Court Order / ଭରଣପୋଷଣ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସ୍ତ୍ରୀ ଚାକିରି କରିଥିଲେ ବି ଚଳିବାକୁ ଟଙ୍କା ଦେବେ ସ୍ଵାମୀ

Key Points
ଆପଣଙ୍କ ରୋଜଗାର ନ ଥିଲେ ବି ଚଳିବାକୁ ସ୍ତ୍ରୀକୁ ଦେବେ ଟଙ୍କା । ବେରୋଜଗାରିଆ ସ୍ଵାମୀ, ଚାକିରିଆ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ ।
କୋଲକାତା: ସ୍ତ୍ରୀକୁ ଛାଡ଼ପତ୍ର ଦେଉଛନ୍ତି, ହେଲେ ଆପଣଙ୍କର ରୋଜଗାର ନାହିଁ । ଆଉ ଚଳିବନି ଏଭଳି ବାହାନା । ଆପଣଙ୍କ ରୋଜଗାର ନ ଥିଲେ ବି ଚଳିବାକୁ ସ୍ତ୍ରୀକୁ ଦେବେ ଟଙ୍କା । ବେରୋଜଗାରିଆ ସ୍ଵାମୀ, ଚାକିରିଆ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ ।
ନିର୍ଦ୍ଦେଶନାମାରେ କୋଲକାତା ହାଇକୋର୍ଟ କହିଛନ୍ତି, 'କେବଳ ସ୍ତ୍ରୀ ଚାକିରି କରିଥିବାରୁ ସ୍ଵାମୀ ଭରଣପୋଷଣ ଦେବ ନାହିଁ ବୋଲି କହି ପାରିବ ନାହିଁ । ସ୍ଵାମୀ ହିସାବରେ ସାମାଜିକ, ଆଇନଗତ ଏବଂ ନୈତିକ ଦାୟିତ୍ଵ ଭାବେ ଭରଣପୋଷଣ ଦେବାକୁ ପଡ଼ିବ ।'
ସୂଚନା ଅନୁସାରେ, ଦମ୍ପତି ୨୦୧୨ ଅଗଷ୍ଟରେ ଦୁଇ ପରିବାର ସହମତିରେ ବିବାହ କରିଥିଲେ । ବିବାହ ପରେ ପତ୍ନୀ ତାଙ୍କ ବାପଘରେ ଯାଇ ରହୁଥିଲେ । ଆଉ ସ୍ଵାମୀ ତାଙ୍କ ଘରକୁ ଯିବା ପାଇଁ କହୁଥିଲେ ମଧ୍ୟ ଯାଇନଥିଲେ ସ୍ତ୍ରୀ । ଶେଷରେ ସ୍ଵାମୀ ବାହାରେ ଅଲଗା ରହିବାକୁ କହିବାରୁ ସ୍ତ୍ରୀର ପରିବାର ଲୋକେ ଛାଡ଼ପତ୍ର ପାଇଁ ବାଧ୍ୟ କରିଥିଲେ ।
ଯାହାକୁ ନେଇ ସ୍ତ୍ରୀ ୨୦୧୩ ଅଗଷ୍ଟରେ ଥାନାର ଦ୍ଵାରସ୍ଥ ହୋଇଥିବା ବେଳେ ସ୍ଵାମୀ ଛାଡ଼ପତ୍ର ମାମଲା ଦାଏର କରିଥିଲେ । ଆଉ ମହିଳା ଜଣଙ୍କ ମାସିକ ଭରଣପୋଷଣ ବାବଦକୁ ୧୦ ହଜାର ଟଙ୍କା ଦାବି କରିଥିଲେ । ଯାହାକୁ ନେଇ ସ୍ଵାମୀ ଆପତ୍ତି ଉଠାଇବା ସହ କହିଥିଲେ, 'ସେ ଚାକିରି କରୁଛନ୍ତି, ସେ ନିଜ ଖର୍ଚ୍ଚ ନିଜେ ଉଠାଇ ପାରିବେ, ମୋ ପାଖରେ ଚାକିରି ନାହିଁ ।'
📱 Get Argus News App
✨ଏଥିସହ ପଢ଼ନ୍ତୁ: ଭରଣପୋଷଣ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହିଳା, ହେଲେ ଭର୍ତ୍ସନା ପାଇଲେ..
ଜଣେ ବେରୋଜଗାର ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ମାସିକ ୪ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୂଚନା ଅନୁସାରେ, ମହିଳା ଜଣଙ୍କ ମାସିକ ୧୨ ହଜାର ଟଙ୍କା ଆୟ କରୁଛନ୍ତି । ଆଉ ଏହି ମାମଲାରେ କୋଲକାତା ହାଇକୋର୍ଟ କହିଛନ୍ତି, 'ଜଣେ ସୁସ୍ଥ ସବଳ ବ୍ୟକ୍ତି କାମ କରିବେ ନା ନାହିଁ ତାହା ତାଙ୍କ ନିଷ୍ପତ୍ତି ଏବଂ ଏହାକୁ ବାହାନା କରି ସ୍ଵାମୀ ଭରଣପୋଷଣ ଦେବାକୁ ମନା କରିପାରିବେ ନାହିଁ ।'
ଦମ୍ପତିଙ୍କ ଛାଡ଼ପତ୍ର ମାମଲାର ବିଚାର ପରିବାର ଅଦାଲତରେ ଚାଲିଥିଲା । ଆଉ ପରିବାର ଅଦାଲତରେ ସ୍ଵାମୀଙ୍କ ଠାରୁ ମାସିକ ଭରଣପୋଷଣ ଦାବି କରିଥିଲେ ସ୍ତ୍ରୀ । କିନ୍ତୁ ପରିବାର ଅଦାଲତ ମହିଳାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ । ଯାହାକୁ ନେଇ ମହିଳା ଜଣଙ୍କ କୋଲକାତା ହାଇକୋର୍ଟକୁ ଯାଇଥିଲେ ।
ଜଷ୍ଟିସ୍ ଅଜୟ କୁମାର ମୁଖାର୍ଜୀ ମାମଲାର ଶୁଣାଣି କରି ସେପ୍ଚେମ୍ବର ୧୨ରେ କହିଥିଲେ, 'ପୁରୁଷ ଜଣଙ୍କ ସୁସ୍ଥ ସବଳ ଅଛନ୍ତି, ସେ ରୋଜଗାର କରିବାକୁ ସକ୍ଷମ । ତେଣୁ ସେ ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ମନା କରିପାରିବେ ନାହିଁ । ଏପରିକି ସ୍ତ୍ରୀ ରୋଜଗାର କରୁଥିଲେ ବି ବେରୋଜଗାରିଆ ସ୍ଵାମୀ ଭରଣପୋଷଣ ଦେବ ।'
ଏଥିସହ ମହିଳାଙ୍କ ସ୍ଵାମୀଙ୍କୁ ଗରିବ ଦର୍ଶାଇ ସ୍ତ୍ରୀ ନିଜ ଖର୍ଚ୍ଚ ନିଜେ ବହନ କରିବା ନେଇ ପରିବାର ଅଦାଲତ ଦେଇଥିବା ରାୟକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । ଯେଉଁ ନିର୍ଦ୍ଦେଶନାମାରେ କୁହା ଯାଇଥିଲା, ସ୍ଵାମୀ ଏକ ଚାକିରି ନ ପାଇବା ଯାଏଁ ସ୍ତ୍ରୀ ନିଜ ଖର୍ଚ୍ଚ ବହନ କରିବେ ।
ଏଥିସହ ପଢ଼ନ୍ତୁ: ଲିଭ୍ ଇନ୍ ରିଲେସନରେ ବ୍ରେକ ଅପ୍ ହେଲେ ଗଣିବେ ଭରଣପୋଷ
ହାଇକୋର୍ଟ କହିଛନ୍ତି, 'ବ୍ୟକ୍ତି ଜଣଙ୍କୁ ତାଙ୍କ ଅନିୟମିତତା ପାଇଁ ଚାକିରି ହରାଇବାକୁ ପଡ଼ିଛି । ସେ ଜଣେ ଭିନ୍ନକ୍ଷମ ନୁହଁନ୍ତି । ସେ ଚାକିରି କରିବାକୁ ଚାହିଁଲେ ବେରୋଜଗାର ରହିବେ ନାହିଁ । ତେବେ ସେ ବେରୋଜଗାର ରହି ତାହାକୁ ତାଙ୍କ ଆଇନଗତ ଦାୟିତ୍ଵ ଉପରେ ସୁରକ୍ଷା ଭଳି ବ୍ୟବହାର କରିପାରିବେ ନାହିଁ ।'
ମାମଲାର ଶୁଣାଣି କରି କୋର୍ଟ ଏହି ଟିପ୍ପଣୀ କରିବା ସହ ଉକ୍ତ ବ୍ୟକ୍ତି, ତାଙ୍କ ସ୍ତ୍ରୀଙ୍କୁ ପ୍ରତିମାସ ୧୦ ତାରିଖରେ ୪ ହଜାର ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୂର୍ବରୁ ବକେୟା ଥିବା ୧୨ ମାସର ଭରଣପୋଷଣ ଅର୍ଥ ୨୦୨୬ ଅକ୍ଟୋବର ୩୧ ସୁଦ୍ଧା ପ୍ରଦାନ ପାଇଁ କୋର୍ଟ କହିଛନ୍ତି । ଏଥିସହ ଏହି ନିର୍ଦ୍ଦେଶନାମା ଅନ୍ତରୀଣ ଏବଂ ଚୂଡ଼ାନ୍ତ ରାୟ ସହ ଯୋଡ଼ାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଏବେ ବି ଦମ୍ପତିଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ପରିବାର ଅଦାଲତରେ ଜାରି ରହିଛି ।
Related Topics
Explore more stories