Videos
|
National

UP Student Career Guidance / ଏବେ ଛାତ୍ରଙ୍କୁ IAS-IPS ଦେବେ କ୍ୟାରିୟର ଟିପ୍ସ! Gen-Z ପାଇଁ ଯୋଗୀ ସରକାରଙ୍କ ନୂଆ ପଦକ୍ଷେପ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଏବେ ଛାତ୍ରଙ୍କୁ IAS-IPS ଦେବେ କ୍ୟାରିୟର ଟିପ୍ସ! Gen-Z ପାଇଁ ଯୋଗୀ ସରକାରଙ୍କ ନୂଆ ପଦକ୍ଷେପ
UP Student Career Guidance

Key Points

ଛାତ୍ରଙ୍କ ସହ ସିଧା କଥା ହେବେ IAS-IPS !
Gen-Z ପାଇଁ ଯୋଗୀ ସରକାରଙ୍କ ନୂଆ ଯୋଜନା
UPSC ଠାରୁ NEET ପର୍ଯ୍ୟନ୍ତ ଦେବେ ଗାଇଡାନ୍ସ
ପାଠପଢ଼ା ସହ ଏବେ ସିଧାସଳଖ IAS, IPS ଓ IFS ଅଫିସରଙ୍କଠାରୁ ମିଳିବ କ୍ୟାରିୟର ଗାଇଡାନ୍ସ । ଉତ୍ତରପ୍ରଦେଶର ଇଣ୍ଟରମିଡିଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗୀ ସରକାର ଆଣିବାକୁ ଯାଉଛନ୍ତି ଏକ ନୂଆ ପଦକ୍ଷେପ । ପାଠପଢ଼ା ସହ ଏବେ ଛାତ୍ରଛାତ୍ରୀଙ୍କୁ ମିଳିବ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଅନୁଭବ ଓ କ୍ୟାରିୟର ଗାଇଡାନ୍ସ । ଯୋଗୀ ସରକାରଙ୍କ ଏହି ନୂଆ ପଦକ୍ଷେପ ଅନୁସାରେ ପ୍ରତି ମାସରେ IAS, IPS ଓ IFS ଅଧିକାରୀମାନେ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ଅର୍ଥାତ୍‌, ଏବେ କ୍ଲାସରୁମ୍‌ରେ କେବଳ ପାଠ ନୁହେଁ, ମିଳିବ ଜୀବନ ଓ କ୍ୟାରିୟରର ବଡ଼ ଶିକ୍ଷା ।

ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଜିର Gen-Z ପିଢ଼ିକୁ ସଠିକ୍ ଦିଗଦର୍ଶନ ଦେବା । ଅନେକ ସମୟରେ ସଠିକ୍ ସୂଚନା ଓ ମାର୍ଗଦର୍ଶନ ଅଭାବରୁ ଛାତ୍ରଛାତ୍ରୀ ବଡ଼ ସୁଯୋଗ ହାତଛଡ଼ା କରିଥାନ୍ତି । ତେଣୁ ଅଧିକାରୀଙ୍କ ସହ ସିଧାସଳଖ କଥା ହୋଇ ପିଲାମାନେ ନିଜର ପ୍ରଶ୍ନ ପଚାରିବା ସହ କ୍ୟାରିୟରକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିପାରିବେ ।

ତେବେ ଏହି କାର୍ଯ୍ୟକ୍ରମ କେବଳ ସିଭିଲ୍ ସର୍ଭିସ୍ ପ୍ରସ୍ତୁତି ମଧ୍ୟରେ ସୀମିତ ରହିବ ନାହିଁ । IAS, IPS ଓ IFS ଅଧିକାରୀମାନେ ମେଡିକାଲ୍, ଇଞ୍ଜିନିୟରିଂ, ସେନା ସମେତ ବିଭିନ୍ନ କ୍ଷେତ୍ରରେ କ୍ୟାରିୟର ସୁଯୋଗ ବିଷୟରେ ମଧ୍ୟ ପିଲାଙ୍କୁ ଜଣାଇବେ ।

ଅଧିକ ପଢ଼ନ୍ତୁ: ଏଣିକି ରାସ୍ତା ନୁହେଁ, ଆକାଶରେ ଚାଲିବ କାର୍ ! ଭାଇରାଲ୍ ହେଲା ଫ୍ଲାଇଂ କାର୍‌ର ଭିଡିଓ


ଏହା ସହ UPSC, UPPSC, UPSSSC, NDA, JEE, NEET ଓ CUET ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କେମିତି ପ୍ରସ୍ତୁତି ନେବାକୁ ହେବ, କେଉଁ ରଣନୀତି ଆପଣାଇଲେ କମ୍ ସମୟରେ ଭଲ ପ୍ରସ୍ତୁତି ହୋଇପାରିବ ଏବଂ ପାଠପଢ଼ାକୁ କିପରି ଅଧିକ ପ୍ରଭାବଶାଳୀ କରିହେବ, ସେନେଇ ମଧ୍ୟ ଅଧିକାରୀମାନେ ନିଜ ଅନୁଭବ ବାଣ୍ଟିବେ ।

ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା, ଚାକିରି, ନିଜର ବ୍ୟବସାୟ ଆରମ୍ଭ କରିବା ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ଥିବା ସୁଯୋଗ ସମ୍ପର୍କରେ ମଧ୍ୟ ଅବଗତ କରାଯିବ । ଫଳରେ ପ୍ରତ୍ୟେକ ଛାତ୍ର ନିଜର ରୁଚି ଓ ଦକ୍ଷତା ଅନୁସାରେ ଭବିଷ୍ୟତର ରାସ୍ତା ବାଛିବାରେ ସହାୟତା ପାଇପାରିବେ ।

ଏହି ବ୍ୟବସ୍ଥାକୁ ସୂଚାରୁ ଭାବେ ଚଳାଇବା ପାଇଁ ଜିଲ୍ଲାପାଳ ପ୍ରତି ମାସରେ ଅଧିକାରୀମାନଙ୍କ ସ୍କୁଲ୍ ଗସ୍ତର ସମୟସୂଚୀ ପ୍ରସ୍ତୁତ କରିବେ । ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ବା DIOS ସ୍କୁଲ୍ ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଏହି ସମଗ୍ର ବ୍ୟବସ୍ଥାର ସମୀକ୍ଷା କରିବେ ମଣ୍ଡଳାୟୁକ୍ତ । ଏହି ଯୋଜନାଟି ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଯାଞ୍ଚ କରି ପ୍ରତି ମାସର ୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ସରକାରଙ୍କୁ ପଠାଇବା ବାଧ୍ୟତାମୂଳକ କରାଯାଇଛି ।

ସରକାରଙ୍କ ଏହି ପଦକ୍ଷେପର ଲକ୍ଷ୍ୟ କେବଳ ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ନୁହେଁ, ବରଂ ସଠିକ୍ ସମୟରେ ସଠିକ୍ କ୍ୟାରିୟର ଦିଗଦର୍ଶନ ଦେବା। ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା ଦ୍ୱାରା ପିଲାଙ୍କ ମନରୁ ଦ୍ୱିଧା ଓ ଭୟ ଦୂର ହେବା ସହ ସେମାନେ ନିଜ ଭବିଷ୍ୟତକୁ ନେଇ ଅଧିକ ସ୍ପଷ୍ଟ ନିଷ୍ପତ୍ତି ନେଇପାରିବେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
IAS, IPS Officers to Guide UP Students on Careers and Competitive Exams | Argus News