Videos
|
National

JPMorgan Prediction 2027 / ଖାଦ୍ୟ ଥାଳି ପାଇଁ ମାଡ଼ି ଆସୁଛି ସଙ୍କଟ! ୨୦୨୭ ପାଇଁ କ'ଣ ରହିଛି ଜେପିମୋର୍ଗାନ ପୂର୍ବାନୁମାନ?

Subhramjit Ray
Browse all articles by Subhramjit Ray
·36 mins ago·3 min read
ଖାଦ୍ୟ ଥାଳି ପାଇଁ ମାଡ଼ି ଆସୁଛି ସଙ୍କଟ! ୨୦୨୭ ପାଇଁ କ'ଣ ରହିଛି ଜେପିମୋର୍ଗାନ ପୂର୍ବାନୁମାନ?
JPMorgan Prediction 2027

Key Points

ବହୁରାଷ୍ଟ୍ରୀୟ ଆର୍ଥିକ ସେବା କମ୍ପାନୀ JPMorgan ସତର୍କ କରାଇ ଦେଇଛି ଯେ ୨୦୨୭ ସୁଦ୍ଧା ବିଶ୍ୱ ଖାଦ୍ୟ ମୂଲ୍ୟ ୫% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହି ସମୟରେ, ମଧ୍ୟପ୍ରାଚ୍ୟ ଉତ୍ତେଜନା, ପ୍ରାକୃତିକ ଗ୍ୟାସର ମୂଲ୍ୟ ବୃଦ୍ଧି ଏବଂ "ସୁପର ଏଲ ନିନୋ" ବିପଦ ଯୋଗୁଁ ଗମ୍ଭୀର ସାର ଅଭାବ ଭାରତ ସମେତ ସାରା ବିଶ୍ୱରେ କୃଷି ଏବଂ ଖାଦ୍ୟ ସୁରକ୍ଷା ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
JPMorgan Food Crisis Warning 2027: ଆସନ୍ତା ୨୦୨୭ ବର୍ଷକୁ ନେଇ ଏକ ଭୟଙ୍କର ଚେତାବନୀ ଜାରି କରିଛି ବୈଶ୍ୱିକ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ "ଜେପି ମୋର୍ଗାନ"। କମ୍ପାନୀ ବିଶ୍ୱ ସମୁଦାୟ ଲାଗି ଏକ ଗମ୍ଭୀର ଚେତାବନୀ ଜାରି କରିଛି। ରିପୋର୍ଟ ଅନୁଯାୟୀ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ଏକକାଳୀନ ତିନୋଟି ପ୍ରମୁଖ ବିଶ୍ୱ ବିପଦ ଦେଖାଦେବାର ସମ୍ଭାବନା ରହିଛି। ଯେଉଁଥିରେ ଏକ ଗୁରୁତର ସାର ଅଭାବ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୂରାଜନୈତିକ ଉତ୍ତେଜନା ଏବଂ ଏକ ଅତ୍ୟନ୍ତ ଶକ୍ତିଶାଳୀ "ସୁପର ଏଲ୍ ନିନୋ" ଅନ୍ତର୍ଭୂକ୍ତ। "ଜେପି ମୋର୍ଗାନ" (JPMorgan) ଆକଳନ କରିଛି ଯେ ବୈଶ୍ୱିକ ଖାଦ୍ୟ ମୂଲ୍ୟ ବୃଦ୍ଧି ୫ ପ୍ରତିଶତକୁ ବୃଦ୍ଧି ପାଇପାରେ। ଯାହା ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ପ୍ରାୟ ୨.୮% ରହିଥିଲା।

ମଧ୍ୟପ୍ରାଚ୍ୟ ଉତ୍ତେଜନା ଏବଂ ବୃଦ୍ଧି ପାଉଥିବା ଗ୍ୟାସ୍ ମୂଲ୍ୟ ବଢାଇବ ଚିନ୍ତା
ସାର ଯୋଗାଣ ସଙ୍କଟ ଏହି ସମଗ୍ର ଚକ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ। ପରିସଂଖ୍ୟାନ ଅନୁସାରେ, ମଧ୍ୟପ୍ରାଚ୍ୟ ବିଶ୍ୱ ୟୁରିଆ ରପ୍ତାନୀର ପ୍ରାୟ ୪୨% ଏବଂ ଆମୋନିଆ ରପ୍ତାନୀର ୨୭% ନିୟନ୍ତ୍ରଣ କରିଥାଏ। ହର୍ମୁଜ୍ ପ୍ରଣାଳୀ ଭଳି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ କୌଣସି ଦୀର୍ଘକାଳୀନ ବାଧା ସିଧାସଳଖ ବିଶ୍ୱ ୟୁରିଆ ଏବଂ ସାର ଯୋଗାଣ ଏବଂ ମୂଲ୍ୟକୁ ପ୍ରଭାବିତ କରିପାରେ। ୟୁରିଆ ଭଳି ନାଇଟ୍ରୋଜେନ୍ ସାର ଉତ୍ପାଦନରେ ପ୍ରାକୃତିକ ଗ୍ୟାସ ହେଉଛି ଏକ ପ୍ରମୁଖ କଞ୍ଚାମାଲ। ବୃଦ୍ଧି ପାଉଥିବା ଗ୍ୟାସ୍ ମୂଲ୍ୟ ସାର ଉତ୍ପାଦନ ଖର୍ଚ୍ଚକୁ ତୀବ୍ର ଭାବରେ ବୃଦ୍ଧି କରିବ। ଯାହା ଫଳରେ ଚାଷୀଙ୍କ ପାଇଁ ଏହାକୁ କିଣିବା କଷ୍ଟକର ହୋଇଯିବ। JPMorgan ଅନୁଯାୟୀ, କ୍ଷତିଗ୍ରସ୍ତ ସାର କାରଖାନା ପୂର୍ଣ୍ଣ କ୍ଷମତାକୁ ଫେରିବାକୁ ବର୍ଷେରୁ ୪ ବର୍ଷ ସମୟ ନେଇପାରନ୍ତି। ପ୍ରାକୃତିକ ଗ୍ୟାସ ସୁବିଧା କେନ୍ଦ୍ରକୁ ୩-୫ ବର୍ଷ ଲାଗିପାରେ। ଯାହା ସଙ୍କଟକୁ ଆହୁରି ତୀବ୍ର କରିପାରେ।

ଏହା ସହ ପଢନ୍ତୁ: ମାଡ଼ି ଆସୁଛି 'ସୁପର ଏଲ୍ ନିନୋ'; ଭାଙ୍ଗିବ ୧୦୦ ବର୍ଷର ରେକର୍ଡ଼

ଦ୍ୱିଗୁଣିତ ସଙ୍କଟର ସାମ୍ନା କରିପାରନ୍ତି ଭାରତ ସରକାର
ଭାରତ ବିଶ୍ୱର ସବୁଠାରୁ ବଡ଼ ୟୁରିଆ କ୍ରେତା ଏବଂ ଆମଦାନୀକାରୀ ଦେଶଙ୍କ ମଧ୍ୟରୁ ଅନ୍ୟତମ। ଦେଶରେ ଚାଷୀଙ୍କୁ ମାତ୍ର ୨୬୬.୫୦ ଟଙ୍କାରେ ୪୫ କିଲୋଗ୍ରାମ ୟୁରିଆ ପ୍ୟାକେଟ୍ ବିକ୍ରି ହୋଇଥାଏ। ଯାହା ସରକାରଙ୍କ ଆନ୍ତର୍ଜାତୀୟ କ୍ରୟ ମୂଲ୍ୟର ଦଶମାଂଶରୁ କମ୍। ସବସିଡି ବିଲ୍ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ କଷ୍ଟକର ହୋଇଯିବ। ଚଳିତ ଆର୍ଥିକ ବର୍ଷରେ ଦେଶର ସାର ସବସିଡି ବିଲ୍ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ। ଏପରି ପରିସ୍ଥିତିରେ ଆନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ହେବା ସହିତ ସରକାର ଉପରେ ସବସିଡି ବୋଝ ବୃଦ୍ଧି ହୋଇପାରେ କିମ୍ବା ଚାଷୀଙ୍କ ଉପରେ ଏହାର ମୂଲ୍ୟ ଲଦି ହୋଇ ଯାଇପାରେ। ଏପରି କରିବା ଦ୍ୱାରା ଫସଲ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ବଢ଼ିଯିବ। କଞ୍ଚାମାଲ, ଯଥା ସାରର ମୂଲ୍ୟ ବୃଦ୍ଧି ଏବଂ ଅନିଶ୍ଚିତ ମୌସୁମୀ ଭାରତୀୟ ଚାଷୀ ଏବଂ ଗ୍ରାହକ ଉଭୟଙ୍କ ପକେଟ ଉପରେ ଦ୍ୱିଗୁଣିତ ପ୍ରଭାବ ପକାଇବ।

