Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pune IIMT report on Monsoon 2026 / ବର୍ଷିବା ଆଗରୁ ବାୟୁମଣ୍ଡଳରେ ଗାଏବ ହେଉଛି ୨୫% ମୌସୁମୀ ବର୍ଷା; ଚାଷୀଙ୍କୁ ଘାରିଲା ମରୁଡ଼ି ଚିନ୍ତା

Subhramjit Ray
Browse all articles by Subhramjit Ray
·2 hours ago·2 min read
ବର୍ଷିବା ଆଗରୁ ବାୟୁମଣ୍ଡଳରେ ଗାଏବ ହେଉଛି ୨୫% ମୌସୁମୀ ବର୍ଷା; ଚାଷୀଙ୍କୁ ଘାରିଲା ମରୁଡ଼ି ଚିନ୍ତା
Pune IIMT report on Monsoon 2026

Key Points

ପୁଣେ IITM, ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ମୌସୁମୀ ସମୟରେ ବର୍ଷା ହେଉଥିବା ପ୍ରାୟ ୨୫% ଜଳ ଭୂମିରେ ପହଞ୍ଚିବା ପୂର୍ବରୁ ବାୟୁମଣ୍ଡଳରେ ବାଷ୍ପୀଭୂତ ହୋଇଯାଉଛି।
Pune IIMT study on weak Monsoon 2026: ଚଳିତ ବର୍ଷର ଦୁର୍ବଳ ମୌସୁମୀ ଦେଶର ଚାଷୀକୂଳ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଡାଇ ଦେଇଛି। ପାଣିପାଗ ବିଜ୍ଞାନୀ ମଧ୍ୟ ନିରନ୍ତର ଚେତାବନୀ ଜାରି କରୁଛନ୍ତି। ମୌସୁମୀ ବର୍ଷା କମ୍ ହେବା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ପୁଣେ ସ୍ଥିତ ଭାରତୀୟ ଉଷ୍ଣକଟିବନ୍ଧୀୟ ପାଣିପାଗ ବିଜ୍ଞାନ ସଂସ୍ଥାନ (Indian Institute of Tropical Meteorology) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ମୌସୁମୀ ସମୟରେ ହେଉଥିବା ବର୍ଷାର ପ୍ରାୟ ଏକ-ଚତୁର୍ଥାଂଶ, ଅର୍ଥାତ୍ ୨୫%, ବର୍ଷିବା ଆଗରୁ ବାୟୁମଣ୍ଡଳରେ ବାଷ୍ପୀଭୂତ ହୋଇଯାଉଛି। ପୁଣି IIMT ପକ୍ଷରୁ ହୋଇଥିବା ଅଧ୍ୟୟନରେ ଜଣାପଡ଼ିଛି ଯେ ଦେଶରେ କମ୍ ବର୍ଷା ଏବଂ ମରୁଡ଼ି ଭଳି ପରିସ୍ଥିତି ପଛରେ ଏହା ଏକ ପ୍ରମୁଖ କାରଣ। ଦେଶରେ ପୂର୍ବରୁ ମୌସୁମୀ ବର୍ଷା ୧୮% ହ୍ରାସ ହୋଇଥିବାର ରେକର୍ଡ଼ କରାଯାଇଛି। ସଦ୍ୟ IIMT ଦ୍ୱାରା ଚଳିତ ବର୍ଷର ମୌସୁମୀକୁ ନେଇ ପ୍ରକାଶିତ ରିପୋର୍ଟ ପାଣିପାଗ ବିଜ୍ଞାନୀଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି।

ବାୟୁମଣ୍ଡଳରେ ବାଷ୍ପୀଭୂତ ହୋଇଯାଉଛି ବର୍ଷାଜଳ
ପୁଣେ IITM ଅଧ୍ୟୟନ ଅନୁଯାୟୀ, ମେଘରୁ ପଡ଼ୁଥିବା ବର୍ଷାଜଳର ଏକ ବଡ଼ ଅଂଶ ଭୂମିରେ ପହଞ୍ଚିବା ପୂର୍ବରୁ ଉପ-ମେଘ ସ୍ତର (Sub Cloud Layer), ମେଘ ତଳେ ରହିଥିବା ସ୍ତରରେ ବାଷ୍ପୀଭୂତ ହୋଇଯାଏ। ଏ ସମ୍ପର୍କିତ ରିପୋର୍ଟ ଦର୍ଶାଇଛି ଯେ ଏହାର ସଠିକ୍ ହାରାହାରି ବାଷ୍ପୀଭୂତ ପରିମାଣ ହେଉଛି ୨୩%। ତଥାପି ଏହି ସଂଖ୍ୟା ପ୍ରତିଦିନ ପରିବର୍ତ୍ତନ ହୋଇଥାଏ। ଅଧ୍ୟୟନ ଅନୁଯାୟୀ, ଏହି ବାଷ୍ପୀଭବନ ସର୍ବନିମ୍ନ ୪ ପ୍ରତିଶତରୁ ସର୍ବାଧିକ ୬୧% ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଯଦି ୪୫ ପ୍ରତିଶତରୁ ଅଧିକ ବାଷ୍ପୀଭୂତ ହୋଇଥିବା ଚାରୋଟି ଦିନକୁ ବାଦ ଦିଆଯାଏ, ତାହେଲେ ଏହାର ହାରାହାରି ପରିମାଣ ପ୍ରାୟ ୧୮% ହେବ।

ଏହା ସହ ପଢନ୍ତୁ: ମୌସୁମୀ ଭାଙ୍ଗିଲା ଚାଷୀଙ୍କ ଆଶା; ୩୭୨ ଜିଲ୍ଲାରେ ହୋଇଛି ଦୁର୍ବଳ ବର୍ଷା

କିପରି ମପାଯାଇଥିଲା ବାଷ୍ପୀଭବନ?
ପ୍ରଥମ ଥର ପାଇଁ ବର୍ଷାଜଳର ବାଷ୍ପୀଭବନ ମାପ କରାଯାଇଥିଲା। ଅଧ୍ୟୟନରେ, ବୈଜ୍ଞାନିକ ବର୍ଷା ଏବଂ ବାଷ୍ପରେ ଉପସ୍ଥିତ ହାଇଡ୍ରୋଜେନ ଏବଂ ଅକ୍ସିଜେନ୍ (Hydrogen and oxygen) ର ସ୍ଥିର ସମସ୍ଥାନିକ (Isotope) କୁ ବିଶ୍ଳେଷଣ କରିଥିଲେ ଏବଂ ବର୍ଷାବିନ୍ଦୁର ବିବର୍ତ୍ତନକୁ (Formation of Raindrops) ଟ୍ରାକ୍ କରିବା ପାଇଁ "ବିଲୋ କ୍ଲାଉଡ୍ ଇଣ୍ଟରାକ୍ସନ୍ ମଡେଲ୍" (Below-Cloud Interaction Model) ବ୍ୟବହାର କରିଥିଲେ।

ବାୟୁମଣ୍ଡଳରେ ବର୍ଷା କାହିଁକି ଏବଂ କିପରି ବାଷ୍ପୀଭୂତ ହୋଇଥାଏ?
IITM ଅଧ୍ୟୟନରେ କୁହାଯାଇଛି ଯେ ବାଷ୍ପୀଭବନ ତିନୋଟି ମୁଖ୍ୟ କାରଣ ଉପରେ ନିର୍ଭର କରିଥାଏ। ଯଥା ବର୍ଷା ବୁନ୍ଦାର ଆକାର, ବାୟୁମଣ୍ଡଳର ତାପମାତ୍ରା ଏବଂ ଆର୍ଦ୍ରତା। ଯେତେବେଳେ ତାପମାତ୍ରା ଅଧିକ ରହିଥାଏ, ବାୟୁ ଆର୍ଦ୍ରତା କମ୍ ଥାଏ ଏବଂ ବର୍ଷାବିନ୍ଦୁ ଛୋଟ ଥାଏ, ସେତେବେଳେ ବର୍ଷା ଜଳ ସର୍ବାଧିକ ପରିମାଣରେ ବାଷ୍ପୀଭୂତ ହୋଇଥାଏ। ହାଲୁକା ବର୍ଷା ସମୟରେ ବାଷ୍ପୀଭବନ ପ୍ରକ୍ରିୟା ସର୍ବାଧିକ ହୋଇଥାଏ। କାରଣ ବର୍ଷା ବୁନ୍ଦା ବହୁତ ଛୋଟ ହୋଇଥାଏ। ଏହି ଅଧ୍ୟୟନ ଉତ୍ତର ପଶ୍ଚିମ ଘାଟରେ ମୌସୁମୀ ବର୍ଷା ଉପରେ କରାଯାଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
25% Monsoon Rain Vanishes in Air: Big Threat to Indian Agriculture | Argus News