Videos
|
National

Gold Robbery / ଝଟ୍‌କାରେ ନେଇଗଲେ ୨ ବ୍ୟାଗ୍ ଭର୍ତ୍ତି ୫.୫ କେଜି ସୁନା; ନୂଆ ଜୁଏଲାରୀ ଖୋଲିବା ବାହାନାରେ ଲୁଟ୍

Sushanta Sahoo
Browse all articles by Sushanta Sahoo
·37 mins ago·3 min read
ଝଟ୍‌କାରେ ନେଇଗଲେ ୨ ବ୍ୟାଗ୍ ଭର୍ତ୍ତି ୫.୫ କେଜି ସୁନା; ନୂଆ ଜୁଏଲାରୀ ଖୋଲିବା ବାହାନାରେ ଲୁଟ୍
Two Bags of Jewellery Stolen in 12 Minutes

Key Points

ଗୋଟିଏ କଲ୍ ଆଉ ୫.୫ କେଜିର ସୁନା ଅଳଙ୍କାର ଡେଲିଭରି ଦେବାକୁ ଯାଇ ଚୋରିର ଶିକାର । ଗୁଜରାଟର ବଡ଼ୋଦରାରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଏକ ଦୋକାନରୁ ୫.୫ କେଜିର ସୁନା ଅଳଙ୍କାର ଭର୍ତ୍ତି ୨ଟି ବ୍ୟାଗ୍ ମାତ୍ର ୧୨ ମିନିଟ୍‌ରେ ଚୋରି ହୋଇ ଯାଇଛି ।
ଅହମଦାବାଦ: ଦଶହରା ଅବସରରେ ନୂଆ ଜୁଏଲାରୀ ଖୋଲିବ । ସୁନା ଅଳଙ୍କାର ଦରକାର । ଏହି ଗୋଟିଏ କଲ୍ ଆଉ ୫.୫ କେଜିର ସୁନା ଅଳଙ୍କାର ଡେଲିଭରି ଦେବାକୁ ଯାଇ ଚୋରିର ଶିକାର । ଗୁଜରାଟର ବଡ଼ୋଦରାରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ବାଘୋଡିଆ ରୋଡ୍‌ରେ ଥିବା ଏକ ଦୋକାନରୁ ୫.୫ କେଜିର ସୁନା ଅଳଙ୍କାର ଭର୍ତ୍ତି ୨ଟି ବ୍ୟାଗ୍ ମାତ୍ର ୧୨ ମିନିଟ୍‌ରେ ଚୋରି ହୋଇ ଯାଇଛି ।

ମୁମ୍ବାଇର ହିମାଂଶୁ ଜୈନଙ୍କ ଠାରୁ ଏହି ଚୋରି ହୋଇଛି । ସୂଚନା ଅନୁସାରେ, ହିମାଂଶୁ ମୁମ୍ବାଇର ଏକ ସୁନା କମ୍ପାନୀର ସେଲ୍ସ ମ୍ୟାନଜର । ୮.୨୮ କୋଟିର ସୁନା ଅଳଙ୍କାର ଚୋରିକୁ ନେଇ ହିମାଂଶୁ ବାପୋଦ ଥାନାରେ ଏତଲା ଦେଇଛନ୍ତି । ପୋଲିସର ସନ୍ଦେହ ହେଲା, ଦଶହରା ଅବସରରେ ନୂଆ ଦୋକାନ ଉଦ୍‌ଘାଟନ ବାହାନା କରି ଏଭଳି ଷଡ଼ଯନ୍ତ୍ର ରଚା ଯାଇଥିଲା ।

ଏଥିସହ ପଢ଼ନ୍ତୁ: ଜଣେ ନୁହେଁ ୩ ପାଇଲଟ କରିଥିଲେ ହାଇଜାକ୍ ପ୍ଲାନ୍; ଆଉ ଦୁଇ ଜଣ ଫ୍ଲାଏ ଦୁବାଇ ପାଇଲଟ ଗିରଫ 

ଅଭିଯୋଗକାରୀ ହିମାଂଶୁ ଜୈନଙ୍କ ଅନୁସାରେ, ମୁମ୍ବାଇର ଜୱେରି ବଜାର ସ୍ଥିତ 'ଯୁଗନ ଗୋଲ୍ଡ ପ୍ରାଇଭେଟ୍ ଲିମିଟେଡ୍‌'ରେ ସେ ସେଲ୍ସ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ କାମ ହେଲା ଗୁଜରାଟର ଭିନ୍ନ ଭିନ୍ନ ସହରର ଜୁଏଲର୍ସକୁ ସୁନା ଗହଣା ବିତରଣ କରିବା ସହ ପେମେଣ୍ଟ ଆଦାୟ କରିବା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି କ୍ରମରେ ହିମାଂଶୁଙ୍କ ପରିଚୟରେ ଆସିଥିଲେ ଡାକୋରର ଭାବିକ ସୋନି । ଉଭୟ ୨୦୧୭ ମସିହାରୁ ଏହି ବ୍ୟବସାୟରେ ଜଡ଼ିତ । ଅଭିଯୋଗ ଅନୁସାରେ, ଭାବିକ ସୋନି ବଡ଼ୋଦରାରେ ନୂଆ ଦୋକାନ ଖୋଲିବା କଥା କହି ହିମାଂଶୁ ଜୈନଙ୍କ ଠାରୁ ବିପୁଳ ସୁନା ଅଳଙ୍କାର ମଗାଇଥିଲେ ।

ଭାବିକ ସୋନି, ହିମାଂଶୁ ଜୈନଙ୍କୁ କହିଥିଲେ- "ସେ ବଡୋଦରାର ବାଘୋଡିଆ ରୋଡ୍‌ର ଜବେରିନଗର ନିକଟ ସାଈ ଗଣେଶ କମ୍ପ୍ଳେକ୍ସରେ ଶ୍ରୀ ଅମ୍ବକା ଜୁଏଲର୍ସ ନାଁରେ ଦୋକାନ ଆରମ୍ଭ କରୁଛନ୍ତି ।" ଦଶହରା ଅବସରରେ ଜୁଏଲାରୀ ଉଦ୍‌ଘାଟନ ହେବାର ଥିଲା, ସେଥିପାଇଁ ଗହଣାର ତାଲିକା ପଠାଇଥିଲେ ।

ଅର୍ଡର ଅନୁସାରେ, ହିମାଂଶୁ ୫ କେଜି ୫୦୦ ଗ୍ରାମ୍ ଓଜନର ସୁନା ଅଳଙ୍କାର ନେଇ ପହଞ୍ଚିଥିଲେ । ଯାହାର ମୂଲ୍ୟ ୮ କୋଟି ୨୮ ଲକ୍ଷ ୩୭ ହଜାର ୬୮୦ ଟଙ୍କା । ଦୋକାନରେ ଗହଣ ଦେଖାଇବା ବେଳେ ମଧ୍ୟାହ୍ନ ସମୟ ହୋଇ ଯାଇଥିଲା ।

ଯାହାପରେ ଭାବିକ ସୋନି ଓ ହିମାଂଶୁ ଜୈନଙ୍କ ଭାଇ ନୀଲ ଜୈନ ଖାଇବାକୁ ବାହାରକୁ ଯାଇଥିଲେ । ଭାବିକ ଭରସା ଦେଇ କହିଥିଲା, ଦୋକାନରେ ଗହଣ ବ୍ୟାଗ୍ ସୁରକ୍ଷିତ ରହିବ । ଏପରିକି ଦୋକାନ ବାହାରୁ ସେ ତାଲା ପକାଇ ଦେଇ ଚାବି ନିଜ ପାଖେ ରଖିଛି କହି ନୀଲ ଜୈନ୍ ସହ ଯାଇଥିଲେ ।

ସେହି ସମୟରେ ହିମାଂଶୁ ୱାଶରୁମ୍ ଯାଇଥିଲେ । ପ୍ରାୟ ୧୨ ମିନିଟ୍ ପରେ ହିମାଂଶୁ  ଫେରି ଦେଖନ୍ତି ତ ଦୋକାନର ତାଲା ଖୋଲା ରହିଛି । ଭିତରକୁ ଯାଇ ଦେଖିବାରୁ ସୁନା ଭର୍ତ୍ତି ଦୁଇ ବ୍ୟାଗ୍ ମଧ୍ୟ ନଥିଲା । କିନ୍ତୁ, ଦୋକାନରେ ପୂର୍ବରୁ ଥିବା ଅନ୍ୟ ଗହଣା ସେମିତି ଥିଲା ।

ଏଥିସହ ପଢ଼ନ୍ତୁ: ସ୍କାନରରେ ‘ଏନ୍‌ଏଚ୍‌-୧୬'; ଦୁବାଇ-ନେପାଳ-ପଶ୍ଚିମବଙ୍ଗରୁ ଓଡ଼ିଶା: ସୁନା ସ୍ମଗଲିଂର କଳା ସାମ୍ରାଜ୍ୟ 

ସୂଚନା ପାଇ ସ୍ଥାନୀୟ ପୋଲିସ ପହଞ୍ଚିବା ସହ ନିକଟରେ ଥିବା ସିସିଟିଭି ଫୁଟେଜ୍ ଖୋଜିଥିଲା । ପୋଲିସ ଅନୁସାରେ, ନୀଳରଙ୍ଗର ଏକ ସୁଜୁକି ଏକ୍ସେସ୍ ଭଳି ସ୍କୁଟର୍‌ରେ ଦୁଇ ଜଣ ଅଜ୍ଞାତ ଲୋକ ଆସି ଦୋକାନରୁ ଗହଣା ବ୍ୟାଗ୍ ନେଇ ଯାଇଛନ୍ତି ।

ଅନ୍ୟପଟେ ଖାଇବାକୁ ଯାଇଥିବା ଭାବିକ ସୋନି ମଧ୍ୟ ଅଚାନକ ଗାଏବ ହୋଇ ଯାଇଛି । ଭାବିକର ଫୋନ୍ ମଧ୍ୟ ସ୍ଵିଚ୍ ଅଫ୍ ରହିଛି । ହିମାଂଶୁ ଜୈନଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ଛାନଭିନ୍ ଜାରି ରଖିଛି । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ୪ଟି ସ୍ଵତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ରେଡ୍ କରୁଛ ।