|
logo
Live
Argus News App
GET APP

Argus News - ଘଞ୍ଚ ଜଙ୍ଗଲରେ ଏକୁଟିଆ ମହିଳା; ୪ ଦିନ କିପରି କାଟିଲେ ?

National

Rescue Story / ଘଞ୍ଚ ଜଙ୍ଗଲରେ ଏକୁଟିଆ ମହିଳା; ୪ ଦିନ କିପରି କାଟିଲେ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ଘଞ୍ଚ ଜଙ୍ଗଲରେ ଏକୁଟିଆ ମହିଳା; ୪ ଦିନ କିପରି କାଟିଲେ ?
Rescue Story

Key Points

ନା ଥିଲା ଖାଦ୍ୟ ନା ଚାଲୁଥିଲା ଫୋନ
ଘଞ୍ଚ ଜଙ୍ଗଲ ମଧ୍ୟରେ ୩୬ ବର୍ଷୀୟ ମହିଳା
କେମିତି ୪ ଦିନ କାଟିଲେ ?
ପାଖରେ ନା ଥିଲା ଖାଦ୍ୟ ନା ଚାଲୁଥିଲା ଫୋନ । ଘଞ୍ଚ ଜଙ୍ଗଲ ମଧ୍ୟରେ ଏକୁଟିଆ ମହିଳା । ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ୪ ଦିନ ପର୍ଯ୍ୟନ୍ତ ବିନା ଖାଦ୍ୟରେ ଏକାକୀ ଜଙ୍ଗଲ ମଧ୍ୟରେ ଥିଲେ ମହିଳା । ଚାର୍ଜ ସରିଯାଇଥିବାରୁ ଫୋନ ବ୍ୟାଟେରୀ ବି ଡେଡ୍ ଥିଲା, ଫଳରେ ଉଦ୍ଧାର ପାଇଁ କାହାକୁ ବି କହିପାରୁନଥିଲେ ମହିଳା । ବିର୍କଟାଳ ଶବ୍ଦ ଓ ଜୀବଜନ୍ତୁଙ୍କ ମଧ୍ୟରେ ଚାରି ଦିନ ବିତାଇବା ପରେ ଶେଷରେ ଉଦ୍ଧାର ହୋଇଛନ୍ତି । ଦେବଦୂତ ସାଜିଛନ୍ତି ସ୍ଥାନୀୟ ବାସିନ୍ଦା । ମହିଳା ଫସିଥିବା ସ୍ଥାନକୁ କେହି ଯାଉନଥିବାବେଳେ ଦେବଦୂତ ପରି ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ।

କେରଳର କୋଝିକୋଡ ଜିଲ୍ଲାର ନଡାପୁରମ ଅଞ୍ଚଳର ୩୬ ବର୍ଷୀୟ ଆଇଟି କର୍ମଚାରୀ ଜେଏସ ଶାରନ୍ୟା ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । କର୍ଣ୍ଣାଟକର କୋଡାଗୁର ସର୍ବୋଚ୍ଚ ଶିଖରକୁ ଚଢିବା ସମୟରେ ସେ ରାସ୍ତା ଭୁଲିଯାଇଥିଲେ । ସେମାନେ ଗୁରୁବାର ଟ୍ରେକିଂ ଆରମ୍ଭ କରିଥିବାବେଳେ ରବିବାର ପର୍ଯ୍ୟନ୍ତ ଘଞ୍ଚ ଅରଣ୍ୟରେ ଫସିଯାଇଥିଲେ । ରବିବାର ସକାଳୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି ।

  • ବୁଧବାର ଆରମ୍ଭ କରିଥିଲେ ଟ୍ରେକିଂ
ଶାରନ୍ୟାଙ୍କ ସମେତ ପ୍ରାୟ ୧୨ ଜଣ ଟ୍ରେକିଂ କରିବା ଲାଗି ବୁଧବାର କାଡୋଗୁଠାରେ ପହଞ୍ଚିଥିଲେ । ସେମାନେ ସେଠାରେ ଏକ ହୋମଷ୍ଟେ ବୁକ୍ କରିବା ପରେ ଗୁରୁବାର ସକାଳ ପ୍ରାୟ ୮ଟାରୁ ଟ୍ରେକିଂ ଆରମ୍ଭ କରିଥିଲେ । ସେମାନେ ସକାଳ ୧୦.୪୦ଟା ସୁଦ୍ଧା ସର୍ବୋଚ୍ଚ ଶିଖରରେ ପହଞ୍ଚିଯାଇଥିଲେ ଏବଂ ଏହାପରେ ତଳକୁ ଓହ୍ଲାଇବା ଆରମ୍ଭ କରିଥିଲେ । ଏହି ଟ୍ରେକଟି ସହଜ ଥିବାରୁ ଖୁବଶୀଘ୍ର ଟ୍ରେକିଂ ସାରି ଶାରନ୍ୟା ପାଖଆଖ ସ୍ଥାନ ବୁଲିବାକୁ ଚାହୁଁଥିଲେ । ଏଣୁ ସେ ଶୀଘ୍ର ତଳେ ପହଞ୍ଚିବା ପାଇଁ ଗ୍ରୁପଠାରୁ ଆଗରେ ରହିଥିଲେ ।

ପଢନ୍ତୁ ଏହି ଖବର: ଅବସରପ୍ରାପ୍ତ ସୈନିକର ତାଲିବାନୀ ଶାସନ; କୁନିଝିଅକୁ ଚେନରେ ବାନ୍ଧି ମାଡ଼

ଏନେଇ ଶାରନ୍ୟା କହିଛନ୍ତି, "ମୁଁ ଅନ୍ୟ ୨ ଜଣ ଟ୍ରେକରଙ୍କ ସହିତ ଆଗୁଆ ଆସୁଥିଲି ଏବଂ ମୁଁ ଟିକେ ଆଗରେ ରହିଥିଲି । ଏଥିଯୋଗୁଁ ମୁଁ ସେମାନଙ୍କଠାରୁ ଅଲଗା ହୋଇଗଲି । ଯେତେବେଳେ ମୁଁ ପଛକୁ ବୁଲି ଚାହିଁଲି ସେମାନେ ଏକ ପଥର ଉପରେ ବସିଥିବା ଦେଖିଲି । ଆଉ କିଛି ସମୟ ପରେ ଦେଖିଲା ବେଳକୁ ସେମାନେ ସେଠାରେ ନଥିଲେ । ଏହାପରେ ମୁଁ ଅନ୍ୟ ଟ୍ରେକରଙ୍କୁ ଖୋଜିଥିଲି ଓ ସେମାନେ ମୋର ବାମ ପାର୍ଶ୍ଵରେ ଥିଲେ । ମୁଁ ସେମାନଙ୍କ ନିକଟକୁ ପହଞ୍ଚିବା ବେଳକୁ ସେମାନେ ଆଉ ମୋତେ ଦିଶିନଥିଲେ ।"

  • ୪ ଦିନ ଜଙ୍ଗଲରେ ଫସିଗଲେ ମହିଳା
ଏହାପରେ ଶାରନ୍ୟା ଟ୍ରେକରଙ୍କ ପାଦଚିହ୍ନକୁ ଅନୁସରଣ କରୁ କରୁ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଫସିଗଲେ । ଶାରନ୍ୟାଙ୍କ ହୋମଷ୍ଟେ ମାଲିକ ମଧ୍ୟ ତାଙ୍କୁ କଲ୍ କରିବାକୁ କରିଥିଲେ ଓ ଶାରନ୍ୟା ରାସ୍ତା ଭୁଲିଯିବା କଥା କହିବା ଓ ତାଙ୍କୁ ଖୋଜିବା ଲାଗି କୌଣସି କର୍ତ୍ତୃପକ୍ଷଙ୍କୁ ଜଣାଇବା କହିବା ପରେ ସଙ୍ଗେ ସଙ୍ଗେ ମୋବାଇଲ ବନ୍ଦ ହୋଇଯାଇଥିଲା । କଥା ହେବା ସମୟରେ ଶାରନ୍ୟା ସେମାନଙ୍କ ସାଙ୍ଗମାନଙ୍କୁ ସୂଚିତ କରିବା ଲାଗି ମେସେଜ ଟାଇପ୍ କରୁଥିଲେ, କିନ୍ତୁ ସେଣ୍ଡ ବଟନ୍ ଦବାଇବା ପୂର୍ବରୁ ମୋବାଇଲ ବନ୍ଦ ହୋଇଯାଇଥିଲା । ଅପରାହ୍ନ ୨.୪୫ଟାରେ ଫୋନ ବନ୍ଦ ହେବା ପରେ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

  • କେତେ ଭୟାନକ ଥିଲା ସେହି ୪ ଦିନ ?
ଏହାପରେ ଶାରନ୍ୟା ଏକ ପଥର ଉପରେ ବସି କେବଳ ଉଦ୍ଧାରକାରୀଙ୍କୁ ଅପେକ୍ଷା କରିଥିଲେ । ତାଙ୍କ ପାଖରେ ଏକ ଅଧା ଲିଟର ବୋତଲ ଥିଲା ଓ ସେଥିରେ ସେ ଝରଣା ପାଣି ପିଇ ୪ ଦିନ ନିଜର ଜୀବନ ବଞ୍ଚାଇଥିଲେ । ମଝିରେ ମଝିରେ ଜଙ୍ଗଲରେ ହାତୀ ଦେଖାଯାଉଥିଲା ଓ ରାତିରେ ବିଭିନ୍ନ ଦିଗରୁ ଜୋରରେ ଶବ୍ଦ ଆସୁଥିଲା, ହେଲେ ଏପରି ସ୍ଥିତିରେ ଶାରନ୍ୟା ନ ଡରି ନିଜକୁ ସମ୍ଭାଳିଥିଲେ ।

  • ଦେବଦୂତ ସାଜିଲେ ସ୍ଥାନୀୟ ଲୋକେ
ଗୁରୁବାର ଅପରାହ୍ନରୁ ଶନିବାର ରାତି କାଟିବା ପରେ ରବିବାର ସକାଳେ ଶାରନ୍ୟାଙ୍କ ନିକଟରେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ । ଉଦ୍ଧାରକାରୀ ସ୍ଥାନୀୟ ଲୋକେ କହିଛନ୍ତି ଯେ ସାଧାରଣତଃ ଏହି ସ୍ଥାନକୁ କେହି ଆସିନଥାନ୍ତି । ମାତ୍ର ସୌଭାଗ୍ୟବଶତଃ ସେମାନେ ସେଠାକୁ ଯାଇଥିଲେ ଓ ଶାରନ୍ୟାକୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ହେବା ପରେ ଶାରନ୍ୟା ଭାବବିହ୍ଵଳ ହୋଇପଡ଼ିଥିଲେ । ଏହାପରେ ମଧ୍ୟ ସେ ଆଗକୁ ଟ୍ରେକିଂ ଜାରି ରଖିବେ ବୋଲି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rescue Story: ଘଞ୍ଚ ଜଙ୍ଗଲରେ ଏକୁଟିଆ ମହିଳା; ୪ ଦିନ କିପରି କାଟିଲେ ? | Argus News