜାର ହଜାର କୋଟି ଟଙ୍କାର ଡ୍ରୋନ୍ କିଣିବାକୁ ପ୍ରସ୍ତୁତ ଭାରତ । କେବଳ ଅସ୍ତ୍ର ନୁହେଁ, ଏବେ ଯୁଦ୍ଧର ଭବିଷ୍ୟତ ପାଇଁ ତିଆରି ହେଉଛି ସ୍ୱଦେଶୀ ଏଆଇ ଶକ୍ତି ।

ଯୁଦ୍ଧର ରଣନୀତି ବଦଳୁଛି । ରଣକ୍ଷେତ୍ରରେ ଟ୍ୟାଙ୍କ, ମିସାଇଲ ଏବଂ ଯୁଦ୍ଧବିମାନ ଯେତେ ଗୁରୁତ୍ୱପୂର୍ଣ୍ଣ, ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ଡାଟା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏବେ ଭାରତ ମଧ୍ୟ ସେହି ଦିଗରେ ବଡ଼ ପଦକ୍ଷେପ ନେଉଛି । ଲକ୍ଷ୍ୟ ସ୍ପଷ୍ଟ, ଭବିଷ୍ୟତର ଯୁଦ୍ଧ ପାଇଁ ଏକ ସ୍ୱଦେଶୀ AI ଆଧାରିତ ସୁରକ୍ଷା ବ୍ୟବସ୍ଥା ସହ ଆଗକୁ ବଢ଼ିବା ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ପ୍ରକୃତିର ତାଣ୍ଡବ; ପବନରେ ଉଡ଼ିଗଲା ଲୁହା ଷ୍ଟାଣ୍ଡ୍ 

ସେପଟେ ଋଷରୁ ପହଞ୍ଚିଛି ଆଉ ଏକ ଏସ୍-୪୦୦ ସ୍କ୍ୱାଡ୍ରନ୍ । ୨୦୧୮ରେ ରୁଷ୍ ସହ ହୋଇଥିବା ୫.୪୩ ବିଲିୟନ ଡଲାରର ଚୁକ୍ତି ଅନୁସାରେ ଭାରତ ପାଞ୍ଚଟି ଏସ୍-୪୦୦ ସ୍କ୍ୱାଡ୍ରନ୍ କିଣିଥିଲା । ସେଥିରୁ ତିନୋଟି ପୂର୍ବରୁ ଭାରତକୁ ମିଳି ସାରିଥିବା ବେଳେ, ଏବେ ଚତୁର୍ଥ ସ୍କ୍ୱାଡ୍ରନ୍ ଭାରତରେ ପହଞ୍ଚିଛି ।

ଏସ୍-୪୦୦ର ବିଶେଷତ୍ଵ

ଏସ୍-୪୦୦କୁ ବିଶ୍ୱର ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟରୁ ଗୋଟିଏ ବୋଲି ଧରାଯାଏ । ୪୦୦ କିଲୋମିଟର ଦୂରରୁ ଆସୁଥିବା ଯୁଦ୍ଧ ବିମାନ, କ୍ରୁଜ୍ ମିସାଇଲ୍, ବାଲିଷ୍ଟିକ୍ ମିସାଇଲ୍ କିମ୍ବା ବଡ଼ ଡ୍ରୋନ୍‌କୁ ଚିହ୍ନଟ କରି ଧ୍ୱଂସ କରିବାର କ୍ଷମତା ଏହାର ରହିଛି ।

ଏକାସାଙ୍ଗରେ ଶତାଧିକ ଟାର୍ଗେଟ୍ ଟ୍ରାକ୍ କରି ପ୍ରତି ଆକ୍ରମଣ କରିପାରେ ଏହି ସିଷ୍ଟମ୍ । କିନ୍ତୁ ଭାରତର ଯୋଜନା କେବଳ ଏସ୍-୪୦୦ରେ ସୀମିତ ନୁହେଁ । ‘ସୁଦର୍ଶନ ଚକ୍ର’ ନାମକ ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ତିଆରି ଚାଲିଛି ।

ଏଥିରେ ଏସ୍-୪୦୦ ସହ ବାରାକ୍-୮, ପୃଥ୍ଵୀ ଏୟାର ଡିଫେନ୍ସ, ଆଡଭାନ୍ସ ଏୟାର ଡିଫେନ୍ସ ଓ ସ୍ୱଦେଶୀ ‘ପ୍ରୋଜେକ୍ଟ କୁଶା’କୁ ସାମିଲ୍ କରାଯିବ । ଲକ୍ଷ୍ୟ ହେଉଛି ଆକାଶ ପଥରୁ ଆସୁଥିବା ପ୍ରତ୍ୟେକ ବିପଦ ବିରୋଧରେ ଦେଶ ପାଇଁ ଅଭେଦ୍ୟ ସୁରକ୍ଷା କବଚ ସୃଷ୍ଟି କରିବା । ଏହା ସହିତ ଆସନ୍ତା ଦିନରେ ୨ ବିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ସାମରିକ ଡ୍ରୋନ୍ କ୍ରୟ ଯୋଜନା ମଧ୍ୟ ଆଗକୁ ବଢ଼ୁଛି ।

ସୁରକ୍ଷା ବ୍ୟବସ୍ଥାରେ AI

ଦେଶର ସୁରକ୍ଷା ବଳୟକୁ ଆହୁରି ମଜଭୁତ୍ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଦେଶୀୟ AI କମ୍ପାନୀମାନଙ୍କ ସହ ଆଲୋଚନା କରୁଛି । ଉଦ୍ଦେଶ୍ୟ ହେଉଛି ସେନାର ବର୍ତ୍ତମାନର କ୍ଷମତା ସହ AIକୁ ଯୋଡ଼ିବା, ଯାହାଦ୍ୱାରା ଯୁଦ୍ଧ ସମୟରେ ଶତ୍ରୁର ଗତିବିଧି, ଲକ୍ଷ୍ୟ ଚିହ୍ନଟ ଏବଂ ଆକ୍ରମଣ ସମ୍ବନ୍ଧୀୟ ନିଷ୍ପତ୍ତି ଅଧିକ ଦ୍ରୁତ ଭାବରେ ନିଆଯାଇପାରିବ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆଧୁନିକ ଯୁଦ୍ଧରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ବିପୁଳ ପରିମାଣର ସୂଚନାର ବିଶ୍ଳେଷଣ । ସାଟେଲାଇଟ୍ ଫଟୋ, ଡ୍ରୋନ୍ ଫିଡ୍, ସିଗ୍ନାଲ ଇଣ୍ଟେଲିଜେନ୍ସ, ସାଇବର ତଥ୍ୟ ଏବଂ ଗୁପ୍ତଚର ସୂଚନାକୁ ଏକାଠି କରି ସଠିକ୍ ଟାର୍ଗେଟ ଚିହ୍ନଟ କରିବା ପାଇଁ AI ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେଉଛି ।


ଏହି ପରିପ୍ରେକ୍ଷୀରେ ଭାରତ କେବଳ AI ନୁହେଁ, ନିଜର ସମ୍ପୂର୍ଣ୍ଣ ରକ୍ଷା ଇକୋସିଷ୍ଟମକୁ ମଧ୍ୟ ସୁଦୃଢ଼ କରୁଛି । ପ୍ରତିରକ୍ଷା କ୍ଷେତ୍ରରେ AIର ଗୁରୁତ୍ୱ ବଢ଼ିବାର ଆଉ ଏକ ବଡ଼ କାରଣ ହେଉଛି ଆତ୍ମନିର୍ଭରତା । ଇତିହାସ ସାକ୍ଷୀ, ସଂକଟ ସମୟରେ ବିଦେଶୀ ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରତା ସମସ୍ୟା ସୃଷ୍ଟି କରିପାରେ ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ସହ ସିଧାସଳଖ ଯୋଡ଼ିହେବ ସିଲିଗୁଡ଼ି; ୬ ଘଣ୍ଟାରେ ପୁରା ହେବ ଯାତ୍ରା 

ସେଥିପାଇଁ ଭାରତ ଏବେ ନିଜସ୍ୱ AI ପ୍ଲାଟଫର୍ମ, ସ୍ୱଦେଶୀ ଡ୍ରୋନ୍ ଏବଂ ଦେଶୀୟ ରକ୍ଷା ପ୍ରଣାଳୀ ବିକାଶକୁ ପ୍ରାଥମିକତା ଦେଉଛି । ଆସନ୍ତା ଦଶକର ଯୁଦ୍ଧରେ କିଏ ଜିତିବ, ତାହା କେବଳ ଅସ୍ତ୍ର ନୁହେଁ, ବରଂ କାହାର AI ଅଧିକ ବୁଦ୍ଧିମାନ ଓ ଦ୍ରୁତ ନିଷ୍ପତ୍ତି ନେଇପାରିବ, ତାହା ନିର୍ଣ୍ଣୟ କରିବ ।

ଆଉ ସେହି ଦୌଡ଼ରେ ଭାରତ ଏବେ ନିଜର ସ୍ଥାନ ମଜଭୁତ କରିବାରେ ଲାଗିପଡ଼ିଛି । ମିସାଇଲ୍, ଡ୍ରୋନ୍ ଓ ଏଆଇର ମିଶ୍ରଣରେ ନୂଆ ଯୁଗର ଯୁଦ୍ଧ ପ୍ରସ୍ତୁତି କ୍ଷେତ୍ରରେ ଆଗକୁ ବଢୁଛି ଭାରତ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AI Warfare: How Prepared Is India for the Future of Modern Combat? | Argus News | Argus News