Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ଲାସ୍-ଷ୍ଟିକ୍ ପ୍ରୋଜେକ୍ଟ; ପାଣିକୁ ପରିଷ୍କାର କରିବ ତେନ୍ତୁଳି ମଞ୍ଜି, ଯୁବ ଭାରତୀୟଙ୍କୁ ସମ୍ମାନଜନକ ପୃଥିବୀ ପୁରସ୍କାର

National

Earth Prize 2026 / ପ୍ଲାସ୍-ଷ୍ଟିକ୍ ପ୍ରୋଜେକ୍ଟ; ପାଣିକୁ ପରିଷ୍କାର କରିବ ତେନ୍ତୁଳି ମଞ୍ଜି, ଯୁବ ଭାରତୀୟଙ୍କୁ ସମ୍ମାନଜନକ ପୃଥିବୀ ପୁରସ୍କାର

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
ପ୍ଲାସ୍-ଷ୍ଟିକ୍ ପ୍ରୋଜେକ୍ଟ; ପାଣିକୁ ପରିଷ୍କାର କରିବ ତେନ୍ତୁଳି ମଞ୍ଜି, ଯୁବ ଭାରତୀୟଙ୍କୁ ସମ୍ମାନଜନକ ପୃଥିବୀ ପୁରସ୍କାର
Earth Prize 2026

Key Points

ନିଆରା ଉଦ୍ଭାବନ ଆଣିଦେଲା ସଫଳତା । ସମ୍ମାନଜନକ "ଦି ଆର୍ଥ ପ୍ରାଇଜ୍ ୨୦୨୬" ଜିତି ବିଶ୍ଵ ବିଜୟୀ ହେଲେ ୩ ଭାରତୀୟ ଯୁବ ବୈଜ୍ଞାନିକ ।
ଚଳିତ ବର୍ଷ ୨୦୨୬ ପାଇଁ ସମ୍ମାନଜନକ ‘ପୃଥିବୀ ପୁରସ୍କାର’ (Earth Prize 2026) ଜିତିଲେ ୩ ଯୁବ ଭାରତୀୟ ବୈଜ୍ଞାନିକ । ତେନ୍ତୁଳି ମଞ୍ଜି ବ୍ୟବହାର କରି ଜଳ ପରିଷ୍କାର କରିବା (Water Filtration) ସମ୍ବନ୍ଧୀୟ ଏକ ଅଭିନବ ପ୍ରୋଜେକ୍ଟ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବିକାଶ ପାଇଁ ଦିଆଯାଉଥିବା ଏହି ବିଶ୍ଵସ୍ତରୀୟ ପୁରସ୍କାର ଜିତି ଭାରତକୁ ବିଶ୍ଵ ଦରବାରରେ ବେଶ ଗର୍ବିତ କରିଛନ୍ତି ଏହି ଭାରତୀୟ ଯୁବପିଢି ।

ବିଶ୍ଵ ବିଜୟୀ ହୋଇଥିବା ଏହି ୩ ଯୁବ ବୈଜ୍ଞାନିକ ହେଉଛନ୍ତି ୧୬ ବର୍ଷୀୟ ଅଭ୍ୟାନା ମେହତା, ଆରିଆନା ଅଗ୍ରୱାଲ ଏବଂ ଭିଭାନ ଛାୱଛାରିଆ । ଏମାନେ ଏହି ଶ୍ରେଷ୍ଠ ଟାଇଟଲ ହାସଲ କରିବାରେ ଭାରତରୁ ପ୍ରଥମ ଟିମ୍ ହୋଇଛନ୍ତି । ତେନ୍ତୁଳି ମଞ୍ଜି ବ୍ୟବହାର କରି ପାଣିକୁ ପରିଷ୍କାର କରିବାର ଏହି ଅଭିନବ ପ୍ରୋଜେକ୍ଟକୁ 'Plas-Stick' ବୋଲି କୁହାଯାଉଛି । 'ପୃଥିବୀ ପୁରସ୍କାର ବା ଦି ଆର୍ଥ ପ୍ରାଇଜ୍'କୁ ୧୩ରୁ ୧୯ ବର୍ଷ ବୟସର ଯୁବକ ଯୁବତୀଙ୍କ ପାଇଁ ବିଶ୍ୱର ସର୍ବବୃହତ ପରିବେଶଗତ ପ୍ରତିଯୋଗିତା ଭାବରେ ବିବେଚନା କରାଯାଏ ।

  • କେମିତି ଆସିଲା ଏହି ଧାରଣା ?
ଏକ ଗ୍ରାମୀଣ ସମ୍ପ୍ରଦାୟକୁ ପରିଦର୍ଶନ କରିବା ସମୟରେ ଏହି ଧାରଣା ସେମାନଙ୍କ ମନକୁ ଆସିଥିଲା । ଦି ଆର୍ଥ ପ୍ରାଇଜର ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଉନ୍ନତ ଫିଲ୍ଟ୍ରେସନ ସିଷ୍ଟମ ବିନା ଏକ ପ୍ଲାଷ୍ଟିକ୍ ପାତ୍ରରେ ଜଣେ ପିଲା ପାଣି ପିଉଥିବାର ଦେଖି ଏହି ୩ ଭାରତୀୟ ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଥିଲା ଯେ, ଭାରତରେ କେତେ ଜଣ ଲୋକ ଅଜାଣତରେ ସେମାନଙ୍କ ଦୈନନ୍ଦିନ ପାନୀୟ ଜଳ ମାଧ୍ୟମରେ ମାଇକ୍ରୋପ୍ଲାଷ୍ଟିକ୍ ପେଟକୁ ନେଉଛନ୍ତି ? ଏହାର ସମାଧାନ ଖୋଜିବା ବେଳେ ଏହି ତିନିଜଣ ଯୁବ ବୈଜ୍ଞାନିକ ତେନ୍ତୁଳି ମଞ୍ଜି ଉପରେ ଏକ ଗବେଷଣା ଆରମ୍ଭ କରିଥିଲେ ।

  • ପ୍ଲାସ୍-ଷ୍ଟିକ୍ (Plas-Stick) କିପରି କାମ କରେ ?
ସମସ୍ୟାର ସମାଧାନ ଖୋଜୁ ଖୋଜୁ ଫଳାଫଳ ମିଳିଥିଲା 'ପ୍ଲାସ୍-ଷ୍ଟିକ୍' । ଏହା ଏକ ଜୈବ ବିଘଟନଶୀଳ ଚୁମ୍ବକୀୟ ପାଉଡର (ବାୟୋ-ଡିଗ୍ରେଡେବଲ୍ ମ୍ୟାଗ୍ନେଟିକ୍ ପାଉଡର), ଯାହାକି ଶୁଖିଲା ତେନ୍ତୁଳି ମଞ୍ଜିରୁ ତିଆରି ହୋଇଥିଲା । ଯେତେବେଳେ ଏହି ପାଉଡରକୁ ପାଣିରେ ମିଶାଯାଏ, ସେତେବେଳେ ଏହା ଅତି ସୂକ୍ଷ୍ମ ପ୍ଲାଷ୍ଟିକ କଣିକାଗୁଡ଼ିକୁ ଆକର୍ଷଣ କରେ ଏବଂ ଏକଜୁଟ ହୋଇ ଗଣ୍ଠି ସଦୃଶ ହୋଇଯାଏ । ଏହି ଗଣ୍ଠିଗୁଡ଼ିକୁ ଚୁମ୍ବକ ବ୍ୟବହାର କରି ବାହାର କରାଯାଇପାରିବ ।



  • ବିଦ୍ୟୁତ ବିନା କାମ କରେ
ପାଣିରୁ ସୂକ୍ଷ୍ମ ପ୍ଲାଷ୍ଟିକ୍ କଣିକାଗୁଡିକୁ ବାହାର କରିବା ଲାଗି ବିଜୁଳିର ଆବଶ୍ୟକତା ପଡ଼ିନଥାଏ । ଫଳରେ ମହଙ୍ଗା ଯନ୍ତ୍ରପାତି କିମ୍ବା ଜଟିଳ ଭିତ୍ତିଭୂମିର ଆବଶ୍ୟକତା ନାହିଁ, ଯାହା ଏହାକୁ ବିଶେଷ ଭାବରେ ଅନୁନ୍ନତ ସମ୍ପ୍ରଦାୟ ପାଇଁ ଉପଯୋଗୀ କରିଥାଏ । ଯୁବ ବୈଜ୍ଞାନିକଙ୍କ ଏହି ଅଭିନବ ପ୍ରୋଜେକ୍ଟଟି କମ ଖର୍ଚ୍ଚରେ ଏକ ବଡ଼ ସମସ୍ୟାର ସମାଧାନ କରିପାରୁଛି ।

  • ସ୍କୁଲ ପ୍ରକଳ୍ପରୁ ବିଶ୍ୱ ବିଜେତା ଯାଏଁ ଯାତ୍ରା
ଏହି ଉଦ୍ଭାବନଟି ବିଶ୍ୱ ସ୍ତରରେ ପହଞ୍ଚିବା ପୂର୍ବରୁ ପ୍ରଥମେ ଏସିଆ ଆଞ୍ଚଳିକ ବର୍ଗରେ ପୁରସ୍କାର ଜିତିଥିଲା । ଚଳିତ ବର୍ଷ 'ଦି ଆର୍ଥ ପ୍ରାଇଜ୍ ୨୦୨୬ ପ୍ରତିଯୋଗିତା'ରେ ବିଶ୍ୱର ବିଭିନ୍ନ ଅଂଶକୁ ପ୍ରତିନିଧିତ୍ୱ କରୁଥିବା ୭ଟି ଆଞ୍ଚଳିକ ଚାମ୍ପିଅନଙ୍କ ମଧ୍ୟରୁ ବିଜେତା ଚୟନ କରିବା ପାଇଁ ପ୍ରାୟ ୨୩,୦୦୦ ଲୋକ ଭୋଟ ଦେଇଥିଲେ । ସମସ୍ତଙ୍କୁ ପଛରେ ପକାଇ ଭାରତୀୟ ଯୁବ ବୈଜ୍ଞାନିକ ବିଶ୍ଵ ବିଜୟୀ ହୋଇଛନ୍ତି । ବିଜୟ ପରେ ଏକ ଆନୁଷ୍ଠାନିକ ବିବୃତ୍ତିରେ, ବିଜୟୀ ୩ ଯୁବ ବୈଜ୍ଞାନିକ କହିଛନ୍ତି, "ଦି ଆର୍ଥ ପୁରସ୍କାରର ଗ୍ଲୋବାଲ୍ ବିଜେତା ଭାବରେ ନାମିତ ହେବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ଏହି ପୁରସ୍କାର ଜିତିବାରେ ଆମେ ଭାରତର ପ୍ରଥମ ଦଳ ହୋଇପାରିଛୁ ।"

  • ଆଗକୁ ବଡ଼ ଯୋଜନା
ପାଣିକୁ ପରିଷ୍କାର କରିବାର ଏହି ଫର୍ମୁଲା ପ୍ଲାସ୍-ଷ୍ଟିକ୍ ପୂର୍ବରୁ କର୍ମଶାଳା ଏବଂ ପ୍ରଦର୍ଶନ ମାଧ୍ୟମରେ ପ୍ରଦର୍ଶିତ ହୋଇସାରିଛି, ଯାହା ୮,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ନିକଟରେ ପହଞ୍ଚିଛି । ଅଭ୍ୟାନା ମେହତା, ଆରିଆନା ଅଗ୍ରୱାଲ ଏବଂ ଭିଭାନ ଏହି ପ୍ରଯୁକ୍ତିବିଦ୍ୟାକୁ ବିସ୍ତାର କରିବାକୁ ଏବଂ ଏହାକୁ ସମଗ୍ର ଭାରତର ଅଧିକ ଗ୍ରାମୀଣ ସମ୍ପ୍ରଦାୟରେ ପହଞ୍ଚାଇବାକୁ ଯୋଜନା କରିଛନ୍ତି ।

ପଢନ୍ତୁ ଏହି ଖବର: ଗାଏବ ହେଉଛି ବରଫ; କୋଟି କୋଟି ଲୋକଙ୍କ ପାଇଁ ମାଡ଼ି ଆସୁଛି ବିପଦ

ଦି ଆର୍ଥ ଫାଉଣ୍ଡେସନର ପ୍ରତିଷ୍ଠାତା ପିଟର ମ୍ୟାକଗାରି କହିଛନ୍ତି, "ପାନୀୟ ଜଳରୁ ମାଇକ୍ରୋପ୍ଲାଷ୍ଟିକ୍ ହଟାଇବା ପାଇଁ କୃଷି ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯାଇଛି । ନିଜର ଉଲ୍ଲେଖନୀୟ ସୃଜନଶୀଳତା ମାଧ୍ୟମରେ ଏହି ଯୁବ ଉଦ୍ଭାବକମାନେ ବିଶ୍ଵରେ ବଢୁଥିବା ଏକ ଚ୍ୟାଲେଞ୍ଜକୁ ସାମ୍ନା କରିଛନ୍ତି, ଯାହାକି ବେଶ ପ୍ରଶଂସନୀୟ ।" ତେବେ ୩ ଯୁବ ଭାରତୀୟ ବୈଜ୍ଞାନିକଙ୍କ ଏହି ସୃଜନଶୀଳତା ଏବେ ଭାରତକୁ ବିଶ୍ୱ ଯୁବ ଜଳବାୟୁ ନବସୃଜନ ମାନଚିତ୍ରର ଶୀର୍ଷରେ ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Teens Win Earth Prize 2026 for ‘Plas-Stick’, a Tamarind-Based Microplastic Filter | Argus News