Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha Parba 2026

Odisha Parba / ଓଡ଼ିଶା ପର୍ବର ଦ୍ଵିତୀୟ ସନ୍ଧ୍ୟାରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ; ଯୋଗଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·3 min read
ଓଡ଼ିଶା ପର୍ବର ଦ୍ଵିତୀୟ ସନ୍ଧ୍ୟାରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ; ଯୋଗଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
Odisha Parba

Key Points

ଓଡ଼ିଶା ପର୍ବର ଦ୍ଵିତୀୟ ଦିନରେ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
ଓଡ଼ିଆ କଳାକାରଙ୍କ ବାଦ୍ୟ, ଶଙ୍ଖ ଧ୍ଵନିରେ କରାଗଲା ସ୍ଵାଗତ
ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଅଗ୍ରଣୀ ସାମାଜିକ-ସାଂସ୍କୃତିକ ସଂଗଠନ 'ଓଡ଼ିଆ ସମାଜ' ଦ୍ଵାରା ଆୟୋଜିତ ହେଉଛି ଓଡ଼ିଶା ପର୍ବ ୨୦୨୬ । ପର୍ବର ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଓଡ଼ିଆ କଳାକାରଙ୍କ ବାଦ୍ୟ ସହିତ ଶଙ୍ଖ ଧ୍ୱନିରେ ତାଙ୍କୁ ସ୍ୱାଗତ କରାଯାଇଛି । ଓଡ଼ିଆ କଳାକାରଙ୍କ ବାଦ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଝୁମିଥିବା ଦେଖିବାକୁ ମିଳିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ ମଧ୍ୟ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ମନ ମୋହିବ ନୃତ୍ୟଗୁରୁ କବିତା ମହାନ୍ତିଙ୍କ ଓଡ଼ିଶୀ ନୃତ୍ୟ
ଆଜି ଦ୍ଵିତୀୟ ଦିନର ସନ୍ଧ୍ୟାରେ ବି ଅନୁଷ୍ଠିତ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଯୋଗ ଦେବେ ଅନେକ କଳାକାର । ଆଉ କିଛି ସମୟ ପରେ ଓଡ଼ିଶୀ ନୃତ୍ୟ ଗୁରୁ କବିତା ମହାନ୍ତିଙ୍କ ଗ୍ରୁପ ଧର୍ମ ଚକ୍ର ଉପସ୍ଥାପନ କରିବେ । ଏହା ପରେ ଓଡ଼ିଶାରୁ ଯାଇଥିଲା ଲୋକପ୍ରିୟ ଓଡ଼ିଆ କଣ୍ଠଶିଲ୍ପୀ ସତ୍ୟଜିତ ପ୍ରାଧନ ଏବଂ ଲିପ୍ସା ମହାପାତ୍ର ସଙ୍ଗୀତ ପରିବେଷଣ କରିବେ । ବିଘ୍ନ ବିନାଶକଙ୍କ ଲୀଳା ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ।

ସ୍ଵତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ
ସନ୍ଧ୍ୟା ପୂର୍ବରୁ ଓଡ଼ିଶା ପର୍ବର ଦ୍ଵିତୀୟ ଦିନରେ 'ନବଚେତନା ଓଡ଼ିଶା' ଏବଂ 'ଭାଷା ଓଡ଼ିଶା' ନାମରେ ଦୁଇଟି ଅଧିବେଶନରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଲକ୍ଷ୍ନୌର NBRI ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ସାସାନିଙ୍କ ନେତୃତ୍ୱରେ 'ନବଚେତନା ଓଡ଼ିଶା' ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ IES ଡକ୍ଟର ଇସିତା ତ୍ରିପାଠୀ ଗାଙ୍ଗୁଲିଙ୍କ ସହିତ IAS ମୀରା ମହାନ୍ତି, ସ୍ମୃତି ରଞ୍ଜନ ବିଶ୍ୱାଳ, ରାମ୍ୟ ରଞ୍ଜନ ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଡକ୍ଟର ଅଜିତ କୁମାର ଜି କହିଥିଲେ ଯେ ନବଚେତନା ଓଡିଶା ପାଇଁ ଆମକୁ ନେତୃତ୍ୱ ନେବାର ଆବଶ୍ୟକତା ରହିଛି । ସେ ଆହୁରି କହିଥିଲେ, "ଆମ ପାଖରେ ଏହାକୁ ନେଇ ଅନେକ ଉଦାହରଣ ରହିଛି । ଆମର ମାଟି ଉର୍ବର ମାଟି । ଓଡ଼ିଶାରେ ଉପକୂଳଠୁ ନେଇ ବିଭିନ୍ନ ପ୍ରକାର କଥା ରହିଛି । ସବୁ ପ୍ରକାର ଜଳବାୟୁ ଓଡ଼ିଶାରେ ରହିଛି । ଏହାକୁ ଭଲ ଭାବରେ ବ୍ୟବହାର କରାଗଲେ ଆମେ ଆମର ଆବଶ୍ୟକତା ପୂରଣ କରିପାରିବା ।

ଏହା ବି ପଢନ୍ତୁ: ଓଡ଼ିଶାରେ ସୁଯୋଗର ରହିଛି ଅପାର ସମ୍ଭାବନା, ହୋଇ ପାରିବ ଗେମ୍ ଚେଞ୍ଜର୍

ସେହିପରି IES ଡ଼କ୍ଟର ଇସିତା ତ୍ରିପାଠୀ ଗାଙ୍ଗୁଲି କହିଥିଲେ ବିକଶିତ ଓଡ଼ିଶା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ । ଅନେକ କଥା ରହିଛି ଯାହା କରାଯାଇ ପାରିବ । ଓଡ଼ିଶାର ଗ୍ରାମ୍ୟ ପର୍ଯ୍ୟଟନୀ ସ୍ଥଳୀଗୁଡ଼ିକୁ ନେଇ ଯୋଜନା କରିବାକୁ ସେ ଉଲ୍ଲେଖ କରିଥିଲେ । ଏହାପରେ ଦ୍ଵିତୀୟ ଅଧିବେଶନରେ NCERTର ପ୍ରଫେସର ଡକ୍ଟର ରାମାନୁଜନ ମେଘନାଥନଙ୍କ ନେତୃତ୍ୱରେ 'ଭାଷା ଓଡ଼ିଶା'କୁ ନେଇ ହୋଇଥିବା ଆଲୋଚନା ଚକ୍ରରେ ଲେଖକ ଡକ୍ଟର ଅରବିନ୍ଦ ରାୟ ଏବଂ ଡକ୍ଟର ବସନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଭାଷା ନ ବଞ୍ଚିଲେ ସାହିତ୍ୟ ବଞ୍ଚିବ ନାହିଁ ବୋଲି ଆଲୋଚନା ଚକ୍ରରେ ଚର୍ଚ୍ଚା ହୋଇଥିଲା । ଆଜିର ଏଆଇ ଦୁନିଆରେ ମଧ୍ୟ ଓଡ଼ିଆ ଭାଷା ପ୍ରବେଶ କରାଇବା ଉଚିତ ବୋଲି ବକ୍ତାମାନେ କହିଥିଲେ । ଏହାବ୍ୟତୀତ ପ୍ରତିଭା ଉତ୍ସବରେ କୁନି କୁନି ପିଲାମାନେ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଏହା ବି ପଢନ୍ତୁ: 'ମୁଁ ଓଡ଼ିଆ' ଭାବେ ଗର୍ବର ସହ ପରିଚୟ ଦେବା ଓଡ଼ିଶା ପର୍ବର ଉଦ୍ଦେଶ୍ୟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ତିନି ଧରି ଚାଲିବ ଓଡ଼ିଶା ପର୍ବ
ଓଡ଼ିଶା ପର୍ବ ପ୍ରତିବର୍ଷ ଦିଲ୍ଲୀଠାରେ ଆୟୋଜିତ ହୋଇଆସୁଛି । ଚଳିତ ଥର ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଓଡ଼ିଶା ପର୍ବ ମାର୍ଚ୍ଚ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ହେଉଛି । ଏହି ପର୍ବରେ ଓଡ଼ିଆ କଳା, ସଂସ୍କୃତି, ପରମ୍ପରା, ହସ୍ତକଳା, ହସ୍ତଶିଳ୍ପର ସମ୍ଭାର ଲାଗିଛି । ପର୍ଯ୍ୟଟକମାନେ ପର୍ବ ବୁଲି ଓଡ଼ିଆ ନାଚଗୀତକୁ ଅତି ନିକଟରୁ ଦେଖୁଥିବାବେଳେ ଓଡ଼ିଆ ଖାଦ୍ୟର ମଜା ନେଉଛନ୍ତି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ପିଠାପଣାଠୁ ଆରମ୍ଭ କରି ଦହିବରା, ରସଗୋଲା, ବାରିପଦା ମୁଢି ମାଂସ ଆଦି ବିକ୍ରି ହେଉଛି । ଓଡ଼ିଆଙ୍କ ସହିତ ଅଣଓଡ଼ିଆମାନେ ମଧ୍ୟ ପର୍ବରେ ସାମିଲ ହୋଇ ଓଡ଼ିଶା କଳା ସଂସ୍କୃତି ପ୍ରତି ଆକର୍ଷିତ ହୋଇଥିବାବେଳେ ଓଡ଼ିଆ ଖାଦ୍ୟର ପ୍ରଶଂସା କରିଛନ୍ତି ।

ଅଧିକ ଖବର ପଢନ୍ତୁ..
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Parba 2026 Day 2 Delhi CM Rekha Gupta Chief Guest | Argus News