Kaushambi Blast Today / ବାଣ କାରଖାନାରେ ଜୋରଦାର ବିସ୍ଫୋରଣ; ୧୧ ମୃତ
·47 mins ago·3 min read

Key Points
ଏହି ଘଟଣାରେ ନିକଟସ୍ଥ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାଣ କାରଖାନା ନିକଟରେ ଥିବା ପ୍ରାୟ ୫-୬ ଘର ଭୁଶୁଡ଼ି ପଡ଼ିଛି।
Firecracker factory explosion Kaushambi UP: ସୋମବାର (୩୧ ଅଗଷ୍ଟ) ଉତ୍ତର ପ୍ରଦେଶର କୌଶାମ୍ବି ଜିଲ୍ଲାର ପିପରୀ ଅଞ୍ଚଳରେ ଏକ ବାଣ କାରଖାନାରେ ହୋଇଛି ଜୋରଦାର ବିସ୍ଫୋରଣ। ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି କୌଶାମ୍ବୀ ଜିଲ୍ଲାପାଳ ଡକ୍ଟର ଅମିତ ପାଲ। ପ୍ରୟାଗରାଜ ସ୍ଥିତ SRN ହସ୍ପିଟାଲ ଛାରେ ୫ ଜଣ ଗୁରୁତର ଆହତଙ୍କ ଚିକିତ୍ସା କରାଯାଉଛି। ଜିଲ୍ଲପାଳ ଆହୁରି କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଘଟଣାସ୍ଥଳରେ ଜାରି ରହିଛି। ଉଦ୍ଧାର ହୋଇଥିବା ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା କରାଯାଉଛି।
ଜିଲ୍ଲାପାଳ କହିଛନ୍ତି ଯେ ବାଣ କାରଖାନା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ମିଳିସାରିଛି। ମୃତକ ହେଉଛନ୍ତି ପ୍ରିୟାଞ୍ଜଳି (୫), ପ୍ରବୀଣ ସିଂହ (୧୩), ଜାହ୍ନବୀ (୧୨), ଆଦିତ୍ୟ (୧୨), ରବି (୮), ଜ୍ଞାନ ସିଂହ (୪୦), ଆଦିତ୍ୟ (୮), ଅଞ୍ଜୁ (୩୨), ବିକ୍ରମ ସରୋଜ (୩୫), ଅଂଶ (୬) ଏବଂ ନନ୍ହା (୪)। ସେ ଆହୁରି କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ୧୮ ଜଣରୁ ଅଧିକ ଲୋକ ଆହତ ହୋଇଥିବାର ଆଶଙ୍କା କରାଯାଉଛି।
ବାଣ ବିସ୍ଫୋରଣରେ ହୋଇଥିବା ବିସ୍ଫୋରଣର ଭୟାବହତା ଯୋଗୁଁ, ଘଟଣାସ୍ଥଳ ନିକଟରେ ରହିଥିବା ଦିଲ୍ଲୀ-ହାୱଡା ଲାଇନ୍ ରେ ଟ୍ରେନ ସେବା ଏକ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। କୌଶାମ୍ବୀ ଜିଲ୍ଲାପାଳ ଡକ୍ଟର ଅମିତ ପାଲ, ପୋଲିସ ଅଧିକ୍ଷକ ସତ୍ୟନାରାୟଣ ପ୍ରଜାପତ ଏବଂ ପ୍ରୟାଗରାଜ ରେଞ୍ଜ ପୋଲିସ ମହାନିରୀକ୍ଷକ (ଡିଆଇଜି) ଅଜୟ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନଡିଆରଏଫ (NDRF),ଏସଡିଆରଏଫ (SDRF), ଅଗ୍ନିଶମ ବାହିନୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର କର୍ମଚାରୀ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଘଟଣାସ୍ଥଳ ନିକଟରେ ପହଞ୍ଚିଥିବା ଆଜମେର ସିଆଲଦା ଏକ୍ସପ୍ରେସ୍, ମନୋରୀ ରେଳ ଷ୍ଟେସନ ଅଭିମୁଖେ ସ୍ଥାନାନ୍ତର କରାଯାଇଥିଲା। ଦିଲ୍ଲୀରୁ ବାରାଣସୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍, ଗୋଟିଏ ଷ୍ଟେସନ ପଛରେ ଥିବା ସୟଦ ସରାୱା ରେଳ ଷ୍ଟେସନ ଠାରେ ଅଟକାଯାଇଥିଲା। ରେଳ ଚଳାଚଳ ମଧ୍ୟ ଏକ ଘଣ୍ଟା ପାଇଁ ବାଧାପ୍ରାପ୍ତ ହୋଇଥିଲା। ଅଧିକାରୀ କହିଛନ୍ତି ଯେ ପିପରୀ ଥାନା ଅଞ୍ଚଳର ମନୋରୀ ପାୱାର ହାଉସ ନିକଟରେ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବାୟୁସେନା କର୍ମଚାରୀ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ।
ଏହା ସହ ପଢନ୍ତୁ: ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ; ଜଣେ ମୃତ ଏବଂ ଅନ୍ୟ ଜଣେ ଆହତ
ଜିଲ୍ଲାପାଳ ଆହୁରି କହିଛନ୍ତି ଯେ ଅଗ୍ନିଶମ ବିଭାଗ ନିଆଁକୁ ନିୟନ୍ତ୍ରଣ କରିଛି। ସେ ପୂର୍ବରୁ କହିଥିଲେ, ପିପରୀ ଥାନା ଅଞ୍ଚଳର ମନୋରୀ ପାୱାର ହାଉସ୍ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିବା ଖବର ମିଳିଥିଲା। ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ନିକଟସ୍ଥ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାଣ କାରଖାନା ନିକଟରେ ଥିବା ପ୍ରାୟ ୫-୬ ଘର ଭୁଶୁଡ଼ି ପଡ଼ିଛି। ଜିଲ୍ଲା ପ୍ରଶାସନ କହିଛି ଯେ ମନୋରୀ ବାୟୁସେନା ଷ୍ଟେସନ, ଘଟଣାସ୍ଥଳରୁ ପ୍ରାୟ ୨ କିଲୋମିଟର ଦୂରରେ ଅବସ୍ଥିତ। କୌଶାମ୍ବୀ ଏବଂ ପ୍ରୟାଗରାଜ ଠାରୁ ଆସିଥିବା ବାୟୁସେନା, ପୋଲିସ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ଅନ୍ୟପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି, "କୌଶାମ୍ବୀ ଜିଲ୍ଲାରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ଜୀବନହାନି ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ। ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହିତ ଅଛି। ଆହତଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା ଏବଂ ପ୍ରଭାବିତ ପରିବାର ସହିତ ଯୋଗାଯୋଗ କରିବା ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ମୁଁ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।"
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମୁଁ ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଦିବଙ୍ଗତ ଆତ୍ମାକୁ ତାଙ୍କ ପବିତ୍ର ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଆହତଙ୍କୁ ଶୀଘ୍ର ଆରୋଗ୍ୟ କରନ୍ତୁ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories