Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha Parba 2026

Odisha Parba / ଆସନ୍ତାକାଲିଠୁ ଦିଲ୍ଲୀରେ ଓଡ଼ିଶା ପର୍ବ; ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ସରିଲା ଭୂମି ପୂଜନ

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ଆସନ୍ତାକାଲିଠୁ ଦିଲ୍ଲୀରେ ଓଡ଼ିଶା ପର୍ବ; ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ସରିଲା ଭୂମି ପୂଜନ
Odisha Parba

Key Points

ମାର୍ଚ୍ଚ ୧୩ରୁ ୧୫ ତାରିଖ ଦିଲ୍ଲୀରେ ଓଡ଼ିଶା ପର୍ବ
ଶେଷ ପର୍ଯ୍ୟାୟରେ ପହଞ୍ଚିଲା ପ୍ରସ୍ତୁତି
ଯୋଗଦେବେ ରାଜ୍ୟପାଳଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି
ଆସନ୍ତାକାଲି (ଶୁକ୍ରବାର)ଠୁ ତିନି ଦିନ ଧରି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଦିଲ୍ଲୀ ସ୍ଥିତ ଅଗ୍ରଣୀ ସାମାଜିକ-ସାଂସ୍କୃତିକ ସଂଗଠନ 'ଓଡ଼ିଆ ସମାଜ' ଦ୍ଵାରା ଅନୁଷ୍ଠିତ ହେଉଛି 'ଓଡ଼ିଶା ପର୍ବ ୨୦୨୬' । ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୂମି ପୂଜନ ସହିତ ଓଡ଼ିଶା ପର୍ବର ଶୁଭ ଆରମ୍ଭ ମଧ୍ୟ ହୋଇସାରିଛି । ଏଥର ସମ୍ପୂର୍ଣ୍ଣ ଷ୍ଟାଡିୟମରେ ଦେଖିବାକୁ ମିଳିବ ଓଡ଼ିଶାର ଝଲକ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଦିଲ୍ଲୀ ଶ୍ରମ ମନ୍ତ୍ରୀ କପିଲ ମିଶ୍ରା ପ୍ରମୁଖ ଅତିଥି ଭାବେ ଯୋଗ ଦେବେ ।

ଓଡ଼ିଆ ଖାଦ୍ୟ, ନାଚ, ଗୀତ, କଳା କାରିଗରୀର ଝଲକ ଦେଖିବ ଦିଲ୍ଲୀ । ଯୋଡ଼ିଶଙ୍ଖ, ରଣପା, ସାହିଯାତ, ପାଇକ ନାଚ, ଆଦିବାସୀ ନାଚ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ । ଗୋଟିଏ ସ୍ଥାନରେ ଓଡ଼ିଆ ଓ ଅଣଓଡ଼ିଆ ସଭିଏଁ ହେବେ ଏକାଠି । ହାତ ପାହାନ୍ତାରେ ଓଡ଼ିଶାର ପିଠାପଣା, ମିଠା, ସୁସ୍ଵାଦୁ ବ୍ୟଞ୍ଜନର ମଜା ନେବେ ଦେଶବାସୀ । ଓଡ଼ିଶାର ନୃତ୍ୟଶିଳ୍ପୀମାନେ ରାଜ୍ୟର ପାରମ୍ପରିକ ନୃତ୍ୟ ଏବଂ ଲୋକକଳାକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରିବେ । ଆଦିବାସୀ ଲୋକକଳାଠୁ ଆଧୁନିକ ସଂଗୀତ, ଗୋଟିଏ ମଞ୍ଚରେ ମିଳିବ ସବୁର ଝଲକ ।

ଏଥର ଓଡ଼ିଶା ପର୍ବର ମୁଖ୍ୟ ଆକର୍ଷଣ
ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ପର୍ବ ୨୦୨୬ରେ ମୋଟ ୪୫ଟି ଖାଦ୍ୟ ଷ୍ଟଲ୍ ଓ ୨୫ଟି ହସ୍ତଶୀଳ୍ପ ଷ୍ଟଲ୍ ରହିବ । ଜ୍ଞାନ ମଣ୍ଡପମରେ ବିଭିନ୍ନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଧର୍ମ ଓଡ଼ିଶା, ସ୍ୱାଦ ଓଡ଼ିଶା, ନବଚେତନା, ଭାଷା ଓଡ଼ିଶା, ହସ୍ତଶିଳ୍ପ ଓଡ଼ିଶା, ଆତିଥ୍ୟ ଓଡ଼ିଶା ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହାବ୍ୟତୀତ ଏଆଇ ଟେକ୍ନୋଲୋଜି, ଜାତୀୟ ଶିକ୍ଷା ନୀତି, ଆଦିବାସୀ ଭାଷା ଉପରେ ବିଶେଷ ଆଲୋଚନା କରାଯିବ ।

ଏହା ବି ପଢନ୍ତୁ: ପାଖେଇଲା ଓଡ଼ିଶା ପର୍ବ ୨୦୨୬; ଦିଲ୍ଲୀରେ ହେବ 'ପ୍ରକୃତି ଓ ସଂସ୍କୃତି'ର ମହାମିଳନ

ପର୍ବରେ କଥା କହିବ କୋଣାର୍କ
ଓଡ଼ିଶା ପର୍ବରେ ଓଡ଼ିଆଙ୍କ ସମୃଦ୍ଧ ଓ ସ୍ୱତନ୍ତ୍ର ପରିଚୟକୁ ପ୍ରଦର୍ଶିତ କରାଯାଇଛି । ମହିମା ବୌଦ୍ଧ କୀର୍ତ୍ତିରାଜି ସହିତ କୋଣାର୍କ ମନ୍ଦିର କାରୁକାର୍ଯ୍ୟ, ପଟ୍ଟଚିତ୍ର ଆଦି ପ୍ରଦର୍ଶିତ ହୋଇଛି, ଯାହାଦ୍ଵାରା ଜଣେ ପର୍ଯ୍ୟଟକ ସାଜସଜ୍ଜା ଦେଖି ଓଡ଼ିଶା ପ୍ରତି ଆକୃଷ୍ଟ ହେବ । ଓଡ଼ିଶାରୁ କାରଗିରମାନେ ଯାଇ ସାଜସଜ୍ଜାରେ ଲାଗିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ ହେବ ବୋଲି କହିଛନ୍ତି କାରିଗର ।

ସଞ୍ଜ ନଇଁଲେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ସନ୍ଧ୍ୟା ହେଲେ ରଙ୍ଗୀନ ହୋଇ ଉଠିବ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ । ଶୁକ୍ରବାରଠୁ ରବିବାର ଦିନ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମ ସନ୍ଧ୍ୟାରେ ନୃତ୍ୟ ପରିବେଷଣ କରିବେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି । ସେହିପରି ସମ୍ବଲପୁରୀ ନୃତ୍ୟ ନାଟିକା ମାଧ୍ୟମରେ ପ୍ରଦର୍ଶିତ ହେବ ପଶ୍ଚିମ ଓଡ଼ିଶାର ସଂସ୍କୃତି । ଆଦିବାସୀଙ୍କ ଜୀବନଶୈଳୀର ଝଲକ, ଓଡ଼ିଶାର ଆଦିବାସୀ ଜନଜାତି ନୃତ୍ୟରେ ଝଲସିବ । ଏହା ପଛକୁ ପଛ ପଶ୍ଚିମ ଓଡ଼ିଶା ସୁର ସନ୍ଧ୍ୟାରେ ଚାରଚାନ୍ଦ୍ ଲଗାଇବେ ଲୋକପ୍ରିୟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଏବଂ ଶାଶ୍ଵତ ତ୍ରିପାଠୀ । ସେହିପରି ଦ୍ଵିତୀୟ ଓ ତୃତୀୟ ଦିନ ସନ୍ଧ୍ୟାରେ ମଧ୍ୟ ଓଡ଼ିଶାର ଅନ୍ୟ କଳାକାରମାନେ ସାମିଲ ହୋଇ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନର କାରଣ ପାଲଟିବେ ।  

ଅଧିକ ପଢନ୍ତୁ:- ଆମ ସଂସ୍କୃତି ଓ ପରମ୍ପରାର ପରିଚୟ 'ଓଡ଼ିଶା ପର୍ବ'
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Parba 2026 to begin from March 13 at Jawaharlal Nehru Stadium in New Delhi | Argus News