Videos
|
National

LK Advani Discharged / ହସ୍ପିଟାଲରୁ ଡିସଚାର୍ଜ ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ହସ୍ପିଟାଲରୁ ଡିସଚାର୍ଜ ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ
LK Advani Discharged

Key Points

ସୁସ୍ଥ ହେଲେ ଲାଲକୃଷ୍ଣ ଆଡଭାନୀ
ଗତ ୧୬ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
ନୂଆଦିଲ୍ଲୀ: ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ଛାତିରେ ସଂକ୍ରମଣ କାରଣରୁ ଗତ ୧୬ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ୯୮ ବର୍ଷୀୟ ଆଡଭାନୀଙ୍କୁ ଡିସଚାର୍ଜ କରାଯାଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଡ. ଭିନୀତ ସୁରୀ ତାଙ୍କର ଚିକିତ୍ସା କରୁଥିଲେ ।

ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅକ୍ଟୋବର ୧୬ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ରାତି ୭.୩୦ଟାରେ ନୂଆଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପଲମୋନାରୀ ବିଭାଗ (ଫୁସଫୁସ ସମ୍ବନ୍ଧୀୟ ଚିକିତ୍ସା ବିଭାଗ)ରେ ଭର୍ତ୍ତି କରାଯାଇଥିଲା । ଏହାପରେ ଶନିବାର କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ତାଙ୍କୁ ହସ୍ପିଟାଲରେ ଭେଟି ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ତେବେ ଏହା ପ୍ରଥମ ଥର ନୁହେଁ ଯେ ଯେତେବେଳେ ବରିଷ୍ଠ ବିଜେପି ନେତା ଆଡଭାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାପୂର୍ବରୁ ଚଳିତ ବର୍ଷ ମେ ମାସରେ ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଏହାପରେ ସେ କିଛି ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।

ସେହିପରି ଡିସେମ୍ବର ୨୦୨୪ରେ, ଅସୁସ୍ଥତା ଯୋଗୁଁ ଆଡଭାନୀ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ସ୍ନାୟୁ ବିଶେଷଜ୍ଞମାନେ ଚିକିତ୍ସା କରିଥିଲେ । ସ୍ଵାସ୍ଥ୍ୟାବସ୍ଥା ସ୍ଥିର ହେବାପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଆଡଭାନୀ ୧୯୨୭ ମସିହା ନଭେମ୍ବର ୮ ତାରିଖରେ କରାଚୀ (ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ)ରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ନେତା ହେଉଛନ୍ତି ଆଡଭାନୀ । ବିଜେପିକୁ ଏକ ଛୋଟ ଦଳରୁ ଦେଶର ପ୍ରମୁଖ ଜାତୀୟ ରାଜନୈତିକ ଦଳ ଭାବେ ଗଢି ତୋଳିବାରେ ଆଡଭାନୀଙ୍କ ବଡ଼ ଭୂମିକା ରହିଛି ।

ପଢନ୍ତୁ ଏହି ଖବର: ଛାତିରେ ସଂକ୍ରମଣ; ମେଡିକାଲରେ ଭର୍ତ୍ତି ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ବିଜେପିର ପ୍ରମୁଖ ନେତା ଆଡଭାନୀ
ଆଡଭାନୀ ଅନେକ ଥର ବିଜେପି ସଭାପତି ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଦେଶବ୍ୟାପୀ ଦଳର ସାଂଗଠନିକ ଭିତ୍ତିଭୂମିକୁ ମଜଭୁତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୧୯୯୦ ମସିହାରେ ତାଙ୍କର ଦେଶବ୍ୟାପୀ ରାମ ରଥଯାତ୍ରା ଭାରତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଥିଲା ଏବଂ ବିଜେପିକୁ ବିସ୍ତାର କରିବାରେ ସାହାଯ୍ୟ କରିଥିଲା । ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାରରେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଭାରତର ଉପପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।

  • ଅନେକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ଭାଳିଛନ୍ତି
ସେ ତାଙ୍କ ରାଜନୈତିକ ଜୀବନରେ ଗୃହ ବିଭାଗ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ସାର୍ବଜନୀନ ଜୀବନରେ ତାଙ୍କ ଅବଦାନକୁ ସ୍ୱୀକୃତି ଦେଇ ଆଡଭାନୀଙ୍କୁ ୨୦୨୪ ମସିହାରେ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ପୂର୍ବରୁ ତାଙ୍କୁ ୨୦୧୫ ମସିହାରେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା । ଆଡଭାନୀ ବିଜେପିର ଜଣେ ବରିଷ୍ଠ ବ୍ୟକ୍ତି ଏବଂ ଦଳର ରାଜନୈତିକ ଇତିହାସର ଏକ ପ୍ରମୁଖ ଅଂଶ ହୋଇ ରହିଛନ୍ତି ।