Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମମତାଙ୍କ ଅତି ଘନିଷ୍ଠ ନେତ୍ରୀଙ୍କ ବଡ଼ ବିଦ୍ରୋହ ! ଚମକାଇଦେବ ସାୟୋନୀ ଘୋଷଙ୍କ କାହାଣୀ

National

Saayoni Ghosh Rebel Camp / ମମତାଙ୍କ ଅତି ଘନିଷ୍ଠ ନେତ୍ରୀଙ୍କ ବଡ଼ ବିଦ୍ରୋହ ! ଚମକାଇଦେବ ସାୟୋନୀ ଘୋଷଙ୍କ କାହାଣୀ

Santosh Kumar Sahoo
Browse all articles by Santosh Kumar Sahoo
·5 hours ago·3 min read
ମମତାଙ୍କ ଅତି ଘନିଷ୍ଠ ନେତ୍ରୀଙ୍କ ବଡ଼ ବିଦ୍ରୋହ ! ଚମକାଇଦେବ ସାୟୋନୀ ଘୋଷଙ୍କ କାହାଣୀ
Sayani Ghosh

Key Points

୨୮ ବର୍ଷରେ ରାଜନୀତିରେ ଏଣ୍ଟ୍ରି
ଶିବଲିଙ୍ଗ ବିବାଦ ଆଉ ଏବେ ଦଳ ବଦଳ 
ଜାଣନ୍ତୁ ସାୟୋନୀଙ୍କ ପୂରା କାହାଣୀ
ସାୟୋନୀ ଘୋଷ । ପଶ୍ଚିମବଙ୍ଗ ରାଜନୀତିର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ବ । ତାଙ୍କୁ ମମତା ବାନର୍ଜୀ ଓ ଅଭିଷେକ ବାନାର୍ଜୀଙ୍କ ଅତି ନିକଟତର ବୋଲି ବିବେଚନା କରାଯାଉଥିଲା । କିନ୍ତୁ ସରକାର ପରିବର୍ତ୍ତନ ହେବା ମାତ୍ରେ ସେ ଦଳ ବଦଳାଇଛନ୍ତି । ସେ ବିଦ୍ରୋହୀ ଟିଏମସି ସାଂସଦଙ୍କ ତାଲିକାରେ ସାମିଲ ହୋଇଛନ୍ତି ଯେଉଁମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଏନଡିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଭିନେତ୍ରୀରୁ ରାଜନେତା ହୋଇଥିବା ସାୟୋନୀ ଘୋଷ ବହୁତ କମ୍ ବୟସରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୦ ମସିହାରେ, ମାତ୍ର ୧୭ ବର୍ଷ ବୟସରେ ସେ ବଙ୍ଗଳା ଚଳଚ୍ଚିତ୍ରରେ ଏଣ୍ଟ୍ରି କରିଥିଲେ । ଆଉ ତା'ପରେ ପୂରା ବେଙ୍ଗଲରେ ପରିଚିତ ହୋଇଥିଲେ । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସାୟୋନୀ ଘୋଷ ସାଂସ୍କୃତିକ ଜଗତରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ହୋଇସାରିଥିଲେ ।

ସେ ୨୮ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ଶୀଘ୍ର ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ହୋଇଯାଇଥିଲେ । ତେବେ ମମତା ବାନାର୍ଜୀଙ୍କ ନିକଟତର ସହଯୋଗୀ ହେବାଠାରୁ ଦଳ ବଦଳାଇବା ପର୍ଯ୍ୟନ୍ତ, ତାଙ୍କ କାହାଣୀ ବେଶ୍ ଆକର୍ଷଣୀୟ ।

ବଙ୍ଗଳା ଧାରାବାହିକରେ ତାଙ୍କର ଅଭିନୟ କରିବା ପରେ ସେ ବଙ୍ଗଳା ସିନେମା ଆଡ଼କୁ ମୁହାଁଇଥିଲେ । ୨୦୧୧ ମସିହାରେ ସେ "ଶତ୍ରୁ" ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ, ଯାହା ତାଙ୍କୁ ଲୋକପ୍ରିୟତା ଦେଇଥିଲା । ଏହା ତାଙ୍କ କ୍ୟାରିୟରରେ ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା । ତେବେ ସାୟୋନୀ କେବଳ ବଡ଼ ପରଦାରେ ସୀମିତ ନଥିଲେ ସେ ଥିଏଟରରେ ମଧ୍ୟ କାମ କରିଥିଲେ ।

ଅଧିକ ପଢ଼ନ୍ତୁ: ମମତାଙ୍କୁ ବଡ଼ ଝଟ୍‌କା; TMCର ୨୦ ବିଦ୍ରୋହୀ ସାଂସଦଙ୍କ ତାଲିକାରେ ସାୟୋନୀ ଘୋଷ ବି ସାମିଲ୍

ସାୟୋନୀ ତାଙ୍କ ଅଭିନୟ କ୍ୟାରିୟରରେ ଏକ ଦଶନ୍ଧିରୁ ଅଧିକ ସମୟ ବିତାଇବା ପରେ ରାଜନୀତିରେ ପ୍ରବେଶ କରିଥିଲେ । ୨୦୨୧ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରେ ଜଣେ ଯୁବ ମହିଳା ନେତ୍ରୀଙ୍କ ଆବଶ୍ୟକତା ଥିଲା ଏବଂ ସାୟୋନୀ ଘୋଷ ଏଥିପାଇଁ ସମ୍ପୂର୍ଣ୍ଣ ଫିଟ୍ ଥିଲେ । ସାୟୋନୀ ବେଙ୍ଗଲରେ ବେଶ୍‌ ଲୋକପ୍ରିୟ ମଧ୍ୟ ଥିଲେ । ଯାହା ଫଳରେ ମମତା ବାନାର୍ଜୀ ତାଙ୍କୁ ଫେବୃଆରୀ ୨୦୨୧ ରେ ଟିଏମସିରେ ସାମିଲ କରିଥିଲେ ।

ଟିଏମସିରେ ଯୋଗଦେବା ପରେ ସାୟୋନୀ ଆସାନସୋଲ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ, କିନ୍ତୁ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପଲଙ୍କ ଠାରୁ ହାରିଯାଇଥିଲେ । ଏହା ସତ୍ତ୍ୱେ, ସାୟୋନୀ ରାଜନୈତିକ କ୍ଷେତ୍ରରେ ସକ୍ରିୟ ରହିଥିଲେ । ୨୦୨୧ ମସିହାରେ ସାୟୋନୀ ଘୋଷଙ୍କୁ ତ୍ରିପୁରାରେ ଗିରଫ କରାଯାଇଥିଲା । ସାୟୋନୀ ଗିରଫ ହୋଇଥିଲେ ସତ କିନ୍ତୁ ସେ ମମତା ବାନାର୍ଜୀଙ୍କ ବିଶ୍ବାସ ଜିତିବାରେ ମଧ୍ୟ ସଫଳ ହୋଇଥିଲେ । ଯାହାଫଳରେ ୨୦୨୩ ମସିହାରେ, ମମତା ବାନାର୍ଜୀ ତାଙ୍କୁ ଟିଏମସିର ଯୁବ ଶାଖାର ସଭାପତି ଭାବରେ ନିଯୁକ୍ତ କରିଥିଲେ ।

ପଶ୍ଚିମବଙ୍ଗରେ କଥିତ ନିଯୁକ୍ତି ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତାଙ୍କୁ ଦଶ ଘଣ୍ଟା ଧରି ପଚରାଉଚରା କରିବା ସମୟରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାୟୋନୀ ଘୋଷଙ୍କ ଆକ୍ରମଣାତ୍ମକ ମନୋଭାବକୁ ଦୃଷ୍ଟିରେ ରଖି, ମମତା ବାନାର୍ଜୀ ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ​​ଯାଦବପୁର ଆସନରୁ ଟିକେଟ୍‌ ଦେଇଥିଲେ । ଆଉ ସେ ସେଠାରେ ନିର୍ବାଚିତ ମଧ୍ୟ ହୋଇଥିଲେ ।

ତାଙ୍କ ପାଞ୍ଚ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ସାୟୋନୀ ଘୋଷ ନିଜକୁ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବରେ ଉପସ୍ଥାପନ କରିଛନ୍ତି । ତାଙ୍କ ଭାଷଣରେ ବାରମ୍ବାର ତାଙ୍କର ନାମ ଉଲ୍ଲେଖ କରିଛନ୍ତି । ସାୟୋନୀ ମମତା ବାନାର୍ଜୀଙ୍କ ପରି ଶାଢ଼ି ପିନ୍ଧନ୍ତି ଏବଂ ପ୍ରାୟତଃ ତାଙ୍କ ପରି ଚପଲ ପିନ୍ଧି ରାଲିରେ ଯୋଗ ଦିଅନ୍ତି ।

ମମତା ବାନାର୍ଜୀଙ୍କୁ ତାଙ୍କର ରାଜନୈତିକ ଆଦର୍ଶ ଏବଂ ଅଭିଷେକ ବାନାର୍ଜୀଙ୍କୁ ତାଙ୍କର ନେତା ମାନିଥିବା ସାୟୋନୀ ଘୋଷ ମଧ୍ୟ କ୍ଷମତା ପରିବର୍ତ୍ତନ ସହିତ ବେଙ୍ଗଲ ରାଜନୈତିକ ଭାବନାରେ ପରିବର୍ତ୍ତନ ଅନୁଭବ କରୁଛନ୍ତି । ସାୟୋନୀ ବିଦ୍ରୋହୀ ଟିଏମସି ନେତାଙ୍କ ତାଲିକାରେ ସାମିଲ ହୋଇଛନ୍ତି ଯେଉଁମାନେ ଅଭିଷେକ ବାନାର୍ଜୀଙ୍କୁ ଟିଏମସି ଲୋକସଭା ସଂସଦୀୟ ଦଳ ନେତା ପଦରୁ ହଟାଇ କାକୋଲି ଘୋଷଙ୍କୁ ନେତା ଭାବରେ ନିଯୁକ୍ତ କରିବାକୁ ଚାହାଁନ୍ତି । ଏହା ବ୍ୟତୀତ, ସେ ସଂସଦରେ ପୃଥକ ଭାବରେ ବସି ଏନଡିଏକୁ ସମର୍ଥନ କରିବାକୁ ଚାହାଁନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored