Videos
|
National

Viral Dowry Case / ବ୍ରେଜା କାର୍ ନମିଳିବାରୁ ଫେରିଲା ବର, ମଣ୍ଡପରେ ଲାଲ୍ ଶାଢ଼ି ପିନ୍ଧି ଅପେକ୍ଷା କରୁଥିଲେ MA ପାସ୍ କନ୍ୟା

Debashree Debasmita Sahoo
Browse all articles by Debashree Debasmita Sahoo
·50 mins ago·3 min read
ବ୍ରେଜା କାର୍ ନମିଳିବାରୁ ଫେରିଲା ବର, ମଣ୍ଡପରେ ଲାଲ୍ ଶାଢ଼ି ପିନ୍ଧି ଅପେକ୍ଷା କରୁଥିଲେ MA ପାସ୍ କନ୍ୟା
Haryana Dowry Case

Key Points

ଗାଡ଼ି ପାଇଁ ଅଧାରେ ରହିଗଲା ବିବାହ
କନ୍ୟାପକ୍ଷ ଖର୍ଚ୍ଚ କରିଥିଲେ ୨୫ରୁ ୩୦ ଲକ୍ଷ ଟଙ୍କା
ଯୌତୁକ ଦାବିକୁ ନେଇ ଚର୍ଚ୍ଚାରେ ଏହି ବିବାହ
ଚଣ୍ଡିଗଡ଼: ହରିୟାଣାର ସୋନିପତ୍‌ରେ ଯୌତୁକ ଓ କାର୍ ଦାବିକୁ ନେଇ ବିବାହ ଦିନ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବରପକ୍ଷକୁ ପ୍ରାୟ ୯.୫ ଲକ୍ଷ ଟଙ୍କାର କାର ପସନ୍ଦ ଆସିନଥିଲା । ଏହା ବଦଳରେ ସେମାନେ ବ୍ରେଜା କାର୍ ଦାବି କରିଥିଲେ । ଦାବି ମୁତାବକ କାର ନମିଳିବାରୁ ବର ବିବାହ କରିବାକୁ ମନା କରି ବରଯାତ୍ରୀ ଫେରାଇ ନେଇଥିବା ଅଭିଯୋଗ ହୋଇଛି । ଏପଟେ ମଣ୍ଡପରେ ଲାଲ୍ ଶାଢ଼ି ପିନ୍ଧି ଅପେକ୍ଷା କରୁଥିଲେ MA ପାସ୍ କନ୍ୟା । ଏହି ଘଟଣା ପରେ କନ୍ୟାର ପରିବାର ପୋଲିସର ଦ୍ୱାରସ୍ଥ ହୋଇ ନ୍ୟାୟ ଦାବି କରିଛନ୍ତି।

  • ୬ ମାସ ପୂର୍ବରୁ ସ୍ଥିର ହୋଇଥିଲା ବିବାହ
ଘଟଣାଟି ସୋନିପତ୍‌ର ରାମନଗର ଅଞ୍ଚଳର । ସେଠାରେ ରହୁଥିବା ସୁଭାଷ କୁମାର ନିଜ ଝିଅ ହିନାଙ୍କ ବିବାହ ପ୍ରାୟ ୬ ମାସ ପୂର୍ବରୁ ଗୋହାନାର ଗାନ୍ଧୀନଗର ନିବାସୀ କୁଲଦୀପଙ୍କ ସହ ସ୍ଥିର କରିଥିଲେ । କୁଲଦୀପ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ । ନଭେମ୍ବର ୨୦ରେ ବିବାହ ହେବାକୁ ଥିଲା । କନ୍ୟାର ପିତାଙ୍କ ଅଭିଯୋଗ ଅନୁସାରେ, ବିବାହ ସ୍ଥିର ହେବା ପରଠାରୁ ବରପକ୍ଷ ଗାଡ଼ି ଓ ସୁନା ଗହଣା ନେଇ ଦାବି କରୁଥିଲେ । ଝିଅର ବାପା ବର ପାଇଁ ପ୍ରାୟ ସାଢ଼େ ୯ ଲକ୍ଷ ଟଙ୍କାର ଏକ କାର ବୁକ୍ କରିଥିଲେ।

କିନ୍ତୁ ବିବାହର ଦିନକ ପୂର୍ବରୁ ମଧ୍ୟସ୍ଥଙ୍କ ଜରିଆରେ ଜଣାପଡ଼ିଥିଲା ଯେ ବରଙ୍କୁ ଏହି କାର୍ ପସନ୍ଦ ନୁହେଁ ଏବଂ ସେ ବ୍ରେଜା ଚାହୁଁଛନ୍ତି। ଏହାପରେ ପୂର୍ବ କାର୍‌ର ବୁକିଂ ବାତିଲ୍ କରି ବ୍ରେଜା କିଣିବା ପାଇଁ ପରିବାର ଉଦ୍ୟମ କରିଥିଲେ । ହେଲେ ଅଳ୍ପ ସମୟ ମଧ୍ୟରେ କାର୍ ବୁକିଂ ହୋଇପାରିନଥିଲା । ଅଭିଯୋଗ ଅନୁସାରେ, ବ୍ରେଜାର ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ଥିଲା ।

  • ଲକ୍ଷ ଲକ୍ଷ ଟଙ୍କାର ଗହଣା ଦାବି
କନ୍ୟାର ପିତାଙ୍କ ଅଭିଯୋଗ ଅନୁସାରେ, ବର ପାଇଁ ୨ ଭରି ସୁନା ଚେନ୍, ବରଙ୍କ ମା’ଙ୍କ ପାଇଁ ୪ ଭରିର ସୁନା ଟପ୍ସ ଏବଂ ରୂପା ପାଉଁଜି ଦେବାକୁ ମଧ୍ୟ ପ୍ରସ୍ତୁତି କରାଯାଇଥିଲା । ଏହାସହ ବରଙ୍କ ବଡ଼ ଭାଇ ଓ ଭାଉଜଙ୍କ ପାଇଁ ମଧ୍ୟ ଗହଣା ଦାବି କରାଯାଇଥିବା ଅଭିଯୋଗ ହୋଇଛି । କନ୍ୟାପକ୍ଷ ଏହି ଦାବି ମାନି ଗହଣା ତିଆରି ପାଇଁ ଅର୍ଡର ମଧ୍ୟ ଦେଇଥିଲେ । ବିବାହ ପାଇଁ ଫର୍ଣ୍ଣିଚର୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ୧୨୦୦ ଅତିଥିଙ୍କ ପାଇଁ ଭୋଜି, କିନ୍ତୁ ଆସିଲେନି ବରଯାତ୍ରୀ
ନଭେମ୍ବର ୨୦ରେ ସୋନିପତ୍‌ର ମାମଚନ୍ଦ ଭାଟିକାରେ ବିବାହ ଆୟୋଜନ କରାଯାଇଥିଲା । କନ୍ୟାପକ୍ଷ ପ୍ରାୟ ୧୨୦୦ ଅତିଥିଙ୍କ ପାଇଁ ଭୋଜିର ବ୍ୟବସ୍ଥା କରିଥିଲେ । କିନ୍ତୁ ଅଭିଯୋଗ ଅନୁସାରେ, ବର କୁଲଦୀପ ନିଜ ମା’ଙ୍କ ସହ ବରଯାତ୍ରୀ ନେଇ ଆସିବା ପରିବର୍ତ୍ତେ ସାଧାରଣ ପୋଷାକରେ ଭାଟିକାରେ ପହଞ୍ଚିଥିଲେ। ସେଠାରେ ବ୍ରେଜା କାର୍ ଖୋଜିଥିଲେ । କାର୍ ନମିଳିବା ପରେ କନ୍ୟାପକ୍ଷ ସହ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।

  • ହାତ ଯୋଡ଼ି ବିବାହ ପାଇଁ ଅନୁରୋଧ
କନ୍ୟାର ପିତାଙ୍କ ଅଭିଯୋଗ ଅନୁସାରେ, ବର ତାଙ୍କ ପରିବାର ସହ ଗାଳିଗୁଲଜ କରିଥିଲେ । କନ୍ୟାର ଭାଇ ସାହିଲଙ୍କ ସହ ମଧ୍ୟ ବିବାଦ ହୋଇଥିଲା । ଏହି ସମୟରେ କନ୍ୟାପକ୍ଷର ପରିବାର ଓ ସମ୍ପର୍କୀୟମାନେ ହାତ ଯୋଡ଼ି ବର ଓ ତାଙ୍କ ମା’ଙ୍କୁ ବିବାହ ରୀତିନୀତି ସମ୍ପନ୍ନ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ବରପକ୍ଷ ରାଜି ହୋଇନଥିଲେ । ଶେଷରେ ବର ବରଯାତ୍ରୀ ନେଇ ଫେରିଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ, ଲାଲ୍ ବିବାହ ପୋଷାକ ପିନ୍ଧି ମଣ୍ଡପରେ ବସିଥିବା କନ୍ୟା ବରକୁ ଅପେକ୍ଷା କରି ରହିଯାଇଥିଲେ।

ପଢନ୍ତୁ ଏହି ଖବର: ନର୍ସରୁ କଣ୍ଟେଣ୍ଟ କ୍ରିଏଟର୍, ୭ ମାସରେ ବଦଳିଗଲା ଭାଗ୍ୟ; ରୋଜଗାର ଶୁଣି ଉଡ଼ିବ ହୋସ୍

  • ବିବାହରେ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ
କନ୍ୟାର ପିତାଙ୍କ କହିବା ଅନୁସାରେ, ବିବାହ ଆୟୋଜନରେ ସେ ପ୍ରାୟ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ପ୍ରାୟ ୧ ଲକ୍ଷ ୩୨ ହଜାର ଟଙ୍୍କାର ଫର୍ଣ୍ଣିଚର୍ ପ୍ରସ୍ତୁତ କରାଯାଇଥିଲା । ଡିଜେ, ଘୋଡ଼ି ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ହୋଇଥିଲା । ବରଯାତ୍ରୀରେ ପ୍ରାୟ ୨୦ରୁ ୩୦ ଜଣ ଆସିଥିଲେ । କିନ୍ତୁ ବର ଫେରିଯିବା ପରେ ଉପସ୍ଥିତ ଅତିଥିମାନେ ମଧ୍ୟ ଖାଦ୍ୟ ଖାଇନଥିବାରୁ ପରିବାରକୁ ଆର୍ଥିକ କ୍ଷତି ସହ ମାନସିକ ଓ ସାମାଜିକ ଅପମାନର ସାମ୍ନା କରିବାକୁ ପଡ଼ିଥିବା ସେ କହିଛନ୍ତି ।

  • ନ୍ୟାୟ ଦାବି କଲେ ପରିବାର
ଘଟଣା ପରେ ଉଭୟ ପକ୍ଷ ଡାଏଲ୍ ୧୧୨ ଜରିଆରେ ପୋଲିସକୁ ସୂଚନା ଦେଇଥିଲେ । ପୀଡ଼ିତ ପିତା ସୁଭାଷ ସେକ୍ଟର-୨୭ ଥାନାରେ ଅଭିଯୋଗ କରି ବର କୁଲଦୀପ ଓ ତାଙ୍କ ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେ କହିଛନ୍ତି, ତାଙ୍କ ଝିଅ ହିନା MA ଏବଂ JBT ଶିକ୍ଷା ହାସଲ କରିଛନ୍ତି। ନିଜ ସାମର୍ଥ୍ୟ ଅନୁସାରେ ବିବାହର ସମସ୍ତ ପ୍ରସ୍ତୁତି କରିଥିଲେ । ଏବେ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପଦକ୍ଷେପ ଦାବି କରିଛନ୍ତି ।