Videos
|
National

CRPF Constable Pinak Nath / କମାଣ୍ଡରଙ୍କୁ ଧମକ ଦେବା ପଡ଼ିଲା ମହଙ୍ଗା! CRPF ଯବାନ ପିନାକ ନାଥ ଚାକିରିରୁ ବରଖାସ୍ତ

Subhramjit Ray
Browse all articles by Subhramjit Ray
·55 mins ago·2 min read
କମାଣ୍ଡରଙ୍କୁ ଧମକ ଦେବା ପଡ଼ିଲା ମହଙ୍ଗା! CRPF ଯବାନ ପିନାକ ନାଥ ଚାକିରିରୁ ବରଖାସ୍ତ
CRPF Constable Dismissed (CRPF Constable Dismissed)

Key Points

ଜମ୍ମୁ-କାଶ୍ମୀରର ଡୋଡାରେ ମୁତୟନ CRPF ୩୩ତମ ବାଟାଲିୟନର କନଷ୍ଟେବଳ ପିନାକ ନାଥଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ସୋସିଆଲ ମିଡିଆରେ ନିଜ କମ୍ପାନୀ କମାଣ୍ଡରଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ବିଭାଗୀୟ ତଦନ୍ତ ହୋଇଥିଲା। ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ନଭେମ୍ବର ୧୩ରେ ତାଙ୍କୁ ବରଖାସ୍ତ କରାଯାଇଛି। CRPF ଶୃଙ୍ଖଳା ଓ ଶୃଙ୍ଖଳିତ କମାଣ୍ଡ ବ୍ୟବସ୍ଥା ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇଛି।

କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ (ସିଆରପିଏଫ) ରେ କାର୍ଯ୍ୟରତ ଜଣେ ସୈନିକଙ୍କୁ ସେବାରୁ ବରଖାସ୍ତ କରାଯାଇଛି। ବରଖାସ୍ତ ସୈନିକ ଜଣକ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ କମ୍ପାନୀ କମାଣ୍ଡରଙ୍କୁ ହତ୍ୟା ଧମକ ଦେଇଥିବାର ଅଭିଯୋଗ ହୋଇଛି। ସରକାରୀ ସୂତ୍ର ଅନୁଯାୟୀ ଅଭିଯୁକ୍ତ ବରଖାସ୍ତ ସୈନିକ ଜଣଙ୍କ ଆସାମର ବାସିନ୍ଦା। ସେ ହେଉଛନ୍ତି ପ୍ରୋବେସନାରୀ କନଷ୍ଟେବଳ ପିନାକ ନାଥ। ପିନାକ ନାଥଙ୍କୁ ଜାମୁ କାଶ୍ମୀରର ଡୋଡ଼ା ଜିଲ୍ଲାରେ ଅବସ୍ଥାପିତ ସିଆରପିଏଫ (CRPF) ର ୩୩ତମ ବାଟାଲିୟନ ଆଲଫା କମ୍ପାନୀ ଠାରେ ନିଯୁକ୍ତି ଦିଆଯାଇଥିଲା। ଯିଏ ନିକଟରେ ଏହି କେନ୍ଦ୍ରୀୟ ବଳରେ ଭର୍ତ୍ତି ହୋଇଥିଲେ।

ଅଭିଯୋଗ ହୋଇଛି ଯେ ସେ ସୋସିଆଲ ମିଡିଆରେ ତାଙ୍କ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆପତ୍ତିଜନକ ଏବଂ ଧମକପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରିଥିଲେ। ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଏକ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ଅଭିଯୋଗ ସତ୍ୟ ବୋଲି ଜଣାପଡିବା ପରେ, ତାଙ୍କୁ ସେବାରୁ ବରଖାସ୍ତ କରାଯାଇଥିଲା। ଏନେଇ ସିଆରପିଏଫ ଅଧିକାରୀ କହିଛନ୍ତି ଯେ ବାହିନୀରେ ଶୃଙ୍ଖଳା ହେଉଛି ସର୍ବୋଚ୍ଚ ପ୍ରାଥମିକତା। ବରିଷ୍ଠ ଅଧିକାରୀଙ୍କ ପ୍ରତି ଯେକୌଣସି ପ୍ରକାରର ଅନୁଶାସନହୀନତା କିମ୍ବା ଧମକକୁ ବରଦାସ୍ତ କରାଯିବ ନାହିଁ। ମାମଲାର ଅନ୍ୟ ଦିଗ ସମ୍ପର୍କରେ ବର୍ତ୍ତମାନ ତଦନ୍ତ କରାଯାଉଛି।

ଏହା ସହ ପଢନ୍ତୁ: ସିଆରପିଏଫ୍ କୁ ମିଳିଲା ଐତିହାସିକ ସଫଳତା; ୪୭ ବର୍ଷ ଇତିହାସରେ ପ୍ରଥମ

ଏକ ସୋସିଆଲ ମିଡିଆ ପୋଷ୍ଟରେ, ପିନାକ ନାଥ ତାଙ୍କ କମ୍ପାନୀ କମାଣ୍ଡରଙ୍କୁ ହତ୍ୟା କରିବା ଏବଂ ପରେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ସେ ଅନ୍ୟ ଏକ ସୁରକ୍ଷା ବାହିନୀରେ ଏକ ସାମ୍ପ୍ରତିକ ଘଟଣାର ଉଲ୍ଲେଖ କରିଥିଲେ ଯେଉଁଥିରେ ଜଣେ ସୈନିକ ତାଙ୍କ ବରିଷ୍ଠ ଏବଂ ସହକର୍ମୀଙ୍କୁ ତାଙ୍କ ସର୍ଭିସ ରାଇଫଲ୍ ରେ ହତ୍ୟା କରିଥିଲେ। ଏହି ପୋଷ୍ଟକୁ ଗମ୍ଭୀରତାର ସହ ନେଇ ବାଟାଲିୟନର କମାଣ୍ଡିଂ ଅଫିସର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ, କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ଅସ୍ଥାୟୀ ସେବା) ନିୟମ ୧୯୬୫, ନିୟମ ୫, ଉପ-ନିୟମ (୧) ବ୍ୟବସ୍ଥା ଅନୁଯାୟୀ ଶୁକ୍ରବାର (ନଭେମ୍ବର ୧୩) ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ଏନେଇ ଅଧିକାରୀ କହିଛନ୍ତି ଯେ ଶୃଙ୍ଖଳା ଏବଂ କମାଣ୍ଡ ଶୃଙ୍ଖଳାକୁ ବିପଦରେ ପକାଇବା ଭଳି ଯେକୌଣସି କାର୍ଯ୍ୟ ପ୍ରତି ବିଭାଗର ଶୂନ୍ୟ-ସହନଶୀଳତା ନୀତି ରହିଛି। ସିଆରପିଏଫ୍ ବାହିନୀରେ ଏହା ପ୍ରଥମ ବହିଷ୍କାର ଘଟଣା ନୁହେଁ। ଗତ ବର୍ଷ ମେ ମାସରେ, 41ତମ ବାଟାଲିୟନ୍ ଠାରେ କାର୍ଯ୍ୟରତ କନଷ୍ଟେବଳ ମୁନିର ଅହମ୍ମଦଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ତାଙ୍କ ଉପରେ ପାକିସ୍ତାନ ସିଆଲକୋଟ ଅଞ୍ଚଳର ବାସିନ୍ଦା ମୀନାଲ୍ ଖାନଙ୍କ ସହିତ ତାଙ୍କ ବିବାହ ଲୁଚାଇ ଥିବାର ଅଭିଯୋଗ ହୋଇଥିଲା। ଉଭୟ ଗତ ୨୦୨୪ ମେ ୨୪ ତାରିଖରେ ଏକ ଅନଲାଇନ୍ ନିକାହ ସମାରୋହ କରିଥିଲେ। ଏହା ପରେ ଗତ ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ, ମୀନାଲ୍ ଖାନ ଏକ ସ୍ୱଳ୍ପକାଳୀନ ଭିସାରେ ଭାରତ ଆସିଥିଲେ। ଯାହାର ମିଆଦ ଗତ ୨୦୨୫ ମାର୍ଚ୍ଚ ୨୨ ତାରିଖରେ ଶେଷ ହୋଇଥିଲା।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: