Videos
|
National

November 1 Rule Changes / ଆଜିଠୁ ଦେଶରେ ଲାଗୁ ହେଲା ୫ଟି ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କଠାରୁ ବ୍ୟବସାୟୀ ହେବେ ପ୍ରଭାବିତ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଆଜିଠୁ ଦେଶରେ ଲାଗୁ ହେଲା ୫ଟି ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କଠାରୁ ବ୍ୟବସାୟୀ ହେବେ ପ୍ରଭାବିତ
November 1 Rule Changes

Key Points

ଆଜିଠୁ ଲାଗୁ ହେଲା ନୂଆ ନିୟମ
ନଭେମ୍ବରରେ ବଦଳିଲା ଏହି ୫ ନିୟମ
ଜାଣନ୍ତୁ କାହା ଉପରେ ପଡ଼ିବ ପ୍ରଭାବ
ଆରମ୍ଭ ହୋଇଛି ନଭେମ୍ବର ମାସ । ଏହି ମାସ ଆରମ୍ଭରୁ ଦେଶରେ ଲାଗୁ ହୋଇଛି ଅନେକ ବଡ଼ ପରିବର୍ତ୍ତନ । ଏହି ନିୟମଗୁଡ଼ିକର ପ୍ରଭାବ ଦେଶର କୋଟି କୋଟି ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି । ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କଠାରୁ ଆରମ୍ଭ କରି ଜିଏସଟି ଦେଉଥିବା ବ୍ୟବସାୟୀ ଏବଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କ ପର୍ଯ୍ୟନ୍ତ ଏହି ପରିବର୍ତ୍ତନର ପ୍ରଭାବ ଅନୁଭବ କରିବେ ।

ପ୍ରଥମ ପରିବର୍ତ୍ତନ – ୧୫୦୦ ଟଙ୍କାରେ ନୂଆ ଟୋଲ୍ ପାସ୍

ଟୋଲ୍ ପ୍ଲାଜା ନିକଟରେ ରହୁଥିବା ଲୋକଙ୍କ ପାଇଁ ଆସିବ ନୂଆ ଟୋଲ୍ ପାସ୍ । ନଭେମ୍ବର ୧ରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ବାର୍ଷିକ ପାସ୍ ପାଇଁ ୧୫୦୦ ଟଙ୍କା ଦେବାକୁ ପଡ଼ିବ । ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ବ୍ୟକ୍ତିଗତ ଗାଡ଼ି ମାଲିକମାନେ ଏହି ପାସ୍‌ର ସୁବିଧା ପାଇପାରିବେ । ଏହାଦ୍ୱାରା ନିୟମିତ ଟୋଲ୍ ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ ।

ଦ୍ବିତୀୟ ପରିବର୍ତ୍ତନ – ଦିଲ୍ଲୀରେ ପୁରୁଣା ଗାଡ଼ି ଚଳାଚଳ ଉପରେ କଟକଣା

ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ନଭେମ୍ବର ୧ରୁ ଅନ୍ୟ ରାଜ୍ୟରେ ପଞ୍ଜୀକୃତ ପୁରୁଣା ନନ୍-BS6 ଗାଡ଼ିର ପ୍ରବେଶ ଉପରେ କଟକଣା ଲାଗୁ ହେବ । ଏହି ନିୟମ ଶୀତକାଳୀନ ପ୍ରଦୂଷଣ ନିୟନ୍ତ୍ରଣ ଯୋଜନା ଅନୁସାରେ ଲାଗୁ ହେବାକୁ ଯାଉଛି । ସୂଚନା ଅନୁସାରେ, ଏହି କଟକଣା ଜାନୁଆରୀ ୩୧, ୨୦୨୬ ପର୍ଯ୍ୟନ୍ତ ରହିବ ବୋଲି ଉଲ୍ଲେଖ ରହିଛି ।

ତୃତୀୟ ପରିବର୍ତ୍ତନ – ମଦ କିଣିବା ପାଇଁ ଡିଜିଟାଲ୍ ପେମେଣ୍ଟ ବାଧ୍ୟତାମୂଳକ

ତାମିଲନାଡୁରେ ମଦ କିଣିବାର ପେମେଣ୍ଟ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ ବା TASMAC ନୂଆ ନିଷ୍ପତ୍ତି ନେଇଛି । ନଭେମ୍ବର ୧ରୁ ୧୦୦୦ ଟଙ୍କାରୁ ଅଧିକ ଦାମ୍‌ର ମଦ ବୋତଲ କିଣିଲେ ଡିଜିଟାଲ୍ ପେମେଣ୍ଟ କରିବା ବାଧ୍ୟତାମୂଳକ ହେବ । ଅର୍ଥାତ୍ ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ମଦ କିଣିବା ସମୟରେ ଗ୍ରାହକମାନେ ଆଉ ନଗଦ ଟଙ୍କା ଦେଇପାରିବେ ନାହିଁ। ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ କରିବାକୁ ପଡ଼ିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥି ସହ ପଢନ୍ତୁ:  ଆଜିଠୁ ବଢ଼ିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ ଟଙ୍କା ମହଙ୍ଗା ହେଲା

ଚତୁର୍ଥ ପରିବର୍ତ୍ତନ – GST ରିଟର୍ଣ୍ଣ ନିୟମରେ ପରିବର୍ତ୍ତନ

ନଭେମ୍ବର ୧ରୁ ଜିଏସ୍‌ଟି କ୍ଷେତ୍ରରେ ମଧ୍ୟ କିଛି ନୂଆ ବ୍ୟବସ୍ଥା ଆସିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏହାଦ୍ୱାରା ଛୋଟ ବ୍ୟବସାୟୀ ଓ ବ୍ୟବସାୟ କରୁଥିବା ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ । ଟ୍ୟାକ୍ସ ରିଫଣ୍ଡ ପାଇବାରେ ବିଳମ୍ବ କମାଇବା ଏବଂ ଦସ୍ତାବିଜ୍‌ପତ୍ର କାମର ବୋଝ ହ୍ରାସ କରିବା ପାଇଁ କିଛି କ୍ଷେତ୍ରରେ ଅଟୋମେଟିକ୍ ରିଫଣ୍ଡ ଅନୁମୋଦନ ବ୍ୟବସ୍ଥା ଆଣିବାର ଯୋଜନା ରହିଛି। ଏହା ସହିତ ବାର୍ଷିକ ୫ କୋଟି ଟଙ୍କାରୁ କମ୍ କାରବାର କରୁଥିବା ଏବଂ ସିଧାସଳଖ ଗ୍ରାହକଙ୍କୁ ସାମଗ୍ରୀ ବା ସେବା ଯୋଗାଉଥିବା ବ୍ୟବସାୟୀଙ୍କ ପାଇଁ ନୂଆ ରିଟର୍ଣ୍ଣ ବ୍ୟବସ୍ଥା ଆସିପାରେ ।

ପଞ୍ଚମ ପରିବର୍ତ୍ତନ – ମୋବାଇଲ୍‌ରେ ଅଜଣା କଲ୍ କରୁଥିବା ବ୍ୟକ୍ତିଙ୍କ ନାଁ ଦେଖାଯିବ

ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ନଭେମ୍ବର ୧ରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଦୂରସଞ୍ଚାର ବିଭାଗ ବା DoT ପକ୍ଷରୁ କଲିଂ ନେମ୍ ପ୍ରେଜେଣ୍ଟେସନ୍ (CNAP) ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଲାଗୁ ହେଲେ ଅଜଣା ନମ୍ବରରୁ କଲ୍ ଆସିବା ସମୟରେ ମୋବାଇଲ୍ ସ୍କ୍ରିନ୍‌ରେ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ଦେଖାଯାଇପାରିବ । ଏଥିପାଇଁ ଆଉ କେବଳ Truecaller ଭଳି ଆପ୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ୧ ନଭେମ୍ବର ୨୦୨୬ରୁ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ନିର୍ଦ୍ଦେଶ ରହିଛି ।