Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେବେ ଆସିଥିଲା ଶେଷ ସୁପର ଏଲ୍ ନିନୋ? ଲୋକଙ୍କ ଉପରେ କିପରି ପଡ଼ିଥିଲା ଏହାର ପ୍ରଭାବ?

National

Super El Nino 2026 / କେବେ ଆସିଥିଲା ଶେଷ ସୁପର ଏଲ୍ ନିନୋ? ଲୋକଙ୍କ ଉପରେ କିପରି ପଡ଼ିଥିଲା ଏହାର ପ୍ରଭାବ?

Subhramjit Ray
Browse all articles by Subhramjit Ray
·1 week ago·3 min read
କେବେ ଆସିଥିଲା ଶେଷ ସୁପର ଏଲ୍ ନିନୋ? ଲୋକଙ୍କ ଉପରେ କିପରି ପଡ଼ିଥିଲା ଏହାର ପ୍ରଭାବ?
Super El Nino 2026

Key Points

"ସୁପର ଏଲ୍ ନିନୋ" ଏକ ବିପଦପୂର୍ଣ୍ଣ ପାଗ ଘଟଣା। ଯାହା ବିଶ୍ୱ ତାପମାତ୍ରା ଏବଂ ବର୍ଷାର ଢାଞ୍ଚାକୁ ପରିବର୍ତ୍ତନ କରିଥାଏ। ୧୮୭୭-୭୮ ମସିହାରେ "ସୁପର ଏଲ୍ ନିନୋ" ଭଳି ଘଟଣା ବ୍ୟାପକ ଧ୍ୱଂସ ଘଟାଇଥିଲା।
Super El Nino 1877-78: ଆଜିର ଦିନରେ ସାରା ବିଶ୍ୱରେ ବଢୁଥିବା ଗରମ ଏବଂ ପରିବର୍ତ୍ତନଶୀଳ ପାଗ ଚିନ୍ତାର କାରଣ ପାଲଟିଛି। ବୈଜ୍ଞାନିକଙ୍କ ମତରେ ଚଳିତ ବର୍ଷ ଏକ "ସୁପର ଏଲ୍ ନିନୋ" ଭଳି ଘଟଣା ଘଟିବା ନେଇ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିବା ପରେ ଲୋକେ ବର୍ତ୍ତମାନ ୧୮୭୭ ମସିହାରେ ଘଟିଥିବା ସେହି ଘଟଣାକୁ ମନେ ପକାଇଛନ୍ତି। ଯେତେବେଳେ ଏକ ବିପଦପୂର୍ଣ୍ଣ "ସୁପର ଏଲ୍ ନିନୋ" ସାରା ବିଶ୍ୱରେ ତାଣ୍ଡବ ସୃଷ୍ଟି କରିଥିଲା। ସେହି ସମୟରେ ବର୍ଷା କମ୍ ହେବା ସହ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଖାଦ୍ୟ ଏବଂ ପାଣିର ଘୋର ଅଭାବ ମଧ୍ୟ ଦେଖା ଦେଇଥିଲା। ରିପୋର୍ଟ ଅନୁଯାୟୀ ସେତେବେଳେ ଭାରତ ସମେତ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ପରିସ୍ଥିତିରେ ବୃଦ୍ଧି ପାଉଥିବା ଗରମ ଏବଂ ମୌସୁମୀ ଦୁର୍ବଳ ହେବା ନେଇ କରାଯାଇଥିବା ପୂର୍ବାନୁମାନ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି।

ସୁପର ଏଲ ନିନୋ କ'ଣ?
ଏଲ୍ ନିନୋ ହେଉଛି ପ୍ରଶାନ୍ତ ମହାସାଗରରେ ପ୍ରାକୃତିକ ଉପାୟରେ ଘଟୁଥିବା ଏକ ପାଣିପାଗ ଜନିତ ଘଟଣା। ଏହି ଘଟଣାରେ ସମୁଦ୍ରର ପୃଷ୍ଠ ଭାଗର ଜଳର ତାପମାତ୍ରା ସାଧାରଣ ଅପେକ୍ଷା ଅଧିକ ଗରମ ହୋଇଯାଏ। ଯେତେବେଳେ ସମୁଦ୍ରର ତାପମାତ୍ରା ବୃଦ୍ଧି ପାଏ, ସେତେବେଳେ ଏହାର ପ୍ରଭାବ ପବନର ଗତି ଏବଂ ବେଗ, ବର୍ଷା ଏବଂ ସାମଗ୍ରିକ ପାଣିପାଗ ଚକ୍ରକୁ ପ୍ରଭାବିତ କରିଥାଏ। ଏହା କୌଣସି ନୂତନ କିମ୍ବା ହଠାତ୍ ଘଟୁଥିବା ଘଟଣା ନୁହେଁ। ବରଂ ପ୍ରତି କିଛି ବର୍ଷରେ ଘଟୁଥିବା ଏକ ପ୍ରାକୃତିକ ଘଟଣା। ଯେତେବେଳେ "ଏଲ୍ ନିନୋ" ପ୍ରଭାବ ଯଥେଷ୍ଟ ଅଧିକ ଭାବରେ ତୀବ୍ର ହୋଇଥାଏ, ସେତେବେଳେ ଏହାକୁ "ସୁପର ଏଲ୍ ନିନୋ" କୁହାଯାଏ।

ଏଭଳି ପରିସ୍ଥିତିରେ ସମୁଦ୍ରର ତାପମାତ୍ରା ସ୍ୱାଭାବିକ ଠାରୁ ଯଥେଷ୍ଟ ଅଧିକ ବୃଦ୍ଧି ପାଇଥାଏ। ଯାହାର ପ୍ରଭାବ ବିଶ୍ୱର ଅନେକ ଦେଶରେ ପାଣିପାଗ ଉପରେ ସ୍ପଷ୍ଟ ଭାବରେ ଅନୁଭୂତ ହୋଇଥାଏ। ଏହାର ପ୍ରଭାବ କାରଣରୁ କେତେକ ଅଞ୍ଚଳରେ ବର୍ଷା ହ୍ରାସ ପାଉଥିବା ବେଳେ ଅନ୍ୟତ୍ର ଅତ୍ୟଧିକ ଗରମ କିମ୍ବା ମରୁଡ଼ି ଭଳି ପରିସ୍ଥିତି ଉପୁଜିଥାଏ। ବୈଜ୍ଞାନିକ ଚଳିତ ବର୍ଷ (୨୦୨୬) ସମୁଦ୍ରର ତାପମାତ୍ରାରେ ଦ୍ରୁତ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛନ୍ତି। ଯଦି ଏଭଳି ପରିସ୍ଥିତି ଜାରି ରହେ, ତାହେଲେ ପାଣିପାଗ ଅସନ୍ତୁଳନ ଆହୁରି ଗୁରୁତର ହୋଇପାରେ। ଏକଥା ବିଶ୍ୱବାସୀ ସମସ୍ତେ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ "ଏଲ୍ ନିନୋ" ଭଳି ଘଟଣାର ପ୍ରଭାବ କେବଳ ଗୋଟିଏ ଦେଶରେ ଅନୁଭୂତ ହୋଇନଥାଏ। ବରଂ ଏହାର ସମଗ୍ର ବିଶ୍ୱର ପାଣିପାଗ ଉପରେ ପଡ଼ିଥାଏ।

ଏହା ସହ ପଢନ୍ତୁ: 'ସୁପର ଏଲ୍ ନିନୋ' କ'ଣ? ଯିଏ ବଜାଇଛି ସତର୍କ ଘଣ୍ଟି

୧୮୭୭-୭୮ ମସିହାରେ କାହିଁକି ଲକ୍ଷ ଲକ୍ଷ ଲୋକଙ୍କ ହୋଇଥିଲା ମୃତ୍ୟୁ?
୧୮୭୭-୭୮ ମସିହାର "ସୁପର ଏଲ୍ ନିନୋ" କୁ ଇତିହାସରେ ସବୁଠାରୁ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ସେହି ସମୟରେ ପ୍ରଶାନ୍ତ ମହାସାଗରର ଜଳ ଅତ୍ୟନ୍ତ ଗରମ ହୋଇ ଉଠିଥିଲା। ଯାହା ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଥିଲା। ଏହାର ପ୍ରଭାବରେ ସେତେବେଳର ସମୟରେ ଭାରତ, ଚୀନ୍, ବ୍ରାଜିଲ୍ ଏବଂ ଅନ୍ୟାନ୍ୟ ଅନେକ ଦେଶରେ ଦୀର୍ଘକାଳୀନ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଫଳ ସ୍ୱରୂପ ଫସଲ ନଷ୍ଟ ହୋଇଯିବା ସହ ଲୋକଙ୍କୁ ଖାଦ୍ୟପେୟ ମିଳିବା ମଧ୍ୟ କଷ୍ଟ ହୋଇ ଯାଇଥିଲା। ରିପୋର୍ଟ ଅନୁସାରେ ସେହି ସମୟରେ ବିଶ୍ୱରେ ପ୍ରାୟ ୫ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିରେ ଭାରତର ଲକ୍ଷ ଲକ୍ଷ ଲୋକ ମଧ୍ୟ ସାମିଲ ରହିଥିଲେ। ପାଣିର ଅଭାବ ପରିସ୍ଥିତିକୁ ଆହୁରି ଖରାପ କରିଥିଲା। ସେତେବେଳେ ପାଣିପାଗ ସମ୍ପର୍କରେ ସଠିକ ପୂର୍ବାନୁମାନ କରିବା ପାଇଁ ଆବଶ୍ୟକୀୟ ବୈଷୟିକ ଜ୍ଞାନକୌଶଳ ବିକଶିତ ହୋଇନଥିଲା। ଯାହା ଫଳରେ ଲୋକେ ଏଭଳି ପରିସ୍ଥିତିର ସାମ୍ନା କରିବା ପାଇଁ ଆଗୁଆ ପ୍ରସ୍ତୁତି କରିପାରି ନଥିଲେ।

କ'ଣ ଚଳିତ ବର୍ଷ ହେବ କି ଇତିହାସ ପୁନରାବୃତ୍ତି?
ବୈଜ୍ଞାନିକଙ୍କ କହିବା ଅନୁସାରେ ବିଶ୍ୱ ଆଜି ପୂର୍ବ ଅପେକ୍ଷା ଅଧିକ ପ୍ରସ୍ତୁତ ହୋଇ ରହିଛି। ପାଣିପାଗ ସମ୍ପର୍କରେ ସଠିକ ପୂର୍ବାନୁମାନ କରିବା ବର୍ତ୍ତମାନ ମହଜୁଦ ରହିଥିବା ବୈଷୟିକ ଜ୍ଞାନକୌଶଳ, ଉପଗ୍ରହ ଏବଂ ସତର୍କତା ପ୍ରଣାଳୀ ଆହୁରି ଅଧିକ ଶକ୍ତିଶାଳୀ ହୋଇଯାଇଛି। ହେଲେ ତଥାପି ବିପଦ ସମ୍ପୂର୍ଣ୍ଣ ଭାବରେ ଟଳି ନାହିଁ। ଭାରତ ଭଳି ଦେଶରେ ଗରମ, ଜଳକଷ୍ଟ ଏବଂ ଦୁର୍ବଳ ମୌସୁମୀ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ। ବୃଦ୍ଧି ପାଉଥିବା ଗରମ କେବଳ ଏକ ପାଣିପାଗ ସମସ୍ୟା ନୁହେଁ। ବରଂ ଏହା ମାନବ ଜୀବନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ପାଲଟିଛି। ଯଦି ସମୟ ମଧ୍ୟରେ ଆବଶ୍ୟକୀୟ ସତର୍କତା ଗ୍ରହଣ ନ କରାଯାଏ, ତାହେଲେ ଆଗାମୀ ବର୍ଷ ଆହୁରି କଷ୍ଟକର ହୋଇପାରେ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Super El Niño History: Past Events and Their Deadly Global Impact | Argus News