"ସୁପର ଏଲ୍ ନିନୋ" ଆହୁରି ଖରାପ କରିପାରେ ଅବସ୍ଥା
ସାର ସଙ୍କଟ ସହିତ, ପାଗ ଢାଞ୍ଚା ମଧ୍ୟ ପରିସ୍ଥିତିକୁ ଆହୁରି ଖରାପ କରିପାରେ। ପ୍ରକୃତରେ JPMorgan ସଂସ୍ଥାର ଅର୍ଥନୀତିଜ୍ଞ ଆକଳନ କରିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା "ସୁପର ଏଲ୍ ନିନୋ" ବିକଶିତ ହେବାର ଏବଂ ଏହା ଆସନ୍ତା ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବାର ୯୭% ସମ୍ଭାବନା ରହିଛି। ଐତିହାସିକ ଭାବରେ, "ଏଲ୍ ନିନୋ" ଉଷ୍ଣକଟିବନ୍ଧୀୟ ଅଞ୍ଚଳରେ କୃଷି ଉତ୍ପାଦନରେ ହାରାହାରି ୩.୫% ହ୍ରାସ ଘଟାଇଥାଏ। ଏକ ଦୁର୍ବଳ କିମ୍ବା ଅନିୟମିତ ମୌସୁମୀ ଧାନ, ଡାଲି, ତୈଳବୀଜ, କପା ଏବଂ ଆଖୁ ଭଳି ପ୍ରମୁଖ ଫସଲର ଉତ୍ପାଦନକୁ ପ୍ରଭାବିତ କରିପାରେ। ଯଦିଓ କିଛି ବ୍ୟତିକ୍ରମ ରହିଛି। ଯେପରିକି ୧୯୯୭ ମସିହାରେ, ଯେତେବେଳେ "ଏଲ୍ ନିନୋ" ସକ୍ରିୟ ରହିବା ସତ୍ତ୍ୱେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ୨% ଅଧିକ ହୋଇଥିଲା।

ଏହା ସହ ପଢନ୍ତୁ: ସାରା ଦେଶରେ ଛାଇ ରହିଛି ମେଘ ବାଦଲ; ହେଲେ ତଥାପି କାହିଁକି ଘାରିଛି 'ଗଡଜିଲା ଏଲ୍ ନିନୋ' ଭୟ?

କ'ଣ ଦେଶରୁ ଶେଷ ହୋଇଯିବ କି ଖାଦ୍ୟଶସ୍ୟ?
JPMorgan ପକ୍ଷରୁ ଜାରି ହୋଇଥିବା ଚେତାବନୀର ଅର୍ଥ ଏହା ନୁହେଁ ଯେ ଦେଶରୁ ସମ୍ପୂର୍ଣ୍ଣ ଭାବରେ ଖାଦ୍ୟ ଶସ୍ୟ ଶେଷ ହୋଇଯିବ କିମ୍ବା ଦୁର୍ଭିକ୍ଷ ଭଳି ପରିସ୍ଥିତି ଉପୁଜିବ। ଦେଶରେ ଖାଦ୍ୟ ଶସ୍ୟର ଏକ ବିଶାଳ ଭଣ୍ଡାର ରହିଛି। ବିଶେଷକରି, ଦେଶର ଚାଉଳର ଗଚ୍ଛିତ ପରିମାଣ ଏତେ ଶକ୍ତିଶାଳୀ ରହିଛି, ଯାହା ବାର୍ଷିକ ବିୈଦେଶିକ ରପ୍ତାନୀକୁ ଅତିକ୍ରମ କରିଯିବ। ହେଲେ ତଥାପି ଏହି ଗଚ୍ଛିତ ପରିମାଣ କେବଳ ସାମୟିକ ଭାବରେ ଆଶ୍ୱସ୍ତି ପ୍ରଦାନ କରିପାରିବ। ଏକ ଦୀର୍ଘକାଳୀନ ସମାଧାନ ପାଇଁ, ଭାରତକୁ ଏହାର ସାର ଯୋଗାଣ ଶୃଙ୍ଖଳାକୁ ବିବିଧ କରିବାକୁ ପଡିବ ଏବଂ ଶୀଘ୍ର ଜଳବାୟୁ ଅନୂକୂଳ ଆଧୁନିକ କୃଷି ପ୍ରଣାଳୀ ଗ୍ରହଣ କରିବାକୁ ପଡିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: