ବିକଶିତ ଭାରତର ସଂକଳ୍ପକୁ ସଶକ୍ତ କରୁଛନ୍ତି ସାମର୍ଥ୍ୟବାନ ଯୁବଶକ୍ତି- ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ସାମର୍ଥ୍ୟବାନ ଯୁବଶକ୍ତି ବିକଶିତ ଭାରତର ସଂକଳ୍ପକୁ ସଶକ୍ତ କରୁଛନ୍ତି ବୋଲି ସୋମବାର ଭୁବନେଶ୍ୱରରେ ଦ୍ୱାଦଶ ପର୍ଯ୍ୟାୟ ରାଷ୍ଟ୍ରୀୟ ରୋଜଗାର ମେଳାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ୩୮୪ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ କଠିନ ପରିଶ୍ରମ ପରେ ସଫଳତା ପାଇଥିବା କର୍ମଯୋଗୀ ବନ୍ଧୁ ମାନଙ୍କୁ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ରୋଜଗାର ମେଳା ଯୁବକ ଯୁବତୀ ମାନଙ୍କୁ ସଶକ୍ତୀକରଣ ଏବଂ ବିକଶିତ ଭାରତରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବା ପାଇଁ ସୁଯୋଗ ଦେଉଛି । ନିଯୁକ୍ତ ପାଇଥିବା ଯୁବଶକ୍ତିଙ୍କ ପରିଶ୍ରମ ହିଁ ଦେଶକୁ ବିକଶିତ କରିବ । ଏହି ଗୁରୁ ଦାୟିତ୍ୱକୁ ସୁଚାରୁରୂପେ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ନିଯୁକ୍ତ ପାଇଥିବା ପ୍ରାର୍ଥଙ୍କୁ ପରାମର୍ଶ ଦେବା ସହ ଧନ୍ୟବାଦ ଜଣାଇଥିଲେ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୀତି ମଜଭୂତ୍ ସ୍ଥିତିରେ ପହଞ୍ଚିଛି । ଦେଶ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହୋଇଥିବା ବେଳେ ଆଗାମୀ ତିନି ବର୍ଷ ମଧ୍ୟରେ ୩ ନମ୍ବର ଅର୍ଥନୀତି ହେବ । ବର୍ତ୍ତମାନ ସମୟରେ ସ୍କିଲିଂ, ରି- ସ୍କିଲିଂ ଓ ଅପ୍ - ସ୍କିଲିଂ ନିତିଦିନିଆ କାର୍ଯ୍ୟରେ ପରିଣତ ହେଲାଣି । ସମୟ ସହ ନୂଆ ନୂଆ ଟେକ୍ନୋଲୋଜି ଆସୁଛି । ଡିଜିଟାଲ ଦୁନିଆ ଭାରତକୁ ଆଗକୁ ନେଉଛି । ଆମେ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟରେ ଅଗ୍ରସର ହେଉଥିବା ବେଳେ ଆଜି ନିଯୁକ୍ତି ପାଇଥିବା ପ୍ରାର୍ଥୀ ମାନେ ଆଗାମୀ ୨୫ ବର୍ଷ ଭିତରେ ଦକ୍ଷତାକୁ ବହୁ ଗୁଣିତ କରିବା ପାଇଁ ଏବେ ଠାରୁ ପ୍ରୟାସ କରିବାର ଆବଶ୍ୟକତା ଅଛି ।
📱 Get Argus News App
✨ପାଠ ପଢି ଯେଉଁମାନେ ସରକାରୀ ଦାୟିତ୍ୱରେ ଅଛନ୍ତି ସେମାନେ ହିଁ ଦେଶକୁ ଆଗକୁ ନେବେ । ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବ । ଓଡ଼ିଶା ବିକଶିତ ହେଲେ ହିଁ ଭାରତ ବିକଶିତ ହେବ । ପ୍ରଧାନମନ୍ତ୍ରୀ ଏକ ଭାରତ ଶ୍ରେଷ୍ଠ ଭାରତର ନାରା ଦେଇଛନ୍ତି । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ବେଳେ ଦେଖାଗଲା କି ସମସ୍ତଙ୍କର ଗୋଟିଏ ଭାବଧାରା ଅଛି । ଭାଷା, ସ୍ଥାନ, ପୋଷାକ, ଖାଦ୍ୟ ଏବଂ ରୁଚି ଆମ ପାଇଁ ଅଲଗା ହୋଇପାରେ । କିନ୍ତୁ ଆମେ ବିବିଧତାରେ ଏକ । ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ କଳ୍ପନାରେ ଭାରତୀୟ ଭାବେ ଆମ ଦେଶକୁ ବିଶ୍ୱରେ ଅଗ୍ରଣୀ କରିବା ପାଇଁ, ଓଡ଼ିଶାର ସ୍ୱାଭିମାନକୁ ବଢାଇବା ପାଇଁ ଏବଂ ମାନବ ସମାଜକୁ ଆଗେଇ ନେବା ପାଇଁ ତପସ୍ୟା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଯୁବ ସମାଜକୁ ଆହ୍ୱାନ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଉଲ୍ଲେଖନୀୟ ଯେ, ଦ୍ୱାଦଶ ପର୍ଯ୍ୟାୟ ରାଷ୍ଟ୍ରୀୟ ରୋଜଗାର ମେଳାରେ ସିଆଇଏସଏଫରେ ୧୦୦ ଜଣ, ପୂର୍ବତଟ ରେଳ ବିଭାଗରେ ୭୪, ଏମ୍ସରେ ୫୬, ସିବିଆଇସିରେ ୪୦, ଏଫସିଆଇରେ ୨୯, ବିଏସଏଫରେ ୨୪, ଇପିଏଫଓରେ ୧୭, ଇନକମ ଟ୍ୟାକ୍ସରେ ୧୦, ଭାରତୀୟ ଡାକ ବିଭାଗରେ ୯, ଜନଜାତି ବ୍ୟାପାର ମନ୍ତ୍ରଣାଳୟରେ ୯, ସିଡବ୍ଲୁସିରେ ୭, ସିଆରପିଏଫରେ ୬ ଏବଂ ସିପିଡବ୍ଲୁଡିରେ ୦୩ ଜଣ ସର୍ବମୋଟ ୩୮୪ ଜଣଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯାଇଥିଲା ।