ଆସନ୍ତା ୨୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୨୦ ଓ ୨୧ରେ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚି ପାହାଳପୁରରେ ଥିବା SLS ସ୍କୁଲକୁ ଯିବେ । ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟିବା ପରେ ଏଲ.ଏଣ୍ଡ.ଟି କମ୍ପାନୀ ଦ୍ବାରା ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିବେ । ୨୧ ତାରିଖରେ ବାଦାମପାହାଡ ଗସ୍ତରେ ଯିବେ ମହାମହିମ । ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଏଥିପାଇଁ ଦକ୍ଷିଣ ପୂର୍ବ ରେଳ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ବରୁ ପୂଜା ଭେଟି ଭାବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଦାମପାହାଡରୁ ଶାଲିମାର, ବାଦାମପାହାଡରୁ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଟ୍ରେନ୍ ଓ ବାଦାମପାହାଡରୁ ଟାଟାନଗର ଦୈନିକ ଟ୍ରେନ ଚଳାଚଳ ନେଇ ଘୋଷଣା କରିଥିଲେ ।
📱 Get Argus News App
✨ଏହାବ୍ୟତୀତ ରାଇରଙ୍ଗପୁର ମୁଖ୍ୟ ଡାକଘର ଏବେ ଜିଲ୍ଲା ବା ଡିଭିଜନାଲ ମୁଖ୍ୟ ଡାକ କାର୍ଯ୍ୟାଳୟ ହେବାର ସୂଚନା ରହିଛି । ଏହାକୁ ମଧ୍ୟ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ ପୁନରୁଦ୍ଧାର, ଉନ୍ନତିକରଣ ଓ ମରାମତି ଆରମ୍ଭ ହୋଇଛି । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ଖବର ଶୁଣିବା ପରେ ଅଞ୍ଚଳବାସୀଙ୍କ ମନରେ ଖୁସୀର ଲହରୀ । ମହାମହିମଙ୍କ ସ୍ବାଗତ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି ।